Unknown

ହରିଭକ୍ତିଚନ୍ଦ୍ରୋଦୟ
ଭକ୍ତକବି ୰ଭୀମ ଦାସ

 

ହରିଭକ୍ତିଚନ୍ଦ୍ରୋଦୟର ସ୍ଥୂଳମର୍ମ୍ମ

କବିବର ଭୀମଦାସ ଯେ ଶ୍ରୀହରିଭକ୍ତିଚନ୍ଦ୍ରୋଦୟ ଗ୍ରନ୍ଥ ରଚନା କରିଅଛନ୍ତି, ତାହାର ପ୍ରଥମ ଅଧ୍ୟାୟରେ ସେ ନିଜର ଉଦ୍ଦେଶ୍ୟ ଉଲ୍ଲେଖ କରିଅଛନ୍ତି । ତହିଁରୁ ଜଣାଯାଏ, ତାଙ୍କର ଏହି ମହାନ୍ ଉଦ୍ଦେଶ୍ୟ ଥିଲା-ଯେଉଁ ଭକ୍ତିଗ୍ରନ୍ଥମାନ ଗୋସ୍ୱାମୀମାନେ ସଂସ୍କୃତରେ ଲେଖିଯାଇଅଛନ୍ତି, ସାଧାରଣ ଲୋକେ ତାହାର ମର୍ମ୍ମ ଗ୍ରହଣ କରିବାକୁ ସକ୍ଷମ ନୁହନ୍ତି । ମହାତ୍ମା ଶ୍ରୀବୃନ୍ଦାବନ ଦାସ, ଶ୍ରୀଲୋଚନ ଦାସ ଓ ଶ୍ରୀକୃଷ୍ଣ ଦାସ କବିରାଜ ଓ ତତ୍ପରବର୍ତ୍ତୀ ‘ଭକ୍ତିଗ୍ରନ୍ଥ ପ୍ରକାଶକ ଶ୍ରୀ ଶ୍ରୀନିବାସ ଆଚାର୍ଯ୍ୟ ପ୍ରଭୃତି ଯେଉଁ ଭକ୍ତିଗ୍ରନ୍ଥମାନ ପ୍ରକାଶ କରିଅଛନ୍ତି ତାହା ସରଳ ହେଲେହେଁ ଭାଷା ବଙ୍ଗଳା ଥିବାରୁ ସମସ୍ତ ଓଡ଼ିଆମାନଙ୍କ ପକ୍ଷରେ ସୁବିଧାଜନକ ନୁହେଁ । ଅତି ଅଳ୍ପସଂଖ୍ୟକ ଓଡ଼ିଆ ବଙ୍ଗଳା ପଢ଼ି ସେ ପୁସ୍ତକରତ୍ନମାନଙ୍କର ସଦ୍‌ବ୍ୟବହାର କରିପାରୁଥିଲେ । ଏହିସବୁ ବାଧାକୁ ଅତିକ୍ରମ କରିବା ମାନସରେ କବି ସେ କଠିନ ଭକ୍ତିଗ୍ରନ୍ଥର କେତେକ ମର୍ମ୍ମ ସରଳ ଓଡ଼ିଆ ପଦ୍ୟରେ ରଚନା କରି ଏହି ଗ୍ରନ୍ଥ ପ୍ରକାଶ କରିଅଛନ୍ତି କିନ୍ତୁ ବର୍ତ୍ତମାନ ମୁଦ୍ରାଯନ୍ତ୍ର ଆବିଷ୍କୃତ ହୋଇଥିବାରୁ ଛାପାପୁସ୍ତକର ସମସ୍ତେ ଆଦର କରୁଅଛନ୍ତି । ଏ ଭକ୍ତିଗ୍ରନ୍ଥମାନ ତାଳପତ୍ରରେ ଲେଖାହୋଇଥିବାରୁ ସମୁଦ୍ର ଗର୍ଭରେ ମୁକ୍ତାପରି ପଡ଼ିରହିଅଛି । ବର୍ତ୍ତମାନ ଶ୍ରୀଯୁକ୍ତ ବ୍ରଜସୁନ୍ଦର ବାବୁ ଏହା ପ୍ରକାଶ କରିବାକୁ ଯାଇ ସିନ୍ଧୁଗର୍ଭରୁ ଗୋଟିଏ ଅମୂଲ୍ୟମୁକ୍ତା ଉତ୍ତୋଳନ କରି ସର୍ବ ସମକ୍ଷରେ ଦେଖାଇବାର ସୁବିଧା କରିଦେଲେ । ଆଶାକରାଯାଏ ଓଡ଼ିଆ ଗ୍ରାହକମାନେ ଏ ଅମୂଲ୍ୟ ମୁକ୍ତାର ଗ୍ରାହକହୋଇ ଭକ୍ତିମାହାତ୍ମ୍ୟ ଅକ୍ଳେଶରେ ଅନୁଭବ କରିପାରିବେ । ଏ ମୁକ୍ତାର ବିଚିତ୍ରତା ଏହି ଯେ ଏଥିରୁ ଅବିରଳ ସୁଧା କ୍ଷରିତ ହେଉଅଛି । ସେ ସୁଧାପାନ କଲେ ମାନବ ଅମରତ୍ୱ ଲାଭ କରି ଚିରକାଳ ଗୋଲକଧାମରେ ଶ୍ରୀକୃଷ୍ଣ-ସେବା-ସୁଖ ଅନୁଭବ କରି ଚିରାନନ୍ଦରେ ବିଚରଣ କରିବ ।

 

ପ୍ରଥମ ଅଧ୍ୟାୟ

ପ୍ରଥମ ଅଧ୍ୟାୟରେ କବିବର ତତ୍ତ୍ୱବିଚାର ସମ୍ବନ୍ଧରେ ଲେଖିଅଛନ୍ତି; ତାହାର ସ୍ଥୂଳମର୍ମ୍ମ ଏହି କି, ଭଗବାନ ଶ୍ରୀକୃଷ୍ଣ ସମସ୍ତ ତତ୍ତ୍ୱର ଆଦି କାରଣ । ଅପର ସମସ୍ତ ତାଙ୍କର କଳା ବା ଅଂଶ ବା ବିଭୂତି । ସମସ୍ତ ଭଗବାନଙ୍କଠାରୁ ଉତ୍ପତ୍ତି ହୁଏ ଓ ତାଙ୍କରିଠାରେ ପୁଣି ଲୟପ୍ରାପ୍ତ ହୁଏ । ବ୍ରହ୍ମସଂହିତା, ବ୍ରହ୍ମବୈବର୍ତ୍ତ ପୁରାଣ ଓ ପଦ୍ମପୁରାଣାଦିରେ ଏହାର ଭୂରି ଭୂରି ପ୍ରମାଣ ରହିଅଛି । ହରେକୃଷ୍ଣ ମହାମନ୍ତ୍ର ଯେଉଁ ତିନିଗୋଟି ନାମରେ ଗଠିତ ସେ ତିନି ନାମର ଧାତ୍ୱର୍ଥାନୁସାରେ ସେହି ଭଗବାନ ଶ୍ରୀକୃଷ୍ଣଙ୍କୁହିଁ ବୁଝାଏ, ଯଥା-ଭୃତ୍ୟମାନଙ୍କ ପାପ ହରିବାରୁ ହରି, ଭୃତ୍ୟଙ୍କ ପାପ ଆକର୍ଷଣ କରି ନିଷ୍ପାପରେ ନିଜ ନିକଟକୁ ନେବାରୁ କୃଷ୍ଣ ଓ ଯୋଗୀମାନେ ମନେ ମନେ ଯାହାଙ୍କୁ ରମଣ କରନ୍ତି ସେ ରାମ ଅର୍ଥାତ୍ ଯୋଗୀଙ୍କ ହୃଦୟରେ ରମଣୀୟ ହୋଇ ପ୍ରକାଶିତ ହୁଅନ୍ତି ବୋଲି ରାମ । ସେହି ଭଗବାନ ଶ୍ରୀକୃଷ୍ଣ ସମସ୍ତ ଦେବମାନଙ୍କର ଠାକୁର ଓ ନାରାୟଣ ଏହାଙ୍କର ଅଂଶ । ମହତ୍‌, ଅହଙ୍କାର, ପ୍ରକୃତି ଆଦି କରି ଯେ ଚତୁର୍ବିଂଶତି ତତ୍ତ୍ୱ, ଭଗବାନ ଶ୍ରୀକୃଷ୍ଣ ଏସମସ୍ତର ଆଦିକାରଣ ଅଟନ୍ତି ।

 

ଆତ୍ମାନ୍ତର୍ଯ୍ୟାମୀ ପୁରୁଷରୂପେ ଯେ ସମସ୍ତ ଜୀବରେ ବର୍ତ୍ତମାନ, ଯୋଗୀମାନେ ଯାହାକୁ ପରମାତ୍ମା ବୋଲି ହୃଦୟ ମଧ୍ୟରେ ଷଟ୍‌ଚକ୍ର ଉପରେ ସହସ୍ରଦଳ କମଳରେ ସତତ ଚିନ୍ତା କରନ୍ତି ସେ ସେହି ଶ୍ରୀକୃଷ୍ଣଙ୍କର ଅଂଶ । ବ୍ରହ୍ମଜ୍ଞାନିମାନେ ଯେଉଁ ବ୍ରହ୍ମର ଭାବନା କରନ୍ତି ତାହା ଶ୍ରୀକୃଷ୍ଣଙ୍କର ଅଙ୍ଗପ୍ରଭା । ଭଗବାନ ଶ୍ରୀକୃଷ୍ଣ ଗୋଲୋକରେ ସର୍ବଦା ଗୋପ ଗୋପୀମାନଙ୍କ ସହ ନିତ୍ୟଲୀଳାରେ ରତ । ତାଙ୍କ କଳା ଓ ଅଂଶ ଆଦିଦ୍ୱାରା ସୃଷ୍ଟିର କାର୍ଯ୍ୟ ଚଳୁଅଛି ।

 

ବିରାଟ ପୁରୁଷ, ଯାହାଙ୍କ ଲୋମ ମୂଳରେ ଶତ ଶତ ବ୍ରହ୍ମାଣ୍ଡ ରହିଅଛି, ସେ ମଧ୍ୟ ସେହି ଶ୍ରୀକୃଷ୍ଣଙ୍କର କଳା । ଶ୍ରୀକୃଷ୍ଣହିଁ ସର୍ବକାରଣର କାରଣ ଅତଏବ ମୂଳ । ଅବତାରମାନେ କୃଷ୍ଣଙ୍କଠାରୁ ଅଂଶ ରୂପରେ ଆସି ସୃଜନ ପାଳନାଦି କାର୍ଯ୍ୟ ସମାଧାନ କରନ୍ତି ଓ ତତ୍ପରେ ପୁଣି ଶ୍ରୀକୃଷ୍ଣଙ୍କ ଅଙ୍ଗରେ ଲୟପ୍ରାପ୍ତ ହୁଅନ୍ତି । ଏହା ବ୍ରହ୍ମସଂହିତାରେ ସବିଶେଷ ବର୍ଣ୍ଣିତ ହୋଇଅଛି।

 

ସେହି ଯେ ସମସ୍ତଙ୍କର ମୂଳ ଶ୍ରୀକୃଷ୍ଣ ସେ ନିତ୍ୟଗୋଲୋକରେ ନିତ୍ୟଲୀଳା ବିସ୍ତାର କରି ନିତ୍ୟ ବର୍ତ୍ତମାନ ରହିଅଛନ୍ତି । ତାଙ୍କର ବର୍ଣ୍ଣ ନୀଳଇନ୍ଦୀବର ସଦୃଶ । ସେ ଦ୍ୱିଭୁଜ ଓ ମୁରଲିଧର । ସହସ୍ର ଦଳ ପଦ୍ମାକାର ଧାମର କର୍ଣ୍ଣିକା ମଧ୍ୟରେ ବୃଷଭାନୁ ଦୁହିତା ଶ୍ରୀରାଧାଙ୍କ ସଙ୍ଗେ ସର୍ବଦା ବିରାଜିତ ଥାଇ ଲୀଳା କରୁଅଛନ୍ତି । ଶ୍ରୀକୃଷ୍ଣ ଓ ଶ୍ରୀରାଧା ଏ ଦୁହେଁ ସମସ୍ତଙ୍କର ଆଦିକାରଣ । ଶ୍ରୀରାଧାଙ୍କର ବର୍ଣ୍ଣ ତପ୍ତକାଞ୍ଚନ ସଦୃଶ । ସେ ଶ୍ରୀକୃଷ୍ଣଙ୍କର ଅତୀବ ମନୋହାରିଣୀ ଓ ମନ ସର୍ବଦା କୃଷ୍ଣଙ୍କଠାରେ ଅର୍ପଣ କରି ରହିଅଛନ୍ତି । ରାଧାକୃଷ୍ଣଙ୍କର ଯେ ପ୍ରଣୟ ସେ ନିତ୍ୟନୂତନ । ଉଭୟ ପରସ୍ପରଙ୍କ ସୁଖଦାୟୀ । ସେଠାରେ ନିତ୍ୟସିଦ୍ଧା ଗୋପୀମାନେ ଶ୍ରୀରାଧାକୃଷ୍ଣଙ୍କ ସେବାରେ ନିୟତ ରତ ଅଛନ୍ତି ।

 

ଏହି ଲୀଳା ଗୋଲୋକରେ ନିତ୍ୟ ବର୍ତ୍ତମାନ, କିନ୍ତୁ ନରଲୋକରେ ଅପ୍ରକଟ ଥିଲା । ଏହା ନରଲୋକରେ ପ୍ରକଟ କରିବାକୁ ଇଚ୍ଛା କରି ଶ୍ରୀକୃଷ୍ଣ, ଶ୍ରୀରାଧା ଓ ଗୋପଗୋପୀମାନେ ଦ୍ୱାପର ଯୁଗରେ ଶ୍ରୀବୃନ୍ଦାବନରେ କୃଷ୍ଣ ଇଚ୍ଛାରେ ପ୍ରକାଶ ପାଇ ଲୀଳା କରନ୍ତି । ସ୍ୱୟଂ ପୂର୍ଣ୍ଣବ୍ରହ୍ମ ଶ୍ରୀକୃଷ୍ଣ ଦେବକୀଗର୍ଭସମ୍ଭୂତ ନୁହନ୍ତି; ତାଙ୍କ ଅଂଶ ବାସୁଦେବ ଚତୁର୍ଭୁଜ ମୂର୍ତ୍ତିରେ ଶଙ୍ଖ ଚକ୍ର ଗଦା ପଦ୍ମ ଧାରଣ କରି କିରୀଟ କୁଣ୍ଡଳରେ ଶୋଭିତ ହୋଇ ଦେବକୀଙ୍କଠାରେ ଆବିର୍ଭୁତ ହୁଅନ୍ତି ଓ ସେହି ସମୟରେ ଗୋକୁଳରେ ଶ୍ରୀକୃଷ୍ଣ ମଧ୍ୟ ନନ୍ଦଘରେ ପ୍ରକାଶିତ ହେବାରୁ ବସୁଦେବ ବାସୁଦେବଙ୍କ ସେଠାକୁ ଘେନି ଯାଆନ୍ତେ ଉଭୟ (ଅଂଶ ଓ ଅଂଶୀ) ମିଳି ଏକ ହୋଇଯାଆନ୍ତି ଓ ବସୁଦେବ ଯଶୋଦାଗର୍ଭସମ୍ଭୂତ ଦେବୀମୂର୍ତ୍ତି ଗ୍ରହଣ କରି ମଥୁରାକୁ ଫେରିଆସନ୍ତି । ଏହା ଶ୍ରୀମଦ୍‌ ଭାଗବତର ପ୍ରକୃତ ଅର୍ଥ ଅଟେ ଓ ଗୋସ୍ୱାମୀମାନେ ଏହା ଉତ୍ତମରୂପେ ବ୍ୟାଖ୍ୟା କରି ଦେଖାଇଅଛନ୍ତି ।

 

ଦ୍ୱିତୀୟ ଅଧ୍ୟାୟ

(ଭକ୍ତି ଲକ୍ଷଣ)

ଶ୍ରୀକୃଷ୍ଣ ସମ୍ବନ୍ଧୀୟ ଅନୁକୂଳ ଅନୁଶୀଳନକୁ ଭକ୍ତି ବୋଲାଯାଏ ଅର୍ଥାତ୍ କଂସ ଶିଶୁପାଳାଦିଙ୍କର କୃଷ୍ଣ ସମ୍ବନ୍ଧରେ ଯେ ଶତ୍ରୁଭାବର ଚିନ୍ତା ତାହା ପ୍ରତିକୂଳ ଅନୁଶୀଳନ, ଅନୁକୂଳ ଅନୁଶୀଳନ ନୁହେ । ସେ ଅନୁଶୀଳନ ପୁଣି ଜ୍ଞାନକର୍ମ୍ମାଦିବିବର୍ଜିତ ହେବା ଆବଶ୍ୟକ; ଜ୍ଞାନ ଶବ୍ଦର ଅର୍ଥ ନିର୍ଭେଦ ବ୍ରହ୍ମଜ୍ଞାନ, ଭଜନୀୟ ବସ୍ତୁର ଅନୁସନ୍ଧାନ ରୂପ ଜ୍ଞାନ ତାହାର ଅର୍ଥ ନୁହେଁ ଓ କର୍ମ୍ମ ଶବ୍ଦଦ୍ୱାରା ଏଠାରେ ଭଜନୀୟ ବସ୍ତୁର ପରିଚର୍ଯ୍ୟାକୁ ବାରଣ ନକରି ସ୍ମାର୍ତ୍ତ ନିତ୍ୟନୈମିତ୍ତିକାଦି କର୍ମ୍ମକୁ ବାରଣ କରୁଅଛନ୍ତି । ସେ ଅନୁଶୀଳନ ପୁଣି ଭକ୍ତିଛଡ଼ା ଅନ୍ୟ ସମସ୍ତ ଅଭିଳାଷ ରହିତ ହେବା ଆବଶ୍ୟକ । ଏହିପରି ଭକ୍ତିକୁ ଉତ୍ତମା ଭକ୍ତି ବୋଲାଯାଏ । ନାରଦ ପଞ୍ଚରାତ୍ରରେ ମଧ୍ୟ ସର୍ବ ଉପାଧି ବିନିର୍ମ୍ମୁକ୍ତ ଅର୍ଥାତ୍ ଫଳକାମନା ରହିତ ଇନ୍ଦ୍ରିୟଗଣଦ୍ୱାରା ହୃଷୀକେଶ ଶ୍ରୀକୃଷ୍ଣଙ୍କର ସେବାକୁ ଭକ୍ତି ବୋଲି ବର୍ଣ୍ଣନା କରାହୋଇଅଛି ଏବଂ ଗ୍ରନ୍ଥକର୍ତ୍ତା ଶ୍ରୀରୂପ ଗୋସ୍ୱାମୀକୃତ ରସାମୃତସିନ୍ଧୁ ନାମକ ଗ୍ରନ୍ଥ ଅବଲମ୍ବନ କରି ଏ ଗ୍ରନ୍ଥ ରଚନା କରିଥିବାର ସ୍ପଷ୍ଟ ପ୍ରତୀୟମାନ ହେଉଅଛି; ମୂଳ ଗ୍ରନ୍ଥରେ ‘‘ଜ୍ଞାନ କର୍ମ୍ମାଦି’’ ଲେଖାଅଛି ଓ ଆଦିଶବ୍ଦର ଅର୍ଥ ଟୀକାକାର ବୈରାଗ୍ୟସାଙ୍ଖ୍ୟାଭ୍ୟାସ ଆଦି ବୋଲି ଲେଖିଅଛନ୍ତି ଅର୍ଥାତ୍ ଭକ୍ତିରେ ଏମାନ ମଧ୍ୟ ବର୍ଜନୀୟ । ତେବେ ଶ୍ରୀରାଧାକୃଷ୍ଣ ପାଦପଦ୍ମସ୍ମରଣାଦି ଚିତ୍ତ ସଂଯୋଗକୁ ଏଥିଦ୍ୱାରା ବାରଣ କରାହେଉନାହିଁ ।

 

ଫଳକାମନାଶୂନ୍ୟତାହିଁ ଭକ୍ତିର ପ୍ରଧାନ ଲକ୍ଷଣ । ତାହା ବିଶଦଭାବରେ ବୁଝିବା ଆବଶ୍ୟକ । ବ୍ରାହ୍ମଣକୁ ବ୍ରତ କରିବା କିମ୍ବା ପୁଷ୍କରିଣୀ ଖୋଳାଇବା ଏମାନ କର୍ମ୍ମକାଣ୍ଡର ଅନ୍ତର୍ଭୁକ୍ତ । ଭକ୍ତ କି ଏ କର୍ମ୍ମମାନ ଏକାବେଳକେ କରିବେ ନାହିଁ ? ନା, ମୁଁ ତାର ଏହି ଅର୍ଥ ଶାସ୍ତ୍ରସମ୍ମତ ମନେ କରୁଅଛି, ଅର୍ଥାତ୍ ଫଳ କାମନାରେ ବ୍ରାହ୍ମଣ ବ୍ରତ କରାଇବା କିମ୍ବା ପୁଷ୍କରିଣୀ ଖୋଳାଇବା ଭକ୍ତିପଥର ବାଧକ, ତେଣୁ ବର୍ଜନୀୟ । କିନ୍ତୁ ଯଦି ଜଣେ ବ୍ରାହ୍ମଣ ଦରିଦ୍ର ହେତୁ ବ୍ରତ ହୋଇପାରୁନାହିଁ ଦୟାପରବଶ ହୋଇ ଫଳକାମନାକୁ ଏକାବେଳେ ମନରୁ ଦୂରକରି ସେ ବ୍ରାହ୍ମଣବାଳକର ବ୍ରତର ବ୍ୟୟଭାର ଯଦି କେହି ବହନ କରେ ତେବେ ତାହାର ସେ କାର୍ଯ୍ୟ ଭକ୍ତିର ବାଧକ ନହୋଇ ବରଂ ପୋଷକ ହେବ । ସେହିପରି ଫଳକାମନାରେ ପୁଷ୍କରିଣୀ ଖୋଳାଇଲେ ତାହା ଭକ୍ତିର ବାଧକ ହେବ କିନ୍ତୁ ଜଳର ଅଭାବ ମୋଚନପାଇଁ ଯଦି କେହି ପୁଷ୍କରିଣୀ ଖନନ କରାଏ ଓ ଫଳକାମନା ତାର ନଥାଏ ତେବେ ସେ କାର୍ଯ୍ୟ ଭକ୍ତିର ବାଧକ ହେବ ନାହିଁ । କର୍ମ୍ମକାଣ୍ଡ ବର୍ଜନର ଦୋହାଇ ଦେଇ ଲୋକହିତ କାର୍ଯ୍ୟରୁ କ୍ଷାନ୍ତହେବା ଉକ୍ତ ପକ୍ଷରେ ବିଧେୟ ନୁହେଁ, କାରଣ ଜୀବରେ ଦୟା ଭକ୍ତିର ଏକ ପ୍ରଧାନ ସାଧନ ବୋଲି ମହାପ୍ରଭୁ ଶ୍ରୀମୁଖରେ କହିଯାଇଅଛନ୍ତି ।

 

ଇନ୍ଦ୍ରିୟମାନଙ୍କୁ କୃଷ୍ଣ ସେବାରେ ଲଗାଇବା ଆବଶ୍ୟକ । ଏଥିରେ ମଧ୍ୟ ବୁଝି ନପାରି ଅନେକଙ୍କର ଅନେକ ଭ୍ରାନ୍ତ ମତ ଦେଖାଯାଏ । ହସ୍ତଦ୍ୱାରା ମନ୍ଦିର ମାର୍ଜନ, ପୁଷ୍ପଚୟନ, ଶ୍ରୀଗୁରୁ ବୈଷ୍ଣବ ସେବନ, ପଦଦ୍ୱାରା ତୀର୍ଥ ଭ୍ରମଣ ଓ ସେବା କାର୍ଯ୍ୟ ସମ୍ପାଦନ, ଜିହ୍ୱାଦ୍ୱାରା ହରିଗୁଣ କୀର୍ତ୍ତନ ଓ ପ୍ରସାଦ ସେବନ, ଚକ୍ଷୁଦ୍ୱାରା ଶ୍ରୀମୂର୍ତ୍ତି ଦର୍ଶନ ଓ ଭଗବତ୍ ଶାସ୍ତ୍ର ଅଧ୍ୟୟନ; ନାସାଦ୍ୱାରା ପ୍ରସାଦ ପୁଷ୍ପାଦିର ଗନ୍ଧ ଗ୍ରହଣ, ମନ ମଧ୍ୟରେ ହରି ଲୀଳା ସ୍ମରଣ ଏହିପରି କୌଣସି ପ୍ରକାରେ ଦେହର ସମସ୍ତ ଅଙ୍ଗକୁ ହରି ସେବାରେ ଲଗାଇବା ଭକ୍ତର ସର୍ବତୋଭାବେ ବିଧେୟ । ଏମନ୍ତ କି ମଳମୂତ୍ରତ୍ୟାଗାଦି ମଧ୍ୟ ସେବାର ଉପଯୋଗୀ କରିବାକୁ ହେବ, ଅର୍ଥାତ୍ ମଳମୂତ୍ରାଦି ଉଚିତ ସମୟରେ ତ୍ୟାଗ କରିବା ଓ ସ୍ନାନାଦି କରିବାଦ୍ୱାରା ଭକ୍ତର ଦେହ ଓ ମନ ସୁସ୍ଥ ରହେ ଓ ତାହାହେଲେ ଭକ୍ତି କାର୍ଯ୍ୟରେ ବାଧା ପଡ଼େନାହିଁ । କିନ୍ତୁ ସେଥିରେ ଯେପରି ମୁଁ ଧନୀ ହୁଏଁ, ମୋର ପୁତ୍ର ହେଉ, ମୁଁ ଓ ମୋର ପରିବାରବର୍ଗ ନିରୋଗୀ ହେଉଁ, ଖ୍ୟାତି ବିସ୍ତାର ହେଉ ଇତ୍ୟାଦି ବାସନା ଆଦୌ ଯୋଗ ନଥାଏ ।

 

ସେ ଭକ୍ତି ପୁଣି ଛ ପ୍ରକାର ଫଳ ଉତ୍ପାଦନ କରେ । (୧) ପାପବିନାଶିନୀ, (୨) ମୋକ୍ଷଦାୟିନୀ (ଶୁଭଦାୟିନୀ ବୋଲି ଭକ୍ତି ରସାମୃତ ସିନ୍ଧୁରେ ଉଲ୍ଲେଖ), (୩) ମୋକ୍ଷ ଲଘୁତା କାରିଣୀ, (୪) ଅତ୍ୟନ୍ତ ଦୁର୍ଲ୍ଲଭା, (୫) ଆତ୍ମାର ସୁଖଦାୟୀ (ସାନ୍ଦ୍ରାନନ୍ଦ ସ୍ୱରୂପା), (୬) ଶ୍ରୀକୃଷ୍ଣାକର୍ଷିଣୀ ।

 

୧। ପାପବିନାଶିନୀ- ଗୋବିନ୍ଦ ନାମ କୀର୍ତ୍ତନରୁ ପୂର୍ବଜନ୍ମର ପାପ, ଇହ ଜନ୍ମର ପାପ ଓ ପାପବୀଜ ସମସ୍ତ ନଷ୍ଟ ହୁଏ ।

୨। ମୋକ୍ଷଦାୟିନୀ ବା ଶୁଭଦାୟିନୀ- ଅର୍ଥାତ୍ ଭକ୍ତିରୁ ସମସ୍ତ ସଦ୍‌ଗୁଣ ଲାଭ ହୁଏ, ଏମନ୍ତ କି ମୁକ୍ତି ପର୍ଯ୍ୟନ୍ତ ଅକ୍ଳେଶରେ କରଗତ ହୁଏ ।

୩। ମୋକ୍ଷଲଘୁତାକାରିଣୀ- ମୋକ୍ଷ ଭକ୍ତିଠାରେ ତୃଣବତ୍ ତୁଚ୍ଛ ପ୍ରତୀୟମାନ ହୁଏ ।

୪। ଅତ୍ୟନ୍ତ ଦୁର୍ଲଭା- ଅର୍ଥାତ୍ କୃଷ୍ଣ ସହଜରେ ଲୋକକୁ ଭକ୍ତି ଦିଅନ୍ତି ନାହିଁ । ଶ୍ରୀମଦ୍‌ଭାଗବତ ପଞ୍ଚମ ସ୍କନ୍ଧ ଦେଖ ।

୫। ଆତ୍ମାର ସୁଖଦାୟୀ- ବ୍ରହ୍ମାନନ୍ଦକୁ ପରାର୍ଦ୍ଧ ସଂଖ୍ୟକ ବୃଦ୍ଧି କଲେ ମଧ୍ୟ ତାହା ଏହି ଭକ୍ତି ସୁଖ ସାଗରର ପରମାଣୁ ତୁଲ୍ୟ ନୁହେ ।

୬। ଶ୍ରୀକୃଷ୍ଣାକର୍ଷିଣୀ- ଅର୍ଥାତ୍ ଭକ୍ତିରେ ଶ୍ରୀକୃଷ୍ଣ ଶୀଘ୍ର ଭକ୍ତର ବଶ ହୁଅନ୍ତି ।

 

୩ୟ ଅଧ୍ୟାୟ

(ଭକ୍ତିବିଧି ବିଚାର)

ଯଦି ଶ୍ରୀକୃଷ୍ଣଙ୍କର ଭକ୍ତି କରାଯାଏ ତେବେ ଯାଗ ତପସ୍ୟା ଆଦି ବେଦ ବିହିତ କାର୍ଯ୍ୟ ନକଲେ ମଧ୍ୟ କୌଣସି ପ୍ରତ୍ୟବାୟ ନାହିଁ, କାରଣ କୃଷ୍ଣଭକ୍ତିରୁ ସମସ୍ତ ଲାଭ ହୁଏ ।

 

କିନ୍ତୁ ଭକ୍ତି ଆଚରଣ ନକଲେ ସମସ୍ତ ପାପକର୍ମ୍ମ ନକରି ମଧ୍ୟ ମନୁଷ୍ୟ ସମସ୍ତ ପାପର ଭାଗୀ ହୁଏ ।

 

ଶ୍ରୀମଦ୍‌ଭାଗବତରେ କଥିତ ହୋଇଅଛି ଯେ ବେଦବିହିତ ତପ, ଯାଗ, ତୀର୍ଥଭ୍ରମଣ, ଓ ଦାନ ଏ ସବୁକୁ ଅବଜ୍ଞା କରି ମଧ୍ୟ ଭଗବଦ୍‌ ଭକ୍ତିର ଯାଜନ କଲେ ତାକୁ ଉତ୍ତମ ପୁରୁଷ ମଧ୍ୟରେ ଗଣ୍ୟ କରିବାକୁ ହେବ । ଭକ୍ତି ଆଚରଣ କଲେ ନର ଦେବ, ଋଷି ଓ ପିତୃ ଋଣରୁ ଆପେ ଆପେ ମୁକ୍ତ ହୁଏ । ଭୂତ ପ୍ରେତାଦିଙ୍କର ଭକ୍ତଠାରେ ଅଧିକାର ନାହିଁ ।

 

ଭକ୍ତି ଆଚରଣ କରି ପରିପକ୍ୱ ନହେଉଣୁ ଯଦି ମୃତ୍ୟୁ ଘଟେ ସେ ଭକ୍ତିବାସନାସହ ପୁନର୍ଜନ୍ମ ଗ୍ରହଣ କରି ଭକ୍ତିଯାଜନ କରନ୍ତି ଅତଏବ ଅପରିପକ୍ୱ ଅବସ୍ଥାରେ ମୃତ୍ୟୁ ହେତୁ ଭକ୍ତର କିଛି ହାନି ହୁଏନାହିଁ, କିମ୍ବା ପୂର୍ବ ସାଧନ ବିଫଳ ହୁଏନାହିଁ ।

 

ଦୈବବଶରୁ ଆପଣା ସ୍ୱଇଚ୍ଛା ବିରୁଦ୍ଧରେ ଭକ୍ତ ଯଦି ଭକ୍ତିବିଗର୍ହିତ କୌଣସି କାର୍ଯ୍ୟ କରନ୍ତି ସେ ଦୋଷ ଭକ୍ତକୁ ସ୍ପର୍ଶ କରଇ ନାହିଁ । କୃଷ୍ଣ ସେଥିପାଇଁ ତାକୁ ପ୍ରାୟଶ୍ଚିତ୍ତ କରାନ୍ତି ନାହିଁ । କିନ୍ତୁ ଇଚ୍ଛା ସହିତ ଗର୍ହିତ କାର୍ଯ୍ୟ କଲେ ଅବଶ୍ୟ ତାହାର ଫଳ ଭୋଗ କରିବାକୁ ହୁଏ ।

 

କର୍ମ୍ମାଚରଣ କରି ଦୈବବଶରୁ ସେ କର୍ମ୍ମରେ ବିଘ୍ନ ଘଟିଲେ କର୍ମ୍ମାର ଦୋଷ ଜାତ ହୁଏ କିନ୍ତୁ ଭକ୍ତିରେ ସେପରି ଦୋଷ ଘଟେ ନାହିଁ ।

 

ଯଦି କୃଷ୍ଣଭକ୍ତି ଆଚରଣ କରି ଅଜ୍ଞାନତା ନିବନ୍ଧନ ଭକ୍ତ କିଛି ଫଳ କାମନା କରେ, କୃଷ୍ଣ ଦୟା କରି ତାକୁ କାମନାର ଫଳ ନଦେଇ ଭକ୍ତିର ମୁଖ୍ୟ ଫଳ ଦିଅନ୍ତି । ଯେପରି କି ଶିଶୁ ସନ୍ତାନ ନବୁଝି ମନ୍ଦ ପଦାର୍ଥ ପ୍ରାର୍ଥନା କଲେ ମଧ୍ୟ ପିତାମାତା ପ୍ରବୋଧ ଦେଇ ଉତ୍ତମ ଦ୍ରବ୍ୟ ଦେଇଥାଆନ୍ତି ।

 

ଅତଏବ ଜାଣି ବା ନଜାଣି ଯେପରି ହେଉ ଭକ୍ତିଯାଜନ କଲେ ସଂସାରରୂପ ସାଗର ଗୋଷ୍ପଦରୂପ ପ୍ରତୀୟମାନ ହେବ ଓ ମନୁଷ୍ୟ ତାହା ଅକ୍ଳେଶରେ ପାର ହୋଇଯିବ ।

 

୪ର୍ଥ ଅଧ୍ୟାୟ

(କର୍ମ୍ମବନ୍ଧ ବିଚାର)

ତପ, ଦାନ ଆଦିଦ୍ୱାରା ଲୋକ ଯଦି ସ୍ୱର୍ଗଭୋଗ କରେ ତଥାପି ତାହାର କର୍ମ୍ମବୀଜ ନଷ୍ଟ ହୁଏ ନାହିଁ । ଭୋଗ ଶେଷରେ ପୁନର୍ବାର ତାକୁ ଭୂମଣ୍ଡଳରେ ଜନ୍ମ ଗ୍ରହଣ କରି କର୍ମ୍ମଫଳ ଭୋଗ କରିବାକୁ ହୁଏ । କର୍ମ୍ମଅନୁସାରେ କେହିବା କ୍ଷୁଦ୍ର ଜୀବରେ ଜନ୍ମ ହୁଏ କେହିବା ନରରୂପେ ଜନ୍ମ ହୁଏ । ଏମନ୍ତ କି ପ୍ରଳୟରେ ମଧ୍ୟ କର୍ମ୍ମ ନଷ୍ଟ ହୁଏ ନାହିଁ; ଜୀବ ତେତେବେଳେ ସୂକ୍ଷ୍ମ ବୀଜରୂପେ କର୍ମ୍ମକୁ ଘେନି ରହିଥାଏ । ପ୍ରଳୟ ଅନ୍ତେ କର୍ମ୍ମ ସେ ଜୀବକୁ ଜନ୍ମ କରାଏ । ଯଦି କେହି ଶୁଭକର୍ମ୍ମ କରିଥାଏ ସେ ସେହି କର୍ମ୍ମଫଳରୁ ସ୍ୱର୍ଗଭୋଗ କରେ କିନ୍ତୁ ତାହା କିପ୍ରକାର ନା ଗରଳମିଶା ସ୍ୱାଦୁ ଅନ୍ନଭୋଜନ ପରି । ଅର୍ଥାତ୍ କ୍ଷଣିକ ସୁଖଦାୟୀ ହେଲେ ମଧ୍ୟ ପରିଣାମରେ ପୀଡ଼ାକାରକ । ପଦ୍ମପୁରାଣରେ ଏହା ବର୍ଣ୍ଣିତ ହୋଇଅଛି । ଯଦି ସ୍ୱର୍ଗବାସରେ ସର୍ବବନ୍ଧ ବିମୋଚନ ନହେଲା ତେବେ ଝୋଟରେ ବାନ୍ଧିଲେ ବନ୍ଧନ ଓ ପାଟରେ ବାନ୍ଧିଲେବି ବନ୍ଧନ, ସେଥିରେ ଆଉ ବିଶେଷ ଲାଭ କ’ଣ ।

 

କିନ୍ତୁ ଯେ ଭକ୍ତିପଥ ଅବଲମ୍ବନ କରି ଶ୍ରୀକୃଷ୍ଣଙ୍କୁ ଭଜନ କରେ ଭଗବାନ ଶ୍ରୀକୃଷ୍ଣ ତାହାର କର୍ମ୍ମ ବନ୍ଧନ ବିନାଶ କରି ନିଜ ପାର୍ଷଦଗଣରେ ଭୁକ୍ତ କରନ୍ତି । ଶ୍ରୀମଦ୍‌ଭଗବଦ୍‌ ଗୀତାରେ ‘‘ସର୍ବ ଧର୍ମ୍ମାନ୍‌ ପରିତ୍ୟଜ୍ୟ’’ ଇତ୍ୟାଦି ଭଗବାନ୍ ଶ୍ରୀମୁଖରେ ଆଜ୍ଞା କରିଅଛନ୍ତି ।

 

୫ମ ଅଧ୍ୟାୟ

(ଭକ୍ତିର ଅଧିକାରୀ କିଏ)

ବ୍ରାହ୍ମଣଙ୍କଠାରୁ ଶୂଦ୍ର ପର୍ଯ୍ୟନ୍ତ ସମସ୍ତ ଜାତିମାନଙ୍କର ଓ କି ପୁରୁଷ କିବା ନାରୀ ସମସ୍ତଙ୍କର ଭକ୍ତିରେ ଅଧିକାର ଅଛି । ଏମନ୍ତ କି ପଶୁପକ୍ଷୀ ପର୍ଯ୍ୟନ୍ତ ଭକ୍ତିର ଅଧିକାରୀ ହୋଇପାରନ୍ତି । ଗ୍ରନ୍ଥକାର ଗ୍ରନ୍ଥ ବିସ୍ତୃତି ଭୟରେ ଉଦାହରଣ ଉଲ୍ଲେଖ କରିନାହାନ୍ତି କିନ୍ତୁ ଶ୍ରୀଚୈତନ୍ୟ ଚରିତାମୃତରେ ବର୍ଣ୍ଣିତ ଅଛି, ମହାପ୍ରଭୁ ବନପଥରେ ଶ୍ରୀବୃନ୍ଦାବନ ଗମନ କରୁଥିବା ସମୟରେ ବ୍ୟାଘ୍ର ହସ୍ତୀ ମୃଗ ପ୍ରଭୃତି ପଶୁମାନଙ୍କୁ ହରି ହରି ବୋଲାଇଥିଲେ ଓ ଶିବାନନ୍ଦଙ୍କ କୁକୁର ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ପ୍ରଦତ୍ତ ପ୍ରସାଦ ସେବନ କରୁଥାଏ ଓ ହରି ହରି ନାମ ଉଚ୍ଚାରଣ କରୁଥାଏ ।

 

ରସିକ ମଙ୍ଗଳରେ ଉଲ୍ଲେଖ ଅଛି ଶ୍ରୀରସିକାନନ୍ଦ ଦେବ ଗୋସ୍ୱାମୀ ବନଗଜକୁ ଭକ୍ତି ପ୍ରଦାନ କରି ଶାନ୍ତ କରାଇଥିଲେ ।

 

ଭକ୍ତଗଣ ତିନି ଶ୍ରେଣୀରେ ବିଭକ୍ତ। ଉତ୍ତମ, ମଧ୍ୟମ ଓ କନିଷ୍ଠ । ଯେଉଁମାନେ ଭକ୍ତିଶାସ୍ତ୍ର ଉତ୍ତମରୂପେ ଜାଣନ୍ତି ଓ ବିଶେଷ ଶ୍ରଦ୍ଧାସହ ଭକ୍ତି କରନ୍ତି ସେମାନେ ଉତ୍ତମ, ଯେଉଁମାନେ ଶାସ୍ତ୍ରବିତ୍ ନୁହନ୍ତି କିନ୍ତୁ ଦୃଢ଼ ଶ୍ରଦ୍ଧାବାନ୍ ସେମାନେ ମଧ୍ୟମ ଓ ଯେଉଁମାନଙ୍କର ନବ ଶ୍ରଦ୍ଧା ଜାତ ହୋଇଥାଏ ସେମାନେ କନିଷ୍ଠ ।

 

ଏହାଛଡ଼ା ଆଉ ଏକ ଶ୍ରେଣୀର ଭକ୍ତ ଅଛନ୍ତି ଯେଉଁମାନଙ୍କର ଭକ୍ତି କୃପାସିଦ୍ଧା । ସେମାନେ ଶାସ୍ତ୍ର ନପଢ଼ି ବା ସାଧନ ନକରି ଶ୍ରୀକୃଷ୍ଣଙ୍କ କୃପାରୁ କିମ୍ବା ଉଚ୍ଚ ଭକ୍ତ କୃପାରୁ ଉତ୍ତମ ଭକ୍ତିଲାଭ କରନ୍ତି । ଯେମନ୍ତ କି କୁମ୍ଭୀରଗ୍ରସ୍ତ ଗଜ ଲାଭ କରିଥିଲା । ଯେଉଁ ଲୋକର ଭକ୍ତିରେ ଶ୍ରଦ୍ଧା ନାହିଁ ସେ କୋଟିକୋଟି ଯାଗ କରୁ ବା ମେରୁ ସମାନ ଦ୍ରବ୍ୟ ଦାନ କରୁ ବା କୋଟୀତୀର୍ଥ ଭ୍ରମଣ କରୁ ଭକ୍ତିରେ ଅଧିକାରୀ ହୋଇନପାରେ ।

 

୬ଷ୍ଠ ଅଧ୍ୟାୟ

(ଭକ୍ତିର ମହିମା)

ଭକ୍ତିରେ ଭଗବାନ ଭକ୍ତର ବଶ ହୁଅନ୍ତି ଓ ଭକ୍ତକୁ ନିଜ ଗୋଲୋକଧାମରେ ପାର୍ଷଦ କରି ରଖନ୍ତି । ଭକ୍ତ ଆଗରେ ସାଲୋକ୍ୟାଦି ପଞ୍ଚବିଧ ମୁକ୍ତି ଅତି ତୁଚ୍ଛ । ଶ୍ରୀମଦ୍‌ଭାଗବତର ବହୁସ୍ଥାନରେ ଏହି ଭକ୍ତିମହିମା ବର୍ଣ୍ଣିତ ହୋଇଅଛି । ଭକ୍ତଙ୍କ ଉପରେ ଯମରାଜାଙ୍କର ଅଧିକାର ନାହିଁ । ଯେଉଁମାନେ ଭକ୍ତଙ୍କ ସଙ୍ଗ କରନ୍ତି ସେମାନଙ୍କର ମଧ୍ୟ ସଦ୍‌ଗତି ହୁଏ; ସାଧୁସଙ୍ଗ ଭକ୍ତିସାଧନର ଏକ ପ୍ରଧାନ ସହାୟ । ସାଧୁସଙ୍ଗରୁ ଭକ୍ତି ଉତ୍ପନ୍ନ ହୁଏ ଓ ସାଧୁସଙ୍ଗରୁ ଭକ୍ତି ବୃଦ୍ଧିକୁ ଲାଭ କରେ ।

 

ଏଠାରେ ମୋହର ବକ୍ତବ୍ୟ ଏହିକି ଇଚ୍ଛାଥିଲେ ଭଗବାନ ସାଧୁସଙ୍ଗ ମିଳାଇ ଦିଅନ୍ତି; ଯଦି ନିତାନ୍ତ ଦୁଷ୍ପ୍ରାପ୍ୟ ହୁଏ ତେବେ ସେପରିସ୍ଥଳେ ଲୋକର ସାଧୁଶାସ୍ତ୍ର ଅର୍ଥାତ୍ ଭକ୍ତିଗ୍ରନ୍ଥ ପାଠକରିବା ବିଧେୟ; କାରଣ ତାହା ଏକପ୍ରକାର ଉଚ୍ଚଦରର ସାଧୁସଙ୍ଗ; ଶାସ୍ତ୍ର ପାଠକରି ତାହାର ମର୍ମ ଚିନ୍ତିବାଦ୍ୱାରା ମନ ଅସତ୍‌ଭାବରୁ ନିବୃତ୍ତ ରହେ ଓ ଶାସ୍ତ୍ରମର୍ମ୍ମ ହୃଦୟରେ ପ୍ରବେଶ କରି ଶ୍ରୋତାକୁ କ୍ରମେ କ୍ରମେ ଉଚ୍ଚଆଡ଼କୁ ଘେନିଯାଏ ।

 

୭ମ ଅଧ୍ୟାୟ

(ଗୁରୁ ଶିଷ୍ୟ ଲକ୍ଷଣ)

ସମସ୍ତେ ଗୁରୁ ହେବାର ଯୋଗ୍ୟ ନୁହନ୍ତି । ଚାରି ବର୍ଣ୍ଣର ଗୁରୁ ଯେ ବ୍ରାହ୍ମଣ ସେମାନେହିଁ ଗୁରୁଯୋଗ୍ୟ । କିନ୍ତୁ କେବଳ ବ୍ରାହ୍ମଣ ହେଲେ ଯେ ଗୁରୁ ହୋଇପାରିବେ ଏମନ୍ତ ନୁହେଁ । ଗୁରୁ ହେବାର ଉପଯୋଗୀ ଗୁଣମାନ ଥିବା ଆବଶ୍ୟକ, ଅର୍ଥାତ୍ ଯେ ଦୟା, ଶାନ୍ତି, କ୍ଷମା ଆଦି ସଦ୍‌ଗୁଣାବଳିରେ ଭୂଷିତ ଥିବେ ଓ ଯାହାଙ୍କଠାରେ ଦୃଢ଼ ଭକ୍ତି ଥିବ ସେହିପରି ବ୍ରାହ୍ମଣହିଁ ଗୁରୁଯୋଗ୍ୟ । ଯଦି କୃଷ୍ଣଭକ୍ତି ନଥାଏ ତେବେ ସର୍ବଗୁଣସମ୍ପନ୍ନ ବ୍ରାହ୍ମଣ ମଧ୍ୟ ଗୁରୁ ହେବାର ଅଯୋଗ୍ୟ ।

 

ଗ୍ରନ୍ଥକର୍ତ୍ତା ଏଠାରେ ବ୍ରାହ୍ମଣୋତର ଜାତିଗୁରୁ ହୋଇପାରନ୍ତି କି ନା ସ୍ପଷ୍ଟ ପ୍ରକାଶ କରିନାହାନ୍ତି, କିନ୍ତୁ ତାଙ୍କ ଲେଖାରୁ ଏହା ପ୍ରତିପନ୍ନ କରାଯାଇପାରେ ଯେ ବ୍ରାହ୍ମଣେତର ଜାତି ମଧ୍ୟ ଉଚ୍ଚଶ୍ରେଣୀର କୃଷ୍ଣଭକ୍ତ ହେଲେ ଗୁରୁଯୋଗ୍ୟ ଅଟନ୍ତି । ଏହା ମଧ୍ୟ ଶାସ୍ତ୍ରସମ୍ମତ । ଶ୍ରୀନରୋତ୍ତମ ଠାକୁର ଓ ଶ୍ରୀଶ୍ୟାମାନନ୍ଦ ପ୍ରଭୁ ଓ ଶ୍ରୀରସିକାନନ୍ଦ ଦେବଗୋସ୍ୱାମୀ ଏମାନେ ବ୍ରାହ୍ମଣ ନଥିଲେ କିନ୍ତୁ ଶତ ଶତ ଉଚ୍ଚକୁଳୋଦ୍ଭବ ବ୍ରାହ୍ମଣ ସେମାନଙ୍କର ଶିଷ୍ୟ ହୋଇ ଆପଣାକୁ କୃତାର୍ଥ ମଣିଥିଲେ । (ଭକ୍ତିରତ୍ନାକରାଦି ଦ୍ରଷ୍ଟବ୍ୟ) ଅତଏବ ଗୁରୁଙ୍କଠାରେ ଉଚ୍ଚଦରର ବୈଷ୍ଣବତା ଥିବା ବାଞ୍ଛନୀୟ ।

 

ଯେ ସେ ଲୋକକୁ ମନ୍ତ୍ର ଦେଇ ଶିଷ୍ୟ କରିବା ମଧ୍ୟ ବିଧେୟ ନୁହେଁ; ମନ୍ତ୍ର ଦେବାପୂର୍ବରୁ ଗୁରୁଙ୍କର ଉଚିତ ଯେ ସେ ଶିଷ୍ୟକୁ ପରୀକ୍ଷା କରିବେ; ଦେଖିବେ ସେ ବ୍ୟକ୍ତି ମନ୍ତ୍ରନେଇ ଧାରଣା କରିପାରିବ କି ନା ଓ ଭକ୍ତି ଉତ୍ତମରୂପେ ଆଚରଣ କରିପାରିବ କି ନା । ଯେ ଲୋକ ବିନୀତ, ସତ୍ୟଭାଷୀ, ଦମ୍ଭଶୂନ୍ୟ, ସେବାନୁରାଗୀ ସେ ଶିଷ୍ୟର ଉପଯୋଗୀ ।

 

ଗୁରୁଙ୍କୁ ଭଗବାନଙ୍କସ୍ୱରୂପ ଜାଣି ତାଙ୍କର ପୂଜା କରିବା ବିଧେୟ । ଗୁରୁଙ୍କୁ ଅବଜ୍ଞା କରିବା ଉଚିତ ନୁହେ । ଗୁରୁଦ୍ରୋହୀ ଲୋକର ସଦ୍‌ଗତି କଦାପି ସମ୍ଭବପର ନୁହେ । ଗୁରୁ ନକରି ଇଚ୍ଛାମତ ଭକ୍ତି ଆଚରଣ କଲେ କେହି ଶ୍ରୀକୃଷ୍ଣଚରଣାରବିନ୍ଦ ଲାଭ କରିନପାରେ । ଗୁରୁ ପଦାଶ୍ରୟ ଏକାନ୍ତ ଆବଶ୍ୟକ । ବିନାଗୁରୁରେ ସମସ୍ତ ସାଧନ ବୃଥା, ଏହା ଶାସ୍ତ୍ରସିଦ୍ଧ ।

 

୮ମ ଅଧ୍ୟାୟ

ସାଧନ ଭକ୍ତି

ଭକ୍ତ ତିନି ପ୍ରକାର- ସାଧନ ଭକ୍ତି, ଭାବ ଭକ୍ତି ଓ ପ୍ରେମଭକ୍ତି ।

 

ସାଧନ ଭକ୍ତି- ଭାବ ଓ ପ୍ରେମ ନିତ୍ୟ ସିଦ୍ଧ ବସ୍ତୁ । ତାହା ଜୀବ ହୃଦୟରେ ଲୁକ୍କାୟିତ ଭାବରେ ଥାଏ । ତାକୁ ଉଦ୍ଦୀପନ କରିବାର ନାମ ସାଧନ ।

 

ସାଧନ ଭକ୍ତି ପୁଣି ଦୁଇପ୍ରକାର, ବୈଧୀ ଓ ରାଗାନୁଗା ।

 

ଭକ୍ତିରେ ଅନୁରାଗ ନଥାଇ କେବଳ ଶାସ୍ତ୍ରର ଶାସନ ଭୟରେ ଯେ ଭକ୍ତି ବିଷୟରେ ପ୍ରଭୃତି ଜନ୍ମେ ତାକୁ ସାଧନ ଭକ୍ତି ବୋଲାଯାଏ । ସାଧନ ଭକ୍ତିର ୬୪ ଅଙ୍ଗ ଅଛି । ପ୍ରଥମେ ଜୀବ ପକ୍ଷେ ବୈଧୀ ଭକ୍ତି ଆଚରଣ ଶ୍ରେୟସ୍କର । ସେଥିରୁ ରାଗ ଉତ୍ପତ୍ତି ହୁଏ ।

 

୯ମ ଅଧ୍ୟାୟ

(ଚତୁଷଷ୍ଠି ଅଙ୍ଗ ସାଧନ)

(୧) ଗୁରୁପଦାଶ୍ରୟ, (୨) ବୈଷ୍ଣବ ମନ୍ତ୍ର ଗୁରୁଙ୍କଠାରୁ ଦୀକ୍ଷାଗ୍ରହଣ କରି ତଦ୍‌ବିଷୟ ତାଙ୍କଠାରୁ ଶିକ୍ଷା, (୩) ବିଶ୍ୱାସ ସହ ତାଙ୍କ ସେବା, (୪) ସାଧୁମାର୍ଗ ଅନୁସରଣ, (୫) ଧର୍ମ୍ମ ଜିଜ୍ଞାସା, (୬) କୃଷ୍ଣ ସେବା ହେତୁ ଭୋଗଲିପ୍‌ସା ତ୍ୟାଗ, (୭) ଦ୍ୱାରକାରେ ବା ଗଙ୍ଗାଦି ନିକଟରେ ବାସ, (୮) ଭକ୍ତିର ଆବଶ୍ୟକତା ଅନୁସାରେ କାର୍ଯ୍ୟର ଅନୁଷ୍ଠାନ ଅର୍ଥାତ୍‌ ବୃଥା ବାହ୍ୟାଡ଼ମ୍ବର ଶୂନ୍ୟ, (୯) ଏକାଦଶୀ ବ୍ରତର ସମ୍ମାନ, (୧୦) ଅଏଁଳା ଅଶ୍ୱଥି ଆଦି ବୃକ୍ଷର ସମ୍ମାନ, (ବ୍ୟତିରେକରେ ୧୦ମ ଯଥା), (୧୧) ଅସାଧୁ ସଙ୍ଗ ବର୍ଜନ, (୧୨) ଅନଧିକାରୀ ବ୍ୟକ୍ତିକୁ ଶିଷ୍ୟ କରି ବିଶେଷ ଶିଷ୍ୟବର୍ଗ ବଢ଼ାଇବା ଏହା ବର୍ଜନ, (୧୩) ବୃହତ୍‌ମଠାଦି ନିର୍ମାଣ ବିଷୟରେ ନିରୁଦ୍ୟମତା, (ଏହା ଭକ୍ତି ଗ୍ରନ୍ଥିରେ ଉଲ୍ଲେଖ ନାହିଁ) (୧୪) ବହୁ ଶାସ୍ତ୍ରଭ୍ୟାସ ପରିବର୍ଜନ (ଏହା ଦ୍ୱାରା ଭକ୍ତି ଗ୍ରନ୍ଥ ପଠନ ବର୍ଜନ ନୁହେ, ଅପର ଶାସ୍ତ୍ର) ଓ ଶାସ୍ତ୍ର ବ୍ୟାଖ୍ୟା କରି ପାଣ୍ଡିତ୍ୟପ୍ରଦର୍ଶନ ବା ତର୍କାଦି ବର୍ଜନ, (୧୫) ବ୍ୟବହାର କୃପଣତା ବର୍ଜନ, (୧୬) ଶୋକ ମୋହାଦିରେ ବଶୀଭୂତ ନହେବା, (୧୭) ଅନ୍ୟ ଦେବ ଦବୀଙ୍କୁ ନିନ୍ଦା ପରିବର୍ଜନ, (୧୮) ଜୀବହିଂସା ବର୍ଜନ, ପ୍ରାଣି ମାତ୍ରଙ୍କୁ ଉଦ୍‌ବେଗ ନ ଦେବା, (୧୯) ସେବାପରାଧ ଓ ନାମାପରାଧ ବର୍ଜନ, (୨୦) କୃଷ୍ଣ କିମ୍ବା ଭକ୍ତ ନିନ୍ଦାରେ ଅସହିଷ୍ଣୁତା, (୨୧) ବୈଷ୍ଣବ ଚିହ୍ନ ଧାରଣ (ତିଳକ ଶିଖାଦି), (୨୨) ଦେହରେ ହରି ନାମାକ୍ଷର ଛାପା ଗ୍ରହଣ, (୨୩) ନିର୍ମ୍ମାଳା ଧାରଣ ପ୍ରସାଦ ମାଳ ଚନ୍ଦନ ଓ ବସ୍ତ୍ର, (୨୪) ଶ୍ରୀମୂର୍ତ୍ତିଙ୍କ ଅଗ୍ରେ ନର୍ତ୍ତନ, (୨୫) ଦଣ୍ଡବତ ପ୍ରଣାମ, (୨୬) ଶ୍ରୀକୃଷ୍ଣ ବିଗ୍ରହାଦି ଦେଖି ଅଭ୍ୟୁତ୍ଥାନ, (୨୭) ଅନୁଗମନ, (୨୮) ବିଗ୍ରହ ଅଧିଷ୍ଠାନ ସ୍ଥାନକୁ ଗମନ, (୨୯) ପରିକ୍ରମା, (୩୦) ଅର୍ଚ୍ଚନ, (୩୧) ପରିଚର୍ଯ୍ୟା, (୩୨) ଗୀତ, (୩୩) ସଂକୀର୍ତ୍ତନ, (୩୪) ନାମଜପ, (୩୫) ବିଜ୍ଞପ୍ତି, (୩୬) ସ୍ତବପାଠ, (୩୭) ନୈବେଦ୍ୟ ଆସ୍ଵାଦ ଗ୍ରହଣ (୩୮) ପାଦ୍ୟାସ୍ଵାଦ ଗ୍ରହଣ (୩୯) ଧୂପମାଳାଦିର ସୌରଭ ଗ୍ରହଣ, (୪୦) ଶ୍ରୀମୂର୍ତ୍ତି ସ୍ପର୍ଶନ, (୪୧) ଶ୍ରୀମୂର୍ତ୍ତି, ଦର୍ଶନ, (୪୨) ଆରତ୍ରିକରେ ସ୍ୱବାଦି ଦର୍ଶନ, (୪୩) ଗୀତ ଶ୍ରବଣ, (୪୪) କୃଷ୍ଣଙ୍କୁ ପ୍ରାର୍ଥନା, (୪୫) ସ୍ମରଣ, (୪୬) ଧ୍ୟାନ, (୪୭) ସେବା (ଦାସ୍ୟ), (୪୮) ସଖ୍ୟଭାବ , (୪୯) ଆତ୍ମନିବେଦନ, (୫୦) ନିଜ ପ୍ରିୟ ବସ୍ତୁ କୃଷ୍ଣଙ୍କୁ ଉପହାର ଦେବା , (୫୧) ଶ୍ରୀକୃଷ୍ଣ ପ୍ରୀତି ଉଦ୍ଦେଶ୍ୟରେ ସମସ୍ତ ଚେଷ୍ଟା, (୫୨) ସକଳ ଅବସ୍ଥାରେ ଶରଣାପନ୍ନ, (୫୩) ତଦୀୟ (କୃଷ୍ଣ ସମ୍ବନ୍ଧୀୟ) ବସ୍ତୁର ସେବନ (ଅର୍ଥାତ୍‌ ତୁଳସୀ ଆଦି), (୫୪) ଶାସ୍ତ୍ରପାଠ, (୫୫) ମଥୁରା ସେବା, (୫୬) ବୈଷ୍ଣବ ସେବା, (୫୭) ବୈଭବାନୁଯାୟି ନିଜ ଗୋଷ୍ଠୀସହ କୃଷ୍ଣ ଯାତ୍ରାଦି ଉତ୍ସବକୁ ଯାପନ, (୫୮) କାର୍ତ୍ତିକ ମାସର ସମାଦର, (୫୯) ଶ୍ରୀକୃଷ୍ଣଙ୍କ ଜନ୍ମ ଯାତ୍ରା, (୬୦) ଶ୍ରୀବିଗ୍ରହଙ୍କ ଚରଣ ସେବନ , (୬୧) ରସିକ ଭକ୍ତମାନଙ୍କ ସଙ୍ଗେ ଭାଗବତାସ୍ୱାଦନ, (୬୨) ସଜାତୀୟ ସ୍ନିଗ୍‌ଧ ସ୍ୱଭାବ ବିଶିଷ୍ଟ ସାଧୁଙ୍କ ସଙ୍ଗ, (୬୩) ନାମ ସଂକୀର୍ତ୍ତନ, (୬୪) ମଥୁରାମଣ୍ଡଳେ ବାସ ।

 

ଭକ୍ତିରସାମୃତସିନ୍ଧୁ ଅନୁସାରେ ଏହି ୬୪ ଅଙ୍ଗ ଲିଖତ ହେଲା ।

 

୧୦ମ ଅଧ୍ୟାୟ ।

୬୪ ମଧ୍ୟରୁ ପ୍ରଥମ ୧୦ ଅଙ୍ଗର ବିଶଦ୍‌ବ୍ୟାଖ୍ୟା ଏ ଅଧ୍ୟାୟରେ ବର୍ଣ୍ଣିତ ହୋଇଅଛି ।

 

୧୧ଶ ଅଧ୍ୟାୟ ।

ଏଥିରେ ୬୪ ଅଙ୍ଗ ମଧ୍ୟରୁ ନବମ ଅଧ୍ୟାୟରେ ବର୍ଣ୍ଣିତ ହୋଇଥିବା ୧୧ଠାରୁ କୋଡ଼ିଏ ପର୍ଯ୍ୟନ୍ତ ୧୦ ବ୍ୟତିରେକ ଅଙ୍ଗମାନ ବର୍ଣ୍ଣିତ ହୋଇଅଛି ।

 

୧୨ଶ ଅଧ୍ୟାୟ ।

ଏ ଅଧ୍ୟାୟରେ ଶ୍ରବଣ କୀର୍ତ୍ତନାଦି ନବପ୍ରକାର ଭକ୍ତିର ମହିମା ବର୍ଣ୍ଣିତ ହୋଇଅଛି । ସେଥିମଧ୍ୟରୁ ସ୍ମରଣ ବିଧିର କାଳାକାଳ ନାହିଁ, ଲୋକ ଗମନାଗମନ ସମୟରେ ମଧ୍ୟ ଶ୍ରୀକୃଷ୍ଣ ନାମ ଗୁଣ ଲୀଳାଦି ସ୍ମରଣ କରିପାରନ୍ତି, ଅତଏବ ଏହା ଅତି ସୁଗମ ପଥ ଅଟେ । ଆତ୍ମନିବେଦନ ବିଷୟରେ କବି ଲେଖୁଅଛନ୍ତି କି ଦେହ, ଧନ, ଦାରା, ସୁତ ସମସ୍ତ କୃଷ୍ଣଙ୍କଠାରେ ସମର୍ପଣ କଲାଠାରୁ କାହିଁରେ ଆଉ ଉଦ୍‌ବେଗ ରହିବ ନାହିଁ । ଯଦି ଜଣେ ପଶ୍ୱାଧିକାରୀ ପଶୁକୁ ଅପରକୁ ବିକ୍ରୟ କରନ୍ତି, ପଶୁର ଭରଣପୋଷଣ ଭାର ତାଙ୍କ ନିଜଠାରେ ନଥାଏ, ସେହିପରି ଆପଣାକୁ ଏକାନ୍ତଭାବରେ ଶ୍ରୀକୃଷ୍ଣଙ୍କ ପଦରେ ବିକ୍ରୟ କଲେ ନିଜପାଇଁ ଆଉ ଚିନ୍ତା କ’ଣ ?

 

୧୩ଶ ଅଧ୍ୟାୟ ।

ଶ୍ରୀମୂର୍ତ୍ତିଦର୍ଶନ ଆଦି ଦ୍ୱାଦଶ ଅଙ୍ଗ ଏ ଅଧ୍ୟାୟରେ ବର୍ଣ୍ଣିତ ହୋଇଅଛି ।

 

୧୪ଶ ଅଧ୍ୟାୟ ।

ଏ ଅଧ୍ୟାୟରେ ଜପାଦି ଦଶ ଅଙ୍ଗର ବର୍ଣ୍ଣନା ହୋଇଅଛି । ସେଥିମଧ୍ୟରେ ଧ୍ୟାନ ତିନିପ୍ରକାର,- ରୂପଧ୍ୟାନ, ଗୁଣଧ୍ୟାନ ଓ ଲୀଳାଧ୍ୟାନ ।

 

ବିଜ୍ଞପ୍ତି ପୁଣି ୩ପ୍ରକାର ଯଥା;-

ପ୍ରାର୍ଥନାତ୍ମିକ- ଭଗବନ୍‌! ଯୁବତୀମାନଙ୍କର ଯୁବାପୁରୁଷଠାରେ ହୃଦୟ ଯେପରି ପ୍ରେମାର୍ଦ ହୁଏ, ମୋର ହୃଦୟ ତୁମ୍ଭଠାରେ ସେହିପରି ଅନୁରକ୍ତ ହେଉ ।

 

ଲାଳସାମୟୀ- ହେ ପ୍ରଭୁ ! କେବେ ମୁଁ ଗୋପରେ ଯମୁନାକୂଳରେ ଅଶ୍ରୁପୁଲକାଙ୍ଗ ହୋଇ ତୋର ନାମ ଗାୟନ କରି ନୃତ୍ୟ କରିବି ।

 

ଦୈନ୍ୟବୋଧିକା- ମୋ ସମ ପାପୀ ଆଉ ଜଗତରେ ନାହିଁ । ଏମନ୍ତ କି ମୋର ପାପ ଏତେ ଯେ ମୋତେ କ୍ଷମା କର ଏହା କହିବାକୁ ମଧ୍ୟ ଲଜ୍ଜାବୋଧ ହୁଏ ।

 

ନିଜ ପ୍ରିୟ ଦ୍ରବ୍ୟମାନ କୃଷ୍ଣଙ୍କୁ ଅର୍ପଣ କରିବ । ଅର୍ପଣ ଏପରି ହେବା ଉଚିତ ଯେ ସେଥିରେ ଯେପରି ନିଜ ଭୋଗ ଇଚ୍ଛା ନଥାଏ । ଅସମୟରେ ଗୋଟିଏ ଆମ୍ବ ଜଣେ ଆଣିଦେଲା । ଭକ୍ତ ତାକୁ କୃଷ୍ଣଙ୍କ ଭୋଗପାଇଁ ଅର୍ପଣ କରି ଯଦି ମନେକରେ ଭୋଗ ହେବାପରେ ମୁଁ ମୋର ଜିହ୍ୱା ଓ ଉଦର ତୃପ୍ତି କରିବି ତେବେ ତାହା ପ୍ରକୃତ କୃଷ୍ଣାର୍ପଣ ନୁହେଁ । ଯଦି ସେ ଭୋଗପରେ ଫେରି ଆସିବ ଏ ଆଶା ନରଖେ ବା ବୈଷ୍ଣବ ସେବାରେ ସେ ଭୋଗ ଖର୍ଚ୍ଚ ହେଉ ମୋର ଟିକିଏ ମାତ୍ର ପ୍ରସାଦ ହେଲେ ହେଲା ନ ହେଲେ ନାହିଁ, ଏହାହିଁ ପ୍ରକୃତ କୃଷ୍ଣାର୍ପଣ ।

 

ହରିଙ୍କ ନିମିତ୍ତ ସକଳ ଚେଷ୍ଟା- ଅର୍ଥାତ୍‌ ଲୌକିକ ବା ବୈଦିକ ଯେତେ କାର୍ଯ୍ୟ ସବୁ ହରିଭକ୍ତିର ଅନୁକୂଳ ହେବା ବାଞ୍ଛନୀୟ ।

 

ଶରଣାପତ୍ତି- ଏକାନ୍ତଭାବେ ଶରଣ ନେବା । ଯଦି ବିପଦ ପଡ଼େ ତାହା ସୁଦ୍ଧା ଭାବିବାକୁ ହେବ ଯେ ମଙ୍ଗଳମୟ ହରି ଏହା ମଙ୍ଗଳପାଇଁ ଘଟାଇ ଅଛନ୍ତି । ଗୋଟିଏ ଗଳ୍ପ ମନେପଡ଼ିବାରୁ ଲେଖୁଅଛି । ଦିନେ ମଙ୍ଗଳପୁରର ଭୁୟାଁ ଭକ୍ତପ୍ରବର ଶ୍ରୀବଳଭଦ୍ରପ୍ରସାଦ ଦାସ କହୁଥିଲେ- ଜଣେ ପ୍ରଜା ଆସି କୌଣସି ରାଜାଙ୍କୁ କହିଲା ମହାରାଜ ! ଆପଣ ତ ମୋର ବାପା ମା’, ଆପଣ ଯାହା କରିବେ ମାରିଲେ ମାରିବେ, ରଖିଲେ ରଖିବେ । ରାଜା ତାହାର ଉକ୍ତିର ସତ୍ୟ ବୁଝିବାପାଇଁ ଜଣେ ଭୃତ୍ୟକୁ ସେ ପ୍ରଜା ଉପରେ ୧୦ ପାହାର ବେତ୍ରାଘାତ କରିବାକୁ ଆଦେଶ ଦେଲେ । ଉକ୍ତ ପ୍ରଜା ପ୍ରହାରିତ ହୁଅନ୍ତେ ତତ୍‌କ୍ଷଣାତ୍‌ ଯାଇ ରାଜାଙ୍କ ବିରୁଦ୍ଧରେ ଇଚ୍ଛାନୁଯାଇ ପାଉଣା ମେଣ୍ଟାକ ଦରବାରରେ ନାଲିସ କଲା । ଅତଏବ ସେ କହିଲା ଯେ ରାଜାକୁ ‘‘ତୁମ୍ଭେ ବାପା ମା, ମାରିଲେ ମାରିବ, ରଖିଲେ ରଖିବ’’ କହୁଥିଲା ଏହା ମୌଖିକ ଉକ୍ତି ମାତ୍ର; କିନ୍ତୁ ସେ ଉକ୍ତିର ପ୍ରକୃତ ତାତ୍ପର୍ଯ୍ୟ ତାର ହୃଦୟକୁ ସ୍ପର୍ଶ କରିନଥିଲା । ଆମ୍ଭମାନଙ୍କର ଭଗବାନଙ୍କଠାରେ ଶରଣାପତ୍ତି ମଧ୍ୟ ସେହିପରି । ପ୍ରକୃତ ଶରଣାପତ୍ତି ହେଲେ ଭଗବାନ ନିଶ୍ଚୟ ସମସ୍ତ ବିପଦରୁ ରକ୍ଷାକରିବେ ।

 

୧୫ଶ ଅଧ୍ୟାୟ

ଉର୍ଜାଦି ଦଶ ଅଙ୍ଗର ବର୍ଣ୍ଣନ- ଅର୍ଥାତ୍‌ କାର୍ତ୍ତିକ ମାସ ବ୍ରତାଦି । କାର୍ତ୍ତିକ ବ୍ରତାଦି ଆଚରଣ କରିବ । ସଜାତୀୟ ବୈଷ୍ଣବ ସଙ୍ଗେ କୃଷ୍ଣ କଥାରେ ଯେଉଁ କ୍ଷଣ ବା ଦଣ୍ଡ ଅତିବାହିତ ହୁଏ ତାହା ଅତି ମୂଲ୍ୟବାନ୍‌ । ସାଧାରଣଙ୍କ ସମ୍ମୁଖରେ ଭକ୍ତିର ବାହ୍ୟ ବିଷୟ ନେଇ ଆଲୋଚନା ହୋଇପାରେ, କିନ୍ତୁ ଅନ୍ତରଙ୍ଗ ଭକ୍ତ ନ ହେଲେ ଅନ୍ତର ବିଷୟ ବୋଲାଯାଇ ନପାରେ । କେହି ଏଥିରେ ଏହି ଆପତ୍ତି କରିପାରନ୍ତି, ଯେ ଭଗବଦ୍‌ଭକ୍ତି ସର୍ବସମାଦୃତ ଉଚ୍ଚ ବିଷୟ, ସେଥିରେ ଆଉ ଗୋପନୀୟ ବା ଅପ୍ରକାଶ୍ୟ କଣ ଅଛି ଯେ ଅନ୍ତରଙ୍ଗ ଭକ୍ତ ନ ହେଲେ ସର୍ବତ୍ର ପ୍ରକାଶ କରି ହେବ ନାହିଁ । କିନ୍ତୁ ଯେପରି ଜଣେ ମୂର୍ଖଠାରେ ଯଦି କେହି କ୍ଷେତ୍ରତତ୍ତ୍ୱର ଅନୁଶୀଳନ କିମ୍ବା ବୀଜଗଣିତର ବିଷୟ ବ୍ୟାଖ୍ୟା କରେ ସେ ମୂର୍ଖ ସେ ବ୍ୟାଖ୍ୟା ଶୁଣିବାକୁ ଆଗ୍ରହ କରିବ କି ? ସେ କହିବ ଏ କଣ ବକୁଅଛି, ଏହା ମନେକରି ବିରକ୍ତ ହୋଇ ଉଠିଯିବ । ସେହିପରି ଯେଉଁମାନେ କୃଷ୍ଣ-ଭକ୍ତିର ଉଚ୍ଚମର୍ମ୍ମ ଗ୍ରହଣ କରିନାହାନ୍ତି ତାହାଙ୍କଠାରେ ଭକ୍ତିର ସାର ବିଷୟରେ ଆଲୋଚନା କଲେ ସେମାନଙ୍କୁ ତାହା ଅପ୍ରୀତିକର ହେବ ଏବଂ ରସଭଙ୍ଗ ହେବ । ଏହିହେତୁ ମହାପ୍ରଭୁ ପ୍ରାଣିନିର୍ବିଶେଷରେ ନାମ ଉପଦେଶ ଦେଇଥିଲେହେଁ କେବଳ ସ୍ୱରୂପ ଗୋସାଇଁ ଓ ରାୟ ରାମାନନ୍ଦ ପ୍ରଭୃତି ଉଚ୍ଚ ଉଚ୍ଚ ଭକ୍ତଙ୍କ ସହ ରସପ୍ରସଙ୍ଗର ଆଲୋଚନା କରୁଥିଲେ ।

 

ନାମ ଓ ସ୍ୱରୂପ ଭିନ୍ନ ନୁହେଁ । ଅତଏବ କୃଷ୍ଣନାମ ଗ୍ରହଣକଲେ ସର୍ବାର୍ଥଲାଭ ହୁଅଇ ।

 

୬୪ ଅଙ୍ଗ ମଧ୍ୟରୁ ନିମ୍ନଲିଖିତ ପାଞ୍ଚ ଅଙ୍ଗ ସର୍ବଶ୍ରେଷ୍ଠ । ଶ୍ରୀମୂର୍ତ୍ତିପଦସେବନ, ଶ୍ରୀଭାଗବତ ଆସ୍ୱାଦନ, ସଜାତୀୟ ସାଧୁଙ୍କ ସଙ୍ଗ, ହରିନାମକୀର୍ତ୍ତନ ଓ ମଥୁରାମଣ୍ଡଳରେ ବାସ ।

 

୧୬ଶ ଅଧ୍ୟାୟ ।

୬୪ ଅଙ୍ଗ ଭକ୍ତିସାଧନର ମୂଖ୍ୟଫଳ କୃଷ୍ଣପ୍ରେମପ୍ରାପ୍ତି ଓ ଗୌଣଫଳ ଧର୍ମ୍ମଅର୍ଥାଦି ପ୍ରାପ୍ତି । ବିଷୟାସକ୍ତ ବ୍ୟକ୍ତିମାନଙ୍କର ଚିତ୍ତବୃତ୍ତିକୁ ଭକ୍ତି ମାର୍ଗରେ ପ୍ରବେଶ କରାଇବାପାଇଁ ଏଥିରେ ଗୌଣଫଳର ଉଲ୍ଲେଖ ହୋଇଅଛି ।

 

ଜ୍ଞାନ ଓ ବୈରାଗ୍ୟ ଚିତ୍ତକୁ କଠିନ କରାଏ କିନ୍ତୁ କୃଷ୍ଣଭକ୍ତି ଅତି କୋମଳ । ଏକ ଭକ୍ତି ସାଧନ କଲେ ଜ୍ଞାନ ଓ ବୈରାଗ୍ୟାଦି ସକଳ ସେଥିରୁ ଆପେ ଆପେ ଜାତ ହୁଏ ।

 

୧୭ଶ ଅଧ୍ୟାୟ ।

      ବ୍ରଜବାସୀଜନଙ୍କର କୃଷ୍ଣଙ୍କଠାରେ ଯେଉଁ ଭକ୍ତି ତାର ନାମ ରାଗାତ୍ମିକା ଭକ୍ତି; ସେ ରାଗାତ୍ମିକା ଭକ୍ତିର ଅନୁଗତା ଯେ ଭକ୍ତି ତାକୁ ରାଗାନୁଗା ଭକ୍ତି ବୋଲାଯାଏ । ରାଗାନୁଗା ଭକ୍ତି ବୁଝିବାପାଇଁ ରାଗାତ୍ମିକା ଭକ୍ତି କ’ଣ ବୁଝିବା ଆବଶ୍ୟକ । ରାଗାତ୍ମିକା ଭକ୍ତି ଦୁଇପ୍ରକାର- କାମରୂପା ଓ ସମ୍ବନ୍ଧରୂପା । କାମରୂପା ଭକ୍ତି- ଯେଉଁ ଭକ୍ତି ସମ୍ଭୋଗତୃଷ୍ଣାକୁ ପ୍ରେମମୟ ରୂପରେ ପରିଣତ କରେ ତାର ନାମ କାମାରୂପା ଭକ୍ତି । କୃଷ୍ଣ ସୁଖହିଁ ଏହି ଭକ୍ତିର ତାତ୍ପର୍ଯ୍ୟ; ବ୍ରଜଗୋପୀମାନଙ୍କଠାରେ ଏହା ବର୍ତ୍ତମାନ କାମକ୍ରୀଡାର ସାମ୍ୟଥିବାରୁ ଏହି ଗୋପୀପ୍ରେମ କାମ ନାମରେ ବର୍ଣ୍ଣିତ ହୋଇଅଛି । ଗୋପୀମାନେ ମନପ୍ରାଣ ସମସ୍ତ କୃଷ୍ଣଙ୍କଠାରେ ଅର୍ପଣ କରିଅଛନ୍ତି, ତାଙ୍କ ଭିନ୍ନ ସେ ଆଉ କିଛି ମାତ୍ର ଜାଣନ୍ତି ନାହିଁ । ସେମାନେ ଆପଣାକୁ ଦାସୀ ଜାଣି ସର୍ବଦା କୃଷ୍ଣ ସେବାନନ୍ଦ ଭୋଗ କରୁଅଛନ୍ତି । ବ୍ରହ୍ମାନନ୍ଦ ସୁଖ ସେମାନଙ୍କଠାରେ ଅତି ତୁଚ୍ଚ । ସେମାନେ କ୍ଷଣମାନ କୃଷ୍ଣ ସଙ୍ଗରୁ ଅନ୍ତର ନୁହନ୍ତି । କୃଷ୍ଣ ନରରୂପରେ ଅବତୀର୍ଣ୍ଣ ହୁଅନ୍ତେ ସେମାନେ ମଧ୍ୟ ଗୋପରେ ଆସି ଜନ୍ମ ହେଲେ । କୃଷ୍ଣ ଅପ୍ରକଟ ହୁଅନ୍ତେ ସେମାନେ ମଧ୍ୟ ଅପ୍ରକଟ ହେଲେ । ସେମାନେ ନିତ୍ୟସିଦ୍ଧା ଓ କାମରୂପା ରାଗାତ୍ମିକା ଭକ୍ତିର ପ୍ରକୃତ ଅଧିକାରୀ । ରାଗାତ୍ମିକା ଭକ୍ତି ତାଙ୍କ ଛଡ଼ା ଆଉ କାହାରି ହୋଇନପାରେ । ସେହି ରାଗାତ୍ମିକାର ଅନୁକରଣରେ ଯେ ଭକ୍ତି ମାନବରେ ସମ୍ଭବେ ତାକୁ ରାଗାନୁଗା ଭକ୍ତି ଓ ତାହା କାମରୂପାର ଅନୁଯାୟୀ ହେଲେ କାମାନୁଗା ଓ ସମ୍ବନ୍ଧରୂପାର ଅନୁଯାୟୀ ହେଲେ ସମ୍ବନ୍ଧାନୁଗା ବୋଲାଯାଏ ସମ୍ବନ୍ଧରୂପା ଭକ୍ତି ଶ୍ରୀନନ୍ଦ ଯଶୋଦାଙ୍କଠାରେ କିମ୍ବା କୃଷ୍ଣଭ୍ରାତାମାନଙ୍କଠାରେ ବର୍ତ୍ତମାନ ।

 

୧୮ଶ ଅଧ୍ୟାୟ

 

ରାଗାନୁଗା ଭକ୍ତି:- କାମାନୁଗା ଓ ସମ୍ବନ୍ଧାନୁଗା । କାମାନୁଗା ଯଥା:- କାମାନୁଗା ଭକ୍ତିସାଧନହିଁ ଅତି ଉତ୍କୃଷ୍ଟ ସାଧନ । ଏଥିରେ ସାଧକ ଗୁରୁଦତ୍ତ ନାମ, ରୂପ ଓ ବେଶ ମନ ମଧ୍ୟରେ ଏକାନ୍ତରେ ଭାବନା କରି ମାନସିକରେ ଆପଣାକୁ ବ୍ରଜରେ ମଞ୍ଜରୀମାନଙ୍କ ଅନୁବର୍ତ୍ତିନୀ ଦାସୀ ମଣି ଗୁରୁରୂପା ମଞ୍ଜରୀଙ୍କ ସଙ୍ଗେ ରହି ଓ ତାଙ୍କ ଆଜ୍ଞା ଘେନି ଶ୍ରୀରୂପ ମଞ୍ଜରୀଙ୍କ ନିଯୋଗମତେ ଶ୍ରରାଧାକୃଷ୍ଣଙ୍କ ସେବାରେ ନିଯୁକ୍ତ ହେବେ । ଏହିପରି ମାନସିକରେ ସେବା କରୁଁ କରୁଁ ତନ୍ମୟତା ଜାତ ହୁଏ ଓ ତତ୍ପରେ ସାଧନସିଦ୍ଧ ହେଲେ ସାଧକ ଦେହାନ୍ତେ ସିଦ୍ଧ ଦେହରେ ନିତ୍ୟସିଦ୍ଧା ଗୋପୀମାନଙ୍କ ମେଳରେ ରହି ବ୍ରଜରେ ଯୁଗଳସେବାର ଅଧିକାରୀ ହୁଏ ।

 

ଗ୍ରନ୍ଥକାର ଗ୍ରନ୍ଥବାହୁଲ୍ୟ ଭୟରେ ଏଥିର ଉଦାହରଣ ଏ ଗ୍ରନ୍ଥରେ ଦେଇ ନଥିଲେହେଁ, ପାଠକମାନଙ୍କୁ ସୁବୋଧ୍ୟ ହେବା ନିମିତ୍ତ ମୁଁ ଦୁଇ ତିନୋଟି ଉଦାହରଣ ଭକ୍ତିରତ୍ନାକର ଓ ଶ୍ୟାମାନନ୍ଦ ପ୍ରକାଶରୁ ଉଦ୍ଧୃତ କଲି ।

 

ଶ୍ରୀଶ୍ରୀନିବାସାଚାର୍ଯ୍ୟ ଶ୍ରୀବୃନ୍ଦାବନ ଧାମରେ ବାସକରୁଥିବା ସମୟରେ ଦିନେ ନବଦ୍ୱୀପର ଧ୍ୟାନ କରି ଶ୍ରୀଗୌରାଙ୍ଗ ମହାପ୍ରଭୁଙ୍କୁ ମାନସିକରେ ସେବା କରୁଅଛନ୍ତି ଓ ସୁଗନ୍ଧ ଚନ୍ଦନ ଓ ପୁଷ୍ପ ତାଙ୍କୁ ପିନ୍ଧାଇଦେଇ ଚାମର ବ୍ୟଜନ କରୁଅଛନ୍ତି; ଏମନ୍ତ ସମୟରେ ମହାପ୍ରଭୁ ପ୍ରୀତହୋଇ ନିଜ ଗଳାର ମାଳା ଶ୍ରୀନିବାସଙ୍କୁ ଉପହାର ଦେଲେ । ଶ୍ରୀନିବାସଙ୍କର ଧ୍ୟାନ ଭଙ୍ଗ ହୁଅନ୍ତେ ସେ ଦେଖିଲେ ପ୍ରଭୁଦତ୍ତମାଳା ଆପଣାର ଗଳାରେ ରହିଅଛି; ମନ ଅବଶ୍ୟ ଆନନ୍ଦରେ ପୁଳକିତ ହେଲା କିନ୍ତୁ ଏହା ପ୍ରକାଶ ହେଲେ ଗର୍ବ ଜାତ ହେବ ଏହି ହେତୁ ସେ ଅପୂର୍ବ ସୁଗନ୍ଧମାଳାଟିକୁ ନିଜ ଦେହରୁ ବାହାର କରି ସଂଗୋପନ କରିରଖିଲେ । ଅନ୍ତରଙ୍ଗ ସଙ୍ଗୀମାନେ କେବଳ ଜାଣିଥିବାରୁ ଏହାପରେ ପ୍ରକାଶ ହୋଇଅଛି । ଯଥା-

 

‘‘ଆଚାର୍ଯ୍ୟେର ବାହ୍ୟଜ୍ଞାନ ହୈଲ ହେନ କାଲେ

ପ୍ରଭୁ ଦତ୍ତମାଳା ଦେଖେ ଆପନାର ଗଲେ,

ଶ୍ରୀମାଳାର ଶୋଭା ସୌଗନ୍ଧେର ସୀମା ନାଇ,

ପ୍ରତିଦିକେ ଭ୍ରମର କରୟେ ଧାଓଆଧାଇ;

ଆଚାର୍ଯ୍ୟ କରିଲା ଶ୍ରୀଘ୍ର ମାଲା ସଂଗୋପନ

ଅଲକ୍ଷିତେ ତାହା ଦେଖିଲେନ କୋନଜନ’’

 

ଆଉଦିନେ ଶ୍ରୀନିବାସ ଶ୍ରୀରାଧାଗାବିନ୍ଦଙ୍କର ହୋଲୀଖେଳ ମାନସିକରେ ଭାବୁଅଛନ୍ତି ଓ ଦେଖୁଛନ୍ତି ଯେ ପ୍ରେମୋନ୍ମତ୍ତା ଶ୍ରୀମତୀ ନିଜ ପ୍ରିୟସଖିମାନଙ୍କ ସହ ମିଳି ରସିକଶେଖର ଶ୍ରୀକୃଷ୍ଣଙ୍କ ଅଙ୍ଗରେ ଫଗୁ ନିକ୍ଷେପ କରୁଅଛନ୍ତି ଓ ସଖିଙ୍କ ଇଙ୍ଗିତାନୁସାରେ ଦାସୀଭାବରେ ଶ୍ରୀନିବାସ ଶ୍ରୀମତୀକୁ ଫଗୁ ଯୋଗାଉ ଅଛନ୍ତି । ଶ୍ରୀକୃଷ୍ଣ ପ୍ରେମରେ ବିଭୋଳ ହୋଇ ସମସ୍ତ ସଖୀ ଓ ମଞ୍ଜରୀମାନଙ୍କ ଉପରେ ଫଗୁ ବର୍ଷଣ କରୁଅଛନ୍ତି । ସେ ଖେଳା ସମାପନ ହୁଅନ୍ତେ ଶ୍ରୀନିବାସଙ୍କର ବାହ୍ୟଜ୍ଞାନ ହେଲା; ନିଜ ଦେହକୁ ଚାହିଁ ଦେଖନ୍ତି ତାହା ଫଗୁମୟ ହୋଇଅଛି । ତାଙ୍କର ତେତେବେଳେ କି ଆନନ୍ଦ ହୋଇଥିବ, କେବଳ ରସିକ ଭକ୍ତମାନେ କିଞ୍ଚିତ୍‌ ଅନୁଭବ କରିପାରିବେ । ମାଦୃଶ ଜନର ଲେଖନୀରେ ବ୍ୟକ୍ତ କରିବାର ଚେଷ୍ଟା ବୃଥା । ଯଥା-

 

‘‘ହୈଲ ସେବା ସମାଧାନ ବାହ୍ୟଜ୍ଞାନ ହୈତେ,

ଦେଖେ ଫାଗୁମୟ ଅଙ୍ଗ ନାରେ ଲୁକାଇତେ,

ଝଲମଲ କରେ ଫାଗୁ ସୌଗନ୍ଧି ଅପାର,

ସ୍ଥିର ହୈତେ ନାରେ ନାସା ସ୍ପର୍ଶୟ ଯାହାର । ’’

 

ଶ୍ରୀନରୋତ୍ତମ ଠାକୁର- ଦିନକରେ ମାନସରେ ଶ୍ରୀରାଧାକୃଷ୍ଣଲୀଳା ଭାବନା କରୁଅଛନ୍ତି; ଲଳିତା ସଖୀଙ୍କ ଆଦେଶରେ ସେ ଦୁଗ୍ଧ ଆଉଟିବାକୁ ଲାଗିଲେ ଏବଂ ଏହି ସମୟରେ ଦୁଧ ଉଛୁଳି ପଡ଼ିବାରୁ ସେ ବ୍ୟସ୍ତହୋଇ ତତଲା ଦୁଧଭାଣ୍ଡ ଶ୍ରୀଘ୍ର ଚୁଲିରୁ ଓହ୍ଲାଇ ପକାଇଲେ ଓ ଆବର୍ତ୍ତନ ଦୁଗ୍‌ଧ ଶୀତଳ କରି ସଖୀଙ୍କ ଶ୍ରୀକରକୁ ବଢ଼ାଇଦେଲେ । ବାହ୍ୟଜ୍ଞାନ ହୁଅନ୍ତେ ଦେଖନ୍ତି ହସ୍ତ ପୋଡ଼ିଯାଇଅଛି । ପ୍ରତିଷ୍ଠାପ୍ରତି ନିତାନ୍ତ ଭୟ ଥିବାରୁ ସେ କନାଗୁଡ଼ାଇ ତାହା ଲୁଚାଇଲେ । ଯଥା-

 

ହସ୍ତ ଦଗ୍‌ଧ ହୈଲ ତାହା କିଛୁ ସ୍ମୃତି ନାହିଁ,

ଦୁଗ୍‌ଧ ଆବର୍ତ୍ତନ କରି ଦିଲ ସଖୀ ଠାଇଁ ।

ମନେର ଆନନ୍ଦେ ରାଧାକୃଷ୍ଣେ ଭୁଞ୍ଜାଇଲ,

ଅବଶେଷ ଲଭ୍ୟ ମାତ୍ରେ ବାହ୍ୟଜ୍ଞାନ ହୈଲ ।

ଦଗ୍‌ଧ ହସ୍ତ ଦୃଷ୍ଟି ମାତ୍ର କୈଲା ସଂଗୋପନ,

ଜାନିଲେନ ମର୍ମ୍ମୀ ଅନ୍ତରଙ୍ଗ କୋନଜନ ।

 

ଶ୍ରୀଶ୍ୟାମାନନ୍ଦ ମହାପ୍ରଭୁ- ଏ ଶ୍ରୀହୃଦୟଚୈତନ୍ୟଙ୍କର ଶିଷ୍ୟ ଥିଲେ, ଅର୍ଥାତ୍ ସଖ୍ୟ ରସର ପାତ୍ର । ଏହାଙ୍କର ନାମ ଥିଲା ଦୁଃଖୀ କୃଷ୍ଣଦାସ । ଏ ଗୁରୁଦେବଙ୍କ ଆଦେଶମତ କିଛିଦିନ ଶ୍ରୀବୃନ୍ଦାବନ ଧାମରେ ଶ୍ରୀଜୀବ ଗୋସ୍ୱାମୀଙ୍କ ନିକଟରେ ବାସ କରନ୍ତି ଓ କୁଞ୍ଜରେ ଝାଡ଼ୁସେବା କରନ୍ତି । ଦିନେ କୁଞ୍ଜ ପରିଷ୍କାର କରିବା ସମୟରେ କୌଣସି ଜ୍ୟୋତିଷ୍ମାନ୍ ପଦାର୍ଥ ତାଙ୍କ ନେତ୍ରରେ ପଡ଼ିଲା । ସେ ଦେଖନ୍ତି ଏହା ଅପୂର୍ବ ନୂପୁର; ପାର୍ଥିବ ନୂପୁରରେ ଏପରି ଜ୍ୟୋତି ସମ୍ଭାବନ ନୁହେଁ । ତେଣୁ ସେ ନୂପୁରକୁ ପାଇ ପରମାନନ୍ଦ ଲାଭ କଲେ ଓ ନୂପୁରକୁ ଗୋପନରେ ରଖିଲେ । ସେ ମନେକଲେ ଦେଖାଯାଉ ଏଥିରେ ଅବଶ୍ୟ କିଛି ରହସ୍ୟ ଅଛି, ତାହା ଅବଶ୍ୟ ଉଦ୍‌ଘାଟିତ ହେବ । ଏମନ୍ତ ସମୟରେ ଏକ ବୃଦ୍ଧା ବ୍ରାହ୍ମଣୀ ଆସି ତାକୁ ପଚାରିଲେ; ମୋର ବଧୂ ବନକୁ ଆସିଥିଲା ସେ ଏକ ନୂପୁର ହଜାଇ ଯାଇଅଛି, ତୁମ୍ଭେ ତାହା ପାଇଅଛକି ? କୃଷ୍ଣଦାସ କହିଲେ, ହଁ ମୁଁ ଏକ ନୂପୁର ପାଇଅଛି ସତ୍ୟ କିନ୍ତୁ ସେତ ସେ ନୂପୁର ପରି ବୋଧ ହେଉନାହିଁ । ପ୍ରକୃତ ତଥ୍ୟ କ’ଣ ପ୍ରକାଶ କରନ୍ତୁ । ତହିଁରେ ବୃଦ୍ଧା ବ୍ରାହ୍ମଣୀ କହିଲେ, ସେ ଶ୍ରୀମତୀଙ୍କର ପଦର ନୂପୁର; କୁଞ୍ଜରେକ୍ରୀଡ଼ା କରୁ କରୁ ଛାଡ଼ି ଯାଇଛନ୍ତି ଓ ମୁଁ ତାଙ୍କ ସହଚରୀ ଲଳିତା । ଏହା କହି ସେ ତାଙ୍କୁ ନିଜସ୍ୱରୂପ ଦେଖାଇଲେ ଓ କୃପାର ଚିହ୍ନସ୍ୱରୂପ ନୂପୁରର ଚିହ୍ନ ତାଙ୍କ ମସ୍ତକରେ ଦେଲେ ଓ କହିଲେ ତୁମ୍ଭେ ଶ୍ରୀମତୀଙ୍କର ନୂପୁର ପାଇ ଶ୍ୟାମାଙ୍କୁ (ଶ୍ରୀରାଧାଙ୍କୁ) ଆନନ୍ଦ ଦେଇଥିବାରୁ ତୁମ୍ଭ ନାମ ଆଜିଠାରୁ ଶ୍ୟାମାନନ୍ଦ ହେଲା, କିନ୍ତୁ ତୁମ୍ଭେ ଏ କଥା ଶ୍ରୀଜୀବ ଗୋସ୍ୱାମୀ ବ୍ୟତୀତ ଆଉ କାହାଠାରେ ପ୍ରକାଶ କରିବ ନାହିଁ । ସେହିଦିନଠାରୁ କୃଷ୍ଣଦାସ ସଖ୍ୟଭାବ ପରିତ୍ୟାଗ କରି ମଧୁର ରସାଶ୍ରିତ ହେଲେ । ଏଣେ ହୃଦୟଚୈତନ୍ୟ ଶୁଣିଲେ ତାଙ୍କ ପ୍ରିୟ ଶିଷ୍ୟ କୃଷ୍ଣଦାସ ତିଳକ ପରିବର୍ତ୍ତନ କରି ଜୀବ ଗୋସ୍ୱାମୀଙ୍କ ଆଶ୍ରିତ ହୋଇଅଛନ୍ତି; ଏହା ଶୁଣିବାମାତ୍ରେ ସେ ବିସ୍ମିତ ଓ ସାତିଶୟ ଚିନ୍ତିତ ହେଲେ । ବିସ୍ମୟର କାରଣ ଏହି କି କୃଷ୍ଣଦାସ ପରି ବିନୀତ ଶିଷ୍ୟ ଯେ ଗୁରୁ ପରିତ୍ୟାଗ କରି ଅନ୍ୟଗୁରୁ ଗ୍ରହଣ କରିବ ଏହା ଅସମ୍ଭବ; ଦୁଃଖର କାରଣ ଏହିକି, ଏହା ଯଦି ସତ୍ୟ ହୁଏ, ପ୍ରଥମ- ପ୍ରିୟ ଶିଷ୍ୟ କୃଷ୍ଣ ଦାସର ଅଧୋଗତି ହେବ; ଦ୍ୱିତୀୟ- ବୈଷ୍ଣବ ସମାଜ ବିଶୃଙ୍ଖଳ ହୋଇପଡ଼ିବ । ଏହା କି ତାଙ୍କ ଦେହରେ ସହ୍ୟ ହୋଇପାରେ ? ସେ କେତେକ ମୂର୍ତ୍ତି ବୈଷ୍ଣବ ପଠାଇ ଶ୍ରୀଜୀବଙ୍କଠାକୁ ଓ ଦୁଃଖୀ କୃଷ୍ଣଦାସଙ୍କଠାକୁ ପତ୍ର ଲେଖିଲେ । ପତ୍ରରେ ଏମାନେ ଉତ୍ତର ଦେଲେ ଯେ ଶ୍ରୀଗୁରୁଦେବଙ୍କ (ଅର୍ଥାତ୍‌ ହୃଦୟଚୈତନ୍ୟ) ସ୍ୱପ୍ନାଦେଶରୁ କୃଷ୍ଣଦାସ ତିଳକ ପରିବର୍ତ୍ତନ କରିଅଛନ୍ତି । ଏହା ହୃଦୟଚୈତନ୍ୟଙ୍କର ପ୍ରତୀତ ହେଲା ନାହିଁ । ବୈଷ୍ଣବ ଧର୍ମ୍ମର କଳଙ୍କ ତାଙ୍କ ପରି ସାଧୁପୁରୁଷଙ୍କ ପକ୍ଷରେ ଅସହ୍ୟ ହୋଇଉଠିଲା । ସେ ସେହି କଳଙ୍କ ଅପନୋଦନ କରିବାପାଇଁ ଅନ୍ୟାନ୍ୟ ମହାନ୍ତମାନଙ୍କୁ ସଙ୍ଗରେ ନେଇ ଶ୍ରୀବୃନ୍ଦାବନ ଯାତ୍ରା କଲେ । ପାଠକେ ଭାବନ୍ତୁ ଏ କେଡ଼େ ବୃହତ୍‌ ବ୍ୟାପାର । ଅମ୍ବିକା କାଳନା କେଉଁଠାରେ ଓ ଶ୍ରୀବୃନ୍ଦାବନ କେଉଁଠାରେ ? ତେତେବେଳେ କିଛି ରେଳ ପଥର ସୃଷ୍ଟି ହୋଇନଥିଲା । ଶ୍ରୀହୃଦୟଚୈତନ୍ୟ ଶ୍ରୀବୃନ୍ଦାବନରେ ପ୍ରବେଶ କରନ୍ତେ, ଶ୍ରୀଜୀବ ଓ ଶ୍ରୀକୃଷ୍ଣଦାସ ଆସି ପ୍ରଣାମ କଲେ; ହୃଦୟଚୈତନ୍ୟ ରାଗାନ୍ୱିତ ହୋଇ କହିଲେ, ହଁ ରେ କୃଷ୍ଣଦାସ ! ତୋର ଏପରି ମତିଛନ୍ନ ହେଲା କିପାଇଁ ? କୃଷ୍ଣଦାସ କାତର ହୋଇ କହିଲେ, ଗୁରୁଦେବ ! ଆପଣଙ୍କ ସ୍ୱପ୍ନାଦେଶ ଅନୁସାରେ ମୁଁ ଏହା କରିଅଛି; କୃଷ୍ଣଦାସ ଗୁରୁଦେବଙ୍କୁ ପ୍ରବଞ୍ଚନା ବାକ୍ୟ କହିନାହାନ୍ତି; ସେପରି ସ୍ୱପ୍ନାଦେଶ ମଧ୍ୟ ହୋଇଥିଲା । ହୃଦୟଚୈତନ୍ୟ କହିଲେ କ’ଣ, ମୋର ପ୍ରକାଶ ବଚନଠାରୁ ସ୍ୱପ୍ନର ବାକ୍ୟ ଅଧିକ ବଳବାନ୍‌ ହେଲା । ହେଉ, ଯଦି ମୁଁ ତୋର ନବ ତିଳକ ଓ ନବ ନାମ ଧୌତ କଲାପରେ ତାହା ଧୋଇ ନଯାଇ ପୁନଃ ପ୍ରକାଶ ପାଇବ ତେବେ ଜାଣିବି ତୁ ମହାପ୍ରଭୁଙ୍କ କୃପା ପାଇଅଛୁ ଓ ତୋତେ ଯଥାର୍ଥ ସ୍ୱପ୍ନ ହୋଇଅଛି । କୃଷ୍ଣଦାସ ଉତ୍ତର କଲେ, ଯେ ଆଜ୍ଞା; ତେବେ ମୋତେ ଦୁଇ ଦଣ୍ଡ ସମୟ ଦେଉନ୍ତୁ । ହୃଦୟାନନ୍ଦ ସେଥିରେ ସ୍ୱୀକୃତ ହେଲେ । କୃଷ୍ଣଦାସ ଯାଇ ଧ୍ୟାନରେ ବସିଲେ ଓ ସକାତରେ ଲଳିତାଙ୍କର କୃପା ଭିକ୍ଷା କଲେ । ସେ ତେତେବେଳେ ବ୍ରଜରେ କନକମଞ୍ଜରୀ; ସେହିରୂପ ଓ ନାମରେ ଯାଇ କୁଞ୍ଜଦ୍ୱାରରେ କ୍ରନ୍ଦନ କରିବାକୁ ଲାଗିଲେ । ଲଳିତା ସଖୀ ଶ୍ରୀମତୀଙ୍କ ସମୀପରେ ଥିଲେ, ଏହାଙ୍କ କ୍ରନ୍ଦନ ବିଷୟ କାହାରିଠାରୁ ଅବଗତ ହୋଇ ପାଖକୁ ଡକାଇ ନେଇ କ୍ରନ୍ଦନର କାରଣ ପଚାରିଲା । କମକମଞ୍ଜରୀ ସମସ୍ତ ନିବେଦନ କଲେ । ଶ୍ରୀମତୀଜିଉ ଏହା ଶୁଣି ସୁବଳକୁ ଡକାଇ ତାଙ୍କଦ୍ୱାରା କନକମଞ୍ଜରୀଙ୍କ (କୃଷ୍ଣଦାସ) ନୂତନ ତିଳକ ଓ ଶ୍ୟାମାନନ୍ଦ ନାମ ସେ ଅଙ୍ଗରେ ଲେଖାଇ ଦେଲେ । ସୁବଳକୁ ଡକାଇବାର କାରଣ ଏହିକି ସୁବଳହିଁ ଅମ୍ବିକାର ଗୌରୀ ଦାସ ଓ ହୃଦୟଚୈତନ୍ୟଙ୍କ ଗୁରୁ । ଅତଏବ ପରମ ଗୁରୁଦତ୍ତ ହେଲେ ମର୍ଯ୍ୟାଦା ଲଙ୍ଘନ ହେବ ନାହିଁ । ତତ୍ପରେ କୃଷ୍ଣଦାସଙ୍କର ଏଣେ ଧ୍ୟାନ ମୂର୍ଚ୍ଛା ଭଙ୍ଗ ହେଲା । ବିଷମ ପରୀକ୍ଷା ସ୍ଥଳରେ ଉପସ୍ଥିତ ହେଲେ । ସମସ୍ତ ବୈଷ୍ଣବମଣ୍ଡଳୀ ସମୁତ୍ସୁକ ହୋଇ ରହିଅଛନ୍ତି । ନାନାରୂପ ଭାବ ଲହରୀ ସମସ୍ତଙ୍କ ମନରେ ଖେଳା କରୁଅଛି । ହୃଦୟଚୈତନ୍ୟ ନିଜ କରରେ କୃଷ୍ଣଦାସଙ୍କ ତିଳକ ଧୋଇବାକୁ ଲାଗିଲେ । ସେ ଯେତେ ଧୋଉଥାଆନ୍ତି ତିଳକ ଓ ନାମ ତେତେ ଉଜ୍ଜ୍ୱଳ ଦିଶୁଥାଏ । ଆଜି ଗୁରୁଦେବ ଶିଷ୍ୟଠାରେ ପରାସ୍ତ ହେଲେ । ଏହା ଯେ ହୃଦୟଚୈତନ୍ୟଙ୍କୁ କିପରି ଗୌରବର କାରଣ ହେଲା ପାଠକେ ଶ୍ୟାମାନନ୍ଦ ପ୍ରକାଶାଦି ଗ୍ରନ୍ଥରୁ ଜାଣିପାରିବେ । ବାହୁଲ୍ୟ ହେତୁ ମୁଁ ଏହିଠାରୁ କ୍ଷାନ୍ତ ହେଲି । ଏ ତ ୩୦୦ ବର୍ଷରୁ ଅଧିକର କଥା । ବ୫୦।୬୦ର୍ଷ ମଧ୍ୟରେ କେନ୍ଦ୍ରାପଡ଼ାର ଭକ୍ତପ୍ରବର ଶ୍ରୀ ରାଧାଶ୍ୟାମ ନରେନ୍ଦ୍ର ଓ ଜଜସାହେବଙ୍କ ପେସ୍‌କାର ଶ୍ରୀକୃଷ୍ଣଚନ୍ଦ୍ର ବାବୁଙ୍କ ଅଲୌକିକ ମାନସିକ ସେବା ସମ୍ବନ୍ଧରେ ସେମାନଙ୍କ ନିଜ ସଙ୍ଗୀମାନଙ୍କଠାରୁ କିଛି କିଛି ଶୁଣିଅଛି । କିନ୍ତୁ ଗ୍ରନ୍ଥବାହୁଲ୍ୟ ଭୟରେ ଉଲ୍ଲେଖ କଲି ନାହିଁ ।

 

ସାଧକର ଏହି ଅବସ୍ଥାକୁ ତଟସ୍ଥାବସ୍ଥା ବୋଲାଯାଏ; ଉଚ୍ଚ ସାଧକମାନେ ଏହି ମର ସଂସାରରେ ରହି ମଧ୍ୟ ଚିନ୍ମୟରାଜ୍ୟର କାର୍ଯ୍ୟ ସମୟ ସମୟରେ ଦେଖିବାକୁ ପାଆନ୍ତି ଓ ମାନସିକରେ ଚିନ୍ମୟରାଜ୍ୟରେ ବିଚରଣ କରନ୍ତି ।

 

୧୯ଶ ଅଧ୍ୟାୟ ।

ଏ ଅଧ୍ୟାୟରେ ଗୋପୀମାନଙ୍କର କାମରୂପା ଭକ୍ତି ବିଷୟ ବର୍ଣ୍ଣିତ ହୋଇଅଛି ।

 

୨୦ଶ ଅଧ୍ୟାୟ ।

ସେହି କାମରୂପାର ଅନୁଗତ ସାଧନକୁ କାମାନୁଗା ବୋଲାଯାଏ । ଦଣ୍ଡକାରଣ୍ୟର ଋଷିମାନେ ଶ୍ରୀ ରାମଚନ୍ଦ୍ରଙ୍କୁ ଦେଖି ତାଙ୍କରୂପରେ ମୁଗ୍ଧ ହୋଇ କାମାନୁଗା ଭକ୍ତି ସାଧନ କରି ଦ୍ୱାପରଯୁଗରେ ଗୋପୀଦେହ ପ୍ରାପ୍ତ ହୋଇ ଶ୍ରୀକୃଷ୍ଣଙ୍କୁ ପତିରୂପେ ପ୍ରାପ୍ତ ହୋଇଥିଲେ । ଶ୍ରୀରାମାୟଣରେ ଏହା ଉଲ୍ଲେଖ ଅଛି ।

 

୨୧ଶ ଅଧ୍ୟାୟ ।

ସମ୍ବନ୍ଧରୂପା ଭକ୍ତ- ଗୋପରେ ଶ୍ରୀନନ୍ଦ ଯଶୋଦାଦି ପିତାମାତା ଓ ସଖାଗଣ ଏବଂ ପୁରରେ ଯାଦବାଦି ଏହି ଶ୍ରେଣୀର ଅଟନ୍ତି ।

 

୨୨ଶ ଅଧ୍ୟାୟ ।

ସମ୍ବନ୍ଧାନୁଗା ଭକ୍ତ- ପିତାମାତା ବା ପୁତ୍ର ବା ସଖାଆଦି ସମ୍ବନ୍ଧ ଶ୍ରୀକୃଷ୍ଣଙ୍କଠାରେ ଅର୍ପଣ କରି ଯେ ଭକ୍ତି କରେ ସେ ଏହି ଶ୍ରେଣୀଭୁକ୍ତ ବିଗ୍ରହ ଓ ସ୍ୱରୂପ ଭିନ୍ନ ନୁହନ୍ତି । ଗ୍ରନ୍ଥରେ ବର୍ଣ୍ଣିତ ବର୍ଦ୍ଧକୀ ପରି କେତେ କେତେ ଭକ୍ତ ପ୍ରତିମାକୁ ପୁତ୍ରାଦି ସମ୍ବନ୍ଧରେ ଭାବି ଓ ତଦ୍ରୂପ ସ୍ନେହାଚରଣ କରି ସିଦ୍ଧି ପ୍ରାପ୍ତ ହୋଇଅଛନ୍ତି । ଅଗ୍ରଦ୍ୱୀପର ଗୋପୀନାଥ ନିଜପ୍ରିୟ ଭକ୍ତର ପୁତ୍ରତ୍ୱ ସ୍ୱୀକାର କରି ପିଣ୍ଡଦାନ କରିଥିବାରୁ ଠାକୁର ପିଣ୍ଡଦେବାର ପ୍ରଥା ଅଦ୍ୟାପି ଚଳିଆସୁଛି ।

 

୨୩ଶ ଅଧ୍ୟାୟ ।

ଯେ ଯାହା ନିରନ୍ତର ଭାବନା କରେ ମୃତ୍ୟୁପରେ ତାହାହିଁ ପ୍ରାପ୍ତ ହୁଏ । ଅତଏବ ଶ୍ରୀକୃଷ୍ଣ ଚରଣାରବିନ୍ଦ ଅନବରତ ଚିନ୍ତା କଲେ ନର ଅବଶ୍ୟ ସେ ଚରଣାରବିନ୍ଦ ପ୍ରାପ୍ତ ହେବ । ତେଣୁ ଧନ ଦାରା ସୁତରେ ମନୋଭିନିବେଶ ନକରି ଶ୍ରୀକୃଷ୍ଣ ଚରଣାରବିନ୍ଦରେ ମନ ଲଗାଇବା ସର୍ବତୋଭାବେ ବିଧେୟ । ନାଟୁଆ ଯେପରି ଜଳ କଳସ ମସ୍ତକରେ ରଖି ନୃତ୍ୟ କରେ ଓ ଅଙ୍ଗଭଙ୍ଗୀଦ୍ୱାରା ସାଧାରଣର ମନ ତୃପ୍ତ କରେ । କିନ୍ତୁ ମନ ସର୍ବଦା ଜଳକଳସଠାରେ ରଖିଥାଏ ଯେପରି କି କଳସଟି ପଡ଼ି ନଯାଏ, ସେହିପରି ସଂସାରର ସମସ୍ତ କାର୍ଯ୍ୟ ସାଧନ କରି ମଧ୍ୟ ମନ ଏକାନ୍ତରେ ଗୋବିନ୍ଦ ଚରଣାରବିନ୍ଦରେ ସଂଲଗ୍ନ କରିବା ବିଧେୟ ।

 

୨୪ଶ ଅଧ୍ୟାୟ ।

(ଭାବ ଭକ୍ତି)

ପ୍ରେମର ପ୍ରଥମ ଅବସ୍ଥାକୁ ଭାବ ବୋଲାଯାଏ । ଭାବଭକ୍ତି ପୁଣି ତିନିପ୍ରକାର ହେତୁରୁ ଉତ୍ପନ୍ନ ହୁଏ, -୧ ଅତି ଉତ୍ତମରୂପ ଭକ୍ତି ସାଧନରୁ, ୨ ଶ୍ରୀକୃଷ୍ଣଙ୍କ କୃପାରୁ ଓ ୩ ଭକ୍ତଙ୍କ କୃପାରୁ ।

 

ପ୍ରଥମ ପ୍ରକାର ଭାବହିଁ ସଚରାଚର ଦେଖାଯାଏ । ୨ୟ ଓ ୩ୟ ପ୍ରକାର ଭାବ ଜାତହେବା ଅତି ବିରଳ । ଭକ୍ତ ନିଜ ଚିତ୍ତରେ ଭକ୍ତି ଆସ୍ୱାଦନ କରୁଁ କରୁଁ ଅଙ୍ଗରେ ଯେ ବିକାର ଜାତହୁଏ ତାର ନାମ ଭାବ । ସେ ଭାବ ପରିପକ୍ୱ ହେଲେ ତାକୁ ପ୍ରେମ ବୋଲାଯାଏ । ଭାବର ଅନ୍ୟ ଏକ ନାମ ରତି । ଶ୍ରୀକୃଷ୍ଣ କୃଷ୍ଣଭକ୍ତଙ୍କର ରୂପ, ଗୁଣ, ବଂଶୀ, ଶୃଙ୍ଗ, ନୂପୁର ଆଦି ଏହି ରତିର କାରଣ ଓ ଏମାନଙ୍କୁ ବିଭାବ ବୋଲାଯାଏ । ଶ୍ରୀକୃଷ୍ଣଭାବ ଜାତ ହେଲେ ଦେହରେ ଅଷ୍ଟପ୍ରକାର ବିକାର ଜାତ ହୁଏ ତାକୁ ଅଷ୍ଟସାତ୍ୱିକ ଭାବ ବୋଲାଯାଏ । ଯଥା-

 

୧ ସ୍ତମ୍ଭ, ୨ ସ୍ୱେଦ, ୩ ପୁଲକ, ୪ ସ୍ୱରଭଙ୍ଗ, ୫ କମ୍ପ, ୬ ବୈବର୍ଣ୍ଣ୍ୟ, ୭ ଅଶ୍ରୁ, ୮ ଜ୍ଞାନଶୂନ୍ୟତା । କାହାରିଠାରେ ଏଥିମଧ୍ୟରୁ ୨ ବା ୪ ଓ କାହାଠାରେ ବା ସମସ୍ତ ୮ ଲକ୍ଷଣ ଦେଖାଯାଏ ।

 

୨୫ଶ ଅଧ୍ୟାୟ ।

ଦୃଢ଼ଭାବରେ ଭକ୍ତି ସାଧନ କରୁଁ କରୁଁ ଭକ୍ତ ହୃଦୟରେ ଭାବଭକ୍ତି ଜାତ ହୁଏ ।

ଶ୍ରୀକୃଷ୍ଣଙ୍କ କୃପାବଳରୁ ଯେ ଭାବ ଜାତ ହୁଏ ତାହା ଦୁଇପ୍ରକାର । (୧) ଆଜ୍ଞା ଓ (୨) ବିଲୋକନ ।

 

ଆଜ୍ଞାରୁ ଯଥା ଶୁକାଦିଙ୍କର ।

ବିଲୋକନରୁ ଯଥା ମଥୁରାବାସିଙ୍କର ।

 

ଶ୍ରୀକୃଷ୍ଣ ବିଗ୍ରହ ଦର୍ଶନ କରୁ କରୁ କାହାରି କାହାରି ଯେ ଭାବ ଜାତହୁଏ ତାହା ମଧ୍ୟ ଏହି ଶ୍ରେଣୀ (ବିଲୋକନ) ଭୁକ୍ତ ।

 

ଭକ୍ତ କୃପାରୁ ଯଥା ନାରଦଙ୍କ କୃପାରୁ ପ୍ରହ୍ଲାଦଙ୍କର ।

ପୂର୍ବ ଜନ୍ମର ସାଧନ ବଶରୁ ମଧ୍ୟ ଏ ତିନି ବ୍ୟତିରେକେ କାହାରି କାହାରି ହଠାତ୍‌ ଭାବ ଜାତ ହୋଇଥାଏ । ତାହା ସାଧନରୁ ଜାତ ବୋଲି ବୋଲିବାକୁ ହେବ ।

 

୨୬ଶ ଅଧ୍ୟାୟ ।

ଭକ୍ତ ଅଙ୍ଗର ଯେଉଁ ବିକାରମାନ ଚିତ୍ତଗତ ଭାବକୁ ପ୍ରକାଶ କରି ଦିଏ ତାକୁ ଅନୁଭାବ ବୋଲାଯାଏ । ତାହା ନବପ୍ରକାର । ଯଥା-କ୍ଷାନ୍ତି, ଅବ୍ୟର୍ଥକାଳତା, ବିରକ୍ତି, ମାନଶୂନ୍ୟତା, ଆଶାବନ୍ଧ, ସମୁତ୍କଣ୍ଠା, ହରିନାମ ଗାୟନରେ ରୁଚି, ଆସକ୍ତି ଓ ଶ୍ରୀକୃଷ୍ଣ ବସତି ସ୍ଥଳରେ ବାସେଚ୍ଛା । ଏ ସମସ୍ତ ସରଳଭାବରେ ମୂଳ ଗ୍ରନ୍ଥରେ ବର୍ଣ୍ଣିତ ହୋଇଅଛି ।

 

୨୭ ଓ ୨୮ଶ ଅଧ୍ୟାୟ ।

ନିଷ୍କାମ-ଭକ୍ତ ହୃଦୟେରେ ଭାବ ଜାତ ହୁଏ । କୌଣସିପ୍ରକାର କାମନା ଥିଲେ ସେଥିରେ ଭାବ ଜାତ ହୁଏନାହିଁ, ଏମନ୍ତ କି ମୋକ୍ଷକାମୀ ବ୍ୟକ୍ତିର ମଧ୍ୟ ଭାବ ଜାତ ହେବା ଅସମ୍ଭବ । ଯଦି ସେପରି ବ୍ୟକ୍ତିଙ୍କଠାରେ ଭାବର ଚିହ୍ନ କିଛି ଦେଖାଯାଏ ତାକୁ ଭାବାଭାସ ଜାଣିବାକୁ ହେବ; ତାହା ପ୍ରକୃତ ଭାବ ନୁହେ ।

 

କାରଣ ଯେ ଚିତ୍ତରେ କାମନାର ଗନ୍ଧ ଥାଏ ତାହା ବିକାରଗ୍ରସ୍ତ । ଚିତ୍ତ ନିର୍ବିକାର ନହେଲେ ଭାବ ଜାତ ହୁଏନାହିଁ ।

 

ଭାବାଭାସ ଦୁଇପ୍ରକାର ଯଥା-ପ୍ରତିବିମ୍ବ ଓ ଛାୟା ।

 

ଭୋଗାଭିଳାଷୀ ଜନ କିମ୍ବା ମୋକ୍ଷକାମୀଗଣ ଅଭିଷ୍ଟ ଲାଭ ଇଚ୍ଛାରେ ସଦାଚାରନିଷ୍ଠ ନିଷ୍କାମୀ ଉଚ୍ଚଭକ୍ତଙ୍କ ସଙ୍ଗେ କୀର୍ତ୍ତନ କରୁଁ କରୁଁ ଭଗବତ୍‌ ଭକ୍ତର ସଙ୍ଗ ପ୍ରଭାବରୁ ସେମାନଙ୍କ ହୃଦୟରେ ଭକ୍ତଙ୍କ ହୃଦୟାକାଶରେ ବିରାଜିତ ଭାବଚନ୍ଦ୍ରର ପ୍ରତିବିମ୍ବ ଉଦୟ ହୁଏ, ଅର୍ଥାତ୍‌ ସାମାନ୍ୟ ଲକ୍ଷଣ ବିଶିଷ୍ଟ ଭାବ ଜାତ ହୁଏ ।

 

ଭଗବତ୍‌ ଭକ୍ତମାନେ ଜନ୍ମଯାତ୍ରାଦି ମହୋତ୍ସବ କରିବାବେଳେ ସେମାନଙ୍କ ସଙ୍ଗେ ଯୋଗଦେବାରୁ ଅଥବା ଶ୍ରୀବୃନ୍ଦାବନାଦିଧାମରେ ଉଚ୍ଚ ଉଚ୍ଚ ଭକ୍ତମାନଙ୍କ ସଙ୍ଗ ଲାଭ କରି ସାଧାରଣ ଲୋକମାନଙ୍କ ମନରେ ଯେ କୌତୁହଳମୟୀ ଚଞ୍ଚଳ ସାମାନ୍ୟ ରତିର ଉଦୟ ହୁଏ ତାହାକୁ ଭାବର ଛାୟା ବୋଲାଯାଏ । ମନୁଷ୍ୟ ଓ ତାର ଛାୟାର ଯେଉଁ ପ୍ରଭେଦ, ଭାବ ଓ ଭାବଛାୟାର ସେହି ପ୍ରଭେଦ ଜାଣିବ । ଏ ଭାବାଭାସ କ୍ରମେ କ୍ରମେ ବୃଦ୍ଧିପାଇ କାହା କାହାଠାରେ ଭାବରୂପକୁ ଧାରଣ କରେ । କିନ୍ତୁ ଭକ୍ତଠାରେ ଅପରାଧହେଲେ ଏ ଭାବାଭାସ ସମୂଳେ ବିନଷ୍ଟ ହୁଏ ।

 

ଭକ୍ତଙ୍କର ଯଦି ଦୋଷ ବର୍ତ୍ତମାନ ଥାଏ, ସେ ଦୋଷକୁ ଗ୍ରହଣ କରିବା ବିଧେୟ ନୁହେଁ । ମନୁଷ୍ୟର ଦୋଷ ସହଜରେ ବିନଷ୍ଟ ହୁଏ ନାହିଁ; ଭକ୍ତି ବିଷୟରେ ଲୋକର କ୍ରମେ କ୍ରମେ ଉନ୍ନତି ହୋଇଥାଏ । ଜନସାଧାରଣ ଭକ୍ତଙ୍କର ଗୁଣ ଗ୍ରହଣ କରିବାକୁ ସହଜରେ ପାରନ୍ତି ନାହିଁ; ଗୁଣପ୍ରତି ଦୃଷ୍ଟିପାତ ନକରି ଅଳ୍ପମାତ୍ର ଦୋଷ ଦେଖିଲେହିଁ ତାକୁ ବହୁତ ମନେକରି ଭକ୍ତଙ୍କୁ ଘୃଣା କରନ୍ତି; ତଦ୍ଦ୍ୱାରା ସେ ଭକ୍ତଙ୍କର ତ କିଛି ହାନି ହୁଏନାହିଁ; କିନ୍ତୁ ତାହା ଦୋଷଦର୍ଶୀମାନଙ୍କର ମହା ଅନିଷ୍ଟର କାରଣ ହୋଇପଡ଼େ, କାରଣ ସେଥିରୁ ସେ ଅପରାଧ ଜାତହୁଏ ତାହା ଅତି ଭୟଙ୍କର ଫଳ ଉତ୍ପାଦନ କରେ । ଶାସ୍ତ୍ରାନୁସାରେ ଦୋଷ ଗୁଣ କିଛି ନଦେଖିବାର ବିଧି; ତେବେ ଦେଖିବାକୁ ହେଲେ ଗୁଣ ଦେଖିବାହିଁ ବିଧେୟ ।

 

୨୯ଶ ଅଧ୍ୟାୟ ।

ଭାବଭକ୍ତି ଗାଢ଼ ହେଲେ ତାହାକୁ ପ୍ରେମ ବୋଲାଯାଏ; ଅର୍ଥାତ୍‌ ତହିଁରେ ସମୀଚୀନରୂପେ ଚିତ୍ତ ମସୃଣିତ ହୋଇ ଶ୍ରୀକୃଷ୍ଣଙ୍କଠାରେ ପ୍ରଗାଢ଼ ମମତା ଜାତ ହୁଅଇ । ସେ ପ୍ରେମ ଅନ୍ୟ ମମତା ବର୍ଜିତ ଓ ଐକାନ୍ତିକ କୃଷ୍ଣ ମମତା ପୂର୍ଣ୍ଣ । ଯାହାଠାରେ ବହୁ ସୌଭାଗ୍ୟରେ ସେ ପ୍ରେମ ଜାତ ହୁଏ ସେ ବ୍ୟକ୍ତି ଏକାବେଳକେ ଆପଣାକୁ ଭୁଲି ଯାଏ ଓ ଦିବାନିଶି କୃଷ୍ଣ ରସରେ ପ୍ରମତ୍ତ ହୁଏ । ଇନ୍ଦ୍ରିୟଗୁଣ ମନକୁ ଅବଲମ୍ବନ କରି ଆପଣା ଆପଣାର କାର୍ଯ୍ୟ ଅନୁଭବ କରାନ୍ତି, କିନ୍ତୁ ପ୍ରେମଦ୍ୱାରା ମନ ସତତ କୃଷ୍ଣଙ୍କଠାରେ ମଜ୍ଜି ରହିବାରୁ ଇନ୍ଦ୍ରିୟଜ୍ଞାନ ବିଲୁପ୍ତ ହୋଇଥାଏ ।

 

ଭକ୍ତମାଳରେ ବର୍ଣ୍ଣିତ ଅଛି ଯେ କୌଣସି ଭକ୍ତିମତୀ ସ୍ତ୍ରୀଲୋକ ନିଜ ଶିଶୁକୁ ସନ୍ନିକଟରେ ଶୁଆଇ ପରିବା ବନାଉ ବନାଉ ଦୂରରୁ ଶ୍ରୀକୃଷ୍ଣଲୀଳା ଗୀତ ଶ୍ରବଣ କରି ସେଥିରେ ଭୋଳା ହୋଇ ପାର୍ଶ୍ୱସ୍ଥିତ ଶିଶୁଟିକୁ କାଟିପକାଇଲେ । ଏକ ସମୟରେ କୌଣସି ପର୍ବୋପଲକ୍ଷରେ ଶ୍ରୀଜଗନ୍ନାଥ ଦେଉଳରେ ବିଶେଷ ଲୋକର ଭିଡ଼ ହୋଇଥିଲା । ଶ୍ରୀଜଗନ୍ନାଥ ଦର୍ଶନରେ ଉତ୍କଣ୍ଠିତା ଏକ ରମଣୀ ସେ ଭିଡ଼ରେ ଆତ୍ମବିସ୍ମୃତା ହୋଇ ଗରୁଡ଼ସ୍ତମ୍ଭକୁ ଅବଲମ୍ବନ କରି ଶ୍ରୀଗୌରାଙ୍ଗ ମହାପ୍ରଭୁଙ୍କ ସ୍କନ୍ଧ ଉପରେ ପାଦ ଦେଇ ଶ୍ରୀଜଗନ୍ନାଥ ଦର୍ଶନ କରିବାକୁ ଲାଗିଲା । ଧନ୍ୟ ପ୍ରେମିକ ଭକ୍ତର ମହିମା । ତାହା କିଏ ସହଜରେ ପରିମାଣ କରିପାରିବ ।

 

୩୦ଶ ଅଧ୍ୟାୟ ।

ସେ ପ୍ରେମ ପୁଣି ତିନିପ୍ରକାର- ଯଥା ।

୧ ବୈଧ ଭବୋଥିତ ପ୍ରେମ, ୨ ରାଗାନୁଗୀୟ ପ୍ରେମ, ୩ ହରି ପ୍ରସାଦୋଥିତ ପ୍ରେମ ।

୧ । ବୈଧ ଭକ୍ତି ଯାଜନ କରୁ କରୁ ପ୍ରେମ ଜାତ ହେଲେ ତାହାକୁ ବୈଧଭାବୋଥ୍ୱ ପ୍ରେମ ବୋଲାଯାଏ ।

୨ । ରାଗାନୁଗା ପଥାନୁସରଣକାରୀ ଭକ୍ତଙ୍କଠାରେ ଯେ ପ୍ରେମ ଜାତ ହୁଏ ତାକୁ ରାଗାନୁଗୀୟ ପ୍ରେମ ବୋଲାଯାଏ ।

୩। ସାଧାନ ବ୍ୟତିରେକେ କେବଳ ଶ୍ରୀକୃଷ୍ଣ କୃପା ବଶରୁ ପ୍ରେମର ଉଦୟ ହେଲେ ତାହାକୁ ପ୍ରସାଦୋତ୍ୱ ପ୍ରେମ ବୋଲାଯାଏ ।

 

୩୧ଶ ଅଧ୍ୟାୟ ।

ଭକ୍ତିର କ୍ରମ ଯଥା ।

୧ ଶ୍ରଦ୍ଧା, ୨ ସାଧୁସଙ୍ଗ, ୩ ସାଧନ (ଭଜନ କ୍ରିୟା ), ୪ ଅନର୍ଥନିବୃତ୍ତି ,୫ ନିଷ୍ଠା, ୬ ରୁଚି, ୭ ଆସକ୍ତି, ୮ ଭାବ, ୯ ପ୍ରେମ ।

 

ପ୍ରେମ ଉତ୍ପନ୍ନ ହେଲେ ଭକ୍ତ କୃଷ୍ଣଙ୍କୁ ଲାଭ କରି ଅଭିଳାଷାନୁଯାୟୀ ସିଦ୍ଧ ଦେହରେ ଚିଦାନନ୍ଦଧାମ ଶ୍ରୀବୃନ୍ଦାବନରେ ଚିରକାଳ ବାସ କରେ । ନଦୀର ସ୍ରୋତ କ୍ରମେ ଉତ୍ପତ୍ତି ସ୍ଥାନରୁ ବହି ଆସି ସମୁଦ୍ରରେ ପଡ଼ିଲେ ତାହା ଯେପରି ଆଉ ଫେରି ଆସେ ନାହିଁ, ପ୍ରେମୀର ଚିତ୍ତ ସେହିପରି ଶ୍ରୀକୃଷ୍ଣ ଚରଣାରବିନ୍ଦରୁ ପ୍ରତ୍ୟାବୃତ୍ତ ହୁଏ ନାହିଁ ।

 

ସେ ଭକ୍ତି ପୁଣି ଦୁଇପ୍ରକାର, ସାଧନସିଦ୍ଧା ଓ କୃପାସିଦ୍ଧା ଯେଉଁମାନେ ଭକ୍ତିଦ୍ୱାରା ସିଦ୍ଧି ପ୍ରାପ୍ତ ହୁଅନ୍ତି ସେମାନଙ୍କର ମହିମା ଅପାର; ଏମନ୍ତ କି ସେମାନେ ମୋକ୍ଷକୁ ମୋକ୍ଷ କରି ପାରନ୍ତି, ଏଣୁ ସିଦ୍ଧଭକ୍ତଙ୍କଠାରେ ମୁକ୍ତି ଅତି ତୁଚ୍ଛ ପଦାର୍ଥ । ସ୍ୱୟଂ ଶ୍ରୀକୃଷ୍ଣ ପରମ ସ୍ୱତନ୍ତ୍ର ହେଲେହେଁ ଭକ୍ତଙ୍କର ବଶ ହୁଅନ୍ତି ଓ ଏପରି ସିଦ୍ଧ ଭକ୍ତଙ୍କୁ ଦଣ୍ଡେମାତ୍ର ଛାଡ଼ି ନପାରି ସେମାନଙ୍କ ସଙ୍ଗେ ସଙ୍ଗେ ବିଚରଣ କରନ୍ତି ।

 

୩୨ଶ ଅଧ୍ୟୟ ।

ଏ ଅଧ୍ୟାୟରେ ନିତ୍ୟ ଗୋଲୋକର ବର୍ଣ୍ଣନା ହୋଇଅଛି ।      

 

୩୩ଶ ଅଧ୍ୟାୟ ।

ସୃଷ୍ଟିର ବିବରଣ ।

ନିତ୍ୟଗୋଲୋକରେ ଭଗବାନ ଶ୍ରୀକୃଷ୍ଣ ସର୍ବଦା ଲୀଳାପରିକରଙ୍କ ସଙ୍ଗେ ବର୍ତ୍ତମାନ । ଲୀଳା ପ୍ରକାଶ କରିବାକୁ ମନେକରନ୍ତେ ପ୍ରଥମେ ଆଦ୍ୟାଶକ୍ତି ତାଙ୍କଠାରୁ ଉତ୍ପନ୍ନ ହୁଅନ୍ତି, ସେ ଶକ୍ତି ସର୍ବ୍ବଭୂତର ଜନନୀ ଓ ସକଳ ତତ୍ତ୍ୱର ଆଦି । ତାକୁ ବିଷ୍ଣୁ ମାୟା ବୋଲାଯାଏ । ସେହି ମୂଳ ପ୍ରକୃତିଙ୍କଠାରୁ ବିରାଟ ପୁରୁଷ ଜାତ ହୁଅନ୍ତି, ଯାହାଙ୍କ ରୋମ ବିବରରୁ କୋଟୀ କୋଟୀ ବ୍ରହ୍ମାଣ୍ଡ ସୃଷ୍ଟି ହେଉଅଛି । ଏହି କ୍ରମରେ ସୃଷ୍ଟିର ବିବରଣ ଏ ଅଧ୍ୟାୟରେ ବର୍ଣ୍ଣିତ ହୋଇଅଛି ।

 

୩୪ଶ ଅଧ୍ୟାୟ ।

ଗୋଲୋକାଧିପତି ଶ୍ରୀକୃଷ୍ଣ ଗୋଲୋକର ନିତ୍ୟଲୀଳା ଏ ବ୍ରହ୍ମାଣ୍ଡରେ ପ୍ରକାଶ କରିବାର ଇଚ୍ଛା କରି ଦ୍ୱାପର ଯୁଗରେ ଧରାରେ ଜନ୍ମଗ୍ରହଣ କଲେ ଓ ତାଙ୍କ ସଙ୍ଗେ ନିତ୍ୟପରିକରମାନେ ମଧ୍ୟ କ୍ରମେ କ୍ରମେ ଆଗେ ପଛେ ଜନ୍ମ ହେଲେ ।

 

ସେ ଭଗବାନ ସ୍ୱୟଂ ପ୍ରକାଶ ହୋଇଥିଲେ, ଦେବକୀ ଗର୍ଭରୁ ଜାତ ବାଦମାତ୍ର ନତୁବା ଜନ୍ମକାଳରେ କିରୀଟ କୁଣ୍ଡଳାଦି ଭୂଷଣରେ ବିଭୂଷିତ ହୋଇ ଦେଖା ଦିଅନ୍ତେ ନାହିଁ ।

ବୈଷ୍ଣବ ଗ୍ରନ୍ଥରେ କୃଷ୍ଣଙ୍କ ଜନ୍ମ ସମ୍ୱନ୍ଧେ ଓ ବାସୁଦେବ ଓ ନନ୍ଦନନ୍ଦନଙ୍କ ପାର୍ଥକ୍ୟାଦି ସମ୍ୱନ୍ଧେ ଅନେକ ବିଚାର କରି ମୀମାଂସା କରି ରଖିଅଛନ୍ତି । ଏ ଗ୍ରନ୍ଥକାର ବୋଧହୁଏ ଗ୍ରନ୍ଥ ବାହୁଲ୍ୟ ଭୟରେ ସେସବୁ କିଛି ଉଲ୍ଲେଖ କରି ନାହାନ୍ତି ଓ ମୋର ଶକ୍ତିର ବାହାର ବୋଲି ମୁଁ ସେ ଗୁରୁତର ବିଷୟରେ ହସ୍ତକ୍ଷେପ କଲି ନାହିଁ ।

 

Unknown

୩୫ଶ ଅଧ୍ୟାୟ ।

ବ୍ରହ୍ମାଣ୍ଡଗଣର ସୃଷ୍ଟି ସଙ୍ଗେ ସଙ୍ଗେ ପ୍ରଳୟ ଅଛି ଓ ମହା ପ୍ରଳୟରେ ବିରାଟ ପୁରୁଷ ମଧ୍ୟ ଲୀନ ହୁଅନ୍ତି, କିନ୍ତୁ ଗୋଲୋକଧାମ ନିତ୍ୟଧାମ; ତାହାର ବିନାଶ ନାହିଁ । ଭକ୍ତି ବଳରେ ଭକ୍ତ ନିତ୍ୟଧାମରେ ପ୍ରବେଶ କଲେ ତାହାର ମଧ୍ୟ ବିନାଶ ନାହିଁ ।

୩୬ଶ ଅଧ୍ୟାୟ ।

ଶ୍ରୀକୃଷ୍ଣହିଁ ମୂଳ ଓ ତେଣୁ କବିବର ପ୍ରାର୍ଥନା କରୁଛନ୍ତି ସେ ସେହି ଗୋପ-ଗୋପୀ-ବେଷ୍ଟିତ ରାଧିକାର ପ୍ରାଣନାଥ କମନୀୟ ଇନ୍ଦୀବର କାନ୍ତି ପୀତାମ୍ୱର ଶ୍ରୀକୃଷ୍ଣ ସୁନ୍ଦର କରରେ ମୂରଲୀଧାରଣ କରି କଦମ୍ୱ ମୂଳରେ ତ୍ରିଭଙ୍ଗି ଛନ୍ଦରେ କେବେ ତାକୁ ଦର୍ଶନ ଦେବେ । ସେହି ଶ୍ରୀକୃଷ୍ଣ ଅବତାରମାନଙ୍କର ବୀଜ ଅର୍ଥାତ୍‌ ଅବତାରୀ ଓ ନନ୍ଦଯଶୋଦାଙ୍କର ଆତ୍ମଜ ।

ଶ୍ରୀ ପାର୍ବତିଚରଣ ଦାସ ।

 

ଶ୍ରୀହରିଭକ୍ତି ଚନ୍ଦ୍ରୋଦୟ ।

ପ୍ରଥମ ଅଧ୍ୟାୟ । (ତତ୍ତ୍ୱାତତ୍ତ୍ୱ ବିଚାର)

ବନ୍ଦଇ ପ୍ରଭୁ ଭଗବାନ

ଯେ ସର୍ବ ତତ୍ତ୍ୱଙ୍କ କାରଣ

।।

ତାଙ୍କର ତହୁଁ ଏ ସକଳ

ହୁଅନ୍ତି ତେଣୁ ଆଦିମୂଳ      

।।

ତାଙ୍କର ନାହିଁ ଯହୁଁ ଆଦି

ସେ ଘେନି ବୋଲାନ୍ତି ଅନାଦି

।।

ଅନ୍ତହିଁ ନାହିଁ ତାହାଙ୍କର

ଅନନ୍ତ ନାମଟି ଆବର      

।।

 

 

 

 

ଚୂତ ନୋହିବାରୁ ଅଚ୍ୟୁତ

ଅନିତ୍ୟ ନୁହେ ତେଣୁ ନିତ୍ୟ

।।

ଅବ୍ୟୟ ବ୍ୟୟ ନାହିଁ ଯାର

ଅକ୍ଷର ନୁହେ ଯେଣୁ କ୍ଷର

।।

ଅସତ୍ୟ ନୁହେ ତେଣୁ ସତ୍ୟ

ଜିତ ନୋହିବାରୁ ଅଜିତ      

।।

ସକଳ ବ୍ୟାପୀ ତେଣୁ ପୂର୍ଣ୍ଣ

ନିର୍ମ୍ମଳ ଯେଣୁ ନିରଞ୍ଜନ      

।।

 

 

 

 

ମୃତ ନୋହିବାରୁ ଅମୃତ

ଅଜ ନୁହନ୍ତି ଯେଣୁ ଜାତ      

।।

ଅଘ ଆକରଷନ୍ତି ଯେଣୁ

ଭୃତ୍ୟଙ୍କୁ କୃଷ୍ଣ ନାମ ତେଣୁ

।।

ହରନ୍ତି ଭୃତ୍ୟ ପାପମାନ

ହରି ବୋଲିଣ ତେଣୁ ଜାଣ

।।

ରମନ୍ତି ଯୋଗୀମାନେ ଅନ୍ତେ

ସେ ଘେନି ରାମ ସେ ଯୁଗତେ

।।

 

 

 

 

ଯେଣୁ ସେ ନୁହନ୍ତି ନବୀନ

ସେ ଘେନି ବୋଲାନ୍ତି ପୁରାଣ

।।

ଉପାଧିମାନଙ୍କୁ ଅନ୍ତର

ସକଳ ଦେବଙ୍କ ଠାକୁର

।।

ଇନ୍ଦ୍ରିୟ ଏକାଦଶଗଣ

ପଞ୍ଚ ଯେ ମହାଭୂତ ପୁଣ

।।

ପଞ୍ଚ ତନ୍ମାତ୍ରାକୁ ଯେ ଘେନି

ମହତ ଅହଙ୍କାର ବେନି      

।।

 

 

 

 

ପ୍ରକୃତି ଘେନି ହାଦେ ଜାଣ

ଚବିଶ ତତ୍ତ୍ୱ ଏଟି ପୁଣ      

।।

ବ୍ରହ୍ମାଣ୍ଡ କାରଣଟି ଏହି

ସାଙ୍ଖ୍ୟ ମାତ୍ରରେ ଛନ୍ତି କହି

।।

ଏ ଭଗବାନ ତହୁଁ ଜାତ

ଏଥୁ ସେ ବିଲଗ ଯୁଗତ      

।।

ବ୍ରହ୍ମ ବୋଲିଣ ହାଦେ ଜାଣ

ଯାହା ବୋଲନ୍ତି ଯୋଗୀଗଣ

।।

 

 

 

 

ସେ ଜାଣ ଆତ୍ମା ସ୍ୱରୂପରେ

ପୂରି ଅଛନ୍ତି ବ୍ରହ୍ମାଣ୍ଡରେ

।।

କୀଟରୁ ବ୍ରହ୍ମ ଯାଏ ଜାଣ

ଅଛନ୍ତି ସକଳ ଘଟେଣ

।।

ଘନ ଆନନ୍ଦ ନିରାକାର

ଜ୍ୟୋତି ସ୍ୱରୂପ ଯେ ନିର୍ମ୍ମଳ

।।

ଯାହାଙ୍କୁ ଯୋଗୀମାନେ ଚିତ୍ତେ

ଚିନ୍ତା ଯେ କରନ୍ତି ନିରତେ

।।

 

 

 

 

ଷଡ଼ ଯେ ଚକ୍ରର ଉପରେ

ସହସ୍ର ଦଳ କମଳରେ      

।।

ଜ୍ଞାନ ଚକ୍ଷୁରେ ତାଙ୍କୁ ପାଇ

ଯେ ସୁଖେ ରମୁଥାନ୍ତି ତହିଁ

।।

ଯେ ବ୍ରହ୍ମ ସେହି ଭଗବାନ

ବୋଲି ବୋଲନ୍ତି ଯୋଗୀଗଣ

।।

ବୈଷ୍ଣବମାନଙ୍କ ବିଚାର

ବ୍ରହ୍ମ ଆକାର ନିରାକାର      

।।

 

 

 

 

ପ୍ରଭା ଆକାର ବେନି କରି

ଭଗତେ ଅଛନ୍ତି ବିଚାରି

।।

ଯେମନ୍ତ ପ୍ରଭା ମଣ୍ଡଳରେ

ବେଭାରେ

ରବିଙ୍କ ଆକାର

।।

ଆକାରୁଁ ଜାତ ହୋଇ କରି

ପ୍ରଭା ଜଗତେ ଛନ୍ତି ପୂରି

।।

ସେହି ପ୍ରକାରେ ଭଗବାନ

ଜାଣ

 

ଆକାର ବ୍ରହ୍ମ ବୋଲି

 

।।

 

 

 

 

ତାଙ୍କର ପ୍ରଭା ଜଗତରେ

ଅଛନ୍ତି ବ୍ରହ୍ମ ସ୍ୱରୂପରେ

।।

ଏ ଘେନି ବ୍ରହ୍ମର କାରଣ

ଅଟନ୍ତି ପ୍ରଭୁ ଭଗବାନ

।।

ବ୍ରହ୍ମ ସଂହିତାରେ ଏ ବାଣୀ

କହି ଅଛନ୍ତି ଯାହା ପୁଣି

।।

ସହସ୍ର ନାମେ ଅଛି ଜାଣ

ସେ ବ୍ରହ୍ମ ବ୍ରହ୍ମ ବିବର୍ଦ୍ଧନ

।।

 

 

 

 

ବରାହ ସଂହିତା ଉକତି

ପ୍ରଭୁଙ୍କ ଚନ୍ଦ୍ର ନଖ କାନ୍ତି

।।

ବ୍ରହ୍ମଇ ଅଟନ୍ତି କାରଣ

ବ୍ରହ୍ମ ପ୍ରକାଶ ତହୁଁ ଜାଣ

।।

ଏ ଘେନି କରି ଯେ ଆକାର

ବ୍ରହ୍ମ ଅଟନ୍ତି ପୀତାମ୍ବର

।।

ଯେ ନିରାକାର ବ୍ରହ୍ମ କହି

ଭଗବାନଙ୍କ ପ୍ରଭା ସେହି

।।

 

 

 

 

ବିରାଟ ବୋଲି ତାହା ଜାଣ

ଯେ କୋଟି ବ୍ରହ୍ମାଣ୍ଡ କାରଣ

।।

ବ୍ରହ୍ମାଣ୍ଡ ରେଣୁ ପ୍ରାୟେ ହୋଇ

ଯା ଲୋମମୂଳେ ଛନ୍ତି ରହି

।।

ଯାହାର ଏକ ଯେ ନିଃଶ୍ୱାସ

ବ୍ରହ୍ମାଙ୍କୁ ଅଟଇ ଆୟୁଷ      

।।

ଏମନ୍ତ ଜାଣ ହାଦେ ଯେହି

ଭଗବାନଙ୍କ କଳା ସେହି      

।।

 

 

 

 

ବ୍ରହ୍ମ ସଂହିତା ଏ ବିଚାର

କହି ଅଛନ୍ତି ଜାଣ ଆର      

।।

ଏ ହାଦେ ଅବତାର ନାମ

ଭଗବାନଙ୍କ କଳା ଜାଣ      

।।

ସର୍ଜନ ପାଳନ କରନ୍ତି

ସେ ପୁଣି ଲେଉଟି ମିଶନ୍ତି

।।

ଏ ଘେନି କରି ଭଗବାନ

ସକଳ ତତ୍ତ୍ୱଙ୍କ କାରଣ      

।।

ଯେତେକ ଅଛନ୍ତିଟି ତତ୍ତ୍ୱ

ସବୁରି କାରଣ ଅଚ୍ୟୁତ

।।

ପରମ ତତ୍ତ୍ୱ ଜାଣ ସେହି

ସମସ୍ତେ ଛନ୍ତି ତହୁଁ ହୋଇ

।।

ସେ ପ୍ରଭୁ ନିତ୍ୟ ଲୋକରେ

ସୁଖରେ

 

ଅଛନ୍ତି ଲୀଳା ଯେ

 

।।

ବିକାଶ ଇନ୍ଦିବର କାନ୍ତି

ଲପନ କୋଟି ଚନ୍ଦ୍ର ଭାନ୍ତି

।।

 

 

 

 

ବରହ ଅବତଂଶ ଚୂଳ

କର୍ଣ୍ଣରେ ମକର କୁଣ୍ଡଳ

।।

ଚନ୍ଦନ ଚିତା ଲଲାଟରେ

କଟକ କଙ୍କଣ ଭୁଜରେ

।।

ଶ୍ରୀବତ୍ସ ଚିହ୍ନ ହୃଦେ ପୁଣି

ଆବର କଉସ୍ତୁଭ ମଣି

।।

କଟିରେ ସୁପୀତ ବସନ

ମେଖଳା କ୍ଷୁଦ୍ର ଘଣ୍ଟିଗଣ

।।

 

 

 

 

ଚରଣ ଯୁଗ ମନୋହର

ଶୋଭିତ ମୁଖର ନୂପୁର      

।।

ରଙ୍ଗ ଅଧରେ ମନ୍ଦହାସ

ସମାନ ନୁହଇ ପୀୟୂଷ      

।।

ସନ୍ତାନର ପାଦପର ମୂଳେ

ମଣି ନିର୍ମିତ ବେଦିକାରେ

।।

ଉପରେ ଘଟିତ କମଳ

ମଞ୍ଜୁଳ ସହସ୍ରୈକ ଦଳ      

।।

 

 

 

 

ମଧ୍ୟରେ ଅଷ୍ଟଦଳ ଜାଣ

କେଶର ମଧ୍ୟେ ଷଟକୋଣ

।।

ତହିଁରେ ଦିବ୍ୟ ଆସନରେ

ବିଜୟେ ଭକତ ସୋଦରେ

।।

ସନ୍ନିଧେ ବୃଷଭାନୁ ସୂତା

ଯେ ସେ ଜଗତ ଜନ ମାତା

।।

ତପତ କାଞ୍ଚନ ଗଉରୀ

ସେ ଯେ ଶ୍ରୀକୃଷ୍ଣ ମନୋହାରୀ

।।

 

 

 

 

ବିବିଧ ଆଭରଣ ହୋଇ

ପ୍ରଭୁ ସନ୍ନିଧେ ଛନ୍ତି ରହି

।।

ମନ ଲୋଚନ କୃଷ୍ଣଠାରେ

ନିବେଶି ଛନ୍ତି ପ୍ରେମ ଭରେ

।।

କୃଷ୍ଣରେ ଅନୁରାଗ ଚିତ୍ତ

ବେଳକୁ ବେଳ ଯେ ଉଦିତ

।।

ପ୍ରଭୁଙ୍କ ଚିତ୍ତେ ଅନୁରାଗ

ସହଜେ ଅତ୍ୟନ୍ତ ସଂଯୋଗ

।।

 

 

 

 

ପରସ୍ପରରେ ସୁଖ ଜାତ

ବଚନେ ନୁହଇ କହିତ

।।

ନିତ୍ୟ ଯେ ସିଦ୍ଧା ଆଦି କରି

ପଞ୍ଚବିଧ ଯେ ଗୋପନାରୀ

।।

ନିରତେ ପ୍ରଭୁଙ୍କ ସେବାରେ

ଅଛନ୍ତି ଯନ୍ତ୍ରର ବିଚାରେ

।।

ସେ ପ୍ରେମ ନୟନେ ଅନାଇ

ମନ ଲୋଚନ କୃଷ୍ଣେ ଦେଇ

।।

 

 

 

 

ସବୁରି ସପ୍ରେମ ଯେ ମନ

କାହାରି ନାହିଁ ନା ନିଊନ

।।

ଏ ଭାବେ ପ୍ରଭୁ ଭାବଗ୍ରାହୀ

ନିତ୍ୟ ଗୋଲୋକେ ଛନ୍ତି ରହି

।।

ଏ ଲୀଳା କରିବା ବିଚାରେ

ପ୍ରକାଶ ହୋଇଲେ ଗୋପରେ

।।

ଦେବକୀ ଗର୍ଭରେ କପଟ

ସ୍ୱୟଂ ସେ ହୋଇଲେ ପ୍ରକଟ

।।

 

 

 

 

ଶ୍ରୀ ଭାଗବତରେ ଏ ବାଣୀ

କହିଅଛନ୍ତି ଯାହା ମୁନି

।।

ଦେବକୀ ଗର୍ଭ ଜନ୍ମ ବାଦ

ବୋଲି ସେ କହିଛନ୍ତି ବେଦ

।।

ଏ ଘେନି ପରମ ଯେ ତତ୍ତ୍ୱ

ଅଟନ୍ତି ଗୋପେ ଗୋପୀନାଥ

।।

ଅଖିଳ ରସାମୃତ ମୂର୍ତ୍ତି

ସେ ଯେ ରାଧାର ପ୍ରାଣପତି

।।

 

 

 

 

ଯେ ନିଜ ପ୍ରକାଶ ରଚିଲେ

ତାରକା ପାଳିକା ରୋଧିଲେ

।।

ସେ କୃଷ୍ଣ ଚରଣକୁ ଆଶ

ନିରତେ କରେ ଭୀମ ଦାସ

।।

ତାଙ୍କର ଚରଣ ଯୁଗଳ

ଏ ମୋର କରନ୍ତୁ ମଙ୍ଗଳ

।।

ଶ୍ରୀ ଗୁରୁଙ୍କର ପାଦ ବେନି

ନିରତେ ଲଭୁ ମୋ ମୂର୍ଦ୍ଧନି

।।

 

 

 

 

ନାମ ତାଙ୍କ ଦୟାଳୁ ଦାସ

ଶ୍ରୀକୃଷ୍ଣ ଭକ୍ତିରେ ବିଶ୍ୱାସ

।।

ସେ କୃଷ୍ଣନାମ ଦୀକ୍ଷା ଦେଇ

କୃତାର୍ଥ କଲେ ମୋର ଦେହି

।।

ମୁ ହୀନ ମୂଢ଼ ଯେ ପାମର

ନାହିଁ ଶ୍ରୀକୃଷ୍ଣ ଭକ୍ତି ମୋର

।।

ବିଷୟ ଦ୍ୱନ୍ଦେ ବନ୍ଦି ହୋଇ

ଶ୍ରୀକୃଷ୍ଣ ଭକ୍ତି ନ କରଇଁ

।।

 

 

 

 

ଭକ୍ତି ନ କଲେ ତ ଯୁଗତ

ବିଅର୍ଥ ହୋଇବ ଜୀବିତ

।।

ସେ ଘେନି ହୋଇ ମୁଁ କାତର

ଚିନ୍ତା କରଇ ନିରନ୍ତର

।।

ବିଚାର କରଇଁ ଚିତ୍ତରେ

ନିଶି ଦିବସ ନିରନ୍ତରେ

।।

କୃଷ୍ଣ ଚରଣ ଭକ୍ତି ଭାବ

କେବଣ ଉପାୟେ ହୋଇବ

।।

 

 

 

 

ସେ କୋଟି ବ୍ରହ୍ମାଣ୍ଡ ଠାକୁର

ମୁଁ ତ କିଞ୍ଚିତ ଜୀବ ଛାର

।।

ତାଙ୍କର ଭକ୍ତି ସାଧନରେ

ମୋର ବା ଶକ୍ୟ କି ବେଭାରେ

।।

ତଥାପି ଅପାର ଭରଶା

କରି ମୁଁ ବଢ଼ାଇଛି ଆଶା

।।

ସେ ଇଷ୍ଟ ଦେବତା ମୋହର

ଆବର ପ୍ରାଣର ଈଶ୍ୱର

।।

 

 

 

 

ଜଗତ ପ୍ରଭୁ ଜାଣ ସେହି

ଜଗତ ଭିତରେ ତ ମୁହିଁ

।।

ଏ ଘେନି ମୋର ମନୋରଥ

ପୂର୍ଣ୍ଣ କରିବେ ଗୋପୀନାଥ

।।

ଏଥୁ ଅନ୍ତରେ ଏବେ ଶୁଣ

ସାବଧାନରେ ସାଧୁଜନ

।।

ଭକ୍ତି ବିଚାର ନିତ୍ୟ ହୋଇ

ବେଦମାନଙ୍କେ ଛନ୍ତି କହି

।।

ପୁରାଣମାନଙ୍କେ ଆବର

ଅଛନ୍ତି ହୋଇଣ ବିସ୍ତାର

।।

ଆବର ଭକ୍ତି ଗ୍ରନ୍ଥମାନ

ବହୁତ ଭାବେ ଛନ୍ତି ଜାଣ

।।

ସେ ଭକ୍ତି ବିଚାର ଯେ ବାଣୀ

 

ଗୁରୁଙ୍କ ତହୁଁ ମୁଁ ଯେ ଶୁଣି

।।

ତାହା ଭାବନା କରି ଚିତ୍ତେ

ବିଚାର କରଇ ନିରତେ

।।

 

 

 

 

ଭାଷା ଗୀତରେ କହିବଇଁ

ଭକ୍ତି ଅଭ୍ୟାସ ହେବାପାଇଁ

।।

ବେଭାରେ ଜୀବଙ୍କର ହିତ

ଏଥୁ ଯେ ହୋଇବ ଯୁଗତ

।।

ଏ ଘେନି କରି ସାଧୁଜନ

ମୋହର ଦୋଷ ଯେ ନ ଘେନ

।।

ଏ ହରିଭକ୍ତି ଚନ୍ଦ୍ରୋଦୟ

ଦେଖି ନିର୍ମ୍ମଳ ଜନେ ହୁଅ

।।

 

 

 

 

ଶ୍ରୀହରି ଚରିତ ଅମୃତ

ସିନ୍ଧୁର ହୋଇଲା ଏ ଜାତ

।।

ସାଧନ ଅଙ୍ଗ କଳାଧରି

ତେଣୁ ସମ୍ପୂର୍ଣ୍ଣ ହୋଇ କରି

।।

ଦୋଷ ବିଚାର ତେଣୁ ନାହିଁ

ସେ ଘେନି ଅକଳଙ୍କ ହୋଇ

।।

ଏ ଜାଣ ହୋଇଲା ଉଦୟ

ସବୁ ଅଟଇ ସୁଧାମୟ

।।

 

 

 

 

ଅସାଧ ଲପନ ନଳୀନ

ସହଜେ ହୋଇବ ମଳିନ

।।

ସାଧୁଙ୍କ ମାନସ କୁମୁଦ

ଅଧିକେ ହୋଇବ ପ୍ରମୋଦ

।।

ଭାବୁକମାନଙ୍କର ଭାବ

ସନ୍ଧୁ ଆନନ୍ଦେ ଉଛୁଳିବ

।।

ସୁଜନନୟନ ଚକୋର

ଅମିୟ କରିବେ ଆହାର

।।

 

 

 

 

ଯେ ସେ କଳୁଷ ତମମାନ

ସ୍ୱଭାବେ କରିବେ ଖଣ୍ଡନ

।।

ନିର୍ମ୍ମଳ ହୋଇଣ ଯେ ବେଗ

ଦିଶିବ ହରିଭକ୍ତି ମାର୍ଗ

।।

ଏ ଘେନି କରି ସାଧୁଜନ

ଏ ମୂଳ ଭକ୍ତିର କାରଣ

।।

ଯେ ଏହା ଶ୍ରବଣ କରିବେ

ଶ୍ରୀକୃଷ୍ଣ ଭକ୍ତି ସେ ଲଭିବେ

।।

 

 

 

 

ଭକ୍ତି ଲଭିଣ କୃଷ୍ଣପାଦ

ପାଇବେ ହୋଇଣ ଆନନ୍ଦ

।।

ଶ୍ରୀକୃଷ୍ଣ ରାଧିକା ରମଣ

ଗୋକୁଳ ଯୁବରାଜ ଜାଣ

।।

ତ୍ରିଭଙ୍ଗ ଛନ୍ଦରେ ବିଜୟେ

ମୂରଲି ବେନି କରେ ଶୋହେ

।।

ଆଭୀର ନଟବର ବେଶ

ଭୀମ ଦାସର ତାଙ୍କୁ ଆଶ

।।

ତାଙ୍କ ଚରଣେ ଦେଇ ମତି

କହଇ କୃଷ୍ଣପାଦ ଭକ୍ତି

।୧୨୫।

ଇତି ଶ୍ରୀ ହରିଭକ୍ତି ଚନ୍ଦ୍ରୋଦୟେ ଭଜନେ ତତ୍ତ୍ୱାତତ୍ତ୍ୱ ବିଚାରୋ

ନାମ ପ୍ରଥମୋଽଧ୍ୟାୟଃ ।

 

ଦ୍ୱିତୀୟ ଅଧ୍ୟାୟ ।

(ଭକ୍ତି ଲକ୍ଷଣ)

ଏଥୁଅନ୍ତରେ ସାବଧାନେ

ଶୁଣିବା ସାଧୁଜନମାନେ

।।

ଶ୍ରୀକୃଷ୍ଣ ଭକ୍ତିର ଲକ୍ଷଣ

ସେ ଯେ ପୁରାଣମାନଙ୍କେଣ

।।

ଯା ଋଷିମାନେ ଛନ୍ତି କହି

ଶୁଣିବା ସାବଧାନ ହୋଇ

।।

ଆନରେ ଅଭିଳାଷ ଶୂନ୍ୟ

ହୁଅଇ ଯଦି ହାଦେ ମନ

।।

 

 

 

 

ଜ୍ଞାନ କର୍ମ୍ମ ଯେ ବେନି ଯୋଗ

ଏଥିରେ ନୋହିବ ସଂଯୋଗ

।।

ଆବର ଅନୁକୂଳ ଭାବେ

କୃଷ୍ଣ ଚରଣ ଯେହୁ ସେବେ

।।

ଭକ୍ତି ଲକ୍ଷଣ ସେହୁ ଜାଣ

ଆହୁରି ସାବଧାନେ ଶୁଣ

।।

ନାରଦ ପଞ୍ଚରାତ୍ର ମତେ

ଭକ୍ତି ଲକ୍ଷଣ ଯେ ଯୁଗତେ

।।

 

 

 

 

ସର୍ବ ଉପାଧି କରି ଦୂର

ଶ୍ରୀକୃଷ୍ଣ ସେବାରେ ନିର୍ମଳ

।।

ନିଜ ଇନ୍ଦ୍ରିୟମାନଙ୍କରେ

କୃଷ୍ଣ ସେବନ ଯେହୁ କରେ

।।

ଭକ୍ତିଲକ୍ଷଣ ଜାଣ ସେହି

ଆହୁରି ଶୁଣ ମନ ଦେଇ

।।

ଶ୍ରୀଭାଗବତ ତୃତୀୟରେ

ଯେ ଭକ୍ତିଲକ୍ଷଣ ବେଭାରେ

।।

 

 

 

 

ଶ୍ରୀକୃଷ୍ଣ ସେବାରେ ଯୁଗତେ

କରିବ ଅକାମନା ଚିତ୍ତେ

।।

ମଧ୍ୟରେ ଆନ କର୍ମମାନ

ମିଶ୍ରିତ ନ କରିବ ପୁଣ

।।

ଭକ୍ତିଲକ୍ଷଣ ଜାଣ ଏହି

ଏଥୁ ଶୁଣିବା ମନଦେଇ

।।

ଭକ୍ତିର ଅଚିନ୍ତ୍ୟ ମହିମା

ଭକ୍ତିକି ନାହିଁ ନା ଉପମା

।।

 

 

 

 

ସେ ଭକ୍ତି ମହିମାଟି ପୁଣ

ଷଡ଼ ପ୍ରକାରେ ହୁଏ ଜାଣ

।।

ପ୍ରଥମେ ପାପ-ବିନାଶିନୀ

ଦ୍ୱିତୀୟେ ମୋକ୍ଷାଦି-ଦାୟିନୀ

।।

ତୃତୀୟେ ମୋକ୍ଷ ଲଘୁ କରେ

ଦୁର୍ଲ୍ଲଭ ଜାଣ ଚତୁର୍ଥରେ

।।

ପଞ୍ଚମେ ଆତ୍ମା ସୁଖଧାରୀ

ଷଷ୍ଠେ ଶ୍ରୀକୃଷ୍ଣ ବଶକାରୀ

।।

 

 

 

 

ଏ ଭାବେ ଷଡ଼ ଯେ ପ୍ରକାରେ

ଭକ୍ତିର ମହିମା ବେଭାରେ

।।

ତା ଏବେ ଏକ ଏକ କରି

କହଇ ଶୁଣିବା ବିଚାରି

।।

ପ୍ରଥମେ ପାପବିନାଶିନୀ

ମହିମା ଶୁଣିକାଳ ପୁଣି

।।

ଗୋବିନ୍ଦ ମାହାତ୍ମ୍ୟ ବଚନ

କହିଅଛନ୍ତି ତାହା ଶୁଣ

।।

 

ଯେ ବର୍ତ୍ତମାନକାଳ ପାପ

ଭୂତକାଳର ଯେ ସ୍ୱରୂପ

।।

ଭବିଷ୍ୟତକାଳେ ପାପ ଯେତେ

କରିବା ଥାନ୍ତି କର୍ମପଥେ

।।

ସେ ସବୁ ହୁଅନ୍ତି ଦହନ

ଗୋବିନ୍ଦ କୀର୍ତ୍ତନରୁ ଜାଣ

।।

ପଦ୍ମପୁରାଣର ଯେ ବାଣୀ

ତା ସାବଧାନେ ଶୁଣ ପୁଣି

।।

 

 

 

 

ଭୋଗ ଯା କରୁଥାନ୍ତି ପୁଣ

ପ୍ରାଲବ୍ଧ ପାପ ସେଟି ଜାଣ

।।

ଭୋଗକୁ ଅନୁମୁଖ ହୋଇ

ବୀଜ ଯେ କୁଟେ ଥାନ୍ତି ରହି

।।

ସବୁ ତାଙ୍କର ହୁଏ ଦୂର

ବିଷ୍ଣୁ ଭକ୍ତିରେ ଆତ୍ମା ଯାର

।।

ଏ ଘେନି ପାପବିନାଶିନୀ

ଭକ୍ତିକି ବୋଲନ୍ତିଟି ପୁଣି

।।

 

 

 

 

ଦ୍ୱିତୀୟେ ମୋକ୍ଷାଦି କାରଣ

ଭକ୍ତି ମହିମା ହାଦେ ଶୁଣ

।।

ଏ ଗୌତମୀ ତନ୍ତ୍ର ବାଣୀ

କହିଅଛନ୍ତି ଯାହା ପୁଣି

।।

ସକଳ ସିଦ୍ଧି ଭକ୍ତି ମୁକ୍ତି

ଶ୍ରୀକୃଷ୍ଣ ଭଜନରୁ ହନ୍ତି

।।

ଭକ୍ତି ଯେ ସୁଧୋଦୟ ବାଣୀ

ତାହା ଶୁଣିବା ହାଦେ ପୁଣି

।।

 

 

 

 

ଶ୍ରୀକୃଷ୍ଣ ଭକ୍ତି ଯେ ଲତାର

ମୋକ୍ଷ ଆଦିରେ ଯେତେ ଫଳ

।।

ସବୁ ହୁଅନ୍ତି ତହୁଁ ଜାତ

ଏ କଥା ଅଟଇ ଯୁଗତ

।।

ଏଣୁଟି ଭକ୍ତି ମୁକ୍ତି ଯେତେ

ଭକ୍ତିର ହୁଅନ୍ତି ସମସ୍ତେ

।।

ଭକ୍ତେ କରନ୍ତି ଯାହା ଇଚ୍ଛା

ଭକ୍ତିରୁ ପୂରଇ ସେ ବାଞ୍ଛା

।।

 

 

 

 

ଏ ଘେନି ମୋକ୍ଷାଦି କାରଣ

ଭକ୍ତିକି ବୋଲନ୍ତି ଯେ ଜାଣ

।।

ଭକ୍ତି ମୋକ୍ଷକୁ ଲଘୁ କରେ

ମହିମା ଶୁଣିବା ବେଭାର

।।

ନାରଦ ପଞ୍ଚରାତ୍ର ବାଣୀ

କହିଅଛନ୍ତି ଯାହା ପୁଣି

।।

ଭକ୍ତି ଯେ ମହାଦେବୀଙ୍କର

ମୁକ୍ତି ଯେ ଚେଟିକା ପ୍ରକାର

।।

 

 

 

 

ଆହୁରି ଶୁଣିବା ବଚନ

ଯେ ଭକ୍ତି କରଇ ସାଧନ

।।

ତାହାଙ୍କୁ ମୋକ୍ଷ ଯେ ଯୁଗତ

ଦିଶଇ ତୃଣର ସଞ୍ଜାତ

।।

ଏ ଘେନି ମୋକ୍ଷ ଲଘୁ କରେ

ଭକ୍ତିର ମହିମା ବେଭାରେ

।।

ଭକ୍ତି ଦୁର୍ଲ୍ଲଭ ହାଦେ ଜାଣ

ମହିମା ଶୁଣ ଦେଇ ମନ

।।

 

 

 

 

ଶ୍ରୀଭାଗବତ ପଞ୍ଚମରେ

ଯା କହିଅଛନ୍ତି ବେଭାରେ

।।

ଯେ ସେ ଅଟନ୍ତି ଭଗବାନ

ଯଦୁମାନଙ୍କ ପତି ଜାଣ

।।

ଗୁରୁ ଅଟନ୍ତି ଯଦୁଙ୍କର

ଦେବତା ଅଟନ୍ତି ଆବର

।।

ତାଙ୍କୁ ଭଜନ୍ତି ଯେଉଁ ଜନ

ସେ ତାଙ୍କୁ ହୁଅନ୍ତି ପ୍ରସନ୍ନ

।।

 

 

 

 

ମୁକ୍ତି ଦିଅନ୍ତି ଜାଣ ବେଗ

କଠୋରେ ଦ୍ୟନ୍ତି ଭକ୍ତି ଯୋଗ

।।

ଏଘେନି ଭକ୍ତି ଯେ ଦୁଲ୍ଲଭ

ସୁଖେ ହୁଅନ୍ତି ସେ ଯେ ଲଭ୍ୟ

।।

ନିବିଡ଼ ସୁଖ ଆତ୍ମା କରି

ଭକ୍ତିକି ଅଛନ୍ତି ବିଚାରି

।।

ତାହା ଶୁଣିବା ସାବଧାନେ

ଯା କହିଛନ୍ତି ଋଷିମାନେ

।।

 

 

 

 

ବ୍ରହ୍ମ ଆନନ୍ଦ ସୁଖ ଭାବ

ପରାର୍ଦ୍ଧ ଗୁଣ ତା କରିବ

।।

ସେ ଭକ୍ତି ସୁଖସିନ୍ଧୁ ବାରି

କଣାମାତ୍ରକୁ ନୁହେ ସରି

।।

ଯେ ଭକ୍ତି ସୁଧୋଦୟ ବାଣୀ

କହିଅଛନ୍ତି ଯାହା ପୁଣି

।।

ଯେ ଭକ୍ତି ସୁଖ ସାଗରରେ

ମଜ୍ଜିଣ ଥାଆନ୍ତି ବେଭାରେ

।।

 

 

 

 

ସେ ସର୍ବ ସୁଖସିନ୍ଧୁ ମାନ

ନୁହନ୍ତି ଗୋଷ୍ପନ୍ଦ ସମାନ

।।

ଏ ଘେନି ଭକତେ ବିଚାରି

ନିବିଡ଼ ସୁଖ ଆତ୍ମା କରି

।।

କୃଷ୍ଣଭକ୍ତିକି ଛନ୍ତି କହି

ଏଥୁ ଶୁଣିବା ମନଦେଇ

।।

କୃଷ୍ଣଙ୍କୁ କରେ ଭକ୍ତିବଶ

ମହିମା ଶୁଣିବା ବିଶେଷ

।।

 

 

 

 

ଶ୍ରୀଭାଗବତେ ଏକାଦଶେ

ଗୁପତେ ଉଦ୍ଧବଙ୍କ ପାଶେ

।।

ଶ୍ରୀମୁଖେ ଛନ୍ତି ଆଜ୍ଞା ଦେଇ

ଶୁଣ ଉଦ୍ଧବ ମନ ଦେଇ

।।

ଯମ ନିୟମ ଯେ ସହିତେ

ଅଷ୍ଟାଙ୍ଗ ଯୋଗ ଜାଣ ଯେତେ

।।

ସାଙ୍ଖ୍ୟ ସହିତେ ହାଦେ ଜାଣ

ସକଳ ବେଦ ଅଧ୍ୟୟନ

।।

 

 

 

 

ଯେତେକ ଅଛି ତପମାର୍ଗ

ଆବର ସକଳ ଯେ ତ୍ୟାଗ

।।

ଏ ବଶ ନ କରନ୍ତି ମୋତେ

ମୋ ଭକ୍ତି ଯୋଗଟି ଯେମନ୍ତେ

।।

ମତେ କରନ୍ତି ଜାଣ ବଶ

ଏ କି ପାଇବେ ତହିଁ ଲେଶ

।।

ଏ ଘେନି କରି କୃଷ୍ଣ ଭକ୍ତି

କୃଷ୍ଣଙ୍କୁ ବଶ ଯେ କରନ୍ତି

।।

 

 

 

 

ସୃଜନେ ସାବଧାନ କର

ଏହା ଯେ ଗୁପତ ବିଚାର

।।

ପୁରାଣମାନଙ୍କେ ଗୁପତ

ଏଟି ଭକ୍ତିର ମୂଳ ତତ୍ୱ

।।

ଭକ୍ତିର ମୋକ୍ଷଫଳ ଏହି

ପ୍ରଭୁଙ୍କୁ ବଶ ସେ କରଇ

।।

ସିଦ୍ଧ ହୁଅଇ ଭକ୍ତି ଯାର

ଶ୍ରୀକୃଷ୍ଣ ଭକ୍ତିଟି ତାଙ୍କର

।।

 

 

 

 

ଏ ମୋକ୍ଷାଦିରେ ହାଦେ ଜାଣ

ଭକ୍ତି ବିଭୂତି ଫଳମାନ

।।

ସେ ଜାଣ ଅଜାନ୍ତର ଫଳ

ଭକ୍ତିର ନୁହନ୍ତି ସେ ମୂଳ

।।

ଭକ୍ତିସାଧନ ତୀବ୍ର ଭାବେ

ମିଳନ୍ତି କିଙ୍କର ସ୍ୱଭାବେ

।।

କୃଷ୍ଣଭ୍କୁ ଉପଗତ ହନ୍ତି

ଯେ ତା ଇଚ୍ଛନ୍ତି ସେ ତା ପାନ୍ତି

।।

 

 

 

 

ଯେ କିଛି ବାଞ୍ଛା ନ କରିଣ

ଭଜନ୍ତି ଶ୍ରୀକୃଷ୍ଣ ଚରଣ

।।

ନିଷ୍କାମ ଭକ୍ତି ଜାଣ ସେହି

ସେ ଭକ୍ତିଫଳ ଗୁଣ ଏହି

।।

କୃଷ୍ଣ ହୁଅନ୍ତି ତାର ବଶ

ନିରତେ ଥାନ୍ତି ତାର ପାଶ

।।

ତାହାର ଭକ୍ତି ଅନୁସାରେ

ନେଇ ରଖନ୍ତି ସମୀପରେ

।।

ସେ କୃଷ୍ଣ ଚରଣକୁ ଆଶ

ନିରତେ କରେ ଭୀମଦାସ

।୮୫।

ଇତି ଶ୍ରୀ ହରିଭକ୍ତି ଚନ୍ଦ୍ରୋଦୟ ଭଜନେ ଭକ୍ତି ଲକ୍ଷଣ ବିଚାରୋ

ନାମ ଦ୍ୱିତୀୟୋଽଧ୍ୟାୟଃ ।

 

ତୃତୀୟ ଅଧ୍ୟାୟ ।

ସୁଜନେ ସାବଧାନ କର

ଶ୍ରୀକୃଷ୍ଣ ଭକ୍ତିର ବିଚାର

।।

ଭକ୍ତି ସାଧନ କର ବାରେ

ଯେତେକ ବିଧିଟି ବେଭାରେ

।।

ତାହା ଶୁଣିବା ମନ ଦେଇ

ଯା ଋଷିମାନେ ଛନ୍ତି କହି

।।

ସମସ୍ତେ ଭକ୍ତିକି ବିଚାରି

କରିବ ନିଜକର୍ମ କରି

।।

ନିଜ କରମ ଭକତିର

କେବଳ ଭିନ୍ନେଟି ବିଚାର

।।

 

 

 

।।

ଯେ ନିତ୍ୟକର୍ମ ହାଦେ ଜାଣ

ନ କଲେ ନାଶଯାନ୍ତି ଜନ

।।

କଲେ କିଛିହିଁ ଫଳ ନାହିଁ

ବେଦେ ଅଛନ୍ତି ଏହା କହି

।।

ଶ୍ରୀକୃଷ୍ଣ ଭକ୍ତି ଯେ ଯୁଗତ

ନ କଳେ ନାଶଯାନ୍ତି ସତ

।।

କଲେ ସକଳ ଫଳମାନ

ଲଭନ୍ତି ମୋକ୍ଷ ସହିତେଣ

।।

ନ କଲେ ନାଶ ଯହୁଁ ହୁନ୍ତି

ସେ ଘେନି ଋଷି କହିଛନ୍ତି

।।

ଭକ୍ତିକି ନିତ୍ୟ ବିଧି କରି

ସମସ୍ତେ କରିବେ ବିଚାରି

।।

ଏଥୁ ଶୁଣିବା ମନ ଦେଇ

ପଦ୍ମ ପୁରାଣେ ଛନ୍ତି କହି

।।

ଭକ୍ତି କରନ୍ତି ଯେଉଁ ଜନ

ନ କଲେ ବିଧି କର୍ମମାନ

।।

ଯାଗ ତପସ୍ୟା ଆଦି ଯେତେ

ଯେତେକ ବିଧି ବେଦମତେ

।।

ନ କଲେ କଲେ ସେ ସକଳ

କୃଷ୍ଣ ଭଜନେ ଆତ୍ମା ଯାର

।।

ସେ ବିଧି କର୍ମମାନ ଗୁଣି

କିଙ୍କର ପ୍ରାୟେ ତାଙ୍କୁ ଜାଣି

।।

ଭକ୍ତି ନ କଲେ ଜାଣ ଯେହି

ସବୁ ଅକର୍ମ କଲେ ସେହି

।।

ଗୋ ହତ୍ୟା ବ୍ରହ୍ମ ହତ୍ୟା ଜାଣ

ଗୁରୁତଳ୍ପଗ ସୁରାପାନ

।।

ଏ ଆଦି ପାପ କର୍ମ ଯେତେ

ନ କଲେ କଲେ ସେ ଯୁଗତେ

।।

ନରକେ ପଡ଼ନ୍ତି ସେ ପୁଣ

ତହିଁ ବିଚାର ହାଦେ ଶୁଣ

।।

ଯା ମୁଖ ଭୁଜରୁଁ ଯୁଗତ

ଜାନୁ ଚରଣୁ ହେଲେ ଜାତ

।।

ବ୍ରହ୍ମ କ୍ଷତ୍ରିୟ ବୈଶ୍ୟ ଜାଣ

ଶୂଦ୍ର ସହିତେ ଚାରି ବର୍ଣ୍ଣ

।।

ଏଣୁ ସେ ସବୁରି ପିତାର

ଆବର ବ୍ରହ୍ମାଣ୍ଡ ଈଶ୍ୱର

।।

ଯେ ପୁଣ ତାଙ୍କୁ ନ ଭଜନ୍ତି

ବେଭାରେ ନରକେ ପଡ଼ନ୍ତି

।।

ଏ ଘେନି ଭକ୍ତି କଲେ ଯେହି

ସବୁ ସୁକର୍ମ କଲେ ସେହି

।।

ଆହୁରି ଶ୍ରୀମୁଖ ବଚନ

ଯେ ଅଛି ଶୁଣ ସାବଧାନ

।।

ଶ୍ରୀ ଏକାଦଶ ଭାଗବତେ

ଉଦ୍ଧବ ଆଗରେ ଯୁଗତେ

।।

ଉଦ୍ଧବ ଯେତେ କର୍ମମାନ

ଯାଗ ତପସ୍ୟା ତୀର୍ଥଦାନ

।।

ଯେ ଧର୍ମ ମାନଟି ଯୁଗତେ

କହିଲା ଅଛି ବେଦ ମତେ

।।

ସେ ବେଦ ମାନତ ମୋ ଆଜ୍ଞା

ତାହା ଯେ କରିଣ ଅବଜ୍ଞା

।।

ମୋର ଭକ୍ତିରେ କରି ଶ୍ରମ

ସେ ଜାଣ ପୁରୁଷ ଉତ୍ତମ

।।

ତାଙ୍କ ଉପରେ ଅଧିକାର

ବେଭାରେ ନୁହଇ ଆମ୍ଭର

।।

ଆହୁରି ଏହି ଏକାଦଶେ

କହିଅଛନ୍ତି ଯାହା ବ୍ୟାସେ

।।

ଦେବତା ଋଷି ଭୂତମାନ

ଆଦର ତାର ପିତୃଗଣ

।।

ଏମାନଙ୍କର କର୍ମ ଯେତେ

ଭକ୍ତେ ଯେ ନ କଲେ ଯୁଗତେ

।।

ଏମାନଙ୍କର ଅଧିକାର

ନ ଥାଇ ଭକ୍ତଙ୍କ ଉପର

।।

ସେ ପିତୃ ଋଣି ଯେ ନୁହନ୍ତି

ଏମନ୍ତ ବୋଲି କହିଛନ୍ତି

।।

ଆହୁରି ଶୁଣ ମନ ଦେଇ

ନାରଦ ଋଷି ଛନ୍ତି କହି

।।

ବ୍ୟାସଙ୍କୁ କହିଛନ୍ତି ପୁଣି

ପ୍ରଥମ ସ୍କନ୍ଧର ଏ ବାଣୀ

।।

ତେଜି ଆପଣା ଧର୍ମମାନ

ଯେ କରେ ଶ୍ରୀକୃଷ୍ଣ ଭଜନ

।।

ସେ ଭକ୍ତି ପାକ ନୋହିଥାଇ

ତାଙ୍କର ମୃତ୍ୟୁ ଯଦି ହୋଇ

।।

ଅଭଦ୍ର ନୋହେ ତାହାଙ୍କରେ

ସେ ପୁଣି ଆଉ ଜନମରେ

।।

ସେ ଭକ୍ତି ବାସନା ଯେ ଘେନି

ଭକ୍ତି କରନ୍ତି ଜାଣ ପୁଣି

।।

ସ୍ୱଧର୍ମ ଯେଉଁମାନେ କରେ

ତାଙ୍କର ବିଅର୍ଥ ବେଭାରେ

।।

ଏ ଘେନି ସକଳ ଯେ ଜୀବ

ଶ୍ରୀକୃଷ୍ଣ ଚରଣେ ଭଜିବ

।।

ଯେ କୃଷ୍ଣ ଭକ୍ତି ନ କରିବେ

ସେ କର୍ମ ବେଭାରେ କରିବେ

।।

ନ କଲେ ହୋଇବେ ପତିତ

ଏ ହାଦେ ଅଟଇ ଯୁଗତ

।।

ଆହୁରି ଶୁଣ ସାଧୁଜନ

ଭକ୍ତେ ନିଷେଧ କର୍ମମାନ

।।

ଦଇବ ବଶେ ଯେବେ କରେ

ଭକ୍ତଙ୍କୁ ନ ଲାଗେ ବେଭାରେ

।।

ତାଙ୍କର ପ୍ରାୟଶ୍ଚିତ ନାହିଁ

ଏମନ୍ତ ବୋଲି’ଛନ୍ତି କହି

।।

ଆହୁରି ଭକ୍ତିର ବିଚାର

ସୁଜନେ ସାବଧାନ କର

।।

ଭକ୍ତି ଯେ କରନ୍ତେ ସାଧନ

ଦଇବ ବଶେ ହେଲେ ବିଘ୍ନ

।।

ତହିଁରେ ଦୋଷ ଯେ ନୁହଇ

ଆବର ପ୍ରାୟଶ୍ଚିତ ନାହିଁ

।।

ନାଶ ନୁହଇ ସେହୁ ଜାଣ

ଲେଉଟି କରନ୍ତେ ସାଧନ

।।

ଯେ ଆନ କର୍ମମାନେ ଛନ୍ତି

ତା କର୍ମମାନ କରୁଥାନ୍ତି

।।

ବିଘ୍ନ ହୋଇଲେ କର୍ମ ନାଶ

ତହୁଁ ଉପୁଜେ ପୁଣି ଦୋଷ

।।

ସେ ଦୋଷ ପାଇଁ ପୁଣି ଦାନ

ଲେଖି ଅଛନ୍ତି ହାଦେ ଜାଣ

।।

ଆହୁରି ଶୁଣ ସାଧୁଜନ

ଯେ ଜନ ଅଜ୍ଞାନ ପଣେଣ

।।

କାମନାମାନ ଚିତ୍ତେ ଧରି

କୃଷ୍ଣ ଭଜନ ଜାଣ କରି

।।

ତାହାକୁ ପ୍ରଭୁ ଭାବଗ୍ରାହୀ

କାମନା ଫଳ ଯେ ନ ଦେଇ

।।

ଦିଅନ୍ତି ପାଦ ଅରବିନ୍ଦ

ଯହିଁରୁ ଜାତ ଘନାନନ୍ଦ

।।

ଅମାର୍ଗେ ଯାଇ ନ ଦିଅନ୍ତି

ଶୁଣିମା ତହିଁର ଯୁକତି

।।

ମୃତିକା ଖାଆନ୍ତେ ବାଳକ

ତା ଯଦି ଦେଖନ୍ତି ଜନକ

।।

ସେ ମାଟି ଛଡ଼ାଇ ସତ୍ୱରେ

ସାକର ଦିଅନ୍ତି ତାକରେ

।।

ସେହି ପ୍ରକାରେ ହାଦେ ଜାଣ

କରନ୍ତି ପ୍ରଭୁ ଭଗବାନ

।।

ଏ ଘେନି କରି ସାଧୁଜନେ

ସଂଶୟେ ନ ବିଚାର ମନେ

।।

ବିଧି ନିଷେଧ କର୍ମମାନ

ଦୂର ସେ କରିଣ ବହନ

।।

ଯେ ନିଜ ସ୍ୱଧର୍ମ ବିଚାର

ତାହା କରିଣ ବେଗେ ଦୂର

।।

ଭକ୍ତିକି ନିତ୍ୟ ବିଧି କରି

ବିଘ୍ନକୁ ଆଶଙ୍କା ନ କରି

।।

ଜ୍ଞାନେ ଅଜ୍ଞାନେ ପାର ଭଜ

ନିରତେ ପ୍ରଭୁ ଦେବରାଜ

।।

ଦେଶ ଏ ଭବ ଯେ ସାଗର

ପୂରିଛି ଅତି ଭୟଙ୍କର

।।

କୃଷ୍ଣ ଭଜନୁ କରି ଜାଣ

ହେବ ଏ ଗୋଷ୍ପଦ ସମାନ

।।

ଇଷିତେ ଯିବ ତାକୁ ଡ଼େଇଁ

କିଛିହିଁ ଶ୍ରମ ଥିବ ନାହିଁ

।।

ସେ କୃଷ୍ଣ ଭକ୍ତି କିଞ୍ଚିତରେ

ଭୀମ ଚିନ୍ତଇ ନିରନ୍ତରେ

।।

କୃଷ୍ଣ ଚରଣ କରି ଆଶ

କହିଲା କୃଷ୍ଣ-ଭକ୍ତି ରସ

।।

ଇତି ଶ୍ରୀ ହରିଭକ୍ତିଚନ୍ଦ୍ରୋଦୟେ ଭଜନେ ଭକ୍ତିବିଧି ବିଚାର

ନାମ ତୃତୀୟୋଽଧ୍ୟାୟ ।।

 

ଚତୁର୍ଥ ଅଧ୍ୟାୟ ।

(କର୍ମବନ୍ଧ ବିଚାର)

ଏଥୁ ଉତ୍ତାରୁ ସାବଧାନେ

ଶୁଣିବା ସାଧୁଜନମାନେ

।।

ଯେ କର୍ମ ବନ୍ଧର ବିଚାର

ଯେମନ୍ତ ଆତଯାତ ତାର

।।

ବ୍ରହ୍ମାଣ୍ଡ ଭିତରେ ଭିଆଣ

ଅଛନ୍ତି ଯେତେ ଜୀବମାନ

।।

ଯେ ଶୁଭ କର୍ମଟି ବେଭାରେ

ବେଦ ବିଚାରେ ଜାଣି କରେ

।।

ଯାଗ ତପସ୍ୟା ବ୍ରତ ଦାନ

ଏଆଦି ସର୍ବ କର୍ମମାନ

।।

ସେ କର୍ମ-ଫଳଙ୍କର ବଳେ

ଭୋଗ ଭୁଞ୍ଜନ୍ତି ସୁରଆଳେ

।।

କାଳେ ହୋଇଲେ କର୍ମ କ୍ଷୀଣ

ତହୁଁ ପଡ଼ନ୍ତି ହାବେ ଜାଣ

।।

ପୁଣି ସେ ଜନ୍ମନ୍ତି ସଂସାରେ

ଯେ ନିଜ କର୍ମ ଅନୁସାରେ

।।

ଯଦି ସେ ପାପଟି କରନ୍ତି

ସେ ପାପୁଁ ନାଶ ସେ ହୁଅନ୍ତି

।।

ତାଙ୍କର ଅଧୋଗତି ହୋଇ

ନରକେ ପଡ଼ନ୍ତି ସେ ଯାଇ

।।

ନରକ କରନ୍ତି ଆହାର

ସେହି ନରକ ତାଙ୍କ ଘର

।।

ଅନେକ ପାଉଥାନ୍ତି ଦୁଃଖ

କିପାଁ ଥିବଟି ତହିଁ ସୁଖ

।।

ପୁଣି ସେ ବାହାର ହୁଅନ୍ତି

ଅନେକ ଯୋନି ସେ ବୁଲନ୍ତି

।।

ଯେକେ ସେ ପାପ ଭୋଗଯାଏ

 

ମନୁଷ୍ୟ ତନୁ ତେବେ ପାଏ

।।

ସେ ପୁଣି ମନୁଷ୍ୟ ତନୁରେ

ଯେ କର୍ମ କରନ୍ତି ବେଭାରେ

।।

ଶୁଭ କର୍ମରେ ଶୁଭ କଥା

କୁକର୍ମେ କୁକର୍ମ ବ୍ୟବସ୍ଥା

।।

ଏ ଭାବେ କର୍ମର ବିଚାର

ଜୀବ ଭ୍ରମନ୍ତି ନିରନ୍ତର

।।

ଜନମ ହୋଇଲେ ମରନ୍ତି

ମଲେ ପୁଣିହିଁ ଜନମନ୍ତି

।।

ପ୍ରଳୟମାନ ଯଦି ହୁଏ

କର୍ମର ନାଶ ଜାଣ ନୁହେ

।।

ଜୀବକୁ ଘେନି ସେ ବେଭାରେ

ରହନ୍ତି ଜୀବର ଆକାରେ

।।

ପ୍ରଳୟ ଅନ୍ତେ ସେହି କର୍ମ୍ମ

ଜୀବକୁ କରାନ୍ତି ଜନମ

।।

ଏ ଘେନିକରି ଛନ୍ତି କହି

ଜୀବମାନଙ୍କ କର୍ମ୍ମ ଯେହି

।।

ଶତେକ କୋଟି କଳ୍ପ ଗଲେ

ନାଶ ନୁହଇ କର୍ମ୍ମ ଭଲେ

।।

ଅବଶ୍ୟ ଭୋଗ ସେ ହୁଅଇ

ଯେ ଶୁଭାଶୁଭ କର୍ମ୍ମ ଥାଇ

।।

ଆବର ଶୁଣିବା ବିଚାରି

ଯେ ଶୁଭ କର୍ମ୍ମମାନ କରି

।।

କରନ୍ତି ସ୍ୱର୍ଗ ଭୋଗମାନ

ତହିଁ ବିଅର୍ଥ ବୋଲି ଜାଣ

।।

ପାର୍ବତୀ ଆଗେ ପଶୁପତି

ପଦ୍ମପୁରାଣେ କହିଛନ୍ତି

।।

 

 

 

 

-କର୍ମ୍ମ ବନ୍ଧରେ ପଡ଼ି ଜନ

ନିରତେ ଭ୍ରମନ୍ତି ଗୋ ଜାଣ

।।

ଯେ ବଡ଼ ଭୋଗ ଗୋ ସ୍ୱର୍ଗରେ

କିଛି ସେ ନୁହେଟି ବେଭାରେ

।।

ଯାଗ ତପସ୍ୟାମାନ କରି

ଅନେକ କ୍ଲେଶ ଯା ଆଚରି

।।

ଅନେକ କଷ୍ଟେ ଥାନ୍ତି ପାଇ

ସେ ପୁଣି ନିଶ୍ଚଳ ନୁହଇ

।।

 

 

 

 

-ଦୁଃଖ ମିଶ୍ରିତ ଯେ କୁଟିଳ

ଶୁଣିବା ତହିଁର ବିଚାର

।।

ଗରଳ ମିଶା ସ୍ୱାଦୁ ଅନ୍ନ

ଭୋଜନ କରନ୍ତେ ଯେସନ

।।

ପ୍ରଥମେ ଭୋଜନ କରନ୍ତି

ମୁଖ ମଧୁର ସ୍ୱାଦୁ ପାନ୍ତି

।।

ପ୍ରାନ୍ତରେ ଘାରଇ ଗରଳ

ସେ ଯେହ୍ନେ ହୁଅନ୍ତି ଆକୁଳ

।।

ସେହି ପ୍ରକାରେ ସ୍ୱର୍ଗ ସୁଖ

ବୋଲି କହିଲେ ପଞ୍ଚମୁଖ

।।

ଏ କଥା ନୁହେ କି ପ୍ରମାଣ

ସେ କର୍ମ୍ମ ବନ୍ଧ ସିନା ଜାଣ

।।

ବନ୍ଧନେ ଝୋଟ ପାଟ ବେନି

ରଜ୍ଜୁର ବିଶେଷ କି ପୁଣି

।।

ଏ ଘେନି କର୍ମ୍ମ କରି ଦୂର

ହରି ଭକ୍ତି କି ଆଶ୍ରେ କର

।।

ଯେ କୃଷ୍ଣ ଭଜନ କରନ୍ତି

ସେ କର୍ମ୍ମ ବନ୍ଧ ବିନାଶନ୍ତି

।।

କୃଷ୍ଣ ତାହାଙ୍କୁ ବେଗ କରି

ନରକୁଁ ନିଅନ୍ତି ଉଦ୍ଧରି

।।

ଏଥିରେ ସଂଶୟ ନ କର

ଶୁଣିବା ଏଥିର ବିଚାର

।।

ଶ୍ରୀ ଭଗବତ ଯେ ଗୀତାରେ

ଆଜ୍ଞା ହୋଇଛି ଶ୍ରୀମୁଖରେ

।।

ସକଳ ଧର୍ମ୍ମ କରି ତ୍ୟାଗ

ମତେ ଶରଣ ପଶ ବେଗ

।।

ମୁଁ ସର୍ବ ପାପରୁ ତୁମ୍ଭର

ରକ୍ଷା କରିବି ନ ବିଚାର

।।

ଏମନ୍ତ ଛନ୍ତି ପ୍ରଭୁ କହି

ନିଜ ଶ୍ରୀମୁଖେ ଆଜ୍ଞାଦେଇ

।।

ଏହା କେ କରିବଟି ଆନ

ଯେପୁଣ ଶ୍ରୀମୁଖ ବଚନ

।।

ଏଘେନି କର୍ମ କରି ଦୂର

ବେଗେ ଶ୍ରୀକୃଷ୍ଣ ଭକ୍ତିକର

।।

ଭକ୍ତି ଲଭିଲେ କୃଷ୍ଣପାଶ

ଗୋଲୋକ ଳଭିବ ଅବଶ୍ୟ

।।

ଭକ୍ତି ବାହାରେ ଆନେ ପାର

ନାହିଁଟି ଶଂସୟ ନ କର

।।

କୃଷ୍ଣ ଭକ୍ତିକି କରି ଆଶ

କହିଲା ଶିଶୁ ଭୀମଦାସ । ୫୧।

 

ଇତି ଶ୍ରୀହରିଭକ୍ତି ଚନ୍ଦ୍ରୋଦୟେ ଭଜନେ କର୍ମବନ୍ଧ ବିଚାରୋ

ନାମ ଚତୁର୍ଥୋଽଧ୍ୟାୟଃ ।

 

ପଞ୍ଚମ ଅଧ୍ୟାୟ ।

(ଭକ୍ତି ଅଧିକାର)

ଏଥୁ ଅନ୍ତରେ କଥା ଶୁଣ

ସାବଧାନରେ ସାଧୁଜନ

।।

ଯେ ସେ ଭକ୍ତିରେ ଅଧିକାରୀ

ତାହାଙ୍କୁ ଶୁଣିବା ବିଚାରି

।।

ବ୍ରହ୍ମ କ୍ଷତ୍ରିୟ ବୈଶ୍ୟ ଜାଣ

ଶୂଦ୍ର ସହିତେ ଚାରିବର୍ଣ୍ଣ

।।

ଏଆଦି ଜାଣ ଯେତେ ଜାତି

ଚାଣ୍ଡାଳଯାଏ ଯେତେ ଛନ୍ତି

।।

 

 

 

 

ଏଆଦି ନାରୀ ଯେ ଯେତେକ

ଆବର ବର୍ଣ୍ଣହୀନ ଲୋକ

।।

ସବୁରି ଅଧିକାର ଜାଣ

କୃଷ୍ଣ ଭକ୍ତିରେ ହାଦେ ପୁଣ

।।

ଏକଥା ପଦ୍ମପୁରାଣରେ

ଦୀଲିପରାଜାଙ୍କ ଆଗରେ

।।

ବଶିଷ୍ଠ ଋଷି ଛନ୍ତି କହି

ମାଘ ସ୍ନାହାନ ବିଧିଠାଁଇ

।।

 

 

 

 

କହି ଅଛନ୍ତି ମୁନିବର

ମାଘ ସ୍ନାହାନେ ଅଧିକାର

।।

ସବୁରି ହୁଏଟି ବେଭାରେ

ଯେମନ୍ତ କୃଷ୍ଣ ଭଗତିରେ

।।

ସବୁରି ଅଧିକାର ଜାଣ

ସେହିପ୍ରକାରେ ହାଦେ ପୁଣ

।।

ଏମନ୍ତ ଦୃଷ୍ଠାନ୍ତ ଦେଖାଇ

ଋଷି ପୁରାଣେ ଛନ୍ତି କହି

।।

 

 

 

 

ଏଣୁ ଭକ୍ତିରେ ଅଧିକାର

ଆବ୍ରହ୍ମ ଆଦି ଚାଣ୍ଡାଳର

।।

ଆହୁରି ଶୁଣିବା ବଚନ

ଆବର ନାନା ଜୀବମାନ

।।

ସବୁରି ଅଛି ଅଧିକାର

ଯେ ସେ ଶ୍ରୀକୃଷ୍ଣ ଭଗତିର

।।

ତନ୍ତ୍ରେ ଅଛନ୍ତି ଏହା କହି

ମନ୍ତ୍ର ଦୀକ୍ଷା ବିଚାର ଠାଁଇ

।।

 

 

 

 

ସମସ୍ତ ବର୍ଣ୍ଣମାନଙ୍କର

ସମସ୍ତ ଆଶ୍ରମ ଆଚାର

।।

ଆବର ନାରୀଗଣମାନ

ବିବିଧ ଜାତି ଜୀବଗଣ

।।

ଭଜିବେ ଗୋପାଳ ଯେମନ୍ତେ

ଏମନ୍ତ କହିଛନ୍ତି ତନ୍ତ୍ରେ

।।

ଏଘେନି ସବୁ ଜୀବଙ୍କର

କୃଷ୍ଣ ଭକ୍ତିରେ ଅଧିକାର

।।

 

 

 

 

ଏ କଥା ପ୍ରତ୍ୟକ୍ଷରେ ଦେଖ

ବ୍ୟାଧ କୁବୁଜା ଗଜ କାକ

।।

ଏମାନଙ୍କର ଭକ୍ତି ଘେନି

ସବୁରି ଅଧିକାର ପୁଣି

।।

ଯେ ଅଧିକାରିଙ୍କ ଲକ୍ଷଣ

ତା ଏବେ ସାବଧାନେ ଶୁଣ

।।

ଶ୍ରୀମୁଖେ ଉଦ୍ଧବଙ୍କ ପାଶେ

କହିଅଛନ୍ତି ଏକାଦଶେ

।।

 

 

 

 

ତାଙ୍କରି ଛାଏଁ ଶ୍ରଦ୍ଧା ଜନ୍ମ

ମୋର କଥାରେ ହୁଏ ଜାଣ

।।

ତାହା ଧରିଣ ପୁଣ ଚିତ୍ତେ

ମୋ କଥା ବିଚାରନ୍ତି ନିତ୍ୟେ

।।

ସଂସାରେ ନୋହେ ଆସକତ

ତଥାପି ନୋହେ ବିରକତ

।।

ତାଙ୍କର ଭକ୍ତି ଯୋଗ ଜାଣି

ସିଦ୍ଧ ହୁଅନ୍ତି ହାଦେ ପୁଣି

।।

 

 

 

 

ସେ ହୁଏ ଚାରି ଯେ ପ୍ରକାର

ଉତ୍ତମ ମଧ୍ୟମ ଆବର

।।

କନିଷ୍ଠ କୃପା ସିଦ୍ଧା କରି

ଋଷି ଯେ ଅଛନ୍ତି ବିଚାରି

।।

କ୍ରମେ ଶୁଣିବା ହାଦେ ତାହି

ଉତ୍ତମ ଭକ୍ତି ଜାଣ ଯେହି

।।

ଶାସ୍ତ୍ରରେ ଅଟନ୍ତି ନିପୁଣ

ଶ୍ରଦ୍ଧା ବହୁତ ଥାଇ ଜାଣ

।।

 

 

 

 

ଭକ୍ତିରେ ଦୃଢ଼ ଯେ ତାଙ୍କର

ମଧ୍ୟରେ ନ କରେ ଅନ୍ତର

।।

ଏମନ୍ତ ଅଧିକାରୀ ଯେହୁ

ଉତ୍ତମ ଭକ୍ତି ଜାଣ ସେହୁ

।।

ଏବେ ମଧ୍ୟମ ଭକ୍ତି ଶୁଣ

ଶାସ୍ତ୍ରରେ ନୁହନ୍ତି ନିପୁଣ

।।

କେବଳ ଶ୍ରଦ୍ଧା ଯେ ବହୁତ

ସେ ଜାଣ ମଧ୍ୟମ ଯେ ଭକ୍ତ

।।

 

 

 

 

ଯେ ଶାସ୍ତ୍ରେ ନୁହନ୍ତି ନିପୁଣ

ଅଳପ ଶ୍ରଦ୍ଧା ଥାଇ ଜାଣ

।।

ସେ ଯେ କନିଷ୍ଠ ଅଧିକାରୀ

ଅଳପ ଶ୍ରଦ୍ଧା ଯେଣୁ କରି

।।

କୃପାସିଦ୍ଧାଙ୍କ କଥା ଶୁଣ

ଶାସ୍ତ୍ରହିଁ ନ ଜାଣନ୍ତି ପୁଣ

।।

ଶ୍ରଦ୍ଧାତ ନ ଥାଇ ଯୁଗତି

ଭକ୍ତି ସାଧନ ନ କରନ୍ତି

।।

 

 

 

 

ଶ୍ରୀ ଭଗବାନ କୃପା ଘେନି

ଭକ୍ତି ହୁଅଇ ଜାତ ପୁଣି

।।

କୃଷ୍ଣ କୃପାରୁ ସିଦ୍ଧ ହୋଇ

ତା କୃପାସିଦ୍ଧା ବୋଲି କହି

।।

ତହିଁର ଅଧିକାରୀ ଶୁଣ

ଯେମନ୍ତ ଗଜରାଜ ଜାଣ

।।

କୁମ୍ଭୀର ଧରନ୍ତେ ବିକଳ

ଧରି କମଳ ଡାଳମୂଳ

।।

 

 

 

 

ଡାକିଲା ଆଦିମୂଳ ରଖ

ମୁଁ ହାଦେ ହୋଇଛି ନିରେଖ

।।

ସେ ଡାକ ଶୁଣିଲେ କର୍ଣ୍ଣରେ

ଥାଇଣ ଦ୍ୱାରାବତୀ ପୁରେ

।।

ତକ୍ଷଣେ ଚକ୍ର ପେଶି କରି

ବେଗେଣ କୁମ୍ଭୀର ସଂହାରି

।।

ଆବର ଦରଶନ ଦେଲେ

କର୍ମ ବନ୍ଧହିଁ ଛିଣ୍ଡାଇଲେ

।।

 

 

 

 

ସେ କୃପାସିଦ୍ଧା ବୋଲି ଜାଣ

ଏହି ପ୍ରକାରେ ଯେତେ ପୁଣ

।।

ଏମନ୍ତେ ଚାରି ଯେ ପ୍ରକାର

ଯେ ହାଦେ ଭକ୍ତିଙ୍କ ବିଚାର

।।

ସେ ଅଧିକାରିଙ୍କ ଚରଣ

ସେ ମୋର ଶିରର ଭୂଷଣ

।।

ସେ ମୋର ହୃଦର ପଦକ

ସେ ମୋର ଅଘ-ନିବାରକ

।।

 

 

 

 

ଯେ ଅଧିକାରୀ ନୋହେ ପୁଣ

ତାଙ୍କ ଲକ୍ଷଣ ଏବେ ଶୁଣ

।।

ଶ୍ରୀକୃଷ୍ଣ କଥାରେ ଯାହାର

ଶ୍ରଦ୍ଧା ନ ଥାଇ ମାନସର

।।

ଶୁଣିଲେ ହୁଅଇ ବିମୁଖ

ଏମନ୍ତ ଜାଣ ଯେଉଁ ଲୋକ

।।

ସେ କୋଟି ଯାଗ କଲେ ପୁଣ

ମେରୁ ସମାନ ଦେଲେ ଦାନ

।।

 

 

 

 

କୋଟିଏ ତୀର୍ଥ ଯଦି କରି

ଭକ୍ତିରେ ନୋହେ ଅଧିକାରୀ

।।

ଭକ୍ତିରେ ଶ୍ରଦ୍ଧାଟି ଯୁଗତ

ଶ୍ରଦ୍ଧାରୁ ହୁଏ ଭକ୍ତି ଜାତ

।।

ଯାହାର ଶ୍ରଦ୍ଧା ଜାଣ ନାହିଁ

ଭକତି ଲଭିବ ସେ କାହିଁ

।।

ସେବିଣ ଶ୍ରୀକୃଷ୍ଣ ଚରଣ

କହିଲା ଦାସ ଭୀମସେନ

।।

ଇତି ଶ୍ରୀ ହରିଭକ୍ତିଚନ୍ଦ୍ରୋଦୟେ ଭଜନେ ଭକ୍ତି ଅଧିକାର ବିଚାରୋ

ନାମ ପଞ୍ଚମୋଽଧ୍ୟାୟଃ ।

 

ଷଷ୍ଠ ଅଧ୍ୟାୟ ।

(ଭକ୍ତି ବିଚାର)

ସୁଜନ ଜନେ ଯେ ଶୁଣିମା

ଯେ ଅଧିକାରିଙ୍କ ମହିମା

।।

ଯେ ଭକ୍ତି ସାଧନ ବିଚାରି

ଭଗବାନଙ୍କୁ ବଶ କରି

।।

କର୍ମବନ୍ଧନ ବିନାଶନ୍ତି

ସେ ସୁଖେ ନିତ୍ୟକୁ ଚଳନ୍ତି

।।

ପାଇଣ ଗୋଲୋକରେ ବାସ

ଖଟି ରହନ୍ତି କୃଷ୍ଣ ପାଶ

।।

 

 

 

 

ସେ ଘେନି ତାଙ୍କର ସମାନ

ତିନି ଭୁବନେ ନାହିଁ ଜାଣ

।।

ସେ ସାଧୁମାନଙ୍କ ବିଚାର

କାହାରି ନାହିଁ ନା ଗୋଚର

।।

ଯେ ଜାଣ ଚଉବର୍ଗମାନ

କରନ୍ତି ତୃଣର ସମାନ

।।

ଏକଥା ଅନ୍ୟଥା ନୁହଇ

ଶୁଣିବା ସାବଧାନ ହୋଇ

।।

 

 

 

 

ଭାବାର୍ଥ ଦୀପିକାର ବାଣୀ

କହିଅଛନ୍ତି ଯାହା ପୁଣି

।।

ଶ୍ରୀକୃଷ୍ଣ କଥା ଯେ ଅମୃତ

ପୟୋନିଧିରେ ଯାର ଚିତ୍ତ

।।

ବିହାର କରି ମହା ମୁଦ

କେବେହେଁ ନ ପାଆନ୍ତି ଖେଦ।।

 

ସେମାନେ ଚତୁର୍ବର୍ଗ ପୁଣ

କରନ୍ତି ତୃଣର ସମାନ

।।

 

 

 

 

ଏ ଘେନି ଭକ୍ତିଙ୍କ ମହିମା

କାହାରି ନୁହଇ ଜାଣିମା

।।

ଯେ ମୁକ୍ତି ନ ଇଚ୍ଛନ୍ତି ଚିତ୍ତେ

ତାଙ୍କୁ କେ ସମାନ ଯୁଗତେ

।।

ସୁଜନେ ସାବଧାନେ ଶୁଣ

ମୁକ୍ତି ବୋଲିଣ ଯେହୁ ପୁଣ

।।

ସେ ପଞ୍ଚବିଧ ଜାଣ ପୁଣି

ସାଲୋକ୍ୟ ସାରୂପ୍ୟ ଯେ ବେନି

 

 

 

 

 

ସାମୀପ୍ୟ ସାଯୁଜ୍ୟ ଯେ ପୁଣ

ସମାନ ଘେନି ପାଞ୍ଚ ଜାଣ

।।

ଏ ଜାଣ ସାମାନ୍ୟ ତ ନୁହେ

କୃଷ୍ଣଙ୍କ କୃପା ଯାକୁ ହୁଏ

।।

ସେ ମୁକ୍ତି ଲଭନ୍ତି ପ୍ରମାଣ

ଆନ ଉପାୟେ ନାହିଁ ଜାଣ

।।

ପ୍ରଭୁଙ୍କ କୋଠ ଯେ ଭଣ୍ଡାର

କାହାରି ନୋହେ ଅଧିକାର

।।

 

 

 

 

ଇନ୍ଦ୍ରାଦି ଦେବେ ନିରନ୍ତରେ

ଯେଉଁ ମୁକ୍ତିକି ଇଚ୍ଛାକରେ

।।

ଭକ୍ତେ ତା ଇଚ୍ଛା ନ କରନ୍ତି

ତୃଣର ପ୍ରାୟେକ ତେଜନ୍ତି

।।

ଭକ୍ତି ଭାବରେ ମତି ଧରି

ମୁକ୍ତିକି ଇଚ୍ଛା ଯେ ନ କରି

।।

ଏଥକୁ ବହୁତ ବଚନ

କହିଅଛନ୍ତି ଋଷିଗଣ

।।

 

 

 

 

ତା ମୁହିଁ ଏକ ଏକ କରି

କେତେହେଁ କହିବି ବିଚାରି

।।

କେବଳ ତାଙ୍କ ନାମେ ମନ

ଯେ ଯହିଁ କହିଛନ୍ତି ଜାଣ

।।

ତୃତୀୟ ସ୍କନ୍ଧରେ ଯେ ଜାଣ

ଉଦ୍ଧବ କହିଛନ୍ତି ପୁଣ

।।

ମୋର ମୁକ୍ତିରେ ନାହିଁ କାର୍ଯ୍ୟ

ଭକ୍ତି ବାହାରେ ଦେବରାଜ

।।

 

 

 

 

ଏହି ତୃତୀୟ ସ୍କନ୍ଧେ ଜାଣ

କପିଳ ଦେବଙ୍କ ବଚନ

।।

ମୋ ପାଦ ସେବା ଅନୁରତ

ଅଟନ୍ତି ଯେବଣ ଭଗତ

।।

ସେ ପଞ୍ଚବିଧ ମୁକ୍ତି ମାନ

ଇଚ୍ଛା ନ କରେ ହାଦେ ଜାଣ

।।

ଚତୁର୍ଥ ସ୍କନ୍ଧରେଟି ଧ୍ରୁବେ

କହିଅଛନ୍ତି ଏହି ଭାବେ

।।

 

 

 

 

ସେହି ଚତୁର୍ଥ ସ୍କନ୍ଧେ ପୁଣି

ଅଛି ଆଦି ରାଜାଙ୍କ ବାଣୀ

।।

ପଞ୍ଚମସ୍କନ୍ଧେ ମୁନି ଶୁକ

କହିଅଛନ୍ତି ଏହି ବାକ୍ୟ

।।

ଷଷ୍ଠ ସ୍କନ୍ଧରେ ବୃକ୍ରାସୁର

କହିଅଛନ୍ତି ଏ ଉତ୍ତର

।।

ସେହି ଷଷ୍ଠରେ ହାଦେ ପୁଣି

ଅଛି ମହାଦେବଙ୍କ ବାଣୀ

।।

 

 

 

 

ଇନ୍ଦ୍ରହିଁ କହିଛନ୍ତି ପୁଣ

ସେହି ଷଷ୍ଠରେ ଏ ବଚନ

।।

ସପତମରେ ପ୍ରହଲାଦ

କହିଅଛନ୍ତି ଏ ସମ୍ବାଦ

।।

ଏଥିରେ ଇନ୍ଦ୍ରଙ୍କ ବଚନ

ଆହୁରି ଅଛିଟି ପ୍ରମାଣ

।।

ଅଷ୍ଟମେ ଗଜ ଇନ୍ଦ୍ରଙ୍କର

ଏହି ପ୍ରକାରେ ଟି ଉତ୍ତର

।।

 

 

 

 

ନବମେ ବଇକୁଣ୍ଠ ନାଥ

କହିଣଅଛନ୍ତି ଯୁଗତ

।।

ଦଶମସ୍କନ୍ଧେ ନାଗପତ୍ନୀ

କହିଅଛନ୍ତି ଏହି ବାଣୀ

।।

ସେହି ଦଶମେ ବେଦମାନ

ସ୍ତୁତିରେ କହିଛନ୍ତି ଜାଣ

।।

ଏକାଦଶରେ ଭାବଗ୍ରାହୀ

ଶ୍ରୀମୁଖେ ଛନ୍ତି ଆଜ୍ଞା ଦେଇ

।।

 

 

 

 

ଏକାନ୍ତ ଭକ୍ତ ଯେ ଆମ୍ଭର

କାମନା ନ ଥାଇ ତାଙ୍କର

।।

ଆମ୍ଭେ ଯାଚିଣ ଦେଲେ ମୁକ୍ତି

 

ସେ ଯେ କେବେହେଁ ନ ଘେନନ୍ତି

 

ଶ୍ରୀମୁଖ ଆଜ୍ଞା ଜାଣ ଏହୁ

ଆନ କହିବା ପଛେ ଥାଉ

।।

ଦ୍ୱାଦଶ ସ୍କନ୍ଧେ ରୁଦ୍ରଙ୍କର

ଏହି କଥାକୁଟି ଉତ୍ତର

।।

 

 

 

 

ଏଭାବେ ଏତେକ ବଚନ

ଶ୍ରୀଭାଗବତେ ଛନ୍ତି ଜାଣ

।।

ଆନ ପୁରାଣରେ ଯୁଗତ

ଏକଥା ଅଛଇ ବହୁତ

।।

ଲେଖିଲେ ସବୁରି ଉତ୍ତର

ଗୀତ ଯେ ହୋଇବ ବିସ୍ତାର

।।

ଏ ଘେନିକରି ନ ଲେଖିଲି

ଏକାପ୍ରସଙ୍ଗେ ସିନା ବୋଲି

।।

 

 

 

 

ଏ ଘେନି ଭକ୍ତଙ୍କ ସମାନ

କେହି ନୁହନ୍ତି ହାଦେ ଜାଣ

।।

ଆହୁରି ଶୁଣିବା ବିଚାର

ଭକ୍ତ ଉପରେ ଅଧିକାର

।।

ଯମର ନୋହେ ହାଦେ ଜାଣ

 

ଯେ ବିଷ୍ଣୁପୁରାଣ ବଚନ

।।

ଯମର ଦୂତେ ଯେ ପ୍ରଚଣ୍ଡ

ଧରି ଦଉଡ଼ି ଲୌହ ଦଣ୍ଡ

।।

 

 

 

 

ଯମ ତାହାଙ୍କୁ ଡାକି କରି

କର୍ଣ୍ଣମୂଳରେ ତୁନିକରି

।।

କହନ୍ତି ଗୁପତ ବାରତ

ଏ କଥା ଜାଣିଥିବ ତତ୍ତ୍ୱ

।।

ଶ୍ରୀମଧୁସୂଦନ ପ୍ରପନ୍ନ

ନ ଯିବ ତାଙ୍କ ସନ୍ନିଧାନ

।।

ତହିଁ ମୋ ପ୍ରଭୁପଣ ନାହିଁ

ପ୍ରଭୁ ତା ଛନ୍ତି ଆଜ୍ଞା ଦେଇ

।।

 

 

 

 

ନ ଜାଣି ଯେବେ ତୁମ୍ଭେ ଯିବ

 

ଏ ମୋର ଅପ୍ରାଧ ହୋଇବ

।।

ଏଭାବେ ଶୁଣ ତାଙ୍କ ତହିଁ

ଯମର ଅଧିକାର ନାହିଁ

।।

ଆହୁରି ଶୁଣିବା ସଙ୍ଗତି

ସାଧୁଙ୍କ ସଙ୍ଗ ଯେ ହୁଅନ୍ତି

।।

ତାଙ୍କର ଭବ ନାଶ ଯାଏ

କୃଷ୍ଣ ଚରଣେ ମତି ହୁଏ

।।

 

 

 

 

ମୁଚୁକୁନ୍ଦଙ୍କ ସ୍ତୁତି ଠାଇଁ

ଏମନ୍ତ ଅଛନ୍ତିଟି କହି

।।

ଆବର ଭକ୍ତି ସାଧନରେ

ସତ୍ସଙ୍ଗ ମୂଳଟି ବେଭାରେ

।।

ପ୍ରଥମେ ଶ୍ରଦ୍ଧା ଜାତ ହୁଏ

ତହୁଁ ସାଧୁଙ୍କ ସଙ୍ଗ ପାଏ

।।

ତହିଁ ଉତ୍ତାରୁ କୃଷ୍ଣ ଭକ୍ତି

ସାଧନ ଅଙ୍ଗ ଯେ କରନ୍ତି

।।

 

 

 

 

ଏ ଘେନି ସାଧୁଙ୍କ ସଙ୍ଗତି

ଭକ୍ତିର ମୂଳଟି ଯୁଗତ

।।

ଯାହାର ସାଧୁସଙ୍ଗ ନାହିଁ

ଭକ୍ତି ପାଇବେ ସେଟି କାହିଁ

।।

କୋଟିଏ କଳ୍ପେ ନୋହେ ଜାଣ

 

ଯେ ସାଧୁ ନ ସେବନ୍ତି ପୁଣ

।।

ଯା ସାଧୁ ପାଦେ ନାହିଁ ଚିତ୍ତ

ତା ଭକ୍ତି ନୋହେଟି ଯୁଗତ

।।

 

 

 

 

ସାଧୁ ସଙ୍ଗରୁ ହୁଏ ଭକ୍ତି

ଭକ୍ତିରୁ ସମସ୍ତେ ହୁଅନ୍ତି

।।

ଜ୍ଞାନ ବୈରାଗ୍ୟ ଯେ ଆବରେ

 

ସମସ୍ତେ ହୁଅନ୍ତି ବେଭାରେ

।।

ଏ ଘେନି ସାଧୁଙ୍କର ସଙ୍ଗ

ସୁଜନ ଜନ ହୁଅ ବେଗ

।।

ଏ ହରି-ଭକ୍ତି-ଚନ୍ଦ୍ରୋଦୟେ

ସବୁ ଅଟଇ ସୁଧାମୟେ

।।

 

 

 

 

ଶ୍ରୀକୃଷ୍ଣ ଭକ୍ତିର ବିଚାର

ପୁରାଣମାନଙ୍କୁ ବାହାର

।।

ଭକ୍ତଙ୍କ ମହିମା ପ୍ରକାଶ

ଷଷ୍ଠ ଯେ ଅଧ୍ୟା ହୁଏ ଶେଷ

।।

ସେ ସାଧୁମାନଙ୍କ ଚରଣ

ଭୀମ ଯେ ପଶିଲା ଶରଣ

।।

ଇତି ଶ୍ରୀ ହରିଭକ୍ତି ଚନ୍ଦ୍ରୋଦୟେ ଭକ୍ତ ମହିମା ବିଚାରୋ

ନାମ ଷଷ୍ଠୋଽଧ୍ୟାୟଃ ।

 

ସପ୍ତମ ଅଧ୍ୟାୟ

(ଗୁରୁଶିଷ୍ୟ ଲକ୍ଷଣ ।)

ଏଥି ଉତ୍ତାରୁ ସାଧୁବାଣୀ

ଯେ ଭକ୍ତିଚନ୍ଦ୍ରର କାହାଣୀ

।।

ଗୁରୁ ଶିଷ୍ୟଙ୍କ ଯେ ଲକ୍ଷଣ

ତା ଏବେ ସାବଧାନେ ଶୁଣ

।।

ଯେ ହାଦେ ଗୁରୁଟି ଯୁକତ

ତାଙ୍କର ଲକ୍ଷଣ ଯେମନ୍ତ

।।

ଈଶାନ ସଂହିତାର ବାଣୀ

କହିଅଛନ୍ତି ଯାହା ପୁଣି

।।

 

 

 

 

ବ୍ରହ୍ମାଣ୍ଡେ ଛନ୍ତି ଯେତେ ବର୍ଣ୍ଣ

ସବୁରି ଗୁରୁ ଯେ ବ୍ରାହ୍ମଣ

।।

ଯେ ଷଡ଼ ଅରି ଥିବେ ଜିଣି

ନିର୍ମଳ ଅଙ୍ଗ ହାଦେ ପୁଣି

।।

ଶ୍ରୁତି ସ୍ମୃତିସଙ୍ଗେ ପୁରାଣ

ଏଥିରେ ହୋଇବେ ନିପୁଣ

।।

ସାଧୁମାନଙ୍କରେ ସମ୍ମତ

ସେ ହୋଇଥିବେଟି ଯୁକତ

।।

 

 

 

 

ଶ୍ରୀକୃଷ୍ଣ ପାଦର ଭକ୍ତିରେ

ଦୃଢ଼ ଅନୁରାଗେ ବେଭାରେ

।।

ଏତେ ଲକ୍ଷଣ ଯାର ଥାଇ

ଉତ୍ତମ ଗୁରୁ ଜାଣ ସେହି

।।

ଆହୁରି ପଦ୍ମ ପୁରାଣରେ

ଯା କହିଅଛନ୍ତି ବେଭାରେ

।।

ସମସ୍ତ ବର୍ଣ୍ଣଙ୍କର ପୁଣ

ବିପ୍ରଟି ଗୁରୁ ବୋଲି ଜାଣ

।।

 

 

 

 

ସବୁରି ଅଟନ୍ତି ଯେ ପୂଜ୍ୟ

ଯେମନ୍ତ ପ୍ରଭୁ ଦେବରାଜ

।।

ଏଥିଉତ୍ତାରୁ ହାଦେ ଶୁଣ

ଯେ ପୁଣ ଅଗୁରୁ ଲକ୍ଷଣ

।।

ବ୍ରାହ୍ମଣ ହୋଇ ଯେ ଯୁଗତ

ନୁହନ୍ତି କୃଷ୍ଣର ଭଗତ

।।

ବଡ଼ କୁଳରେ ଜାତ ହୋଇ

ଯାଗରେ ଦୀକ୍ଷିତ ହୁଅଇ

।।

 

 

 

 

ସହସ୍ର ଶାଖା ଅଧ୍ୟୟନ

କରିଣ ଥିଲେ ହାଦେ ଜାଣ

।।

ବୈଷ୍ଣବ ନୁହନ୍ତି ସେ ଯେବେ

 

ଗୁରୁ ନୁହନ୍ତି ଜାଣ ତେବେ

।।

ଆହୁରି ଶୁଣିମା ଯୁକତି

ଯା ଭାଗବତେ କହିଛନ୍ତି

।।

ଦ୍ୱାଦଶ ଗୁଣ-ଯାକ ଥିଲେ

ବିପ୍ର ଯେ ବୈଷ୍ଣବ ନୋହିଲେ।।

 

 

 

 

 

ଗୁରୁ ନୁହନ୍ତି ସେଟି ଜାଣ

ଏ କଥା ଅଟଇ ପ୍ରମାଣ

।।

ଏଘେନି ଗୁରୁ ଯେ ବିଚାର

ବିଷ୍ଣୁ ସେବକ ଜାଣ ମୂଳ

।।

ଯେ ଗୁରୁ ବିଚାର କରିବେ

ବୈଷ୍ଣବ ଲକ୍ଷଣ ଦେଖିବେ

।।

ଭକ୍ତିରେ ଦୃଢ଼ ଯେ ତାଙ୍କର

ତା ପୁଣି କରିବେ ବିଚାର

।।

 

 

 

 

ଏ ବେନି କଥା ଜାଣ ମୂଳ

ତାହା ଉତ୍ତାରେ ବିଦ୍ୟାକୁଳ

।।

ଏ ଚାରି ଲକ୍ଷଣ ଯେ ଥାଇ

ଭାଗ୍ୟ ଥିଲେ ସେ ଗୁରୁ ପାଇ।।

 

ଏ ଭାବେ ଗୁରୁଙ୍କ ଲକ୍ଷଣ

ଏଥିଉତ୍ତାରୁ ଏବେ ଶୁଣ

।।

ଶିଷ୍ୟ ଲକ୍ଷଣ ଯେହୁ ପୁଣି

ଯେ ମନ୍ତ୍ର ମୁକ୍ତାବଳି ବାଣୀ

।।

 

 

 

 

ପ୍ରଥମେ ଶୁଦ୍ଧ ଲକ୍ଷ୍ମୀବନ୍ତ

ସୁପ୍ରିୟ ଦରଶୀ ବିନୀତ

।।

ଦମ୍ଭ ବର୍ଜିତ ସତ୍ୟବାକ୍ୟ

ଧର୍ମ ଅନୁଗତ ବିବେକ

।।

କାମ ଯେ କ୍ରୋଧ ପରିତ୍ୟାଗୀ

 

ଗୁରୁ ସେବାରେ ଅନୁରାଗୀ

।।

ଏ ଜାଣ ଶିଷ୍ୟର ଲକ୍ଷଣ

ଏଥି ଉତ୍ତାରୁ ଏବେ ଶୁଣ

।।

 

 

 

 

ଶ୍ରୀ ଗୁରୁ ଚରଣେ ବିଶ୍ୱାସ

ଯେ ଭାବେ କରିବେଟି ଶିଷ୍ୟ।।

 

ଏ ଜ୍ଞାନ ଅର୍ଣ୍ଣବର ବାଣୀ

କହିଅଛନ୍ତି ଯାହା ପୁଣି

।।

ଯେ ଗୁରୁ ଥିଲେ ସନ୍ନିଧାନ

ତାଙ୍କୁ ନ ପୂଜି ହାଦେ ଜାଣ

।।

ଭଗବାନଙ୍କୁ ହିଁ ପୂଜିଲେ

ବିଫଳ ଜାଣିବ ତା ଭଲେ

।।

 

 

 

 

ଯେ ଗୁରୁ ସେଟି ଭଗବାନ

ଜାଣିବ ଏମନ୍ତ ଭାବେଣ

।।

ଶ୍ରୀଗୁରୁଙ୍କର ହାଦେ ଆଜ୍ଞା

ଶିଷ୍ୟ ନ କରିବ ଅବଜ୍ଞା

।।

ଯେ ଗୁରୁ ଆଜ୍ଞା ଆନ କରେ

 

ଆପଣା ବାଣୀ ଯେ ବିଚାରେ

।।

କେବେହେଁ ସିଦ୍ଧ ନୋହେ ଜାଣ

 

ଶ୍ରୀକୃଷ୍ଣ ଭକ୍ତି ଯେ ପ୍ରମାଣ

।।

 

 

 

 

ଗୁରୁଙ୍କ ନିଷ୍ଠୁର ଯେ ବାଣୀ

ପ୍ରସାଦ କରି ଯେଟି ଘେନି

।।

ସେ ଯେ ଭକ୍ତିରେ ଅଧିକାରୀ

 

ଏମନ୍ତ ଜାଣିବ ବିଚାରି

।।

ତାଙ୍କର ଭକ୍ତି ସିଦ୍ଧ ହୋଇ

ଏଥୁଁ ଶୁଣିବା ମନ ଦେଇ

।।

ଯେ ଜାଣ ଗୁରୁ ଯେ ନ କରି

ଇଚ୍ଛାରେ ଭକ୍ତି ଯେ ଆଦରି

।।

 

 

 

 

ଅସାଧୁ ବୋଲି ତାକୁ ଜାଣ

ବିଅର୍ଥ ସବୁ କର୍ମମାନ

।।

ସେ ଜାଣ ଦୀକ୍ଷାହୀନ ହୋଇ

 

ମଲେଟି ପଶୁ ଯୋନିପାଇ

।।

ଏକଥା ଗଉରୀଙ୍କ ଆଗେ

ହର କହିଲେ ଅନୁରାଗେ

।।

ଯାହାର ଉପଦେଶ ନାହିଁ

ସକଳ ଜାଣିଲେଟି ସେହି

।।

 

 

 

 

ସେ ଭାଗବତ ନୋହେ ଜାଣ

 

ଯେସେ ଅଟନ୍ତି ଦୀକ୍ଷାହୀନ

।।

ଗୁରୁଙ୍କ ଅନୁଗ୍ରହ ନାହିଁ

ବୈଷ୍ଣବ ହୋଇବ ସେ କାହିଁ

 

ଯେସେ ଗୁରୁଙ୍କଠାରୁ ଦୀକ୍ଷା

କରନ୍ତି କୃଷ୍ଣ ନାମ ଶିକ୍ଷା

।।

ବୈଷ୍ଣବ ବୋଲି ତାଙ୍କୁ ଜାଣ

ଯେ ସେବେ ଗୁରୁଙ୍କ ଚରଣ

।।

 

 

 

 

ଏ ଯେ ଶ୍ରୀକୃଷ୍ଣ ଭକ୍ତି ରସ

ସପ୍ତମ ଅଧ୍ୟା ହୁଏ ଶେଷ

।।

ଯେ ଗୁରୁ ଶିଷ୍ୟଙ୍କ ଲକ୍ଷଣ

ଏହି ଅଧ୍ୟାରେ ହେଲା ଜାଣ

।।

ଶ୍ରୀକୃଷ୍ଣ ଚରଣେ ମାନସ

ଦେଇ କହଇ ଭୀମ ଦାସ

।।

ଇତି ଶ୍ରୀହରିଭକ୍ତିଚନ୍ଦ୍ରୋଦୟେ ଭଜନେ ଗୁରୁ ଶିଷ୍ୟ ବିଚାରୋ

ନାମ ସପ୍ତମୋଽଧ୍ୟାୟ ।

 

Unknown

ଅଷ୍ଟମ ଅଧ୍ୟାୟ ।

(ସାଧନ ଭକ୍ତି ।)

ସୁଜନେ ସାବଧାନ କର

ଶ୍ରୀକୃଷ୍ଣ ଭକ୍ତିର ବିଚାର

।।

ଶ୍ରୀକୃଷ୍ଣ ଭକ୍ତି ଯେ ଲକ୍ଷଣ

ତହିଁ ହୋଇଛ ସାବଧାନ

।।

କହିଛି ଦ୍ୱିତୀୟ ଅଧ୍ୟାରେ

ପୁରାଣମାନଙ୍କ ବିଚାରେ

।।

ଯେ ଆନ ଅଭିଳାଷ ତେଜି

ଜ୍ଞାନ କର୍ମକୁ ଯେ ନ ଭଜି

।।

 

 

 

 

କୃଷ୍ଣ ସେବନ୍ତି ଅନୁକୂଳେ

ଭକ୍ତି ଲକ୍ଷଣ ଏ ବେଭାରେ

।।

ଏ ଭକ୍ତି ପ୍ରଥମେ ଆବର

ହୁଏ ଯେ ତିନୋଟି ପ୍ରକାର

।।

ସାଧନ ଭାବ ପ୍ରେମ ହୋଇ

ତିନି ପ୍ରକାରେ ଛନ୍ତି କହି

।।

ଯେ ଭାବ ପ୍ରେମ ଭକ୍ତି ଘେନି

ପଛେ ଶୁଣିମା ତାହା ପୁଣି

।।

 

 

 

 

ଏବେ ଏ ସାଧନ ଭକ୍ତିର

ବିଚାର ସାବଧାନ କର

।।

ଇନ୍ଦ୍ରିୟମାନଙ୍କ ସାଧନ

ଶ୍ରୀକୃଷ୍ଣ ଚରଣ ସେବନ

।।

କର୍ଣ୍ଣରେ ମହିଁମା ଶୁଣିବ

ଚକ୍ଷୁରେ ଦର୍ଶନ କରିବ

।।

ନାସାରେ ଆଘ୍ରାଣ ପ୍ରସାଦ

ଜିହ୍ୱାରେ ନିର୍ମାଲ୍ୟ ଆସ୍ୱାଦ

।।

 

 

 

 

ବଚନେ ନାମ ଉଚ୍ଚାରିବ

ବୁକୁରେ ପରଶ ବୈଷ୍ଣବ

।।

ପାଣିରେ ପୂଜା ଯେ ଆବର

ପାଦରେ କ୍ଷେତ୍ରକୁ ଯିବାର

।।

ମନରେ କରିବ ସ୍ମରଣ

ଏ ଭାବେ ଇନ୍ଦ୍ରିୟ ସାଧନ

।।

ଏ ଭାବେ ସେବା ଯେହୁ କରେ

ଶ୍ରୀକୃଷ୍ଣ ଚରଣେ ବେଭାରେ

।।

 

 

 

 

ତାକୁ ସାଧନ ଭକ୍ତି କହି

ଯେଣୁ ସାଧନୁ ଜାଣ ହୋଇ

।।

ସେ ଯେ ସାଧନ ଅଙ୍ଗମାନ

ଯେତେକ ଅଛଇ ପ୍ରମାଣ

।।

ସେ ନିତ୍ୟ ହୋଇଣ ଅଛନ୍ତି

କେବଳ ପ୍ରକାଶ ହୁଅନ୍ତି

।।

ସାଧକ ଜନ ଭକ୍ତଠାରେ

ପ୍ରକାଶ ହୋନ୍ତି ସାଧନରେ

।।

 

 

 

 

ସେ ପୁଣି ସାଧନ ଭକତି

ବେନି ଯେ ପ୍ରକାରେ ହୁଅନ୍ତି

।।

ବଇଧ, ରାଗାନୁଗ ପୁଣ

ବେନି ପ୍ରକାର ହୁଏ ଜାଣ

।।

ଯେ ରାଗାନୁଗ ତା ବେଭାରେ

ଶୁଣିବ ବଇଧ ଉତ୍ତାରେ

।।

ଏବେ ଏ ବଇଧ ଭକ୍ତିର

ସୁଜନେ ଶୁଣିବା ବିଚାର

।।

 

 

 

 

ଭକ୍ତି ଆରମ୍ଭଠାରୁ ଜାଣ

ଶ୍ରୀକୃଷ୍ଣଠାରେ ହାଦେ ପୁଣ

।।

ସାଧକ ରତି ଜାତ ହୁଏ

ଯେତେକ ମଧ୍ୟେ ଏହୁ ହୁଏ

।।

ସାଧକ କରନ୍ତି ସାଧନ

ଶାସ୍ତ୍ର ଆଜ୍ଞାରେ କରି ଜାଣ

।।

ବିଧି ମାର୍ଗରେ ଛନ୍ତି ହୋଇ

ବଇଧୀ ବୋଲି ତେଣୁ କହି

।।

 

 

 

 

ଏକଥା ଶ୍ରୀ ଏକାଦଶରେ

ଆଜ୍ଞା ହୋଇଛି ଶ୍ରୀମୁଖରେ

।।

ଯେଉଁ ପୁରୁଷମାନେ ଜାଣ

କରନ୍ତି ଏ ମୋର ଭଜନ

।।

ବେଦମାନଙ୍କର ବିଚାରେ

ଅଛଇ ଭକ୍ତି ଯେ ପ୍ରକାରେ

।।

ତନ୍ତ୍ରମାନଙ୍କେ ଅଛି ଜାଣ

ଯେ ଭାବେ ଭକ୍ତିର ସାଧନ

।।

 

 

 

 

ଏ ଦୁଇ ମତେ ଭକ୍ତି ବିଧି

ଯେ କରେ ଜାଣ ହୋଏ ସିଦ୍ଧି

।।

ଏମନ୍ତ ଛନ୍ତି ଆଜ୍ଞା ଦେଇ

ଆହୁରି ଶୁଣ ମନ ଦେଇ

।।

ନାରଦ ପଞ୍ଚରାତ୍ର ବାଣୀ

ଯା ହାଦେ କହିଛନ୍ତି ପୁଣି

।।

ଋଷିମାନଙ୍କରେ ବିଦିତ

ଯେ ଶାସ୍ତ୍ରମାନଟି ଯୁଗତ

।।

 

 

 

 

ତହିଁରେ କୃଷ୍ଣଙ୍କୁ ଉଦ୍ଦେଶି

ଯେ କର୍ମ କରିଛନ୍ତି ଋଷି

।।

ସେ କର୍ମ ଭକ୍ତି ବୋଲି ଜାଣ

କରିବ ସେ ଭାବେ ସାଧନ

।।

ଏମନ୍ତ କହିଛନ୍ତି ମୁନି

କେ ଆନ କରିବଟି ପୁଣି

।।

ଆବର ଶ୍ରୀମୁଖର ଆଜ୍ଞା

ତାହା କେ କରିବ ଅବଜ୍ଞା

।।

 

 

 

 

ଏ ଘେନି ବଇଧ ସାଧନ

ବେଦ ବିଚାରେ ହାଦେ ଜାଣ

।।

ଶାସ୍ତ୍ରମାନଙ୍କ ଅନୁସାରେ

ବଇଧ ସାଧନ ବେଭାରେ

।।

ସେ ଯେ ବଇଧୀ ସାଧନର

ଚଉଷଠି ଯେ ଅଙ୍ଗ ତାର

।।

ଯେଉଁ ସାଧନ ଅଙ୍ଗ କରି

ଭବରୁ ଯାଉଛନ୍ତି ତରି

।।

 

 

 

 

କରିଣ ଭକ୍ତି ଯେ ସାଧନ

ଲଭନ୍ତି ଶ୍ରୀକୃଷ୍ଣଚରଣ

।।

ସେ ଜାଣ ଜୀବନ ମୁକତ

ଯାହାର ସାଧନରେ ଚିତ୍ତ

।।

ସେ କୃଷ୍ଣ ଭକ୍ତି ଅଧିକାରୀ

ସାଧନ ଅଙ୍ଗ ଯେହୁ କରି

।।

ସାଧନୁ କରି ଭାବ ଜାତ

ଭାବରୁ ପ୍ରେମଟି ସଂଭୂତ

।।

 

 

 

 

ଏ ଘେନି କରିବ ସାଧନ

ଭକ୍ତିର ମୂଳ ବୋଲି ଜାଣ

।।

ସାଧନ ବିନୁ ପ୍ରେମ ଯାର

ଭକ୍ତିର ନାହିଁନା ବିଚାର

।।

ଯାହାର ସାଧନଟି ନାହିଁ

ଭକ୍ତି ଲଭିବ ସେଟି କାହିଁ

।।

ସାଧନ ନ କରନ୍ତି ଯେହୁ

କୃଷ୍ଣଦୋରେହା ଜାଣ ସେହୁ

।।

 

 

 

 

ଯାହାର ନାହିଁନା ସାଧନ

ପତିତ ବୋଲି ତାକୁ ଜାଣ

।।

ଏ ଘେନି ସାଧନ ବିଚାର

ସୁଜନ ଜନେ ବେଗେ କର

।।

ଭକ୍ତି ସାଧନେ କରି ଆଶ

କହିଲା ଶିଶୁ ଭୀମ ଦାସ

। ୫୫।

ଇତି ଶ୍ରୀ ହରିଭକ୍ତିଚନ୍ଦ୍ରୋଦୟେ ସାଧନେ ବୈଧଭକ୍ତି ଲକ୍ଷଣ ବିଚାରୋ

ନାମ ଅଷ୍ଟମୋଽଧ୍ୟାୟ ।

 

ନବମ ଅଧ୍ୟାୟ ।

(ଚତୁଃଷଷ୍ଠି ଅଙ୍ଗ ସାଧନ)

ସୁଜନେ ହୋଇ ସାବଧାନ

ଏଥି ଉତ୍ତାରୁ କଥା ଶୁଣ

।।

ବଇଧ ସାଧନ ଭକ୍ତିର

ଚଉଷଠି ଯେ ଅଙ୍ଗ ତାର

।।

ତାଙ୍କର ଯେଉଁ ନାମମାନ

ତା ଏବେ ସାବଧାନେ ଶୁଣ

।।

ପଦକେ ଅଙ୍ଗେକ ବିଚାରି

ନାମ ଶୁଣିବା ସବୁଙ୍କରି

।।

 

 

 

 

ଭକ୍ତି ଆରମ୍ଭେ ଦଶ ଅଙ୍ଗ

ଯେ ପୁଣ ଶୁଣିବା ତା ବେଗ

।।

ପ୍ରଥମେ ଶ୍ରୀଗୁରୁଚରଣ

ଆଶ୍ରେ କରିବ ଅଙ୍ଗେ ଜାଣ

।।

ଦ୍ୱିତୀୟେ କୃଷ୍ଣ ନାମ ଦୀକ୍ଷା

ଗୁରୁଙ୍କ ମୁଖୁଁ କର ଶିକ୍ଷା

।।

ତୃତୀୟେ କରିଣ ବିଶ୍ୱାସ

ସେବା କରିବ ଗୁରୁ ପାଶ

।।

 

 

 

 

ଚତୁର୍ଥେ ସାଧୁଙ୍କର ମାର୍ଗ

ଅନୁସରିଣ ଥିବ ବେଗ

।।

ପଞ୍ଚମେ ଭକ୍ତି ଧର୍ମମାନ

ପଚାରି ଜାଣୁଥିବ ପୁଣ

।।

ଷଷ୍ଠେ ଭକ୍ତିକି ହେତୁ କରି

ଭୋଗ ଯେତେ ଥିବ ବିଚାରି

।।

ସପ୍ତମେ ଦ୍ୱାରକା ଆଦିରେ

ଯେତେ ରହିବ ସୁବିଚାରେ

।।

 

 

 

 

ଅଷ୍ଟମେ ବ୍ୟବହାରମାନ

ଅଧିକ ନ କରିବ ଜାଣ

।।

ନମବ ଅଙ୍ଗ ଏକାଦଶୀ

ବ୍ରତ ଯେ କରିବ ବିଶେଷି

।।

ଦଶମେ ଅଏଁଳା ଅଶ୍ୱତ୍ଥ

ପାଦର କରିବ ଯୁଗତ

।।

ଏ ଯେ ଆରମ୍ଭ ଦଶ ଅଙ୍ଗ

ଭକ୍ତି ସାଧନେ ଜାଣ ବେଗ

।।

 

 

 

 

ଏଥି ଉତ୍ତାରେ ପୁଣ ଶୁଣ

ବ୍ୟତିରେକରେ ଦଶଗୁଣ

।।

ଅସାଧୁମାନଙ୍କର ସଙ୍ଗ

ବେଗେ କରିବ ପରିତ୍ୟାଗ

।।

ଶିଷ୍ୟରେ ଆଶାବଦ୍ଧ ପୁଣ

କେବେହେଁ ନ କରିବ ଜାଣ

।।

ତୃତୀୟେ ବହୁତ ଯେ ଗ୍ରନ୍ଥ

ଅଭ୍ୟାସ ତ୍ୟଜିବ ଯୁଗତ

।।

 

 

 

 

ଚତୁର୍ଥେ ବ୍ୟାଖ୍ୟା ବାଦମାନ

କେବେହେଁ ନ କରିବ ଜାଣ

।।

ପଞ୍ଚେ ଆପଣା ବ୍ୟବହାରେ

ଦୀନତା ନୋହିବ ବେଭାରେ

।।

ଷଷ୍ଠରେ ଶୋକ କ୍ରୋଧମାନ

ବଶ ନୋହିବ ଏଥି ଜାଣ

।।

ସପ୍ତମେ ଆନ ଦେବଙ୍କର

ନିନ୍ଦା କରିବ ବେଗେ ଦୂର

।।

 

 

 

 

ଅଷ୍ଟମେ ଜୀବହିଂସା ଯେତେ

ତା ବେଗେ ତେଜିବ ଯୁଗତେ

।।

ନବମେ ସେବା ଯେ ନାମେଶ

 

ନ ଥିବେ ଅପରାଧମାନ

।।

ଦଶମେ କୃଷ୍ଣରେ ଭକ୍ତରେ

ନିନ୍ଦା ନ ସହିବ ବେଭାରେ

।।

ବ୍ୟତିରେକରେ ଏହା ଜାଣ

ଏ ଦଶ ଅଙ୍ଗଟି ପ୍ରମାଣ

।।

 

 

 

 

କୋଡ଼ିଏ ଅଙ୍ଗ ଏ ଆଦ୍ୟରେ

କରିବ ଭକ୍ତି ସାଧନରେ

।।

ଏଥିରୁ ବୈଷ୍ଣବ ଯେ ଚିହ୍ନ

ଦେହରେ କରିବ ଧାରଣ

।।

ଦ୍ୱିତୀୟେ ନାମ ଯେ ଅକ୍ଷର

ଛାପା କରିଣ ଅଙ୍ଗେ ଧର

।।

ତୃତୀୟେ ନିର୍ମାଲ୍ୟ ଧାରଣ

ମାଳ ଯେ ଚନ୍ଦନ ବସନ

।।

 

 

 

 

ଏଥିଉତ୍ତାରୁ ଯେ ନବଧା

ସାଧନ ଶୁଣ କରି ଶ୍ରଦ୍ଧା

।।

ପ୍ରଥମ ଅଙ୍ଗ ଯେ ଶ୍ରବଣ

ନାମ ଚରିତ ଗୁଣମାନ

।।

ଦ୍ୱିତୀୟେ କୀର୍ତ୍ତନ କରିବ

ନାମର ଲୀଳା ଗୁଣ ଭାବ

।।

ତୃତୀୟେ କୃଷ୍ଣରୂପ ମାନ

ମାନସେ କରିବ ସ୍ମରଣ

।।

 

 

 

 

ଚତୁର୍ଥେ ଶ୍ରୀମୂର୍ତ୍ତି ପାଦରେ

ସେବା ଯେ କରିବ ବେଭାରେ

।।

ପଞ୍ଚମେ ପୂଜା ଯେ କରିବ

ଘେନିଣ ଉପଚାର ଦ୍ରବ୍ୟ

।।

ଷଷ୍ଠରେ କର ଦଣ୍ଡବତ

ପ୍ରଭୁଙ୍କୁ ବିଚାରି ଯୁଗତ

।।

ସପ୍ତମେ ଜାଣ ଦାସ୍ୟ ଭାବ

କିଙ୍କର ଭାବେଣ ସେବିବ

।।

 

 

 

 

ଅଷ୍ଟମେ ସଖା ଭାବ ଜାଣ

ବିଶ୍ୱାସ ଭାବେ କର ପୁଣ

।।

ନବମେ ଆତ୍ମା ନିବେଦନ

ଏ ନବ ମୋକ୍ଷ ଯେ ସାଧନ

।।

ଏଥୁ ଯେ ଅଙ୍ଗ ମୂଳ କରି

ସାଧନେ ହେଳେ ଯାନ୍ତି ତରି।।

 

ଏ ଦୁଇ ଚାରି ଅଙ୍ଗମାନ

ସାଧନ୍ତି କେ ତାଙ୍କ ସମାନ

।।

 

 

 

 

ଏଥୁ ଉତ୍ତାରେ ଅଙ୍ଗ ଶୁଣ

କରିବ କ୍ଷେତ୍ରକୁ ଗମନ

।।

କୃଷ୍ଣକୁ ଦର୍ଶନ କରିବ

ଧୂପ ଯେ ଆଳତୀ ଉତ୍ସବ

।।

କୃଷ୍ଣର ପରିକ୍ରମା ଯେହି

ଅଙ୍ଗେଟି ଜାଣ ପୁଣ ସେହି

।।

କୃଷ୍ଣର ଚରଣ ସ୍ପରଶ

କରିବ ଘେନି କରଦେଶ

।।

 

 

 

 

ଆବର ପରିଚର୍ଯ୍ୟାପଣି

ଧରିବ ଚାମର ବିଞ୍ଚଣି

।।

ଉନ୍ମତ୍ତେ କରିବ ନର୍ତ୍ତନ

ତାଳିକା କରିଣ ବାଦନ

।।

ଧୂପ ଯେ ମାଳ ସଉରଭ

ଆନନ୍ଦେ ଆଘ୍ରାଣ କରିବ

।।

ଲୋଭରେ କରିବ ଆସ୍ୱାଦ

ପାଦଉଦକ ନଇବେଦ୍ୟ

।।

 

 

 

 

ରଥେ ଆସନ୍ତେ ବାସୁଦେବ

ସମ୍ମୁଖେ ପାଛୋଟିଣ ଯିବ

।।

ଯାତ୍ରା ସମୟମାନଙ୍କରେ

ଥିବ ଶ୍ରୀକୃଷ୍ଣ ପଟ୍ଟଣାରେ

।।

କୃଷ୍ଣର ଗୃହେ ମହୋତ୍ସବ

ଯେ ଶକ୍ୟଭାବେ ତା କରିବ

।।

କୃଷ୍ଣର ଜନ୍ମଦିନମାନ

ଯାତ୍ରା କରିବ ହାଦେ ଜାଣ

।।

 

 

 

 

ଦ୍ୱାଦଶ ଅଙ୍ଗ ଏ ବେଭାରେ

ଛନ୍ତି ଶ୍ରୀକୃଷ୍ଣ ଯେତେଠାରେ

।।

ନାନାପ୍ରକାରେ ରୂପ ଧରି

ତହିଁ ଯେ କରିବ ବିଚାରି

।।

ଏଥି ଉତ୍ତାରୁ ଏବେ ଶୁଣ

ଯେ କୃଷ୍ଣ ଭକ୍ତିର ସାଧନ

।।

ଶ୍ରୀକୃଷ୍ଣ ମନ୍ତ୍ର ଶୁଦ୍ଧଭାବେ

ବସି ଜପିବ ପୁଣ୍ୟଠାବେ

।।

 

 

 

 

କୃଷ୍ଣର ରୂପ କରି ଧ୍ୟାନ

ଆବର ଗୁଣ ଲୀଳାମାନ

।।

କୃଷ୍ଣର ସ୍ତବ ସ୍ତୋତ୍ର ଯେତେ

ପଠନ କରିବ ଯୁଗତେ

।।

ଶ୍ରୀକୃଷ୍ଣ ଯଶ ଗୁଣମାନ

ନିରତେ କରିବ ଗାୟନ

।।

ବିଳପନ କରିବ ଧୀରେ

ପ୍ରାର୍ଥନା ଲାଳସ ବେଭାରେ

।।

 

 

 

 

କୃଷ୍ଣର କୃପା ହେବ ମୋତେ

ବୋଲି ଆକାଙ୍କ୍ଷା ଥିବ ଚିତ୍ତେ

।।

ଆପଣା ପ୍ରିୟ ଦ୍ରବ୍ୟମାନ

କୃଷ୍ଣେ କରିବ ନିବେଦନ

।।

ଅଖିଳ କର୍ମମାନ ଯେତେ

ତଦର୍ଥେ କରିବ ଯୁଗତେ

।।

ଛାଡ଼ି ସକଳ ଚେଷ୍ଟାମାନ

କୃଷ୍ଣରେ ପଶିବ ଶରଣ

।।

 

 

 

 

କୃଷ୍ଣର ପ୍ରିୟଙ୍କୁ ସେବିବ

ଆଦରେ ତୁଳସୀ ବୈଷ୍ଣବ

।।

ଆବର କରିବ କାର୍ତ୍ତିକ

ବିଧି ବିଚାରେଟି ଯେତେକ

।।

ଶ୍ରୀଭାଗବତଟି ଯୁଗତେ

ଆସ୍ୱାଦ ସାଧୁଙ୍କ ସଙ୍କତେ

।।

ନିଜ ଧର୍ମର ବଇଷ୍ଣବ

ସେ ସାଧୁଙ୍କର ସଙ୍ଗ ହେବ

।।

 

 

 

 

ଆବର କୃଷ୍ଣ ନାମ ମାନ

ନିରତେ କରିବ କୀର୍ତ୍ତନ

।।

ମଥୁରାମଣ୍ଡଳରେ ସ୍ଥିତି

କରିବ ବିଚାରିଣ ମତି

।।

ଅଣଷଠି ଏ ଅଙ୍ଗ ଜାଣ

ଏଠାରୁ ହୋଇଲା ସମ୍ପୂର୍ଣ୍ଣ

।।

ଆବର ପାଞ୍ଚ ଯେ ଅଙ୍ଗର

ସୁଜନେ ଶୁଣିବା ବିଚାର

।।

 

 

 

 

ଏ ଅଣଷଠିଙ୍କ ଭିତରେ

ସେ ପାଞ୍ଚେ ଅଛନ୍ତି ବେଭାରେ।।

।।

କେବଳ ବିଶେଷ ସାମାନ୍ୟ

ଭାବେ ଅଛନ୍ତି ପୁଣ ଜାଣ

।।

ତହିଁ ଭିତରୁ ଭିନ୍ନ କରି

କହିବି ଶୁଣିବା ବିଚାରି

।।

ଶ୍ରୀମୂର୍ତ୍ତି ଶ୍ରୀନନ୍ଦନନ୍ଦନ

ପାଦେ ସେବିବ ହାଦେ ଜାଣ।।

 

 

 

 

 

ଶ୍ରୀ ଭାଗବତର ମଧ୍ୟରେ

ଦଶମ ଆସ୍ୱାଦ ବେଭାରେ

।।

ବୈଷ୍ଣବ ମଧ୍ୟେ ହୁଏ ସଙ୍ଗ

ଅଶ୍ରୁ ପୁଲକ ଯାର ଅଙ୍ଗ

।।

ଗୀତାଗାୟନ କୃଷ୍ଣ ନାମ

ଯେ ଥିବେ କରିଣ ଗାୟନ

।।

ମଥୁରାମଣ୍ଡଳ ମଧ୍ୟରେ

ରହିବ ଶ୍ରୀ ବୃନ୍ଦାବନରେ

।।

 

 

 

 

ଏ ଭାବେ ମୁଖ୍ୟ ପାଞ୍ଚ ପୁଣ

ବିଚାରି ଜାଣ ସାଧୁଜନ

।।

ଏରୂପେ ଚଉଷଠି ଅଙ୍ଗ

ଭକ୍ତି ସାଧନ ବିଧି ମାର୍ଗ

।।

ଏଥୁ ଯେ ଅଙ୍ଗେକ ସାଧଇ

ଏକାଙ୍ଗ ଭକ୍ତି ତାକୁ କହି

।।

ବହୁତ ଅଙ୍ଗ ଯେ ସାଧନ

ସେ ବହୁଳାଙ୍ଗ ଭକ୍ତି ଜାଣ

।।

 

 

 

 

ସାଧୁଙ୍କ କାୟ ମାନସରେ

ଇନ୍ଦ୍ରିୟ ଅନ୍ତଃକରଣରେ

।।

ଏ ଅଙ୍ଗମାନଙ୍କ ସାଧନ

ସାଧନ ଭକ୍ତି ଏଟି ଜାଣ

।।

ବେଦ ବିଚାରେ ଏହୁ ପୁଣି

ପୁରାଣମାନଙ୍କର ବାଣୀ

।।

ତନ୍ତ୍ରମାନଙ୍କର ବଚନ

ଯେତେ ଆବର ଗ୍ରନ୍ଥମାନ

।।

 

 

 

 

ଏ ଜାଣ ସବୁରି ବିଚାରେ

ଆବର ଶ୍ରୀକୃଷ୍ଣ ଆଜ୍ଞାରେ

।।

ଏ ହୋଇଅଛିଟି ଯୁଗତ

ଏ ଘେନି ଏଥିର ସିଦ୍ଧାନ୍ତ

।।

ସକଳ ଗ୍ରନ୍ଥର ବଚନ

ହୋଇ ଅଛନ୍ତି ହାଦେ ଜାଣ

।।

ତା ପୁଣି ଏକ ଏକ କରି

ସୁଜନେ ଶୁଣିବା ବିଚାରି

।।

 

 

 

 

ଯେଉଁ ଅଙ୍ଗକୁ ଯେଉଁ ବାଣୀ

ଯେଉଁ ଗ୍ରନ୍ଥରେ ଅଛି ପୁଣି

।।

ଯେ ଜାଣ ଯେମନ୍ତ ପ୍ରକାରେ

ତା ତ ଲେଖିବି ସେ ବିଚାରେ।।

।।

କୃଷ୍ଣ ଚରଣେ ଦେଇ ଚିତ୍ତ

ଯେ ଭୀମଦାସ ମହାପାତ୍ର

।।

ବିଚାର କରି ମାନସର

କହିଲା ଭକ୍ତିର ବିଚାର

।୧୦୦।

ଇତି ଶ୍ରୀହରିଭକ୍ତି ଚନ୍ଦ୍ରୋଦୟେ ବୈଧ ସାଧନ ଚତୁଃଷଷ୍ଠୀଅଙ୍ଗସଂଖ୍ୟା କଥନେ

ନାମ ନବମୋଽଧ୍ୟାୟଃ ।

 

ଦଶମ ଅଧ୍ୟାୟ ।

(ଦଶ ଅଙ୍ଗ)

ସୁଜନେ ସାବଧାନ କର

ଶ୍ରୀକୃଷ୍ଣ ଭକ୍ତିର ବିଚାର

।।

ଯେ ସେ ସାଧନ ଭକ୍ତିଯୋଗ

ବଇଧୀ ଚଉଷଠୀ ଅଙ୍ଗ

।।

ତା ଏବେ ଏକ ଏକ କରି

ସୁଜନେ ଶୁଣିବା ବିଚାରି

।।

ପ୍ରଥମେ ଶ୍ରୀଗୁରୁ ଚରଣ

ଆଶ୍ରେ କରିବା ଭକ୍ତି ଶୁଣ

।।

 

 

 

 

ଶ୍ରୀ ଭାଗବତ ଏକାଦଶେ

ଯା କହିଛନ୍ତି ମୁନିବ୍ୟାସେ

।।

ଶବଦବ୍ରହ୍ମ ବେଦମାନ

ପରମବ୍ରହ୍ମ ଭଗବାନ

।।

ଏ ବେନି ଜାଣ ଯେ ଯୁଗତ

ସେ ଯେ ପରମ ଭାଗବତ

।।

ଗୁରୁ ବୋଲିଣ ତାଙ୍କୁ ଜାଣ

ସେବିବ ତାଙ୍କର ଚରଣ

।।

 

 

 

 

ଦୀକ୍ଷା ଗ୍ରହଣ ଭକ୍ତିବାଣୀ

ଯେ ଏକାଦଶରେଟି ପୁଣି

।।

ସକଳ ମାୟା କରି ଦୂର

ଧରିଣ ଉଦାସ ବେଭାର

।।

ଗୁରୁ ଯେ ଆତ୍ମା ଦଇବତ

ତାହାଙ୍କ ଠାବରୁ ଯୁଗତ

।।

ଯେ ଅତି ଶରଧା ମନେଣ

ଶ୍ରୀ ଭାଗବତ ଧର୍ମମାନ

।।

 

 

 

 

ସହିତେ କୃଷ୍ଣ ନାମ ଦୀକ୍ଷା

ବିଧିମତେ କରିବ ଶିକ୍ଷା

।।

ବିଶ୍ୱାସୀ ଗୁରୁ ପାଦେ ସେବା

ଅଙ୍ଗର ବିଚାର ଶୁଣିବା

।।

ଏହି ଏକାଦଶରେ ତାହା

ପ୍ରଭୁଙ୍କ ଆଜ୍ଞା ଅଛି ଯାହା

।।

ଗୁରୁ ବୋଲିଣ ପୁଣ ଜାଣ

କେବେହେଁ ନ କରିବ ଭିନ୍ନ

।।

 

 

 

 

ମନୁଷ୍ୟ ବୁଦ୍ଧି ଗୁରୁ ତହିଁ

କେବେହେଁ ବିଚାରିବ ନାହିଁ

।।

ଗୁରୁଙ୍କୁ ଜାଣ ସର୍ବ ଦେବ

ଏମନ୍ତେ ବିଶ୍ୱାସେ ଭଜିବ

।।

ସାଧୁଙ୍କ ମାର୍ଗ ଅନୁଗତ

ଭକ୍ତିର ଶୁଣିମା ତଦନ୍ତ

।।

ପଦ୍ମପୁରାଣର ବଚନ

ଯେ ପଥ ଶ୍ରୁତିର କାରଣ

।।

 

 

 

 

ସେ ସର୍ବ ସନ୍ତାପ ବର୍ଜିତ

ସୁଖେ ଗମନ୍ତି ଭାଗବତ

।।

ସେହି ମାର୍ଗକୁ ଅନୁସର

ଆନ ଯେ ମାର୍ଗ କର ଦୂର

।।

ବ୍ରହ୍ମଯାମଳର ଯେ ବାଣୀ

ତାହି ଶୁଣିମା ହାଦେ ପୁଣି

।।

ଶ୍ରୁତି ସ୍ମୃତି ଏ ପୁରାଣାଦି

ନାରଦପଞ୍ଚରାତ୍ର ବିଧି

।।

 

 

 

 

ଏଥେ ଯେ ଭକ୍ତିର ବିଚାର

ସେହି ମାର୍ଗକୁ ଅନୁସର

।।

ତହୁଁ ଯେ କରିବାକ ଆନ

ଭକ୍ତି ନୋହିବ ନିଶ୍ଚେ ଜାଣ

।।

ଯେ ହାଦେ ମାର୍ଗ ନ ଜାଣନ୍ତି

ଶ୍ରୀକୃଷ୍ଣ ଭଜନ କରନ୍ତି

।।

ଭକ୍ତି ବିରୋଧ କର୍ମମାନ

କରିଲେ ସାଧନ ମଧ୍ୟେଣ

।।

 

 

 

 

ତାଙ୍କର ଭକ୍ତି ହେବ ନାହିଁ

ସେ ଘେନି ଋଷି ଛନ୍ତି କହି

।।

ଭକ୍ତି ମାର୍ଗରେ ଯେ କରିବ

ଅମାର୍ଗେ ଗଲେ ଯେ ନୋହିବ

।।

ଯେ ଭାଗବତ ଧର୍ମମାନ

ପୂଜା କରିବା ଅଙ୍ଗ ଶୁଣ

।।

ଏ ନାରଦୀୟ ପୁରାଣରେ

ଯାହା କହିଛନ୍ତି ବେଭାରେ

।।

 

 

 

 

ଶ୍ରୀକୃଷ୍ଣ ଭକ୍ତି ଯେ ଧର୍ମର

ପୂଜା ନିର୍ବନ୍ଧେ ମତି ଯାର

।।

ତାଙ୍କର ସକଳ ବାଞ୍ଛିତ

ସିଦ୍ଧ ସେ ହୁଅନ୍ତି ଯୁଗତ

।।

ଭକ୍ତି ହେତୁରେ ହାଦେ ଜାଣ

ଭୋଗ ତେଜିବା ଭକ୍ତି ଶୁଣ

।।

ପଦ୍ମପୁରାଣର ଏ ବାଣୀ

କହିଅଛନ୍ତି ଯାହା ପୁଣି

।।

 

 

 

 

ଭକ୍ତିକି ଉଦେଶ କରିଣ

ଭୋଗ ତେଜନ୍ତି ଯେଉଁଜନ

।।

ବିଷ୍ଣୁ ଲୋକରେ ସେ ସମ୍ପତ୍ତି

ନିଶ୍ଚଳେ ବହୁତ ଲଭନ୍ତି

।।

ଦ୍ୱାରକା ଆଦିରେ ଯେ ପୁଣି

କ୍ଷେତ୍ରେ ରହିବା ଭକ୍ତି ବାଣୀ

।।

ସ୍କନ୍ଦ ପୁରାଣେ ଅଛି ଯାହା

ସାବଧାନରେ ଶୁଣ ତାହା

।।

 

 

 

 

ସମ୍ବତ୍ସର ଛମାସ ଅବା

ମାସେ ବା ମାସାର୍ଦ୍ଧ ରହିବା

।।

ଦ୍ୱାରକା ରହନ୍ତି ଯେ ଜନ

ସେ ହାଦେ ଚତୁର୍ଭୁଜ ଜାଣ

।।

ପୁରୁଷୋତ୍ତମେ ଏହିମତି

ବ୍ରହ୍ମପୁରାଣେ କହିଛନ୍ତି

।।

ପୁରୁଷୋତ୍ତମ କ୍ଷେତ୍ରେ ଜାଣ

ସମତା ଦଶ ଯେ ଯୋଜନ

।।

 

 

 

 

ତହିଁ ଯେ ବାସ କରିଥାଏ

ଦିଶନ୍ତି ଚତୁର୍ଭୁଜମୟେ

।।

ଆବ୍ରହ୍ମ ଆଦି ଯେ ଚଣ୍ଡାଳ

ସବୁରି ଜାଣ ଚାରି କର

।।

ଦିଶନ୍ତି ମହା ତେଜୋମୟେ

ସ୍ୱର୍ଗେ ଦେଖନ୍ତି ଦେବତାଏ

।।

ଯେ ନିଜ ବ୍ୟବହାରମାନ

ଅଧିକ ଊଣା ବିଧି ଶୁଣ

।।

 

 

 

 

ନାରଦୀୟ ପୁରାଣେ ଏହା

କହିଅଛନ୍ତି ହାଦେ ଯାହା

।।

ଯାର ଯେତେକ ବ୍ୟବହାର

କରିବ ତେତିକି ମାତର

।।

ଅଧିକ ଊଣା ଯେବେ ହୋଇ

 

ତା ପରମାର୍ଥ ନାଶ ଯାଇ

।।

ଆବର ବ୍ରତ ଏକାଦଶୀ

ଭକ୍ତିକି ଶୁଣିବା ବିଶେଷି

।।

 

 

 

 

ଏହା ଯେ ବ୍ରହ୍ମ-ବଇବର୍ତ୍ତେ

କହିଣ ଅଛନ୍ତି ଯୁଗତେ

।।

ସକଳ ପାପ ଯେ ନାଶନ

ଅତ୍ୟନ୍ତ ପୁଣ୍ୟ ହାଦେ ଜାଣ

।।

ଏକାଦଶୀ ଯେ ଉପବାସ

ବ୍ରତରେ ନାହିଁନା ସଦୃଶ

।।

ଅଏଁଳା ଅଶ୍ୱତ୍ଥ ଆଦିରେ

ଆବର ଶୁଣ ସୁବିଚାରେ

।।

 

 

 

 

ଯେ ଅଛି ସ୍କନ୍ଦ ଯେ ପୁରାଣେ

 

ସୁଜନେ ଶୁଣ ସାବଧାନେ

।।

ତୁଳସୀ ଅଏଁଳା ପିପ୍ପଳ

ବୈଷ୍ଣବ ଗୋରୁ ଭୂମୀ ସୁର

।।

ଏହାଙ୍କୁ ପୂଜା ଯେ ପ୍ରମାଣ

ଧ୍ୟାନରେ ନାଶେ ପାପମାନ

।।

ଏ ଯେ ଆରମ୍ଭ ଦଶ ଅଙ୍ଗ

ଭକ୍ତି ଆରମ୍ଭେ ଜାଣ ଆଗ

।।

 

 

 

 

ପୁରାଣମାନଙ୍କର ବୋଲ

ଏଥିର ସିଦ୍ଧାନ୍ତ ଶୁଣିଲ

।।

ସୁଜନେ ବେଗେଣ ବିଚାର

ଭକ୍ତି ଶରଧା ଯେବେ କର

।।

ଯାର ଆରମ୍ଭ ଅଙ୍ଗ ନାହିଁ

ଭକ୍ତି ସାଧନ ତାର କାହିଁ

।।

ଆରମ୍ଭ ଉତ୍ତାରୁ ସାଧନ

ସୁଜନେ କର ସାବଧାନ

।।

କୃଷ୍ଣଚରଣେ ଦେଇ ମତି

ଭୀମ କହଇ ହରିଭକ୍ତି

।୬୫।

ଇତି ଶ୍ରୀହରିଭକ୍ତି ଚନ୍ଦ୍ରୋଦୟେ ବଇଧୀ ସାଧନ ଆରମ୍ଭ ରୂପ

ଦଶ ଅଙ୍ଗ କଥନେ ନାମ ଦଶମୋଽଧ୍ୟାୟ ।

 

ଏକାଦଶ ଅଧ୍ୟାୟ ।

(ବ୍ୟତିରେକ ଦଶ ଅଙ୍ଗ)

ସୁଜନେ ସାବଧାନେ ଶୁଣ

ଶ୍ରୀକୃଷ୍ଣ ଭକ୍ତିର ବିଧାନ

।।

ବ୍ୟତିରେକରେ ଦଶ ଅଙ୍ଗ

ଯେ ଅଛି ଶୁଣ ତହିଁ ମାର୍ଗ

।।

ଅସାଧୁମାନଙ୍କ ସଙ୍ଗର

ତ୍ୟାଗ କରିବାର ବିଚାର

।।

କାତ୍ୟାୟନ ସଂହିତା ବାଣୀ

କହିଅଛନ୍ତି ଯାହା ପୁଣି

।।

 

 

 

 

ଅଗ୍ନିରେ ଦହିଯ୍ୟ ହେବାର

ତାହା ଜାଣିବ ବଡ଼ ଭଲ

।।

ସଉରି ଚିନ୍ତାରେ ବିମୁଖ

ନ ଯିବ ସେ ଜନଙ୍କ ପାଖ

।।

ବିଷ୍ଣୁ ରହସ୍ୟ ଗ୍ରନ୍ଥବାଣୀ

ତାହା ନ ଶୁଣେ ଯେହୁ ପୁଣି

।।

ବ୍ୟାଘ୍ର କୁମ୍ଭୀର ସର୍ପଙ୍କର

ସଙ୍ଗ ଉତ୍ତମଟି ବିଚାର

।।

 

 

 

 

ନାନା ଦେବତା ସେବା କରେ

ସେ ସଙ୍ଗ ତେଜିବ ବେଭାରେ

।।

ଶସ୍ୟମାନଙ୍କ ଅନୁବନ୍ଧ

ଗ୍ରନ୍ଥ ଅଭ୍ୟାସ ବ୍ୟାଖ୍ୟାବାଦ

।।

ଏ ତିନି ତେଜିବାର ପାଇଁ

ସପ୍ତମ ସ୍କନ୍ଧେ ଛନ୍ତି କହି

।।

ଭକ୍ତି ବିରୋଧି ଏହୁ ଜାଣ

ଏ ଘେନି ତେଜିବ ବହନ

।।

 

 

 

 

ଆପଣା ବ୍ୟବହାରେ ପୁଣି

ଦୀନତା ନୋହିବାର ବାଣୀ

।।

ପଦ୍ମପୁରାଣେ ଛନ୍ତି କହି

ଆପଣା ବ୍ୟବହାରେ ଯେହି

।।

ଯେ ନିଜ ଭକ୍ଷ, ଯେ ବସନ

ମିଳିବ ନ ମିଳିବ ପୁଣ

।।

ତହିଁକି ଚିନ୍ତା ନ କରିବି

ଦୀନତା କାହାକୁ ନୋହିବ

।।

 

 

 

 

ବିକଳ ବୁଦ୍ଧି ନ ଧରିଣ

କୃଷ୍ଣଙ୍କୁ କରିବ ଭଜନ

।।

ଶୋକ ଆବର କ୍ରୋଧାଦିରେ

ବଶ ଯେ ନୋହିବ ବେଭାରେ

।।

ଏହି ପଦ୍ମପୁରାଣ ବାଣୀ

ସୁଜନେ ଶୁଣ ପରିମାଣି

।।

ଶୋକ ଯେ କ୍ରୋଧ ତମ ରସ

ଏଥିରେ ବଶ ଯା ମାନସ

।।

 

 

 

 

ମୁକୁନ୍ଦ ସ୍ତୁତି ସମ୍ଭାବନା

ସେମାନ ନୁହଇ ଘଟଣା

।।

ଆନ ଦେବଙ୍କ ନିନ୍ଦାମାନ

ନ କରିବାର ବିଧି ଶୁଣ

।।

ତା ଏହି ପଦ୍ମ ପୁରାଣରେ

କହି ଅଛନ୍ତି ସୁବିଚାରେ

।।

ସକଳ ଦେବଙ୍କ ଈଶ୍ୱର

ଅଟନ୍ତି ପ୍ରଭୁ ଚକ୍ରଧର

।।

 

 

 

 

ତାହାଙ୍କୁ ଆରାଧନା କରି

କାହାରି ନିନ୍ଦା ଯେ ନ କରି

।।

ବ୍ରହ୍ମା ରୁଦ୍ରାଦି ଦେବମାନ

ନିନ୍ଦା ଯେ ନ କରିବ ପୁଣ

।।

ଜୀବଙ୍କ ହିଂସା ଉପଦେଶ

ତେଜିବାର ଶୁଣିବା ମାର୍ଗ

।।

ଯେ ଅଛି ଶ୍ରୀ ମହାଭାରତେ

ଶାନ୍ତି ପର୍ବରେ ସେ ଯୁଗତେ

।।

 

 

 

 

ତାତର ନିଜ ସୁଖଠାରେ

ଯେମନ୍ତ କରୁଣା ବେଭାରେ

।।

ସେହିପ୍ରକାରେ ଜୀବଠାଇଁ

ଯେ ଜାଣ କରୁଣା କରଇ

।।

ତାହାଙ୍କୁ ପ୍ରଭୁ ଯେ ଶ୍ରୀପତି

ବେଗେଣ ପ୍ରସନ୍ନ ହୁଅନ୍ତି

।।

ଜୀବେ ନିଷ୍ଠୁର ବୁଦ୍ଧି ଯାର

ଭକ୍ତି କେବେହେଁ ନୁହେ ତା

।।

 

 

 

 

କୋଟିଏ କଳ୍ପରେ ନୁହଇ

ଯାହାର ଜୀବେ ଦୟା ନାହିଁ

।।

ଜୀବେ ନିରାଶ ବୁଦ୍ଧି ଯାର

ରାକ୍ଷସ ପ୍ରକୃତି ସେ ନର

।।

ତାମସ ଗୁଣେ ଜୀବ ନାଶ

କରନ୍ତି ହୋଇଣ ହରଷ

।।

ସେ ଚିତ୍ତେ ଶ୍ରୀକୃଷ୍ଣର ଭକ୍ତି

କେମନ୍ତେ ହେବ ଉତପତ୍ତି

।।

 

 

 

 

ସେବା ନାମରେ ଅପରାଧ

ତେଜିବା ଶୁଣିବା ସମ୍ବାଦ

।।

ବରାହ ପୁରାଣ ବଚନ

ଯା କହିଛନ୍ତି ଭଗବାନ

।।

ଯେ ମୋ ସେବାରେ ଅପରାଧୀ

ହୁଅନ୍ତି ନୋହି ସଦବୁଦ୍ଧି

।।

ତାହାଙ୍କୁ ବଇଷ୍ଣବ ଜାଣ

ବେଗେ ତେଜିବ ହାଦେ ପୁଣ।।

 

 

 

 

 

ନାମର ଅପରାଧୀ ବାଣୀ

ପଦ୍ମପୁରାଣରେ ଯେ ପୁଣି

।।

ସମସ୍ତ ଅପରାଧ ପୁଣ

ନାମ ଭଜିଲେ ଯାନ୍ତି ଜାଣ

।।

ନାମରେ ଅପରାଧ କଲେ

ତା ପାର ନାହିଁନା କହିଲେ

।।

ସେ ଜାଣ ନରକେ ପଡ଼ନ୍ତି

ଏମନ୍ତ ବୋଲି କହିଛନ୍ତି

।।

 

 

 

 

ଭକ୍ତ ଶ୍ରୀକୃଷ୍ଣଙ୍କ ଆବର

ନିନ୍ଦା ନ ସହିବା ବେଭାର

।।

ଶ୍ରୀଭାଗବତ ଦଶମରେ

ଯା କହି ଅଛନ୍ତି ବିଚାରେ

।।

ଯେ ନିନ୍ଦା କରିବ ପ୍ରଭୁଙ୍କୁ

ଆବର ବୈଷ୍ଣବମାନଙ୍କୁ

।।

ତାହା କେବେହେଁ ନ ସହିବ

ସେ ସ୍ଥଳ ତେଜି ବେଗେ ଯିବ

।।

 

 

 

 

ଯେ ଜାଣି ସେଠାରୁ ନ ଯାନ୍ତି

 

ସକଳ ଧର୍ମ ନାଶ ହୋନ୍ତି

।।

ନରକେ ପଡ଼ନ୍ତି ସେ ପୁଣ

ନିଶ୍ଚେ କରିଣ ଏହା ଜାଣ

।।

ଏ ଯେ ଅଟଇ ଦଶ ଅଙ୍ଗ

ବ୍ୟତିରେକରେ ଜାଣ ଆଗ

।।

ଯେ ଭକ୍ତି ସାଧନ କରିବେ

ଏ ଦଶ ଅଙ୍ଗ ଆଚରିବେ

।।

 

 

 

 

ନୋହିଲେ ନୁହେ ଭକ୍ତି ଜାଣ

 

କହିଅଛନ୍ତି ସାଧୁଜନ

।।

ଶ୍ରୀକୃଷ୍ଣ ଚରଣ ସାରସ

ନିରତେ ଚିନ୍ତିଣ ମାନସ

।।

କହିଲା ଦାସ ଭୀମସେନ

ଶ୍ରୀକୃଷ୍ଣ ଭକ୍ତିର ସାଧନ

।୫୫।

ଇତି ଶ୍ରୀ ହରିଭକ୍ତିଚନ୍ଦ୍ରୋଦୟେ ବୈଧୀସାଧନେ ବ୍ୟତିରେକ

ଦଶ ଅଙ୍ଗ କଥନେ ନାମ ଏକାଦଶୋଽଧ୍ୟାୟ ।

 

୧୨ଶ ଅଧ୍ୟାୟ ।

(ମୂଖ୍ୟନବଧା)

ସୁଜନେ ଶୁଣ ହରି କଥା

ଭକ୍ତିର ସାଧନ ବ୍ୟବସ୍ଥା

।।

ବୈଷ୍ଣବ ଚିହ୍ନ ଯେ ଧାରଣ

ଯେ ବ୍ରହ୍ମପୁରାଣ ବଚନ

।।

ଯେ କଣ୍ଠତଟରେ ତୁଳସୀ

ମାଳାଧରନ୍ତି ଅହର୍ନିଶି

।।

ପଦ୍ମପୁଷ୍କର ମାଳମାନ

ଆବର କଣ୍ଠେ ଯାର ଜାଣ

।।

 

 

 

 

ଊର୍ଦ୍ଧ୍ୱପୁଣ୍ଡ୍ରକ ଲଲାଟରେ

ଶଙ୍ଖ ଚକ୍ରାଙ୍କ ବାହୁମୂଳେ

।।

ଏ ଜାଣ ବଇଷ୍ଣବ ଚିହ୍ନ

ଏହା ଜାଣନ୍ତି ଯେଉଁ ଜନ

।।

ସେ ଜାଣ ବୈଷ୍ଣବ ବୋଲାନ୍ତି

ଏ ମହୀ ପବିତ୍ର କରନ୍ତି

।।

ନାମରେ ଅକ୍ଷର ଧାରଣ

କରିବା ବାଣୀ ଏବେ ଶୁଣ

।।

 

 

 

 

ସ୍କନ୍ଦପୁରାଣେ ଛନ୍ତି କହି

କୃଷ୍ଣ ନାମ ଅକ୍ଷର ଯେହି

।।

ଛାପ ଲେଖନ କରୁଥିବେ

ତିଳକ ଅଙ୍ଗରେ ଧରିବେ

।।

ତାହାଙ୍କୁ ଦେଖି ଯମଦୂତ

ଦୂରହୁଁ ପଳାନ୍ତି ଯୁଗତ

।।

ଏବେ ଯେ ନିର୍ମାଲ୍ୟ ଧାରଣ

 

ମହିମା ଶୁଣ ସାଧୁଜନ

।।

 

 

 

 

ଯେ ଅଛି ସ୍କନ୍ଦପୁରାଣରେ

ଆବର ଶ୍ରୀ ଏକାଦଶରେ

।।

ପ୍ରଭୁଙ୍କ ଉପଭୋଗମାନ

ମାଳ ଅଳଙ୍କାର ବସନ

।।

ଚନ୍ଦନ ଗନ୍ଧ ଆଦି କରି

ଯେ ନିଜ ଅଙ୍ଗେ ଥାନ୍ତି ଧରି

।।

ତାଙ୍କର ନାହିଁ ରୋଗ ଲେଶ

ସକଳ ପାପ ଯାନ୍ତି ନାଶ

।।

 

 

 

 

ପବିତ୍ର ହୁଏ ତାଙ୍କ ଅଙ୍ଗ

ମାୟାର ତରନ୍ତି ସେ ବେଗ

।।

ଏ ତିନି ଅଙ୍ଗ ଯେ ଧାରଣ

ଭକ୍ତି ସାଧନେ ଆଗ ଜାଣ

।।

ଏଥି ଶୁଣିବା ମନ ଦେଇ

ମୁଖ୍ୟ ନବଧା ଯାହା କହି

।।

ପ୍ରଥମେ ସାଧନ ଶ୍ରବଣ

ନାମ ଚରିତ ଗୁଣମାନ

।।

 

 

 

 

ଶୁଣିବା ଶ୍ରବଣ ବିଚାର

ଯାହା ଶୁଣିବା ଶ୍ରବଣର

।।

ତାହା ଯେ ଶୁଣି ନ ଛାଡ଼ିବ

ଚିତ୍ତରେ ଭାବନା କରିବ

।।

ଯେ ନାମ ଶ୍ରବଣ ମହିମା

ଗରୁଡ଼ପୁରାଣେ ଶୁଣିମା

।।

ସଂସାର ସର୍ପରେ ଦଂଶନ

ନଷ୍ଟ ଚେଷ୍ଟିତ ଯେଉଁଜନ

।।

 

 

 

 

କୃଷ୍ଣ ବୋଲିଣ ମନ୍ତ୍ରସାର

ଶୁଣି ତରିବେ ସେହୁ ନର

।।

ଚରିତ ଶ୍ରବଣର ବାଣୀ

ଚତୁର୍ଥସ୍କନ୍ଧେ ଯାହା ଶୁଣି

।।

ସାଧୁଙ୍କ ମୁଖରୁ ଯୁଗତ

ମଧୁସୂଦନଙ୍କ ଚରିତ

।।

ସେ ଯେ ପୀୟୁଷ ସିନ୍ଧୁବାରି

ତା କର୍ଣ୍ଣେ ପାନ ଯେହୁ କରି

।।

 

 

 

 

ତାଙ୍କର ଭୟ ଶୋକମାନ

କ୍ଷୁଧା ଯେ ତୃଷା ସହିତେଣ

।।

ତାହାଙ୍କୁ କେହି ନ ବାଧନ୍ତି

ସେ କୃଷ୍ଣ ଚରଣ ଲଭନ୍ତି

।।

ଶ୍ରବଣେ ଗୁଣ କଥା ଶୁଣ

ଦ୍ୱାଦଶସ୍କନ୍ଧେ ଯେହୁ ପୁଣ

।।

ଯେ କୃଷ୍ଣ ଗୁଣ ନିରନ୍ତରେ

ଶ୍ରବଣ କରନ୍ତି ଶ୍ରଦ୍ଧାରେ

।।

 

 

 

 

ତାଙ୍କର ନିର୍ମଳ ଯେ ଭକ୍ତି

ଶ୍ରୀକୃଷ୍ଣ ଚରଣ ଲଭନ୍ତି

।।

ଯାହା କରିଣ ପରୀକ୍ଷିତ

କୃଷ୍ଣଙ୍କୁ ଲଭିଲେ ଯୁଗତ

।।

ଏବେ କୀର୍ତ୍ତନ ବିଧି ଶୁଣ

ନାମ ଯେ ଲୀଳା ଆଉ ଗୁଣ

।।

ନାମ ତ କୀର୍ତ୍ତନ ବେଭାରେ

ଯେ ଛନ୍ତି ବିଷ୍ଣୁ ଧର୍ମୋତ୍ତରେ

।।

 

 

 

 

କୃଷ୍ଣ ଇତି ମଙ୍ଗଳ ନାମ

ଯାର ବଦନୁ ଜାତ ପୁଣ

।।

ତା ମହାପାତକ କୋଟିଏ

ଭସ୍ମ ସେ ହୁଅନ୍ତି ନିଶ୍ଚୟେ

।।

ଲୀଳା କୀର୍ତ୍ତନର ସିଦ୍ଧାନ୍ତ

ଯେ ସପତମ ଭାଗବତ

।।

ଯେ ସେ ଶ୍ରୀକୃଷ୍ଣ ଲୀଳାମାନ

 

କରନ୍ତି ମୁଖରେ ଗାୟନ

।।

 

 

 

 

ତାହା ଯେଉଁଜନେ ଗୁଣନ୍ତି

ଶ୍ରୀକୃଷ୍ଣ ଚରଣ ଲଭନ୍ତି

।।

ଗୁଣ କୀର୍ତ୍ତନର ବିଧାନ

ପ୍ରଥମସ୍କନ୍ଧେ ଅଛି ଶୁଣ

।।

କବିମାନଙ୍କ ନିରୂପିତ

ଶ୍ରୀକୃଷ୍ଣ ଗୁଣରେ ଯୁଗତ

।।

ତା ଯେହୁ କରନ୍ତି କୀର୍ତ୍ତନ

ଲଭନ୍ତି ଭକ୍ତି ନିଶ୍ଚେ ଜାଣ

।।

 

 

 

 

ଏ ଭାବେ କୀର୍ତ୍ତନ ଯେ ଭକ୍ତି

କରି ତରିଲେ ଶୁକଯତି

।।

ସ୍ମରଣ ଭକ୍ତି ଏ ସାଧନ

ସୁଜନ ସାବଧାନେ ଶୁଣ

।।

ମନର ସମ୍ପଦ ଅଟନ୍ତି

ଯେଣୁ ମାନସେ ସୁମରନ୍ତି

।।

ତା ଏବେ ଶୁଣ ମନଦେଇ

ବିଷ୍ଣୁପୁରାଣେ ଛନ୍ତି କହି

।।

 

 

 

 

ସେ ସବୁ କଲ୍ୟାଣର ସ୍ଥାନ

ଯେ କରେ କୃଷ୍ଣ ସୁମରଣ

।।

ଆହୁରି ପଦ୍ମ ଯେ ପୁରାଣେ

ଯେ ଅଛି ଶୁଣ ସାବଧାନେ

।।

ଗମନେ ଆଗମନେ ଜାଣ

ଯେ କରେ କୃଷ୍ଣ ସୁମରଣ

।।

ସେ ଜାଣ ପାପ ଯେ ସମୂହ

ନାଶନ୍ତି ନାହିଁନା ସନ୍ଦେହ

।।

 

 

 

 

ଯେଉଁ ଭକ୍ତିକି ଜାଣିକରି

ହିରଣ୍ୟସୁତ ଗଲେ ତରି

।।

ଶ୍ରୀମୂର୍ତ୍ତିମାନଙ୍କର ପାଦ

ସେବାର ଶୁଣିବା ସମ୍ବାଦ

।।

ଏ ଆଦି ପୁରାଣର ବାଣୀ

ପ୍ରଭୁ ଯା କହିଛନ୍ତି ପୁଣି

।।

ଯେ ମୋ ପାଦ ସେବା କରେ

ଭକ୍ତି ମୁଁ ଦିଅଇ ତାହାରେ

।।

 

 

 

 

ତାଙ୍କୁ ମୁଁ ନ ଦିଅଇଁ ମୁକ୍ତି

କମଳା କରେ ଯେଉଁ ଭକ୍ତି

।।

ଶ୍ରୀକୃଷ୍ଣ ପୂଜା ଯେ ପ୍ରକାର

ସୁଜନେ ଶୁଣିବା ବିଚାର

।।

ଯେ ଭୁତଶୁଦ୍ଧି ମାତୃକାଦି

ଅମ୍ବର ନ୍ୟାସ ଶୁଦ୍ଧ ବିଧି

।।

ଯେ ଉପଚାର ଦ୍ରବ୍ୟମାନ

ତହିଁରେ କୃଷ୍ଣ ପୂଜା ଜାଣ

।।

 

 

 

 

ଦଶମସ୍କନ୍ଧେ ଛନ୍ତି କହି

ସ୍ୱର୍ଗ ଯେ ଅପବର୍ଗ ଯେହି

।।

ବିବିଧ ଭୋଗ ତହିଁ ଜାଣ

କୃଷ୍ଣପୂଜାରୁ ହୁଏ ପୁଣ

।।

ବିଷ୍ଣୁରହସ୍ୟେ କହିଛନ୍ତି

ଯେ ଜନ କୃଷ୍ଣଙ୍କୁ ପୂଜନ୍ତି

।।

ପରମାନନ୍ଦ ସୁଖାସ୍ପଦ

ଲଭନ୍ତି କୃଷ୍ଣ ପଦ୍ମପାଦ

।।

 

 

 

 

ଯା କରି ପୃଥୁ ନୃପବର

ଲଭିଲେ କୃଷ୍ଣର ପୟର

।।

କୃଷ୍ଣଙ୍କୁ ପ୍ରଣାମ ଭକତି

କରିବା ଶୁଣିବା ଯୁକତି

।।

ଏ ନାରଦୀୟ ପୁରାଣରେ

ଯା କହିଛନ୍ତି ସୁବିଚାରେ

।।

କୃଷ୍ଣଙ୍କୁ ଏକଇ ପ୍ରଣାମ

ଦଶ ଅଶ୍ୱମେଧର ସମ

।।

 

 

 

 

ଦଶ ଅଶ୍ୱମେଧରେ ପୁଣି

ଲେଉଟି ଜନ୍ମନ୍ତି ଅବନୀ

।।

କୃଷ୍ଣ ପ୍ରଣାମି ନୁହେ ଜାତ

ଭକ୍ତି ସେ ଲଭନ୍ତି ଯୁକତ

।।

ଅକ୍ରୁର କରି ଯେଉଁ ଭକ୍ତି

ଲଭିଲେ କୃଷ୍ଣ ପାଦଗତି

।।

କୃଷ୍ଣଙ୍କୁ ଦାସ ଯେ ବେଭାରେ

 

ସେବିବା ଶୁଣିବା ବେଭାରେ

।।

 

 

 

 

ଯେ ନିଜ କର୍ମ ତା ଅର୍ପଣ

ଆବର କିଙ୍କର ଭାବେଣ

।।

ଏ ବେନି ମତେ ଦାସ ହୋଇ

 

ସ୍କନ୍ଦ ପୁରାଣେ ଛନ୍ତି କହି

।।

କୃଷ୍ଣରେ କର୍ମ ସମର୍ପନ୍ତି

ସେ ଭାଗବତ ଧର୍ମ ପାନ୍ତି

।।

ନାରଦପୁରାଣର ବାଣୀ

ଅଛି ଶୁଣିବା ତାହା ପୁଣି

।।

 

 

 

 

ସକଳ ଚେଷ୍ଟା ଯେ ଦାସ୍ୟରେ

 

ମନ ବଚନ କର୍ତ୍ତବ୍ୟରେ

।।

ସେବନ୍ତି କିଙ୍କର ଭାବେଣ

ଜୀବନମୁକ୍ତି ତାଙ୍କୁ ଜାଣ

।।

ଯେ ଭକ୍ତି କରିଣ ମାରୁତୀ

ଲଭିଲେ କୃଷ୍ଣ ପାଦଗତି

।।

ସଖା ଭକ୍ତିର ଏବେ ବିଧି

ସାବଧାନରେ ଶୁଣ ସୁଧୀ

।।

 

 

 

 

ବିଶ୍ୱାସ ମାତ୍ର ବିଧି ଜାଣ

ବେନିପ୍ରକାରେ ସଖା ଗୁଣ

।।

ବିଶ୍ୱାସ ଶ୍ରୀ ମହାଭାରତ

ଯାହା କହିଛନ୍ତି ଯୁକତ

।।

କୃଷ୍ଣ ଯେ ଭକତତାରଣ

ବୋଲି ଯା ଶୁଣୁଅଛ ପୁଣ

।।

ସେହି ବିଶ୍ୱାସ ଧରି ଚିତ୍ତେ

ଭକ୍ତି ଯେ କରନ୍ତି ଯୁଗତେ

।।

 

 

 

 

ବିଶ୍ୱାସ ସଖା ଭାବ ସେହି

ଏଥୁ ଶୁଣିବା ମନଦେଇ

।।

ମିତ୍ର ଯେ ବୃତ୍ତି ସଖା ପୁଣି

ଶ୍ରୀ ଏକାଦଶର ଏ ବାଣୀ

।।

କୃଷ୍ଣର ତହିଁ ମିତ୍ର ଭାବ

ନିଜ ମନରେ ତ କରିବ

।।

ମୋହର ବନ୍ଧୁ ଭଗବାନ

ସେ ବିନୁଁ ନ ଜାଣିବ ଆନ

।।

 

 

 

 

ଏମନ୍ତ ବିଚାର ଯାହାର

ସଖା ଭାବଟି ତାହାଙ୍କର

।।

ଯାହା ସେ କରିଣ ଅର୍ଜୁନ

ଲଭିଲେ ଶ୍ରୀକୃଷ୍ଣ ଚରଣ

।।

ଯେ ଆତ୍ମା ନିବେଦନ ଭକ୍ତି

ଶୁଣିବା ତହିଁର ଯୁକତି

।।

ଭକ୍ତି ବିବେକ ଗ୍ରନ୍ଥ ପୁଣ

ଯା କହିଅଛନ୍ତି ପ୍ରମାଣ

।।

 

 

 

 

ଯେ ନିଜ ଦ୍ରବ୍ୟର ସହିତେ

ସକଳ କର୍ମହିଁ ଯୁଗତେ

।।

ନିଜ ଶରୀର ସହିତେଣ

କୃଷ୍ଣେ କରିବ ନିବେଦନ

।।

ସେହିଠାବରୁ ତାଙ୍କ ରକ୍ଷା

ମନରେ ନ କରିବ ବାଞ୍ଛା

।।

ଆପଣା ଭଲ ମନ୍ଦ ମାନ

କେବେହେଁ ନ କରିବ ମନ

।।

 

 

 

 

ସେ ସବୁ ଜାଣିବ କୃଷ୍ଣର

କାହିଁ ନ ଥିବ ଅଧିକାର

।।

ଯେସନେ ପଶୁବିକା ଜନ

ବିକିବାଯାଏ ଥାଏ ପୁଣ

।।

ବିକିଲେ ତାଙ୍କ ପଣ ଯାଇ

କିଣିବା ଲୋକ ତା ନିଅଇ

।।

ସେହିପ୍ରକାରେ ନିବେଦନ

କରେ ଯେ ଆତ୍ମା ସହିତେଣ।।

 

 

 

 

 

ଆତ୍ମା ନିବେଦନଟି ସେହି

ଯା ଋଷିମାନେ ଛନ୍ତି କହି

।।

ଯାହା କରିଣ ଶେଷଦେବ

ଲଭିଲେ କୃଷ୍ଣ ଭକ୍ତି ଭାବ

।।

ମୋକ୍ଷ ସାଧନ ଏ ନବଧା

ସୁଜନ ଜନେ କର ଶ୍ରଦ୍ଧା

।।

ଏଥିରୁ ଅଙ୍ଗେ ଯେ କରନ୍ତି

ନିଶ୍ଚେ ତାଙ୍କର ହୁଏ ଭକ୍ତି

।।

କୃଷ୍ଣଚରଣେ କରି ଆଶ

କହିଲା ଶିଶୁ ଭୀମଦାସ

।।

ଇତି ଶ୍ରୀ ହରିଭକ୍ତି ଚନ୍ଦ୍ରୋଦୟେ ବୈଧୀସାଧନ ମୋକ୍ଷନବଧା

କଥନେ ନାମ ଦ୍ୱାଦଶୋଽଧ୍ୟାୟଃ ।

 

Unknown

ତ୍ରୟୋଦଶ ଅଧ୍ୟାୟ ।

(ଦର୍ଶନାଦି ଦ୍ୱାଦଶ ଅଙ୍ଗ)

ସୁଜନେ ଶୁଣ ସାଧୁ କଥା

ଭକ୍ତିର ସାଧନ ବ୍ୟବସ୍ଥା

।।

ଶ୍ରୀକୃଷ୍ଣ ସ୍ଥାନକୁ ଗମନ

କହିବା ଭକ୍ତି ଏବେ ଶୁଣ

।।

ସ୍ଥାନ ଗୃହ ଯେ କ୍ଷେତ୍ର ବେନି

ବୋଲିଣ କହିଛନ୍ତି ମୁନି

।।

ଗୃହକୁ କରିବ ଗମନ

ସାଧନ ଅଙ୍ଗ ବିଧି ଶୁଣ

।।

 

 

 

 

ଯେ ହରିଭକ୍ତି ସୁଧୋଦୟେ

ଗ୍ରନ୍ଥରେ ଅଛି ଏ ନିଶ୍ଚୟେ

।।

କୃଷ୍ଣଙ୍କୁ କରିବ ଦର୍ଶନ

ବୋଲି ଯେ କରନ୍ତି ଗମନ

।।

ସେ ଜାଣ ଜନନୀ ଉଦର

ପ୍ରବେଶ ନୁହନ୍ତି ଆବର

।।

କ୍ଷେତ୍ରକୁ ଯିବା କଥା ଶୁଣ

ଯେ ଉପ-ପୁରାଣ ବଚନ

।।

 

 

 

 

ଏ ଭାବ ସଂସାର କାନ୍ତାର

ଏଥିରୁ କରନ୍ତି ନିସ୍ତାର

।।

ଆପଣା ବେନି ଯେ ଚରଣ

ଯେ କରେ ତୀର୍ଥକୁ ଗମନ

।।

ଏବେ ଏ ଦର୍ଶନ ବିଚାର

ସୁଜନେ ସାବଧାନ କର

।।

ଯେ କୃଷ୍ଣ ଦର୍ଶନ କରନ୍ତି

ଆବର ଉତ୍ସବ ଆଳତି

।।

 

 

 

 

ପ୍ରଥମେ ଶ୍ରୀମୂର୍ତ୍ତି ଦର୍ଶନ

ଯେ ଅଛି ବରାହପୁରାଣ

।।

ଶ୍ରୀବୃନ୍ଦାବନରେ ଗୋବିନ୍ଦ

ଯେ ଦେଶେ ହୋଇଣ ଆନନ୍ଦ

।।

ସେ ଯମପୁରକୁ ନ ଯାନ୍ତି

ତାଙ୍କର ହୁଏ ସଦଗତି

।।

ଆଳତି ଦରଶନ ଶୁଣ

ସ୍କନ୍ଦ ପୁରାଣର ବଚନ

।।

 

 

 

 

ଆଳତି ଦର୍ଶନ ଯେ କରେ

କୃଷ୍ଣଙ୍କୁ ସାନନ୍ଦ ଚିତ୍ତରେ

।।

ତାରଟି ବ୍ରହ୍ମହତ୍ୟାମାନ

ନାଶ ହୁଅନ୍ତି ନିଶ୍ଚେ ଜାଣ

।।

ଉତ୍ସବ ଦର୍ଶନର ବାଣୀ

ଭବିଷ୍ୟତରେ ଯାହା ପୁଣି

।।

ଉତ୍ସବ ଗୁଣ୍ଡିଚା ଆଦିରେ

ଦର୍ଶନ କରନ୍ତି ଯେ ନରେ

।।

 

 

 

 

ଚଣ୍ଡାଳ ଆଦିରେ ଯେତେକ

ଦେବତା ହୁଅନ୍ତି ତେତେକ

।।

ପୂଜା ଦର୍ଶନ ଏବେ ଶୁଣ

ଯେ ଅଙ୍ଗ ପୁରାଣ ବଚନ

।।

ପୂଜାରବେଳେ ନରହରି

ଯେହୁ ଦର୍ଶନ ଯାଇଁକରି

।।

ସେ କୋଟି କୋଟି ଫଳମାନ

 

ଲଭନ୍ତି ନିଶ୍ଚେ କରି ଜାଣ

।।

 

 

 

 

ଏ ଭାବେ ଦରଶନ ଅଙ୍ଗ

ସୁଜନଜନେ କର ବେଗ

।।

କୃଷ୍ଣଙ୍କୁ କଲେ ପରିକ୍ରମା

ଅଙ୍ଗର ମହିମା ଶୁଣିମା

।।

ଏ ହରିଭକ୍ତି ସୁଧୋଦୟେ

ଗ୍ରନ୍ଥରେ ଅଛଇ ନିଶ୍ଚୟେ

।।

କୃଷ୍ଣଙ୍କୁ କରେ ପ୍ରଦକ୍ଷିଣ

ଯେ ସେ ଶରଧା ଚିତ୍ତେ ଜାଣ

।।

 

 

 

 

ଲେଉଟି ତାର ଆବର୍ତ୍ତନ

ଭବ ସଂସାରେ ନୋହେ ପୁଣ

।।

ଶ୍ରୀମୂର୍ତ୍ତି ଚରଣ ସ୍ପରଶ

ଆବର ଶୁଣିବା ବିଶେଷ

।।

ଏ ହାଦେ ବିଷ୍ଣୁ ଧର୍ମୋତ୍ତରେ

 

କହିଅଛନ୍ତି ସୁବିଚାରେ

।।

କରିଣ ଅଙ୍ଗର ପବିତ୍ର

ସୁଧା ଯେ କରିଣ ଯୁକତ

।।

 

 

 

 

ଛୁଅନ୍ତି ଶ୍ରୀମୂର୍ତ୍ତି ଚରଣ

ସକଳ ପାପ ନାଶ ଜାଣ

।।

ଯେ ନିଜ କାମନା ତାଙ୍କର

ସିଦ୍ଧ ଯେ ହୁଅଇ ଆବର

।।

ଯେ ଅଙ୍ଗ-ପରିଚର୍ଯ୍ୟା ଜାଣ

ତହିଁ ବିଚାର ଏବେ ଶୁଣ

।।

ଛତ୍ର ଆଲଟ ଯେ ବିଞ୍ଚଣି

ଚାମର ଆଦି ଯେତେ ପୁଣି

।।

 

 

 

 

ଏଥିରେ ଶ୍ରୀକୃଷ୍ଣଙ୍କ ସେବା

ତା ପରିଚର୍ଯ୍ୟା ସେ ଜାଣିବା

।।

ଏଥି ମହିମା ଶୁଣ ପୁଣି

ନାରଦୀୟ ପୁରାଣ ବାଣୀ

।।

ଯେ ହରିମନ୍ଦିରେ ମୁହୂର୍ତ୍ତେ

ଏ ସେବା କରନ୍ତି ଯୁଗତେ

।।

ସେ ନିତ୍ୟ ବଇକୁଣ୍ଠ ବାସ

ସୁଖେଣ ଲଭନ୍ତି ଅବଶ୍ୟ

।।

 

 

 

 

ଛାମୁରେ କରିବ ନର୍ତ୍ତନ

ଅଙ୍ଗ ମହିମା ଏବେ ଶୁଣ

।।

ଦ୍ୱାରକା-ମାହାତ୍ମ୍ୟର ବାଣୀ

ଭକ୍ତି ଭାବରେ ଯେହୁ ପୁଣି

।।

ହୃଷ୍ଟ ହୋଇଣ କରେ ନୃତ୍ୟ

ସେ ପାପ ନାଶନ୍ତି ଯୁଗତ

।।

ଶତ ମନୁର ପାପ ମାନ

ନାଶ ହୁଅନ୍ତି ନିଶ୍ଚେ ଜାଣ

।।

ଆହୁରି ନାରଦ ଉକ୍ତିରେ

ଯେ ଅଛି ଶୁଣିବା ସଧୀରେ

।।

 

 

 

 

ଯେକରେ ଛାମୁରେ ନର୍ତ୍ତନ

ତାଳିକା କରିଣ ବାଦନ

।।

ତାର ପାତକ ପକ୍ଷିମାନେ

ଯେ ବୀଜ କୂପର ବିଧାନେ

।।

ତାଙ୍କ ଦେହରରେ ବସା ପାଇ

 

ବହୁତକାଳୁ ଥାନ୍ତି ରହି

।।

ସେ ତାଳି ଶବଦରେ ପୁଣ

ଉଡ଼ି ପଳାନ୍ତି ନିଶ୍ଚେ ଜାଣ

।।

 

 

 

 

ଧୂପର ମାଳ ସଉରଭ

ଆଘ୍ରାଣ କରିବାର ଭାବ

।।

ଯେ ହରିଭକ୍ତି ସୁଧୋଦୟେ

କହିଅଛନ୍ତି ଯା ନିଶ୍ଚୟେ

।।

ଧୂପର ସଉରଭମାନ

ଆଘ୍ରାଣ କରନ୍ତି ଯେ ଜନ

।।

ଏ ଭବ-ସର୍ପର ଦଂଶନେ

ବିଷେ ଅଚେତ ଯେଉଁଜନେ

।।

 

 

 

 

ସେ ଧୂପଧୂମ ତାକୁ ନାଶ

ନାସାରେ ହୋଇଣ ପ୍ରବେଶ

।।

ଝଡ଼ଇ ଏ ଭବ ଗରଳ

ସେ ସୁଖେ ହୁଅନ୍ତି ନିର୍ମଳ

।।

ମାଳର ସଉରଭ ବାଣୀ

ତନ୍ତ୍ରେ ଯା କହିଛନ୍ତି ପୁଣି

।।

କୃଷ୍ଣର ମାଳ ଯେ ଚନ୍ଦନ

ଆଦି ନିର୍ମାଲ୍ୟ ଗନ୍ଧମାନ

।।

 

 

 

 

ନାସିକା ରନ୍ଧ୍ରରେ ଯାହାର

ଜାଣିବ ତତକାଳ ତାର

।।

ପାପ ଯେ ପଞ୍ଚର ବନ୍ଧନ

ଫିଟଇ ସଂଶୟ ନ ଘେନ

।।

ନୈବେଦ୍ୟ ଚରଣଉଦକ

ଆସ୍ୱାଦ କରିବାର ବାକ୍ୟ

।।

ପଦ୍ମପୁରାଣେ ଛନ୍ତି କହି

କୋଟି ଯାଗର ଫଳ ପାଇ

।।

 

 

 

 

ଜୀବନମୁକ୍ତି ସେହି ଜାଣ

ଯେ କରେ ନିର୍ମାଲ୍ୟ ଭକ୍ଷଣ

।।

ଯେ ଫଳ ପାଦ ଉଦକରେ

ସେ ଏହି ପଦ୍ମପୁରାଣରେ

।।

ଦାନ ଯେ ଯାଗ ଅଧ୍ୟୟନ

ଆବର ଦେବତା ଅର୍ଚ୍ଚନ

।।

ଏଥିରେ ନ ପାଇ ଯା ଦୁଃଖେ

 

ସେ ବିଷ୍ଣୁ ଚରଣଉଦକେ

।।

 

 

 

 

ପରମ ଗତି ସେ ଲଭନ୍ତି

ଯେ ପାଦ ଉଦକ ପିଅନ୍ତି

।।

ଯାନ୍ତେ ଆସନ୍ତେ ନାରାୟଣ

ପଛୋଟି ଯିବା ଫଳ ଶୁଣ

।।

ବ୍ରହ୍ମାଣ୍ଡ ପୁରାଣର ବାଣୀ

ଯାନ୍ତେ ଆସନ୍ତେ ଚକ୍ରପାଣି

।।

ଯେ ଜାଣ ପାଛୋଟିଣ ଯାନ୍ତି

 

ସେ ସର୍ବ ପାତକ ନାଶନ୍ତି

।।

 

 

 

 

ଯାତ୍ରାସମୟମାନଙ୍କର

ଗହଣେ ଥିବାର ବିଚାର

।।

ଭବିଷ୍ୟତର ଗ୍ରନ୍ଥବାଣୀ

ଯାତ୍ରାସମୟେ ଚକ୍ରପାଣି

।।

ଆଗେ କି ପଛ ପଟୋୟାରେ

 

ଯେ ଜାଣ ଥାନ୍ତି ଗହଣରେ

।।

ଚଣ୍ଡାଳ ଆଦି ଜନ୍ମମାନ

ସମସ୍ତେ ବିଷ୍ଣୁର ସମାନ

।।

 

 

 

 

ଉତ୍ସବ ହରିର ମନ୍ଦିରେ

ଯେ କରେ ବିଭବାନୁସାରେ

।।

ଏ ପଦ୍ମପୁରାଣର ବାଣୀ

ଯ କରେ ମହୋତ୍ସବ ପୁଣି

।।

ସାନନ୍ଦେ ହରିର ମନ୍ଦିରେ

ସେ ଲୋକମାନଙ୍କୁ ନିତ୍ୟରେ।।

।।

ନିରତେ ହୋଏ ମହୋତ୍ସବ

ଏକଥା ଜାଣ କରି ଧ୍ରୁବ

।।

 

 

 

 

ଜନ୍ମ ଦିବସ ଯାତ୍ରାମାନ

କରିବା ଅଙ୍ଗ ଏ ବିଷମ

।।

ଭବିଷ୍ୟତର ଗ୍ରନ୍ଥ ବାଣୀ

କହି ଅଛନ୍ତି ଯାହା ପୁଣି

।।

ଯେବଣ ଦିନରେ ଜନମ

ଦେବକୀ ସୁତ ଭଗବାନ

।।

ସେ ଦିନ-ମାନଙ୍କେ ଉତ୍ସବ

କରନ୍ତେ ପ୍ରଭୁ ବାସୁଦେବ

।।

 

 

 

 

ବେଗେଣ ହୁଅନ୍ତି ପ୍ରସନ୍ନ

ଏଥି ସଂଶୟ ନାହିଁ ଜାଣ

।।

ଏ ଅଧ୍ୟ ଦ୍ୱାଦଶ ଅଙ୍ଗରେ

ସମ୍ପୂର୍ଣ୍ଣ ହୋଇଲା ବେଭାରେ।।

।।

ସୁଜନମାନେ ଚିତ୍ତେ ଧରି

ଏହା ଯେ କରିବ ବିଚାରି

।।

ପ୍ରଭୁ ଅଛନ୍ତି ଯେତେଠାରେ

କ୍ଷେତ୍ର ଯେ ତୀର୍ଥମାନଙ୍କରେ

।।

 

 

 

 

ନୀଳକନ୍ଦର ବୃନ୍ଦାବନ

ଆଦିରେ ଯେତେକଟି ଜାଣ

।।

ଯହିଁରେ ଯେତେ ରୂପ ଧରି

ପ୍ରଭୁ ଅଛନ୍ତି ବିଜେ କରି

।।

ଶ୍ରୀ ମୂର୍ତ୍ତିମାନଙ୍କରଠାରେ

ଆଦରେ କରିବ ବେଭାରେ

।।

କହଇ ଦାସ ଭୀମସେନ

ଶ୍ରୀକୃଷ୍ଣ ଭକ୍ତି ଯେ ସାଧନ

।।

କୃଷ୍ଣ ଚରଣେ କରି ଆଶ

କହେ ସାଧନ ଭକ୍ତି ରସ

।।

ଇତି ଶ୍ରୀ ହରିଭକ୍ତିଚନ୍ଦ୍ରୋଦୟେ ବୈଧୀସାଧନେ କୃଷ୍ଣ ଦର୍ଶନାଦି

ଦ୍ୱାଦଶାଙ୍ଗ କଥନେ ନାମ ତ୍ରୟୋଦଶୋଽଅଧ୍ୟାୟ ।

 

ଚତୁର୍ଦ୍ଦଶ ଅଧ୍ୟାୟ।

(ଜପାଦି ଦଶଅଙ୍ଗ ।)

ସୁଜନେ ସାବଧାନ କର

ଶ୍ରୀକୃଷ୍ଣ ଭକ୍ତିର ବିଚାର

।।

ମନ୍ତ୍ରକୁ ଜପିବା ବିଧାନ

ପଦ୍ମ ପୁରାଣେ ଯାହା ଶୁଣ

।।

ଶୁଦ୍ଧ ଭାବରେ ବସି କରି

ସୁଲଘୁ କରିଣ ଉଚ୍ଚାରି

।।

ଯେ କୃଷ୍ଣ ମନ୍ତ୍ର ଜପ କରେ

ସେ ମୋକ୍ଷ ହୁଅନ୍ତି ବେଭାରେ।।

 

 

 

 

 

ଧ୍ୟାନ ଅଙ୍ଗର ବିଶେଷେଣ

ରୂପ ଯେ ଗୁଣ କ୍ରୀଡ଼ମାନ

।।

ପ୍ରଥମେ ରୂପ ଧ୍ୟାନ ପୁଣି

ନରସିଂହପୁରାଣ ବାଣୀ

।।

ଭଗବାନଙ୍କ ପାଦ ଧ୍ୟାନ

ଯେ କରେ ନିଷ୍ପାପୀ ସେଜନ।।

।।

ଶୁଣ ଧ୍ୟାନର ଫଳ ଯେହି

ଯା ବିଷ୍ଣୁ ଧର୍ମେ ଛନ୍ତି କହି

।।

 

 

 

 

ଯେ କରେ କୃଷ୍ଣ ଗୁଣ ଧ୍ୟାନ

ସେ ଲଭେ ଶ୍ରୀକୃଷ୍ଣ ଚରଣ

।।

କ୍ରୀଡ଼ା ଧ୍ୟାନରେ ଯେହୁ ଫଳ

ପଦ୍ମପୁରାଣର ବିଚାର

।।

କୃଷ୍ଣର କ୍ରୀଡ଼ା ଯେ ଯୁଗତ

ମାଧୁର୍ଯ୍ୟ ସାର ଅଦଭୂତ

।।

ଧ୍ୟାନ କରନ୍ତି ଯେଉଁଜନ

ଭବ ବନ୍ଧରୁ ମୋକ୍ଷ ଜାଣ

।।

 

 

 

 

କୃଷ୍ଣର ସ୍ତବ ସ୍ତୋତ୍ର ଯେତେ

ଗୀତା ଆଦିରେ ଯେ ଯୁକତେ।।

।।

ପଠନ କରିବାର ବାଣୀ

ସ୍କନ୍ଦ ପୁରାଣେ ଯାହା ପୁଣି

।।

ଶ୍ରୀକୃଷ୍ଣ ସ୍ତବ-ରତ୍ନମାନ

ଯା ଜିହ୍ୱା ଅଳଙ୍କୃତ ଜାଣ

।।

ତାହାଙ୍କୁ ସ୍ୱର୍ଗରେ ଅମରେ

ବନ୍ଦନ କରନ୍ତି ବେଭାରେ

।।

 

 

 

 

ନୃସିଂହ ପୁରାଣରେ ଜାଣ

ଆବର ଅଛି ଯେ ବଚନ

।।

ମଧୁସୂଦନଙ୍କ ଛାମୁରେ

ସ୍ତବ ପଠନ ଯେହୁ କରେ

।।

ସେ ସର୍ବ ପାପ ବିନାଶିଣ

ବିଷ୍ଣୁ ଲୋକେ କରେ ଭ୍ରମଣ

।।

ଗୀତ ଯେ ଗାୟନ ଅଙ୍ଗର

ସୁଜନେ ଶୁଣିବା ବିଚାର

।।

 

 

 

 

ଲିଙ୍ଗ ପୁରାଣେ ଛନ୍ତି କହି

ଭଗବାନଙ୍କ ନାମ ଯେହି

।।

ଆବର ଶୁଣ ଲୀଳାମାନ

ଗୀତରେ କରନ୍ତି ଗାୟନ

।।

ସାଲୋକ୍ୟ ମୁକ୍ତ ସେ ହୁଅନ୍ତି

ଯେ କୃଷ୍ଣ ମହିମା ଗାବନ୍ତି

।।

କୃଷ୍ଣର କୃପା ରକ୍ଷା କରେ

ଯେ ସେ ନିରତେ ମାନସରେ।।

।।

 

 

 

 

ତାହା ଶୁଣିବା ମନଦେଇ

ବ୍ରହ୍ମା ସ୍ମୃତିରେ ଛନ୍ତି କହି

।।

ଦଶମସ୍କନ୍ଧ ଭାଗବତେ

କହିଣ ଅଛନ୍ତି ଯୁଗତେ

।।

ଆପଣା କର୍ମର ବିପାକ

ଭୁଞ୍ଜୁ ଥାଆନ୍ତି ପୁଣ ଲୋକ

।।

କୃଷ୍ଣର କୃପା ହେବ ମୋତେ

ବୋଲି ବିଚାରୁ ଥିବ ଚିତ୍ତେ

।।

 

 

 

 

ମୁକ୍ତି ପଦରେ ଯେ ପ୍ରମାଣ

ତାଙ୍କର ଅଧିକାର ଜାଣ

।।

କୃଷ୍ଣେ କରିବ ବିଜ୍ଞାପନା

ଭକ୍ତିର ଶୁଣିମା ମହିମା

।।

ଯେ ଜାଣେ ବିଜ୍ଞାପନା ଭକ୍ତି

ତିନି ଯେ ପ୍ରକାର ହୁଅନ୍ତି

।।

ପ୍ରଥମେ ପ୍ରାର୍ଥନା ଆତ୍ମିକା

ଲାଳସା ଦଇନି ବୋଧିକା

।।

 

 

 

 

ପ୍ରାର୍ଥନା ଆତ୍ମୀକାର ଶୁଣ

ପଦ୍ମପୁରାଣେ ଯେ ବଚନ

।।

ନିଜ ଯେ ଯୁବତୀର ଚିତ୍ତ

ଆପଣା ଯୁବାରେ ଯେମନ୍ତ

।।

ଯୁବାର ଯୁବତୀରଠାରେ

ମନ ଯେମନ୍ତ ପରକାରେ

।।

ସେହି ପ୍ରକାରେ ବିଜ୍ଞାପନ

କୃଷ୍ଣେ କରିବ ନିବେଦନ

।।

 

 

 

 

ଲାଳସମୟୀର ଯେ ବାଣୀ

ଲକ୍ଷଣ ଶୁଣିବାକ ପୁଣି

।।

ନାରଦ ପଞ୍ଚ ଯେ ରାତ୍ରରେ

କହିଅଛନ୍ତି ଯା ବେଭାରେ

।।

କୃଷ୍ଣ ଛାମୁରେ ବିଜ୍ଞାପନ

ଯେ କରେ ଏମନ୍ତ ଭାବିଣ

।।

ହେ ପ୍ରଭୁ ମୁଁ କେଉଁ ଦିନରେ

ଗୋପରେ ଯମୁନାର ତୀରେ।।

।।

 

 

 

 

ନାମ ଗାୟନ କରି ମୁହିଁ

ଅଶ୍ରୁ ପୁଲକ ଥିବି ହୋଇ

।।

ଆବର କରୁଥିବି ନୃତ୍ୟ

ନାମରେ ହୋଇ ଉନମତ୍ତ

।।

ଲାଳସାମୟୀ ଏହା କହି

ଏଥୁ ଶୁଣିବା ମନ ଦେଇ

।।

ଦୈନ୍ୟ ବୋଧିକା ବିଜ୍ଞାପନା

ଯେ ତହିଁ ଲକ୍ଷଣ ଶୁଣିମା

।।

 

 

 

 

ମୋ ସମ ନାହିଁ ପାପୀ ଜନ

ମୁଁ ବହୁ ଅପରାଧୀ ପୁଣ

।।

ଏହା ଯେ ପରିହାର ପାଇଁ

ମୁଁ କିସ କହିବି ଗୋସାଇଁ

।।

ତୁମ୍ଭେତ ଅଟ ଅନ୍ତର୍ଯ୍ୟାମୀ

କୋଟି ଯେ ବ୍ରହ୍ମାଣ୍ଡର ସ୍ୱାମୀ

।।

ଏ ତିନି ଭାବେ ବିଜ୍ଞାପନ

ଯେ କୃଷ୍ଣେ କରେ ନିବେଦନ।।

।।

 

 

 

 

ତାଙ୍କର ଫଳ ହାଦେ ଶୁଣ

ଯେ ସ୍କନ୍ଦ ପୁରାଣ ବଚନ

।।

ମୋକ୍ଷ ଯେ ଦ୍ୱାର ଅରଗଳ

ସେ ଜାଣ ଫେଡ଼ନ୍ତି ନିକର

।।

ଆପଣା ପ୍ରିୟ ଦ୍ରବ୍ୟମାନ

ନିବେଦନର ଭକ୍ତି ଶୁଣ

।।

ଶ୍ରୀ ଭାଗବତ ଏକାଦଶେ

ଶ୍ରୀମୁଖ ଆଜ୍ଞା ଏ ବିଶେଷେ

।।

 

 

 

 

ସେ ଜାଣ ପ୍ରିୟ ଦ୍ରବ୍ୟମାନ

ମୋତେ କରନ୍ତି ନିବେଦନ

।।

ସେ ଦ୍ରବ୍ୟ ଅଗଣିତା ହୋଇ

ସେ ଲୋକମାନଙ୍କର ହୋଇ।।

।।

ତଦର୍ଥ ଅଖିଳ ଯେ କର୍ମ

କରିବା ଭକ୍ତି ଏବେ ଶୁଣ

।।

ନାରଦ ପଞ୍ଚରାତ୍ର ବାଣୀ

ଯା ହାଦେ କହିଛନ୍ତି ପୁଣି

।।

ବେଦ ଯେ କର୍ମମାନ ଯେତେ

ଲୌକିକ କର୍ମ୍ମଟି ଯୁଗତେ

।।

 

 

 

 

ହରିଭକ୍ତକି ଅନୁକୂଳ

କରିଣ କରିବା ସକଳ

।।

ତହିଁରୁ ଭକ୍ତି ହୁଏ ଜାତ

ଏ ହାଦେ ଅଟଇ ଯୁଗତ

।।

ଶରଣାଗତର ବିଧାନ

ସୁଜନେ ସାବଧାନେ ଶୁଣ

।।

ନରସିଂହ ପୁରାଣ ବାଣୀ

ଶ୍ରୀମୁଖେ କହିଛନ୍ତି ପୁଣି

।।

 

 

 

 

ହେ ଦେବ ଦେବ ଜନାର୍ଦନ

ମୁହିଁ ଯେ ତୁମ୍ଭର ପ୍ରପନ୍ନ

।।

ଏମନ୍ତ ମନେ ବିଚାରନ୍ତି

ଯେ ମୋତେ ଶରଣ ପଶନ୍ତି

।।

ତାଙ୍କୁ ସକଳ କ୍ଳେଶୁଁ ପୁଣ

ଉଦ୍ଧରି ନିଅଇ ପ୍ରମାଣ

।।

କୃଷ୍ଣର ପ୍ରିୟ ଯେ ଯୁଗତେ

ତୁଳସୀ ଭକ୍ତି ଶାସ୍ତ୍ରଯେତେ

।।

 

 

 

 

ମଥୁରା ବୈଷ୍ଣବର ଆଦି

ସେବାର ଶୁଣ ଫଳବିଧି

।।

ପ୍ରଥମେ ତୁଳସୀ ସେବନ

ସ୍କନ୍ଦ ପୁରାଣେ ଯାହା ଶୁଣ

।।

ତୁଳସୀ ନବଧା ଯେ ଭକ୍ତି

ଶୁଣିବା ସ୍ଥିର କରି ସତି

।।

ଦର୍ଶନ ସ୍ପରଶ ଯେ ଧ୍ୟାନ

ଶ୍ରବଣ କୀର୍ତ୍ତନ ରୋପଣ

।।

 

 

 

 

ସେବା କରିବା ଦଣ୍ଡବତ

ଆବର ପୂଜା ଯେ ଯୁଗତ

।।

ଏ ଭାବେ ଭକ୍ତି ଯେ ନବଧା

ଯେ କରେ କରି ବହୁ ଶ୍ରଦ୍ଧା

।।

ସେ ଯୁଗ ସହସ୍ର କୋଟିଏ

ବସନ୍ତି ଯାଇଁ ହରି ଗୃହେ

।।

ଭକ୍ତି ଯେ ଶାସ୍ତ୍ର କଥା ଶୁଣ

ସ୍କନ୍ଦ ପୁରାଣର ବଚନ

।।

 

 

 

 

ଭକ୍ତିର ଶାସ୍ତ୍ର ଯେ ଶୁଣନ୍ତି

ଯେ ତାହା ପଢ଼ନ୍ତି ଗୁଣନ୍ତି

।।

ଧନ୍ୟ ମାନବ ସେହୁ ଜାଣ

ପ୍ରସନ୍ନ ହୋନ୍ତି ଭଗବାନ

।।

ବୈଷ୍ଣବ ଶାସ୍ତ୍ର ଘରେ ଯାର

ଅଛନ୍ତି ଅପାପୀ ସେ ନର

।।

ସେ ଘରେ ପ୍ରଭୁ ଭଗବାନ

ସ୍ୱୟଂ ବିଜୟେ ବୋଲି ଜାଣ

।।

 

 

 

 

ମଥୁରାମଣ୍ଡଳର ବାଣୀ

ବ୍ରହ୍ମାଣ୍ଡପୁରାଣେ ଯେ ପୁଣି

।।

ନବଧା ଭକ୍ତି ମଥୁରାର

ଭକ୍ତିରେ ତରନ୍ତି ସେ ନର

।।

ମଥୁରା ଶ୍ରବଣ କୀର୍ତ୍ତନ

ବାଞ୍ଛିତ ଆବର ସ୍ମରଣ

।।

ପୋଷିବ ଆପଣାର ଜୀବ

ସ୍ପରଶ ଆଶେଣ ସେବିବ

।।

 

 

 

 

ଏ ନବ ପ୍ରକାର ବିଚାର

ଯେ କରେ ମଥୁରାମଣ୍ଡଳ

।।

ତାଙ୍କର ଭକ୍ତି ହୋଏ ପୁଣ

ଲଭନ୍ତି ଶ୍ରୀକୃଷ୍ଣ ଚରଣ

।।

ବୈଷ୍ଣବମାନଙ୍କର ସେବା

ସ୍କନ୍ଦ ପୁରାଣେ ଯା ଶୁଣିବା

।।

ଯେ ଶଙ୍ଖ ଚକ୍ରରେ ଅଙ୍କିତ

ବରାହ ଚୂଳରେ ଶୋଭିତ

।।

 

 

 

 

ଗୋପୀ ଚନ୍ଦନ ଲିପିତାଙ୍ଗ

ଦର୍ଶନେ ନାଶେ ପାପସଂଘ

।।

ଆବର ପ୍ରଥମ ସ୍କନ୍ଧରେ

ଯେ ଅଛି ଶୁଣିବା ସଧୀରେ

।।

ବୈଷ୍ଣବମାନଙ୍କ ସ୍ମରଣ

ମାତ୍ରକେ ଶୁଦ୍ଧ ଗୃହ ଜାଣ

।।

ତାଙ୍କର ଦର୍ଶନ ସ୍ପରଶ

ପାଦ ଧଉତର ବିଶେଷ

।।

 

 

 

 

ଆବର ଆସନ ସେବନ

ଏଥିର କହିବ କେ ପୁଣ୍ୟ

।।

ଆହୁରି ଶୁଣିବା ସୁଜନେ

ଯେ ଅଛି ଆଦି ଯେ ପୁରାଣେ।।

 

ଅର୍ଜୁନେ କହନ୍ତି ଗୋସାଇଁ

ଶୁଣ ଅର୍ଜୁନ ମନଦେଇ

।।

ଯେ ମୋର ଭକ୍ତି କରେ ଜନ

 

ସେ ମୋର ଭକ୍ତ ନୁହେ ଜାଣ

।।

 

 

 

 

ମୋ ଭକ୍ତମାନଙ୍କର ଯେହି

ସେବା କରନ୍ତି ଭକ୍ତ ସେହି

।।

ବୈଷ୍ଣବମାନଙ୍କ ବିଚାର

ପୁରାଣେ ଅଛଇ ଅପାର

।।

ଗୀତ ବିସ୍ତାର ହେବ ବୋଲି

ଭୟ କରିଣ ନ କହିଲି

।।

ଦଶ ଯେ ଅଙ୍ଗ ଏ ଅଧ୍ୟାରେ

ଯେବା ଯେ ଅଙ୍ଗର ଆଦିରେ।।

।।

 

 

 

 

ସାଧନ ଭକ୍ତି ଏହୁ ଜାଣ

ସୁଜନେ କର ସାବଧାନ

।।

ଚତୁର୍ଦ୍ଦଶ ଯେ ଅଧ୍ୟା ଜାଣ

ଏଠାରୁ ହୋଇଲା ସମ୍ପୂର୍ଣ୍ଣ

।।

କୃଷ୍ଣଚରଣ ବେନି ଚିନ୍ତି

ଭୀମ କହଇ ହରିଭକ୍ତି

।୧୦୦।

ଇତି ଶ୍ରୀ ହରିଭକ୍ତିଚନ୍ଦ୍ରୋଦୟେ ବୈଧୀସାଧନେ ଜପଆଦି

ଦଶଅଙ୍ଗ କଥନେ ନାମ ଚତୁର୍ଦ୍ଦଶୋଽଧ୍ୟାୟ ।

 

ପଞ୍ଚଦଶ ଅଧ୍ୟାୟ ।

(ଉର୍ଜାଦି ଦଶଅଙ୍ଗ)

ସୁଜନେ ଶୁଣ ସାଧୁ କଥା

ଭକ୍ତିର ସାଧନ ବ୍ୟବସ୍ଥା

।।

କାର୍ତ୍ତିକ ମାସକୁ ଆଦର

କରିବ ଅଙ୍ଗର ବିଚାର

।।

ପଦ୍ମପୁରାଣେ ଅଛି ଯାହା

ଶୁଣିବା ସାବଧାନେ ତାହା

।।

ଦାମୋଦରଙ୍କୁ ଯେବେ ଯୁତ

ଜନ ଯେ ଅଟନ୍ତି ଭକତ

।।

 

 

 

 

ସେହି ପ୍ରକାରେ ମାସଠାରେ

ଆଦର ଯେଉଁ ଜନ କରେ

।।

ସ୍ନାନ ହବିଷ୍ୟ ପୂଜା ଆଦି

ଦୀପ ସହିତେ ଯେତେ ବିଧି

।।

କରନ୍ତେ ଭକ୍ତି ହୁଏ ଜାତ

ଏ ହାଦେ ଅଟଇ ଯୁଗତ

।।

ଶ୍ରୀ ଭାଗବତେ ଯେ ଆସ୍ୱାଦ

।।

କରିବା ଶୁଣିବା ସମ୍ବାଦ

।।

ପ୍ରଥମସ୍କନ୍ଧେ ଅଛି ଯାହା

ଶୁଣିବା ସାବଧାନେ ତାହା

।।

 

 

 

 

ବେଦ ଯେ କଳ୍ପତରୁ ବର

ଶ୍ରୀ ଭାଗବତ ତହିଁ ଫଳ

।।

ଅମୃତ ଦ୍ରବରେ ସଂଯୁତ

ଶୁକ ମୁଖରୁ ଉପଗତ

।।

ସେ ରସ ପୁଣ ପୁଣ କରି

ଭାବୁକେ ପିଅ ତା ବିଚାରି

।।

ଆଳୟ ମୋକ୍ଷ ପରିଯନ୍ତେ

କହିଣ ଅଛନ୍ତି ଯୁଗତେ

।।

 

 

 

 

ଆହୁରି ଶୁଣ ମନ ଦେଇ

ଏହି ପ୍ରଥମେ ଛନ୍ତି କହି

।।

ଶୁକଦେବଙ୍କର ଉକତ

ଶ୍ରୀ ଭାଗବତ ଯେ ଚରିତ

।।

ଯେ ତାହା ପଢ଼ନ୍ତି ଶୁଣନ୍ତି

ସେ ଭବବନ୍ଧ ବିନାଶନ୍ତି

।।

ସ୍ୱଜାତୀୟ ବୈଷ୍ଣବ ସଙ୍ଗ

ହେବାର ଶୁଣିବା ସେ ଅଙ୍ଗ

।।

 

 

 

 

ଚତୁର୍ଥସ୍କନ୍ଧ ଭାଗବତେ

ଯା କହି ଅଛନ୍ତି ଯୁକତେ

।।

ସ୍ୱଜାତୀୟ ସାଧୁଙ୍କ ସଙ୍ଗ

ଯେ ଜନମାନେ ହୋନ୍ତି ବେଗ

।।

ସେ କାଳ କ୍ଷଣକ ତାଙ୍କର

ମହିମା କହିବ କେ ଆର

।।

ତହିଁକି ସମ ନୋହେ ସ୍ୱର୍ଗ

ଆବର ଜାଣ ଅପବର୍ଗ

।।

 

 

 

 

ଆହୁରି ଶୁଣିବା ନିଶ୍ଚୟେ

ଯେ ହରିଭକ୍ତି ସୁଧୋଦୟେ

।।

ସ୍ୱଜାତି ସାଧୁଙ୍କ ବିଚାର

ସେ ଜାଣ ମଣିର ପ୍ରକାର

।।

ଯେମନ୍ତ ଏକ ଜାତି ମଣି

ମାଳରେ ଶୋଭା ପାନ୍ତି ପୁଣି

।।

ମିଶ୍ରିତ ହେଲେ ଶୋଭା ନୋହି

ଏ ହାଦେ ସ୍ୱରୂପ ଅଟଇ

।।

 

 

 

 

ତହିଁରେ ଆହୁରି ବିଚାର

ଏକା ଯେ ଗୁଣ ତାହାଙ୍କର

।।

ଯେମନ୍ତେ ମାଳି ଏକ ଗୁଣେ

ଭିନ୍ନ ରଜ୍ଜୁରେ ହୋନ୍ତି ଭିନ୍ନେ

।।

ସେହି ପ୍ରକାରେ ଏକ ଗୁଣ

ଏକ ଧର୍ମରେ ସଙ୍ଗ ଜାଣ

।।

ଆବର ନାମ ଯେ କୀର୍ତ୍ତନ

କରିବା ଅଙ୍ଗ ବିଧି ଶୁଣ

।।

 

 

 

 

ଆଦିପୁରାଣର ଏ ବାଣୀ

ପ୍ରଭୁ ଯା କହିଛନ୍ତି ପୁଣି

।।

ଅତ୍ୟନ୍ତ ଅନୁରାଗବଶେ

ହରଷେ ଅର୍ଜ୍ଜୁନଙ୍କ ପାଶେ

।।

ମୋର ସନ୍ନିଧ୍ୟେ ଯେଉଁ ଜନ

ମୋ ନାମ କରନ୍ତି କୀର୍ତ୍ତନ

।।

ସେ ଲୋକମାନଙ୍କ ଅଗ୍ରତ

ମୁଁ ଜାଣ ହୁଅଇ ଯୁକତ

।।

 

 

 

 

ଆହୁରି ପଦ୍ମ ଯେ ପୁରାଣେ

ଯେ ଅଛି ଶୁଣ ସାବଧାନେ

।।

ସହସ୍ର ଜନ୍ମ ହାଦେ ଜାଣ

ଯେ ସେବେ ଶ୍ରୀକୃଷ୍ଣଚରଣ

।।

ତାଙ୍କର ମୁଖେ ହରି ବାଣୀ

ନିରତେ ଜାତ ହୁଏ ପୁଣି

।।

ଯେ ଚିନ୍ତାମଣି କୃଷ୍ଣ ନାମ

ଚୈତନ୍ୟ ରସ ରୂପ ଜାଣ

।।

 

 

 

 

ବିଶୁଦ୍ଧ ନିତ୍ୟ ପୂର୍ଣ୍ଣ ମୁକ୍ତ

ରୂପର ଅଭିନ୍ନ ଯୁଗତ

।।

ଯେରୂପ ପ୍ରଭୁ ଭଗବାନ

ସେହି ପ୍ରକାରେ ନାମ ଜାଣ

।।

ନାମ ରୂପରେ ଭେଦ ନାହିଁ

ଯେ ନାମ ରୂପ ଜାଣ ସେହି

।।

ନାମ ଡାକିଲେ ମିଳେ ରୂପ

ଏ ହାଦେ ଦେଖୁଛ ସ୍ୱରୂପ

।।

 

 

 

 

ଅବନୀ ମଧ୍ୟେ ଭାବଗ୍ରାହୀ

ନାମରୂପରେ ଛନ୍ତି ରହି

।।

ଏ ଘେନି ନାମ ଆଶ୍ରେ କର

ହେଳେ ହୋଇବ ଭବୁ ପାର

।।

ମଥୁରାମଣ୍ଡଳ ସେବନ

ଅଙ୍ଗର ଶୁଣିବା ବିଧାନ

।।

ପଦ୍ମପୁରାଣର ଯେ ବାଣୀ

ସୁଜନେ ଶୁଣ ପରିମାଣି

।।

 

 

 

 

ଆନ ଯେ କ୍ଷେତ୍ରମାନଙ୍କର

ମୁକ୍ତି ଲଭନ୍ତି ଜାଣ ନର

।।

ଯେ ପୁଣ ମୁକ୍ତି-ଜନମାନ

ସେ ଜାଣ ମଥୁରା ଭୁବନ

।।

ଶ୍ରୀକୃଷ୍ଣ ଭକ୍ତି ରକ୍ଷା କରି

ଲଭନ୍ତି ଥାଇଁ ମଧୁପୁରୀ

।।

ମଥୁରାମଣ୍ଡଳରେ ଥିଲେ

ସକଳ ସିଦ୍ଧି ହୋଇ ଭଲେ

।।

 

 

 

 

ମୋକ୍ଷ ସହିତେ ଚତୁର୍ବର୍ଗ

ଆବର ହୋଏ ଭକ୍ତିଯୋଗ

।।

ଧନ୍ୟ ସେ ମଥୁରାଭୁବନ

ବୈକୁଣ୍ଠ ବଡ଼ ବୋଲି ଜାଣ

।।

ତହିଁରେ ଦିନେକ ଯେ ରହେ

ଶ୍ରୀକୃଷ୍ଣ ଭକ୍ତି ସିଦ୍ଧ ହୁଏ

।।

ଅଣଷଠୀ ଯେ ଅଙ୍ଗ ଜାଣ

ଏଠାକୁ ହୋଇଲା ସମ୍ପୂର୍ଣ୍ଣ

।।

 

 

 

 

ଯେ ପାଞ୍ଚ ଅଙ୍ଗର ବିଚାର

ଦୁର୍ଲ୍ଲଭ ଗୁଣ ତାହାଙ୍କର

।।

ଆଶ୍ଚର୍ଯ୍ୟ ଗୁଣ ଅଛି ତହିଁ

ଅଳ୍ପ ସାଧନେ ସିଦ୍ଧ ହୋଇ

।।

ସେବା ଯେ ଶ୍ରୀ ମୂର୍ତ୍ତିର ପାଦ

 

ଶ୍ରୀଭାଗବତର ଆସ୍ୱାଦ

।।

ସ୍ୱଜାତି ସାଧୁସଙ୍ଗ ଜାଣ

ଆବର ନାମ ଯେ କୀର୍ତ୍ତନ

।।

 

 

 

 

ମଥୁରା ମଣ୍ଡଳରେ ବାସ

ଏ ପାଞ୍ଚ ଅଙ୍ଗରେ ବିଶେଷ

।।

ଅଛଇ ଯେଣୁ କରି ଜାଣ

ସୁଜନେ ଭିନ୍ନେ ତାହା ଶୁଣ

।।

ଶ୍ରୀ ମୂର୍ତ୍ତି ଦୁର୍ଲ୍ଲଭ ଯୁଗତ

ଅଟନ୍ତି ଯଶୋଦାଙ୍କ ସୂତ

।।

ନବୀନ ଘନ ଯେ ସୁନ୍ଦର

କଳିତ ଚାରୁ ପୀତାମ୍ବର

।।

 

 

 

 

ବିଳାସ ମୁରଲି ଧାରଣ

ଶିଖି ଶିଖଣ୍ଡଚୂଳ ଜାଣ

।।

କଦମ୍ବ ବନରେ ସଞ୍ଚାର

ଭୀମ ଭଜଇ ନିରନ୍ତର

।।

ଶ୍ରୀମୂର୍ତ୍ତି ଦୁର୍ଲ୍ଲଭ ଏ ଜାଣ

ସେବିବ ତାଙ୍କର ଚରଣ

।।

ଶ୍ରୀଭାଗବତର ମଧ୍ୟରେ

ଦଶମ ଦୁର୍ଲ୍ଲଭ ବେଭାରେ

।।

 

 

 

 

ଯହିଁର ପଦମାନଙ୍କର

ଗୁଣିଲେ ଅକ୍ଷର ନିକର

।।

ପରମ ଶୁଭ ଜାଣ ହୋଇ

ଆବର ଚଉବର୍ଗ ପାଇ

।।

ଶ୍ରୀକୃଷ୍ଣ ଭକ୍ତି ହୁଏ ଜାଣ

ଲଭନ୍ତି ଶ୍ରୀକୃଷ୍ଣ ଚରଣ

।।

ସ୍ୱଜାତି ସାଧୁରେ ଦୁର୍ଲ୍ଲଭ

ସୁଜନେ ଜାଣି ସଙ୍ଗ ଲଭ

।।

 

 

 

 

ଯେଉଁ ସାଧୁଙ୍କ କଳେବର

ସ୍ୱେଦ ଜଳରେ ଜରଜର

।।

ନୟନଜଳରେ ଧଉତ

ପୁଲକ ପଟଳେ ମଣ୍ଡିତ

।।

ପ୍ରଫୁଲ୍ଲ ଅଧର ତାଙ୍କର

ଆବର ଗଦଗଦ ସ୍ୱର

।।

ନିରତେ ହୁଏ କମ୍ପମାନ

ଏ ଭାବେ ଯାହାର ଲକ୍ଷଣ

।।

 

 

 

 

ହୋଇବ ତାଙ୍କର ସଙ୍ଗତ

ତାଙ୍କ ସ୍ପରଶେ ଭକ୍ତି ଜାତ

।।

ନାମକୀର୍ତ୍ତନ ଏବେ ଶୁଣ

ଗୀତ ଗାଥାରେ ଯେଟି ନାମ।।

 

ପ୍ରଭୁ ତ ଆଜ୍ଞା ଦେଇଛନ୍ତି

ଯେ ମୁଖେ ପଢ଼ନ୍ତି ଶୁଣନ୍ତି

।।

ଯେ ଅବା କରନ୍ତି ଶ୍ରବଣ

ତାଙ୍କୁ ସମାନ ନାହିଁ ଜାଣ

।।

 

 

 

 

ତହିଁର ମହିମା ଅନେକ

ଗୀତେ ମୁ ଲେଖିବି କେତେକ।।

 

ମଥୁରାମଣ୍ଡଳ ବିଶେଷ

ଶୁଣିବା ହୋଇଣ ହରଷ

।।

ଯମୁନା ତଟ ବୃନ୍ଦାବନ

ତହିଁ କଦମ୍ବ ବୃକ୍ଷମାନ

।।

ବିବିଧ ତରୁଲତା ମାନେ

ତହିଁରେ ଅଛନ୍ତି ସୁଘନେ

।।

 

 

 

 

ବିବିଧ କୁସୁମେ ମଞ୍ଜୁଳ

ମଧୁପ ଝଙ୍କାରେ ଚହଳ

।।

ପବନେ ସୁଗନ୍ଧ ଚହଟ

କୋକିଳ ବଚନେ ଉଚ୍ଚାଟ

।।

ଏମନ୍ତ ଯେଉଁ ବୃନ୍ଦାବନ

ମଥୁରା ଦୁର୍ଲ୍ଲଭ ସେ ଜାଣ

।।

କୃଷ୍ଣର ଲୀଳା ଭୂମୀ ସେହି

ନିତ୍ୟ ପ୍ରକାଶ ଅଛି ଉଇଁ

।।

 

 

 

 

ତା ଜାଣ ଦର୍ଶନ ମାତ୍ରକେ

ଭକ୍ତି ଲଭନ୍ତି ଜାଣ ସୁଖେ

।।

ତହିଁରେ କରିବଟି ସ୍ଥିତି

ଲଭିବ ଶ୍ରୀକୃଷ୍ଣଙ୍କ ଭକ୍ତି

।।

ଏ ଅଧ୍ୟା ଦଶ ଅଙ୍ଗ ଜାଣ

ସୁଜନେ ହୋଇଲା ସମ୍ପୂର୍ଣ୍ଣ

।।

ଏ ଜାଣ ଅଙ୍ଗ ଚଉଷଠୀ

ବଇଧୀ ସାଧନ ଯେ ଏଟି

।।

କହିଲା ଶିଶୁ ଭୀମ ଦାସ

କୃଷ୍ଣ ଚରଣେ କରି ଆଶ

।୯୦।

ଇତି ଶ୍ରୀ ହରିଭକ୍ତିଚନ୍ଦ୍ରୋଦୟେ ବୈଧ ସାଧନେ ଉର୍ଜାଦି

ଦଶଅଙ୍ଗ କଥନେ ନାମ ପଞ୍ଚଦଶୋଽଧ୍ୟାୟ ।

 

୧୬ଶ ଅଧ୍ୟାୟ ।

ଏଥୁ ଅନ୍ତରେ ସାବଧାନେ

ଶୁଣିମା ସାଧୁଜନମାନେ

।।

ସାଧନ ବଇଧି ଭକ୍ତିର

ଯେ ଚଉଷଠିଅଙ୍ଗ ତାର

।।

ସେ ଚଉଷଠି ଅଙ୍ଗ ଜାଣ

ଅଛନ୍ତି ଯେତେ ଫଳମାନ

।।

ପୁରାଣମାନଙ୍କେ ଅଛନ୍ତି

ଯା ଋଷିମାନେ କହିଛନ୍ତି

।।

 

 

 

 

ସେ ଫଳ ବେନି ଯେ ଲକ୍ଷଣ

ମୁଖ୍ୟ ଗଉଣ ଭାବେ ଜାଣ

।।

ମୁଖ୍ୟ ଯେ ଫଳ ଶୁଣ ତହିଁ

ଶ୍ରୀକୃଷ୍ଣ ଭକ୍ତି ସବୁ ଥାଇ

।।

ଗଉଣ ଫଳ ହାଦେ ଜାଣ

ଯହିଁରେ ଆନ ଫଳମାନ

।।

ତହିଁର ଶୁଣିମା ବିଚାର

ସେ ଜାଣ କାରଣ ଭକ୍ତିର

।।

 

 

 

 

ଭକ୍ତି ହୁଅନ୍ତି ତହୁଁ ଜାତ

ଏହାଦେ ଅଟଇ ଯୁଗତ

।।

ସେ ଭକ୍ତି ଅଣୁଗତ କର୍ମ

ଭକ୍ତି ବିରୋଧ ନୁହେ ଜାଣ

।।

ଭକ୍ତି ସାଧନେ ଅନୁକୂଳ

ଅଟନ୍ତି ଜାଣ ସେହୁ ଫଳ

।।

ଏ ଘେନି କରି ତା ବିଚାରି

ସାଧନ ଅଙ୍ଗ ଛନ୍ତି କରି

।।

 

 

 

 

ଏଣୁ ସକଳ ଅଙ୍ଗଙ୍କର

ଶ୍ରୀକୃଷ୍ଣ ଭକ୍ତି ମୁଖ୍ୟ ଫଳ

।।

ଆହୁରି ଶୁଣିବା ବିଚାରି

ସୁଜନେ ସାବଧାନ କରି

।।

ଯେ ସେ ଗଉଣ ଫଳମାନ

ଅଛନ୍ତି ଯେଉଁ ଅଙ୍ଗେ ଜାଣ

।।

ସାଧନେ ଛନ୍ତି ତାହା କହି

ସବୁରି ପ୍ରବର୍ତ୍ତିବା ପାଇଁ

।।

 

 

 

 

ନାନାପ୍ରକାରେ ପ୍ରବର୍ତ୍ତିବେ

ସାଧନେ କ୍ଳେଶ ନ ଲଭିବେ

।।

ଯେ ଯେଉଁ ଅଙ୍ଗ ଇଚ୍ଛା କରି

ଆନହେ ଲଭିବେ ବିଚାରି

।।

ଅଳ୍ପ ସାଧନେ କରି ମତି

ଲଭିବେ କୃଷ୍ଣ ପାଦେ ଭକ୍ତି

।।

ଏଥିରେ ସଂଶୟ ନ ଘେନ

ଏ ଜାଣ ସିଦ୍ଧାନ୍ତ ବଚନ

।।

 

 

 

 

ଯେ ସେ ସାଧନ ନ କରିବେ

 

ସେ କର୍ମ୍ମମାର୍ଗେ ହାଦେ ଥିବେ

।।

ପ୍ରଭୁ ତା ଛନ୍ତି ଆଜ୍ଞା ଦେଇ

ଶ୍ରୀ ଭାଗବତେ ଛନ୍ତି କହି

।।

ମୋ କଥା ଶ୍ରବଣ କୀର୍ତ୍ତନ

ସ୍ମରଣ ପଦ ଯେ ସେବନ

।।

ଅର୍ଚ୍ଚନ ବନ୍ଦନ ଆଦିରେ

ଯେ ଭକ୍ତି ସାଧନ ବେଭାରେ

।।

 

 

 

 

ଏଥିରେ ଶ୍ରଦ୍ଧା ପାଏ ପୁଣି

କ୍ରମେ କରିବେ ହାଦେ ପ୍ରାଣୀ

।।

ଏଥି ଉତ୍ତାରୁ ଏବେ ଶୁଣ

ସୁଜନେ ହୋଇ ସାବଧାନ

।।

ଜ୍ଞାନ ବୈରାଗ୍ୟ ଅଙ୍ଗ କରି

ଭକ୍ତିରେ ନ କଲେ ବିଚାରି

।।

ସେ ଚିତ୍ତ କଠିନ କାରଣ

ଭକ୍ତି ନୁହନ୍ତି ତହୁଁ ଜାଣ

।।

 

 

 

 

ଚିତ୍ତ କଠିନ ଯାର ହୁଏ

ତହିଁରେ କୃଷ୍ଣ ଭକ୍ତି ନୋହେ

।।

ଯେ କୃଷ୍ଣ ଭକ୍ତିର ବିଚାର

ସେ ଜାଣ ଅତ୍ୟନ୍ତ କୋମଳ

।।

ଜ୍ଞାନ ବୈରାଗ୍ୟ ଆଦି ଜାଣ

ଭକ୍ତିରୁ ହୁଅନ୍ତି ଏ ପୁଣ

।।

ଶ୍ରୀ ଏକାଦଶେ ଭାବଗ୍ରାହୀ

ଶ୍ରୀମୁଖେ ଛନ୍ତି ଏହା କହି

।।

 

 

 

 

ମୋର ଭକ୍ତିରୁ ଜାଣ ଜାତ

ଏ ସର୍ବେ ହୁଅନ୍ତି ଯୁଗତ

।।

ଯମ ନିୟମ ଆଦି ଯୋଗ

ବ୍ରତ ତପସ୍ୟା ତୀର୍ଥ ଭାଗ

।।

ଜ୍ଞାନ ବୈରାଗ୍ୟ ଆଦି ଜାଣ

ଶାନ୍ତ ଶଉଚ ଦାତା ପୁଣ

।।

ଅକ୍ରୋଧ ଅହିଂସା ଆବର

ଅକାମୀଦୟା ଅମତ୍ସର

।।

 

 

 

 

ଏ ସର୍ବ ଭକ୍ତିରୁ ହୁଅନ୍ତି

ଏମନ୍ତ ଆଜ୍ଞା ଦେଇଛନ୍ତି

।।

ଭକ୍ତି ସାଧନ ଲୋକଠାରେ

ଏଜାତ ହୁଅନ୍ତି ବେଭାରେ

।।

କୃଷ୍ଣ ଭଗତ ଜାଣ ଯେହି

ତାଙ୍କ ସହଜ ଗୁଣ ଏହି

।।

ଏ ଯେ ସାଧନ ନୋହେ ଜାଣ

ତାଙ୍କରି ଛାଏଁ ହ୍ୱନ୍ତି ପୁଣ

।।

 

 

 

 

ଏ ଘେନି ଋଷି ଏମାନଙ୍କୁ

ଅଙ୍ଗ ନ କଲେ ସାଧନକୁ

।।

ଭକ୍ତି ସହଜ ଗୁଣ ଏହି

ଏଥୁ ଶୁଣିବା ମନ ଦେଇ

।।

ଏ ଭକ୍ତି ଏକ ଯେ ମୁଖ୍ୟାଙ୍ଗୀ

 

ଆବର ହୁଏ ବହୁଳାଙ୍ଗୀ

।।

ବାସନା ଅନୁସାରେ କରି

ଆଶ୍ରେ କରନ୍ତି ଅଧିକାରୀ

।।

 

 

 

 

ଏକାଙ୍ଗେ ଅଧିକାରୀ ପୁଣ

ଏହା ଯେ ସାବଧାନେ ଶୁଣ

।।

ନାମ ଶ୍ରବଣେ ପରୀକ୍ଷିତ

କୀର୍ତ୍ତନେ ବ୍ୟାସଙ୍କର ସୁତ

।।

ସ୍ମରଣେ ପ୍ରହଲାଦ ଜାଣ

ପାଦ ସେବାରେ ଲକ୍ଷ୍ମୀ ପୁଣ

।।

ପୂଜା ଭକ୍ତିରେ ପୃଥୁଙ୍କର

ସ୍ତୁତି ବନ୍ଦନରେ ଅକ୍ରୂର

।।

 

 

 

 

ଦାସ୍ୟଭାବରେ ହନୁମାନ

ସଖା ଭାବରେ ଅରଜୁନ

।।

ନିବେଦନରେ ଶେଷଦେବ

ଏଭାବେ କୃଷ୍ଣ ଭକ୍ତିଭାବ

।।

ଏକ ଅଙ୍ଗକୁ ଆଶ୍ରେ କରି

ସାଧନେ ଯାଇଛନ୍ତି ତରି

।।

ଏକାଙ୍ଗୀ ବୋଲି ତାଙ୍କୁ ଜାଣ

ଯେ ବହୁଳାଙ୍ଗୀ ଭକ୍ତି ଶୁଣ

।।

 

 

 

 

ବହୁତ ଅଙ୍ଗ ଆଶ୍ରେ କରି

ସେବା କରନ୍ତେ ନରହରି

।।

ସେ ବହୁଳାଙ୍ଗୀ ଭକ୍ତି ଜାଣ

ତହିଁର ଶୁଣିବା ବଚନ

।।

ନବମସ୍କନ୍ଧେ ଛନ୍ତି କହି

ବହୁଳାଙ୍ଗୀ ଲକ୍ଷଣ ଏହି

।।

କୃଷ୍ଣ ଚରଣେ ଥାଇ ମନ

ବଚନେ କରନ୍ତି କୀର୍ତ୍ତନ

।।

 

 

 

 

ଶ୍ରବଣ କରନ୍ତି ଶ୍ରୁତିରେ

ଦଣ୍ଡପ୍ରଣାମ କରି ଶିରେ

।।

ଆବର କୃଷ୍ଣର ମନ୍ଦିର

ମାର୍ଜ୍ଜନାକରେ ଘେନି କର

।।

ଦର୍ଶନ କରନ୍ତି ନେତ୍ରରେ

ବୈଷ୍ଣବ ସ୍ପରଶ ଗାତ୍ରରେ

।।

ଆଘ୍ରାଣ କରନ୍ତି ପ୍ରସାଦ

କ୍ଷେତ୍ରକୁ ଗମେ ତାଙ୍କ ପାଦ

।।

 

 

 

 

କାମନା କରେ ଦାସ୍ୟଭାବ

ଏଭାବେ ଯେବଣ ବୈଷ୍ଣବ

।।

ଭକ୍ତି ସାଧନ ଜାଣ କରି

ସେ ବହୁଳାଙ୍ଗୀ ଅଧିକାରୀ

।।

ଏ ହାଦେ ବଇଧୀ ସାଧନ

ବିଚାର ହୋଇଲା ସମ୍ପୂର୍ଣ୍ଣ

।।

କୃଷ୍ଣ ଚରଣେ କରି ଆଶ

କହିଲା ଶିଶୁ ଭୀମ ଦାସ

।।୬୪।।

ଇତି ଶ୍ରୀହରିଭକ୍ତିଚନ୍ଦ୍ରୋଦୟେ ବୈଧସାଧନ ଭକ୍ତି ବିଚାର

ସମ୍ପୂର୍ଣ୍ଣେ ନାମ ଷୋଡ଼ଶୋଽଧ୍ୟାୟଃ ।

 

Unknown

୧୭ଶ ଅଧ୍ୟାୟ ।

(ରାଗାନୁଗା ସାଧନ, ରାଗାତ୍ମିକ ଲକ୍ଷଣ ।)

ଏଥିଉତ୍ତାରୁ ସାବଧାନେ

ଶୁଣିବା ସାଧୁଜନମାନେ

।।

ଶ୍ରୀକୃଷ୍ଣ ସାଧନ ଭକ୍ତିରେ

ସେ ବେନି ପ୍ରକାର ବେଭାରେ।।

।।

ବଇଧି ରାଗାନୁଗା ବୋଲି

ଯାହା ଆଦ୍ୟରେ କହିଥିଲି

।।

ଯେ ତହିଁ ବଇଧି ସାଧନ

ତାହା ତ କଲ ସାବଧାନ

।।

 

 

 

 

ଏବେ ଏ ରାଗାନୁଗା ଭକ୍ତି

ଶୁଣିବା ସ୍ଥିର କରି ମତି

।।

ପୁରାଣମାନଙ୍କ ଗୁପତ

ଯେ ସେ ଭକ୍ତିର ମୂଳ ତତ୍ତ୍ୱ

।।

ସାଧନମାନଙ୍କର ସାର

ଅଟଇ ଏଥିର ବିଚାର

।।

କୃଷ୍ଣରେ ଅତ୍ୟନ୍ତ ନିଘନ

ଅଟଇ ଏଥିର ସାଧନ

।।

 

 

 

 

ତାହା ଜଗତ ହିତ ପାଇଁ

ଭାଷା ଗୀତରେ କହିବଇଁ

।।

ଏ ଘେନିକରି ସାଧୁଜନ

ଏ ମୋର ଦୋଷ ଯେ ନ ଘେନ।।

।।

ଯେ ରାଗାନୁଗା ସାଧନର

ବିଚାର ସାବଧାନ କର

।।

ସେ ରାଗାନୁଗା ଭକ୍ତି ଜାଣ

ଷଡ଼ ପ୍ରକାରେ ହୁଏ ପୁଣ

।।

 

 

 

 

ପ୍ରଥମେ ରାଗାତ୍ମିକା ହୋଇ

ରାଗ ପ୍ରଧାନ ଜାଣ ତହିଁ

।।

କୃଷ୍ଣରେ ରାଗାତ୍ମିକା ଜାଣ

ସେ ଘେନି ରାଗାତ୍ମିକ ନାମ

।।

ତହିଁକି ଅନୁଗତ ଯେହି

ତାହାକୁ ରାଗାନୁଗା କହି

।।

କାମ ସମ୍ପଦେ ଯେ ଭଜନ

ତାହାକୁ କାମରୂପା ଜାଣ

।।

 

 

 

 

ତାହାର ଅନୁଗତ ଯେହି

ଜାଣିବ କାମାନୁଗା ସେହି

।।

ସମ୍ବନ୍ଧ ଭାବେ ଯେ ବିଚାର

ସମ୍ବନ୍ଧରୂପା ନାମ ତାର

।।

ତାହାଙ୍କ ଅନୁଗତ ଯେହି

ସମ୍ବନ୍ଧାନୁଗା ତାକୁ କହି

।।

ଏଭାବେ ଷଡ଼ଅଙ୍ଗ ଜାଣ

ରାଗାନୁଗାର ଯେ ପ୍ରମାଣ

।।

 

 

 

 

ଏ ଷଡ଼ ଅଙ୍ଗଙ୍କର ତହିଁ

ରାଗ ପ୍ରଧାନ ସବୁଠାଇଁ

।।

ଯାର ଯେମନ୍ତ ଅନୁରାଗ

କୃଷ୍ଣ ଚରଣେ ହୁଏ ବେଗ

।।

ତାଙ୍କର ସେହି କ୍ରମେ ଜାଣ

ସିଦ୍ଧ ହୁଅନ୍ତି ଏହୁ ପୁଣ

।।

ତା ଏବେ ଏକ ଏକ କରି

ସୁଜନେ ଶୁଣିବା ବିଚାରି

।।

 

 

 

 

ପ୍ରଥମେ ରାଗାତ୍ମିକା ଶୁଣ

ରାଗ ପ୍ରଧାନ ତହିଁ ଜାଣ

।।

କୃଷ୍ଣ ଚରଣେ ଅନୁରାଗ

ଯହିଁରେ ଅତ୍ୟନ୍ତ ସଂଯୋଗ

।।

ତାହା ଇଚ୍ଛାଏ ଥାଇ ହୋଇ

ଯା ସ୍ୱାଭାବିକ ରାଗ କହି

।।

ତହିଁର ଗୁଣ ଅଧିକାରୀ

ନିତ୍ୟ ଯେ ଶିକ୍ଷା ଗୋପନାରୀ।।

।।

 

 

 

 

ସେ ନିତ୍ୟ ଗୋଲୋକ ମଣ୍ଡଳେ

ଅଛନ୍ତି କୃଷ୍ଣ ସନ୍ନିଧିରେ

।।

ମୁକୁନ୍ଦ ଭକ୍ତ ଜାଣ ସେହି

ନିତ୍ୟ ହୋଇଣ ଛନ୍ତି ରହି

।।

ନିରତେ କୃଷ୍ଣର ସେବାରେ

ଅଛନ୍ତି ଯନ୍ତ୍ରର ବିଚାରେ

।।

ଯେ ଯାହା ସେବା ସେ ଆବୋରି

କୃଷ୍ଣ ଚରଣେ ହାଦେ କରି

।।

 

 

 

 

ସପ୍ରେମ ନୟନେ ଅନାଇ

ମନ ଲୋଚନ କୃଷ୍ଣେ ଦେଇ

।।

କୃଷ୍ଣରୁ ନ ଜାଣନ୍ତି ଆନ

କୃଷ୍ଣ ରାଗରେ ତାଙ୍କ ପ୍ରାଣ

।।

ଈଶ୍ୱର ଭାବେ ଅନୁରାଗ

ନିରତେ କରିଣ ସଂଯୋଗ

।।

ସେ ଦାସୀ ଭାବର ବିଚାରେ

 

ସେବା କରନ୍ତି ନିରନ୍ତରେ

।।

 

 

 

 

ସେ ରାଗ ବେଳୁ ବେଳୁ ପୁଣ

 

ବଢ଼ଇ ନୁହଇ ନିଊନ

।।

ବ୍ରହ୍ମଆନନ୍ଦ ସୁଖମାନ

କିଞ୍ଚିତ ପ୍ରାୟେ ତାଙ୍କୁ ଜାଣ

।।

ପରମାନନ୍ଦ ପ୍ରମେ ସୁଖ

ଭାବରେ ହୋଇ ସେ ଉତ୍ସୁକ

।।

କୋଟୀ ସଂହାରମାନ ଗଲେ

ନିମିଷ ନୋହେ ତାଙ୍କୁ ଭଲେ

।।

 

 

 

 

କୃଷ୍ଣର ସନ୍ନିଧ୍ୟୁ ଅନ୍ତର

କ୍ଷଣେହେଁ ନାହିଁ ତାହାଙ୍କର

।।

ପ୍ରଭୁଙ୍କୁ କ୍ଷଣେ ନ ଛାଡ଼ନ୍ତି

ଯହିଁ ଶ୍ରୀକୃଷ୍ଣ ତହିଁ ଥାନ୍ତି

।।

ଯେ ସେ ଶ୍ରୀକୃଷ୍ଣ ସଙ୍ଗତରେ

ଜନମ ଲଭିଲେ ଗୋପରେ

।।

ଗୋକୁଳବାସିଗଣ ତୁଲେ

ପ୍ରଭୁଙ୍କ ସଙ୍ଗତେ ରମିଲେ

।।

 

 

 

 

ପ୍ରଭୁଙ୍କଠାରେ ଅନୁରାଗ

ସେହି ଯେ ପ୍ରକାରେ ସଂଯୋଗ

।।

ସେହି ପ୍ରକାରେ ତାଙ୍କ ଜ୍ଞାନ

ତହିଁରୁ ନାହିଁ ଜାଣ ଆନ

।।

ବହୁତ କାଳ ଗୋପେ ଥିଲେ

ଅନେକ ଲୀଳାମାନ କଲେ

।।

ପୁଣି ଶ୍ରୀକୃଷ୍ଣ ସଙ୍ଗତରେ

ନିତ୍ୟ ଗୋଲୋକେ ବିଜେ କଲେ

।।

 

 

 

 

ଯେ ସେ ଶ୍ରୀକୃଷ୍ଣ ଅନୁରାଗୀ

ନିରତେ ଭଗବାନ ସଙ୍ଗୀ

।।

ସେ ଏ ଭକ୍ତିର ଅଧିକାରୀ

ସେ ନିତ୍ୟସିଦ୍ଧା ଗୋପନାରୀ

।।

ଏ ଭକ୍ତି ତାଙ୍କ ବିନୁ ଆନ

କାହାରି ନାହିଁ ନିଶ୍ଚେ ଜାଣ

।।

ଯେଉଁ ଭକ୍ତିକି ନିରନ୍ତରେ

ନାରଦ ଇଚ୍ଛନ୍ତି ମନରେ

।।

 

 

 

 

ଉଦ୍ଧବ ଅକ୍ରୂର ଆବର

ଚିନ୍ତା କରନ୍ତି ନିରନ୍ତର

।।

ମନୁଷ୍ୟ ମାତ୍ରକେଶ ଜାଣ

କାହାର ହୋଇବ ସେ ଗୁଣ

।।

କେବଳ ସାଧନ ବିଚାରେ

କହିଲି ଭକ୍ତି ସଙ୍ଗତରେ

।।

ଏହା ଯେ ନ କହିଲେ ପୁଣ

ସାଧନ ହ୍ୱନ୍ତା ଅଙ୍ଗହୀନ

।।

 

 

 

 

ଗ୍ରନ୍ଥ ଯେ ନୁହନ୍ତା ସଙ୍ଗତ

ଏ ଘେନି କହିଲି ଯୁଗତ

।।

ଆବର ରାଗାନୁଗା ଭକ୍ତି

ତହିଁର ନୁହନ୍ତି ସଙ୍ଗତି

।।

ଏହି ଭକ୍ତିକି ଅନୁଗତ

ରାଗାନୁଗାହି ଯେ ଯୁଗତ

।।

ଏ ଘେନି କହିଲଇଁ ଜାଣ

ଗୁଣାତ୍ମୀକାର ଏ ଲକ୍ଷଣ

।।

ନିତ୍ୟେ ସାଧିଣ ଚରଣରେ

ଭୀମ ଭଜଇ ନିରନ୍ତରେ

।।୬୧।।

ଇତି ଶ୍ରୀହରିଭକ୍ତିଚନ୍ଦ୍ରୋଦୟେ ରାଗାନୁଗା ସାଧନେ

ରାଗାତ୍ମିକ ଲକ୍ଷଣୋ ନାମ ସପ୍ତଦଶୋଽଧ୍ୟାୟଃ ।

 

୧୮ଶ ଅଧ୍ୟାୟ ।

(ରାଗାନୁଗା ଭକ୍ତି ।)

ଏଥି ଉତ୍ତାରୁ ଏବେ ଶୁଣ

ସାବଧାନରେ ସାଧୁଜନ

।।

ସାଧନେ ରାଗାନୁଗା ଭକ୍ତି

ବିଚାରେ ଶୁଣ ଦେଇ ମତି

।।

ଏ ଜାଣ ଅତ୍ୟନ୍ତ ଗୁପତ

ଯେ ସେ ଭକ୍ତିର ଶୁଣି ତତ୍ତ୍ୱ

।।

ଗୁରୁ ବଚନ ବିନୁ ଆନ

ଜାଣି ନୁହଇ ଏହା ଜାଣ

।।

 

 

 

 

ଉପଦେଶର ଏ ବିଚାର

ସାଧନମାନଙ୍କର ସାର

।।

ଏଥିରେ ପ୍ରଭୁ ଭଗବାନ

ବଶ ହୁଅନ୍ତି ବେଗେ ଜାଣ

।।

କୃଷ୍ଣଙ୍କ ଅତ୍ୟନ୍ତ ଯେ ପ୍ରୀତି

ଅଟଇ ରାଗାନୁଗା ଭକ୍ତି

।।

ତହିଁର ଶୁଣିବା ବିଧାନ

ସୁଜନେ ହୋଇ ସାବଧାନ

।।

 

 

 

 

ରାଗାତ୍ମିକାକୁ ଅନୁଗତ

ଏଥିର ସାଧନ ଯୁଗତ

।।

ସେ ଘେନି ରାଗାନୁଗା ନାମ

ଯେ ଜାଣ ସାଧନ ଉତ୍ତମ

।।

ଯେ ରାଗାତ୍ମିକା ଅଧିକାରୀ

ନିତ୍ୟ ଯେ ସିଦ୍ଧା ଗୋପନାରୀ।।

।।

ତାଙ୍କ ଚରିତ ଶୁଣ ଚିତ୍ତେ

ଭାବନା କରି ତା ଯୁଗତେ

।।

 

 

 

 

ସେହି ଭାବରେ ଲୋଭୀ ହୋଇ

ମନ କର୍ତ୍ତବ୍ୟ ତହିଁ ଦେଇ

।।

ସେ ନ ଜାଣନ୍ତି ଶାସ୍ତ୍ର ରୀତି

କେବଳ ସେହିଭାବେ ମତି

।।

ବେଳକୁ ବେଳ ଯେ ଉଦ୍ଧତ

ସେହି ରାଗରେ ହୁଏ ଚିତ୍ତ

।।

ଏମନ୍ତ ସାଧକର ଚିତ୍ତେ

ଶ୍ରଦ୍ଧା ଯେ ହୁଅନ୍ତେ ଯୁଗତେ

।।

 

 

 

 

ଆପଣା ଦେହ ଶୁଦ୍ଧ କରି

ଆବର ଗୋପୀ ବେଶ ଧରି

।।

ଗନ୍ଧ ଚନ୍ଦନେ ସୁବାସିତ

ପବିତ୍ର କରି ନିଜ ଗାତ୍ର

।।

ଏକାକୀ ହୋଇଣ ବିଜନେ

ବସି ଆନନ୍ଦ ପ୍ରେମ ମନେ

।।

ଇନ୍ଦ୍ରିୟମାନଙ୍କୁ ନିରୋଧି

ନିର୍ମ୍ମଳ କରି ନିଜ ବୁଦ୍ଧି

।।

 

 

 

 

ମନ ଲୋଚନ ଏକ କରି

ଗୋପୀଙ୍କ ରୂପ ଅନୁସରି

।।

ସେହି ଗୋପୀଙ୍କି ମନେ ଧ୍ୟାୟି

ଧ୍ୟାନରେ ତଦାକାର ହୋଇ

।।

ତାଙ୍କ ଆକାର ଧରି କରି

ପ୍ରବେଶ ହୁଏ ନିତ୍ୟସ୍ଥଳୀ

।।

ସେହି ଗୋପୀଙ୍କ ସଙ୍ଗତରେ

ରହନ୍ତି କୃଷ୍ଣ ସନ୍ନିଧିରେ

।।

 

 

 

 

ସେହି ଗୋପୀଙ୍କ ସେବାମାନ

କରନ୍ତି ଶ୍ରୀକୃଷ୍ଣ ଚରଣ

।।

ପ୍ରଭୁଙ୍କୁ ପ୍ରଭୁଭାବେ ହେଜି

ଦାସୀ ଭାବରେ ଏ ଯେ ମଜ୍ଜି

।।

ଏଭାବେ ଶ୍ରୀକୃଷ୍ଣ ଚରଣେ

ସେବା କରନ୍ତି ଅନୁକ୍ଷଣେ

।।

ଯେ ପରିଚର୍ଯ୍ୟାଟି ଅଙ୍ଗରେ

ସେଭାବେ ସେବନ୍ତି ଛାମୁରେ।।

।।

 

 

 

 

ସେହିଭାବରେ ସେ ଯେ ମିଶେ

ତହିଁରୁ ବାହୁଡ଼ି ନ ଆସେ

।।

ତଥାପି ଆନ ଚେଷ୍ଟାକଲେ

ମନ ତହିଁରେ ଥାଇ ଭଲେ

।।

ତହୁଁ ବାହାର ନୁହେ ମନ

ତହିଁର ଦୃଷ୍ଟାନ୍ତ ଯେ ଶୁଣ

।।

ଯେମନ୍ତ କ୍ଷୁଦ୍ର ନଦୀ ଜଳ

ବଡ଼ ନଦୀରେ ହୁଏ ମେଳ

।।

 

 

 

 

ସେ ନଦୀ ଜଳରେ ମିଶନ୍ତି

ସେ ସଙ୍ଗେ ସମୁଦ୍ରେ ପଶନ୍ତି

।।

ସେ ଜଳ ସମୁଦ୍ର ଜଳ ସେ

ଅଭିନ୍ନ ହୋଇ ଜାଣ ମିଶେ

।।

ସମୁଦ୍ର ରସକୁ ଘେନନ୍ତି

କେହି ନିବାରି ନ ପାରନ୍ତି

।।

ସେହି ପ୍ରକାର ସେହୁ ଜାଣ

ଯେ ପୁଣ ସାଧକର ମନ

।।

 

 

 

 

ସେ ନିତ୍ୟବାସିଙ୍କ ସଙ୍ଗରେ

ମିଶନ୍ତି ଯାଇଣ ବେଭାରେ

।।

ତାଙ୍କ ଭାବରେ ମିଶିକରି

କୃଷ୍ଣ ଚରଣେ ସେବା କରି

।।

ସେ କୃଷ୍ଣ ସେବାରେଟି ମଜ୍ଜି

ନିରତେ କୃଷ୍ଣ ପାଦ ଭଜି

।।

ସେହି ଭାବରେ ସେ ଯେ ରସେ

ବେଭାରେ ବାହୁଡ଼ି ନ ଆସେ

।।

 

 

 

 

ସେ ଜାଣ ଯେତେକାଳ ଥାନ୍ତି

ଏହିଭାବରେ କାଳ ନ୍ୟନ୍ତି

।।

ସେ ପୁଣି ସେ ଦେହର ଅନ୍ତେ

ସେହି ଭାବନା ଧରେ ଚିତ୍ତେ

।।

ପାର୍ଥିବ ଦେହକୁ ତ୍ୟଜନ୍ତି

ଗୋପୀକା ଦେହ ସେ ଲଭନ୍ତି

।।

ସେ ନିତ୍ୟବାସୀଙ୍କ ସଙ୍ଗରେ

ରହନ୍ତି ଶ୍ରୀକୃଷ୍ଣ ସେବାରେ

।।

 

 

 

 

ଭକ୍ତି ରତି ପ୍ରଭାବୁଁ କରି

ଇତର ଲୋକହିଁ ଆଚରି

।।

ଇସିତେ ଶ୍ରୀକୃଷ୍ଣଙ୍କୁ ପାନ୍ତି

ଏଥି ନ କର କେହି ଭ୍ରାନ୍ତି

।।

ଏଥକୁ ବହୁତ ବଚନ

କହିଅଛନ୍ତି ହାଦେ ଜାଣ

।।

ଆଦିପୁରାଣେ ଅଛି ପୁଣି

ପ୍ରଥମେ ଶ୍ରୀମୁଖ ଯେ ବାଣୀ।।

।।

 

 

 

 

ଗୋପୀକା ଭାବେ ଯେଉଁ ଭକ୍ତ

ମୋ ପାଦେ ସେବନ୍ତି ଯୁଗତ

।।

ତାହାଙ୍କୁ ବେଗ ମୁହିଁ ବଶ

ହୁଅଇ ହୋଇଣ ସନ୍ତୋଷ

।।

ଏ ମୋର ସତ୍ୟ ଯେ ବଚନ

ବୋଲିଣ କହିଲେ ଅର୍ଜୁନ

।।

ଆହୁରି ଶ୍ରୀଏକାଦଶରେ

ସନ୍ତୋଷେ ଉଦ୍ଧବ ଆଗରେ

।।

 

 

 

 

କହିଅଛନ୍ତି ଦେବରାଜ

ଉଦ୍ଧବ ଗୋପୀଭାବେ ଭଜ

।।

ସେ ଭାବେ ଅତି ପ୍ରୀତି ମୋର

ବେଗେ ମୁଁ ବଶ ତାହାଙ୍କର

।।

ଏ ଭାବେ ଶ୍ରୀମୁଖ ବଚନ

ଅଛଇ ଶୁଣ ସାଧୁଜନ

।।

ଏକାମ୍ବରପୁରାଣ ବାଣୀ

ଯେ ଅଛି ଶୁଣିବା ତା ପୁଣି

।।

 

 

 

 

ଶ୍ରୀବୃନ୍ଦାବନପତିଙ୍କର

ଭକ୍ତି ମହିମା ଅଗୋଚର

।।

ଯେ ଗୋପୀଭାବରେ ଭଜନ୍ତି

ପୁରୁଷ ଦେହ ସେ ତେଜନ୍ତି

।।

ଧରନ୍ତି ଯୁବତୀ ଆକାର

ଖଟନ୍ତି ଶ୍ରୀକୃଷ୍ଣ ପୟର

।।

ଆହୁରି ମହାକୂର୍ମ ବାଣୀ

ଯେ ଅଛି ଶୁଣ ପରିମାଣି

।।

 

 

 

 

ଅଗ୍ନିକ ପୂର୍ଣ୍ଣ ମୁନି ଯେହି

ତପସ୍ୟା କଲେ ବନେ ରହି

।।

ପ୍ରଭୁଙ୍କୁ ପତିଭାବେ ବରି

ନିରତେ ଚିନ୍ତା ଯେ ବିସ୍ମରି

।।

ସେ ସେହି ତପର ଅନ୍ତରେ

ପୁରୁଷତନୁ ତ୍ୟଜି ଖରେ

।।

ହୋଇଲେ କୃଷ୍ଣ ପାଟରାଣୀ

ଏମାନ ଅଛ କି ନଶୁଣି

।।

 

 

 

 

ଏହି ଭାବରେ ସାଧିକରି

ବହୁତ ଯାଇଛନ୍ତି ତରି

।।

ସାଧନସିଦ୍ଧା ଜାଣ ସେହି

ସାଧନେ ନିଶ୍ଚେ ସିଦ୍ଧ ହୋଇ।।

।।

ସେ ନିତ୍ୟସିଦ୍ଧାଙ୍କ ମେଳରେ

 

ଭଜନ୍ତି ଯାଇଁ ଗୋଲୋକରେ

।।

ଏଣୁ ଏ ସାଧନ ଯୁଗତ

ଅଟଇ ଅତ୍ୟନ୍ତ ଗୁପତ

।।

କୃଷ୍ଣ ଚରଣେ ଦେଇ ମନ

କହଇ ଦାସ ଭୀମସେନ

।।

ଭାଷା ଗୀତରେ ଭକ୍ତିରସ

କହଇ ଶିଶୁ ଭୀମଦାସ

।।୭୦।।

ଇତି ଶ୍ରୀହରିଭକ୍ତିନ୍ଦ୍ରୋଦୟେ ରାଗାନୁରାଗ ସାଧନେ ରାଗାନୁଗା

ଭକ୍ତି ଲକ୍ଷଣୋ ନାମ ଅଷ୍ଟାଦଶୋଽଧ୍ୟାୟଃ ।

 

୧୯ଶ ଅଧ୍ୟାୟଃ ।

ସୁଜନେ ସାବଧାନେ ଶୁଣ

କାମରୂପାର ଯେ ଲକ୍ଷଣ

।।

ତହିଁର ଯେତେକ ବିଚାର

କହଇ ସାବଧାନ କର

।।

କାମ ଦୃଷ୍ଟିରେ ଦେଇ ମତି

ଶ୍ରୀକୃଷ୍ଣ ସଙ୍ଗେ ଯେ ରମନ୍ତି

।।

ତାଙ୍କର ନୋହେ ପ୍ରଭୁ ବୁଦ୍ଧି

ରତିରେ ହରାଇଲୁ ବୁଦ୍ଧି

।।

 

 

 

 

କାମରେ ହୁଏ ଉନମତ୍ତ

ରମନ୍ତି ଶ୍ରୀକୃଷ୍ଣ ସଙ୍ଗତ

।।

ଅନ୍ତେ ସେ ନିତ୍ୟଲୋକେ ଯାନ୍ତି

ଏହି ଯେ କାମରୂପା ଭକ୍ତି

।।

ତହିଁରେ ଶୁଣ ଅଧିକାରୀ

ଗୋକୁଳବାସୀ ବ୍ରଜନାରୀ

।।

କୃଷ୍ଣଙ୍କୁ ଦେଖି ଗୋପପୁରେ

ମତ୍ତ ହୋଇଲେ କାମଶରେ

।।

 

 

 

 

ତାତ ଜନନୀ ଭ୍ରାତାମାନ

ଶାଶୁ ଶ୍ୱଶୁର ଗୁରୁଜନ

।।

ପତି ସଦନ ଆଦି କରି

ସମସ୍ତ ତେଜିଲେ ସୁନ୍ଦରୀ

।।

ସେ ନ ଜାଣିଲେ ବେନି କୁଳ

ଲାଜ ବେଭାର କଲେ ଦୂର

।।

ଈଶ୍ୱର ବୋଲି ନ ଜାଣିଲେ

ଜାର ବୁଦ୍ଧିରେ ଚିତ୍ତ ଦେଲେ

।।

 

 

 

 

ନିରତେ କୃଷ୍ଣ ସଙ୍ଗତରେ

ବୁଲିଲେ ଗହନ ବନରେ

।।

ନିଶି ଦିବସ ନ ଜାଣିଲେ

ନିରତ ଶ୍ରୀକୃଷ୍ଣର ତୁଲେ

।।

ନାନାପ୍ରକାର ଲୀଳାମାନ

କଲେ ଶ୍ରୀକୃଷ୍ଣ ସଙ୍ଗତେଣ

।।

ବିବିଧବନ୍ଧେ କଲେ ରତି

କାମେ ଉତ୍ସୁକ କରି ମତି

।।

 

 

 

 

ନିରତେ ଶୃଙ୍ଗାରେ ମଜ୍ଜିଲେ

ଉଦ୍ଧତ ହୋଇଣ ଭଜିଲେ

।।

କୃଷ୍ଣଙ୍କୁ ଜାର ଭାବେ ଭଜି

ବିଟପିନାରୀ ଭାବେ ମଜ୍ଜି

।।

କାମ ସମ୍ପଦେ ହୋଇ ମତ୍ତ

ପ୍ରେମରେ ହୋଇଲେ ଉଦ୍ଧତ।।

।।

ଶ୍ରୀକୃଷ୍ଣ ବିନୁ ଆନ ରସ

ମନରେ ନୋହିଲା ପ୍ରବେଶ

।।

 

 

 

 

କହିଲେ କୃଷ୍ଣ ଗୁଣ କହେ

ସର୍ବ ଦେଖିଲେ କୃଷ୍ଣମୟେ

।।

ରାତ୍ରରେ ଦେଖନ୍ତି ସ୍ୱପନ

ଶ୍ରୀକୃଷ୍ଣ ସଙ୍ଗ ଲୀଳାମାନ

।।

ସେ ଜାଣଯେତେ କାଳ ଥିଲେ

 

ଏହି ଭାବରେ ମନ ଦେଲେ

।।

ସେ ପୁଣି ଜୀବନର ଅନ୍ତେ

ଶ୍ରୀକୃଷ୍ଣ ସଙ୍ଗତେ ଯୁଗତେ

।।

 

 

 

 

ଯେ ନିତ୍ୟବାସିଙ୍କର ତୁଲେ

ନିତ୍ୟଗୋଲୋକେ ବିଜେ କଲେ।।

।।

ଏ କଥା ବିଦିତ ଜଗତେ

ସଂଶୟ ନ ବିଚାର ଚିତ୍ତେ

।।

ପୁରାଣମାନଙ୍କରେ ପୁଣ

କହିଅଛନ୍ତି ଋଷିଗଣ

।।

କାମ ସମୟେ ଦେଇ ମତି

ସେ ଗୋପପୁରର ଯୁବତୀ

।।

 

 

 

 

କୃଷ୍ଣରେ ଜାର ବୁଦ୍ଧି କରି

ହେଳେ ସଂସାରୁ ଗଲେ ତରି।।

।।

ଏ ପୁଣ କାମରୂପା ଭକ୍ତି

ସେ ଗୋପୀମାନେ କରିଛନ୍ତି।।

।।

ତାଙ୍କ ବାହାରେ ପୁଣ ଆନ

କାହାର ନାହିଁ ପ୍ରତେ ଜାଣ

।।

କି ଅବା ଅଛି ଯହିଁ ତହିଁ

ସମଗ୍ର କହିତ ନୁହଇ

।।

 

 

 

 

ନାନାପ୍ରକାରେ ଲୀଳା କରି

କାହାକୁ ଥିବେଟି ଉଦ୍ଧରି

।।

ଏ ଘେନି ତାଙ୍କର ବିଚାର

କାହାରି ନୋହେ ନା ଗୋଚର।।

।।

କେବଳ ମାତର ବିଚାରେ

କହି ସେ ଗୋପୀଙ୍କବିଚାରେ।।

।।

କୁବୁଜା କରି ଏହି ଭକ୍ତି

ତରିଲା ବୋଲି କହିଛନ୍ତି

।।

 

 

 

 

କୃଷ୍ଣଙ୍କୁ ଦେଖିଣ ସତ୍ୱରେ

ବଶ ହୋଇଲେ କାମଶରେ

।।

ସମ୍ଭୋଗ ଇଚ୍ଛା ଚିତ୍ତେ ଧରି

ଭବରୁ ଗଲେ ସେହି ତରି

।।

ଏ କାମରୂପା ଭକ୍ତି ଜାଣ

ସୁଜନେ କର ସାବଧାନ

।।

କୃଷ୍ଣଚରଣେ ଦେଇ ମତି

କହଇ ଭୀମ ହରିଭକ୍ତି

।।

ଇତି ଶ୍ରୀ ହରିଭକ୍ତିଚନ୍ଦ୍ରୋଦୟେ ରାଗାନୁଗାସାଧନେ କାମରୂପା

ବିଚାର ଲକ୍ଷଣୋ ନାମ ଊନବିଂଶୋଽଧ୍ୟାୟଃ ।

 

୨୦ଶ ଅଧ୍ୟାୟ ।

ସୁଜନେ ସାବଧାନ କର

କାମରୂପାର ଯେ ବିଚାର

।।

କାମରୂପାର ଅନୁଗତ

ଏହା ଯେ ଅଟଇ ଯୁଗତ

।।

ସେ ଘେନି କାମାନୁଗା ନାମ

ଏ ଜାଣ ସାଧନ ଉତ୍ତମ

।।

ଯେ କାମରୂପା ଅଧିକାରୀ

ଅଟନ୍ତି ଗୋପପୁର ନାରୀ

।।

 

 

 

 

ତାଙ୍କ ଚରିତମାନ ଶୁଣି

ସେ ଭାବମାନ ମନେ ଗୁଣି

।।

ସେହି ଭାବରେ ଲୋଭୀ ହୋନ୍ତି

ପ୍ରଭୁଙ୍କୁ ଭାବନା କରନ୍ତି

।।

ପ୍ରଭୁଙ୍କ ଶ୍ରୀମୁଖ ସୁନ୍ଦର

ଚିତ୍ତେ ଚିନ୍ତନ୍ତି ନିରନ୍ତର

।।

କୃଷ୍ଣର ଯଶ ଗୁଣଗାନ

ଶୁଣି ଉଚ୍ଛନ୍ନ କରେ ମନ

।।

 

 

 

 

କୃଷ୍ଣର ଶ୍ରୀମୂର୍ତ୍ତି ମାଧୁରୀ

ଆବର ଦରଶନ କରି

।।

ସାଧକ ସାତ୍ୱିକ ବେଭାରେ

ବଶ ହୁଅନ୍ତି କୃଷ୍ଣଠାରେ

।।

ସେ ଜାଣ ଯେତେକାଳ ଥାନ୍ତି

ସେହି ଭାବରେ ଦେଇ ମତି

।।

ଈଶ୍ୱର ବୁଦ୍ଧି ଯାଇ ଯାର

ସାତ୍ୱିକେ ହୁଅନ୍ତି କାତର

।।

 

 

 

 

କାମ ସ୍ୱଭାବେ ବଶ ହୋନ୍ତି

ସମ୍ଭୋଗ ଇଚ୍ଛା ସେ କରନ୍ତି

।।

କୃଷ୍ଣଙ୍କ ପତି ଚିନ୍ତା କରି

ନିଜ ମାନସେ ତାଙ୍କୁ ଧରି

।।

ଯେ ନିଜ ଯୁବତୀ ପ୍ରକାରେ

ରାଗ ଉପୁଜେ କୃଷ୍ଣଠାରେ

।।

କାମ ବିକାରେ ହୁଏ ମତ୍ତ

କୃଷ୍ଣ ଚରଣେ ଉନମତ୍ତ

।।

 

 

 

 

ଲୀଳା ଇଛନ୍ତି ନିରନ୍ତରେ

ଚିତ୍ତ ନିରୋପି କୃଷ୍ଣଠାରେ

।।

ସେ ପୁଣି ସେ ଦେହର ଅନ୍ତେ

 

ଯୁବତୀ ହୁଅନ୍ତି ଯୁଗତେ

।।

ଧରି ନିର୍ମଳ ଚାରୁ ଅଙ୍ଗ

ଲଭନ୍ତି କୃଷ୍ଣ ଅଙ୍ଗ ସଙ୍ଗ

।।

ନାନାପ୍ରକାରେ କ୍ରୀଡା କରେ

ନିରତେ କୃଷ୍ଣର ସଙ୍ଗରେ

।।

 

 

 

 

ସେ ପୁଣି ସେ ଦେହର ଅନ୍ତେ

ନିତ୍ୟକୁ ଚଳନ୍ତି ଯୁଗତେ

।।

ଏମନ୍ତ ଭାବେ ଯେ ସାଧନ

ତାହାକୁ କାମାନୁଗା ଜାଣ

।।

ଏଥି ସଂଶୟ ନୋହି ଚିତ୍ତ

ଶୁଣିମା ଏଥିର ସିଦ୍ଧାନ୍ତ

।।

ପୂର୍ବେ ଦଣ୍ଡକବାସିମାନେ

ଥିଲେ ଯେତେକ ଋଷିଗଣେ

।।

 

 

 

 

ରଘୁନାଥଙ୍କୁ ଦେଖିକରି

ମଦନଶରେ ହେଲେ ଘାରି

।।

ନିଜ ଧଇର୍ଯ୍ୟ କଲେ ଦୂର

ସାତ୍ୱିକେ ହୋଇଲେ କାତର

।।

ପୁରୁଷ ତନୁ ବହି କରି

ଚେତନା ନୋହିଲା କାହାରି

।।

ଈଶ୍ୱର ଜ୍ଞାନହିଁ ନୋହିଲା

ଯେ ନିଜ ଚେତନା ହଜିଲା

।।

 

 

 

 

ସୁରତ ଇଚ୍ଛା ମନେ କଲେ

ନାନାପ୍ରକାରେ ଲୀଳା କଲେ।।

।।

କେତେକ ମାତ୍ର ବାସନାରେ

ସେ ପୁଣି ଦେହର ଅନ୍ତରେ

।।

ପୁରୁଷ ତନୁ ଛାଡ଼ିକରି

ଗୋପରେ ହୋଇଲେ ଆଭାରୀ।

।।

ସେ ପୁଣି ପ୍ରଭୁଙ୍କର ତୁଲେ

ନାନାପ୍ରକାର କ୍ରୀଡା କଲେ

।।

 

 

 

 

ଯେ ସେ ନିତ୍ୟର ଲୀଳାମାନ

ତା ଗୋପପୁରେ କଲେ ଜାଣ

।।

ସେ ପୁଣି ସେ ଦେହର ଅନ୍ତେ

ନିତ୍ୟକୁ ଳିଲେ ଯୁଗତେ

।।

ଏ କଥା ନୁହେ ଆନ ଜାଣ

ଏ ରାମାୟଣର ବଚନ

।।

ଏ ବାଲମୀକି ଋଷି ବାଣୀ

ତହିଁକି ସଂଶୟ କି ପୁଣି

।।

 

 

 

 

ଏ ଘେନି କୃଷ୍ଣର ଭଜନ

ନାନାପ୍ରକାର ଅଛି ଜାଣ

।।

କେବଳ ମାର୍ଗ ଅନୁସରି

ଭଜିବ ପ୍ରଭୁ ବେଣୁଧାରୀ

।।

କୃଷ୍ଣ ଚରଣରେ ମାନସ

ଦେଇ କହଇ ଭୀମ ଦାସ

।।

ଇତି ଶ୍ରୀ ହରିଭକ୍ତିଚନ୍ଦ୍ରୋଦୟେ ରାଗାନୁଗା ସାଧନେ କାମାନୁଗା

ଲକ୍ଷଣ ବିଚାରୋ ନାମ ବିଂଶୋଽଧ୍ୟାୟଃ ।

 

୨୧ଶ ଅଧ୍ୟାୟ ।

ସୁଜନେ ଶୁଣ ସାଧୁ କଥା

ଶ୍ରୀକୃଷ୍ଣ ଭକ୍ତିର ବ୍ୟବସ୍ଥା

।।

ସମ୍ବନ୍ଧ ରୂପା ଭକ୍ତି ଯେହି

ଶୁଣିମା ସାବଧାନ ହୋଇ

।।

କୃଷ୍ଣ ଠାବରେ ଯାର ମନ

ସମ୍ବନ୍ଧ ଭାବେ ହାଦେ ଜାଣ

।।

ଜନ୍ୟ ଜନକ ଆଦି କରି

ବିବିଧ ସମ୍ବନ୍ଧ ବିଚାରି

।।

 

 

 

 

ଶ୍ରୀକୃଷ୍ଣଠାରେ କରି ସ୍ତୁତି

ସେ ସେ ସମ୍ବନ୍ଧରୂପା ଭକ୍ତି

।।

ତହିଁରେ ଅଧିକାରୀ ଶୁଣ

ମଥୁରାବାସୀ ଯଦୁଗଣ

।।

ଗୋପେ ଗୋପାଳକୁଳ ନନ୍ଦ

ସୁଦାମା ଆଦି ସଖାବୃନ୍ଦ

।।

ଦେବକୀ ଆଦି ଯଶୋବନ୍ତୀ

ଆଦିରେ ଯେତେକ ଅଛନ୍ତି

।।

 

 

 

 

ନାନା ଲେଖାରେ ବନ୍ଧୁଭାବେ

 

ଚିତ୍ତ ନିରୋପି କୃଷ୍ଣ ଠାବେ

।।

ନାତି ନନ୍ଦନ ଯେ ପିଅର

ଶ୍ୱଶୁର ଶଳା ସହୋଦର

।।

ସମୁଧୀ ଭିଣୋଇ ଭଣଜା

ମଉଳା ପିତା ମିତ୍ର ଅଜା

।।

ମଇତ୍ର ଆଦି ଆର ସଖା

ନାନାପ୍ରକାରେ କରି ଲେଖା

।।

 

 

 

 

ଏରୂପେ କରି ଲେଖାବିଧି

କୃଷ୍ଣରେ କରି ସେହୁ ବୁଦ୍ଧି

।।

ଈଶ୍ୱର ବୋଲି ନ ଜାଣନ୍ତି

ବନ୍ଧୁଭାବରେ କରି ମତି

।।

ନିଶି ଦିବସ ନିରନ୍ତରେ

ଥାଆନ୍ତି କୃଷ୍ଣ ସଙ୍ଗତରେ

।।

ଖେଳରେ କଉତୁକ ରଙ୍ଗେ

କାଳ ନିଅନ୍ତି କୃଷ୍ଣ ସଙ୍ଗେ

।।

 

 

 

 

ଏହି ଭାବରେ ସେ ଯୁଗତେ

ଭବରୁ ତରିଲେ ସମସ୍ତେ

।।

ଏଥିରେ ସଂଶୟ ନ କର

ଶୁଣିମା ଏଥିର ବିଚାର

।।

ଶତ୍ରୁଭାବରେ ଚିତ୍ତ କରି

ଅସୁରେ ଯାଇଛନ୍ତି ତରି

।।

ଏ କଥା ଶ୍ରୀଭାଗବତରେ

ଅଛଇ ସପ୍ତମ ସ୍କନ୍ଧରେ

।।

 

 

 

 

ଶ୍ରୀକୃଷ୍ଣଠାରେ କରି ମନ

ପାର ହୋଇଲେ ଯେତେ ଜାଣ।।

 

କାମ ଭାବରେ ଦେଇ ମତି

ତରିଲେ ଗୋପର ଯୁବତୀ

।।

ଭୟୁ ତରିଲା କଂସାସୁର

ଦ୍ୱେଷରୁ ତରି ଶିଶୁପାଳ

।।

ସମ୍ବନ୍ଧଭାବେ ଯଦୁଗଣ

ଭୟରେ ମାତା ପିତା ଜାଣ

।।

 

 

 

 

ଭକ୍ତିରେ ଭକ୍ତ ଯେ ନିକର

ହୋଇଲେ ହେଳେ ଭବୁ ପାର

।।

ଏହା ଯେ କହିଛନ୍ତି ମୁନି

ଏ କି ଅଟଇ ମିଥ୍ୟାବାଣୀ

।।

ଆହୁରି ବ୍ରହ୍ମାଣ୍ଡ ପୁରାଣେ

ଯେ ଅଛି ଶୁଣ ସାବଧାନେ

।।

ଜ୍ଞାନ ସାଧନ ସିଦ୍ଧ ଜନ

ବ୍ରହ୍ମରେ ହୁଅନ୍ତି ସେ ଲୀନ

।।

 

 

 

 

ହରିଙ୍କ ହାତେ ଯେ ମରନ୍ତି

ଦଇତେ ତହିଁ ଲୀନ ହୋନ୍ତି

।।

ଏ ଘେନି ଶତ୍ରୁ ଭାବୁ କରି

ଦଇତେ ଗଲେ ଯେବେ ତରି

।।

ତହିଁରେ କରି ବନ୍ଧୁଭାବ

କିପାଁ ନ ତରିବେ ଯାଦବ

।।

ସମ୍ବନ୍ଧରୂପା ଏ ଭକତି

ଯେଣୁ ସମ୍ବନ୍ଧ ଭାବେ ମତି

।।

 

 

 

 

ସୁଜନ ଜନେ ଇଚ୍ଛା କର

ବେଗେ ହୋଇବ ଭବୁ ପାର

।।

ଶ୍ରୀକୃଷ୍ଣ ଚରଣ ଯୁଗଳ

ବିକାଶ ଅମଳ କମଳ

।।

ତହିଁରେ ମଧୁକର ଜାଣ

ନିରତେ ଦାସ ଭୀମସେନ

।।

ଇତି ଶ୍ରୀ ହରିଭକ୍ତିଚନ୍ଦ୍ରୋଦୟେ ରାଗାନୁଗା ସାଧନେ ସମ୍ବନ୍ଧରୂପା

ବିଚାରୋ ନାମ ଏକବିଂଶୋଽଧ୍ୟାୟଃ ।

 

Unknown

୨୨ଶ ଅଧ୍ୟାୟ ।

ଏଥି ଉତ୍ତାରୁ ଏବେ ଶୁଣ

ସୁଜନେ ହୋଇ ସାବଧାନ

।।

ସମ୍ବନ୍ଧାନୁଗାର ବିଚାର

କହଇ ସାବଧାନ କର

।।

ସମ୍ବନ୍ଧରୂପା ଅନୁଗତ

ଏ ଜାଣ ଅଟନ୍ତି ଯୁଗତ

।।

ତେଣୁ ସମ୍ବନ୍ଧାନୁଗା ନାମ

ଯେ ଜାଣ ସାଧନ ଉତ୍ତମ

।।

 

 

 

 

ସାଧକ ଶୁଦ୍ଧ ଚିତ୍ତ ଧରି

ଶ୍ରୀକୃଷ୍ଣଠାରେ ବୁଦ୍ଧି କରି

।।

ଈଶ୍ୱର ବୋଲି ସେ ଜାଣିଣ

ବନ୍ଧୁଭାବରେ ଦିଏ ମନ

।।

ଭ୍ରାତା ଜନକ ସୁତ ବୁଦ୍ଧି

ଲେଖାରେ ନାନାବିଧି ଆଦି

।।

 

 

 

 

କେ ନନ୍ଦ ବସୁଦେବ ଭାବ

ଶୁଣି କରିଣ କରେ ଲୋଭ

।।

କେ ଯଦୁମାନଙ୍କ ଚରିତ

ଶୁଣିଣ ଲୋଭ କରି ଚିତ୍ତ

।।

କେ ଦାମ ସୁଦାମ ଆଦିରେ

ଯେତେକ ସଖାଟି ବେଭାରେ।।

।।

ଶୁଣି ତାଙ୍କର ଭାବ ବିଧି

ତହିଁରେ ହୁଅନ୍ତି ଲୁବୁଧି

।।

 

 

 

 

କେ ଅବା ଅପୁତ୍ରିକ ଜନ

ପୁତ୍ରଭାବରେ ଦିଏ ମନ

।।

କେ ଯେ ଆତଙ୍କେ ଗତି କରି

 

ସହାୟଭାବେ ଚିତ୍ତେ ଧରି

।।

କେ ଦୀନ ଜନ ଯୁଗତରେ

ବାନ୍ଧବ ବୁଦ୍ଧି ମନେ କରେ

।।

କେବା ଅଟନ୍ତି ଅରକ୍ଷିତ

ରକ୍ଷକ ଭାବେ ଦ୍ୟନ୍ତି ଚିତ୍ତ

।।

 

 

 

 

ଏ ଭାବେ ନାନା ପରକାରେ

ଚିତ୍ତ ଦିଅନ୍ତି କୃଷ୍ଣ ଠାରେ

।।

ସେହି ଭାବରୁ ତାଙ୍କ ମନ

ବାହାର ନୋହେ ଯଦି ଜାଣ

।।

ଯେ ଯେଉ ଚିନ୍ତା ଥାନ୍ତି କରି

ସେହିପ୍ରକାରେ ଚିତ୍ତେ ଧରି

।।

ସେହି ଭାବରେ ତାଙ୍କ ଚିତ୍ତ

ନିରତେ ହୋନ୍ତେ ଅନୁରତ

।।

 

 

 

 

କାଳେ ଈଶ୍ୱର ବୁଦ୍ଧି ଯାଏ

ଭାବନା ବୁଦ୍ଧି କୃଷ୍ଣେ ହୁଏ

।।

ଯେ ଜଡ଼ ଭାବେ ଭାବୁ ଥାନ୍ତି

ବନ୍ଧୁ ଜନକ ପୁତ୍ର ନାତି

।।

ସେହି ଭାବନା ହୁଏ ଜାଣ

ଈଶ୍ୱର ବୋଲି ନୁହେ ଜ୍ଞାନ

।।

ସେ ଜାଣ ଯେତେ କାଳ ଥାନ୍ତି

ତହୁଁ ବାହାର ନୋହେ ମତି

।।

 

 

 

 

ବାହ୍ୟରେ ଆନ ଚେଷ୍ଟାମାନ

କଲେ ବିକାର ନୋହେ ମନ।।

।।

ସେ ପୁଣି ସେ ଦେହର ଅନ୍ତେ

 

ସେହି ଭାବନା ଧରି ଚିତ୍ତେ

।।

ପାର୍ଥିବ ଦେହକୁ ତେଜନ୍ତି

ସେହି ଭାବକୁ ସେ ଲଭନ୍ତି

।।

ଯେ ଭାବି ଥାନ୍ତିଟି ଯେମନ୍ତେ

 

ଜନମ ଲଭନ୍ତି ତେମନ୍ତେ

।।

 

 

 

 

ସେ ଜନ୍ମେ କୃଷ୍ଣ ତାହାଙ୍କର

ହୁଅନ୍ତି ସେହି ସେ ପ୍ରକାର

।।

ସେ ସୁଖେ ଲୀଳା ଯେ କରନ୍ତି

ଅନ୍ତରେ ନିତ୍ୟକୁ ଚଳନ୍ତି

।।

ନିତ୍ୟ ଗୋଲୋକେ ପାନ୍ତି ବାସ

ସୁଖେ ରହନ୍ତି କୃଷ୍ଣ ପାଶ

।।

ଏଥେ ସଂଶୟ ନାହିଁ ଜାଣ

ଶୁଣିମା ଏଥିର ବଚନ

।।

 

 

 

 

ପୁରାଣମାନଙ୍କେ ବହୁତ

ଅଛଇ ଏଥିର ସିଦ୍ଧାନ୍ତ

।।

ଯେ ନାରାୟଣ ବ୍ୟୁହ ସ୍ତବେ

ଅଛଇ ଶୁଣ ଯଥା ଭାବେ

।।

ଭ୍ରାତା ସୁହୃଦ ପିତା ପତି

ନନ୍ଦନ ରକ୍ଷକ ପ୍ରଭୃତି

।।

ଏ ଭାବେ କୃଷ୍ଣଙ୍କୁ ନିରତେ

ଯେ ଜାଣ ଭାବନ୍ତି ଯୁଗତେ

।।

 

 

 

 

ସେ ଜାଣ ତରନ୍ତି ପ୍ରମାଣ

କାଟନ୍ତି ଏ ଭବ ବନ୍ଧନ

।।

ସେ ପୁଣ୍ୟ ଲୋକଟି ବେଭାରେ

ଅଟନ୍ତି ଲୋକଙ୍କ ମଧ୍ୟରେ

।।

ଏମନ୍ତ ବୋଲିଛନ୍ତି କେହି

ଏଥେ ସଂଶୟ ଆଉ ନାହିଁ

।।

ଆହୁରି ଅଛଇ ବିଚାର

ସୁଜନେ ସାବଧାନ କର

।।

 

 

 

 

ଏ ଶିରୋମଣି ଶାସ୍ତ୍ର ବାଣୀ

ଗୁରୁଙ୍କ ମୁଖୁଁ ଅଛି ଶୁଣି

।।

ଭକ୍ତି ସାଧନ ବିଧି ମାର୍ଗେ

କହି ଅଛନ୍ତି ଅନୁରାଗେ

।।

ମଞ୍ଚରେ କେଉଣସି କାଳେ

କୁରୁ ପୁରୀର ଯେ ମଧ୍ୟରେ

।।

ଏକ ବର୍ଦ୍ଧକୀ ଥିଲା ରହି

ସ୍ୱଭାବେ ଅପୁତ୍ରିକ ସେହି

।।

 

 

 

 

ବୃଦ୍ଧ ସେ ଅଟଇ ବର୍ଦ୍ଧକୀ

ପୁତ୍ର ବିହୀନେ ବଡ଼ ଦୁଃଖୀ

।।

କମ ବିକିଣ ବଞ୍ଚେ ଦିନ

ତହୁଁ ଉପାୟ ନାହିଁ ଆନ

।।

ଏମନ୍ତେ ଏକଇ ଦିନରେ

ନାରଦ ଗଲେ କୁରୁପୁରେ

।।

ବର୍ଦ୍ଧକୀ ନାରଦଙ୍କୁ ଦେଖି

ତତ୍‌କ୍ଷଣେ ଆସନ ଉପେକ୍ଷି

।।

 

 

 

 

ସାଷ୍ଟାଙ୍ଗେ ପ୍ରଣିପାତ କଲେ

ବହୁତ ବିନୟୀ କହିଲେ

।।

ଭୋ ମୁନି ପୁତ୍ର ମୋର ନାହିଁ

ବିଅର୍ଥ ହେଲା ମୋର ଦେହି

।।

ପରଲୋକରେ ଅପୁତ୍ରିକ

ଲଭନ୍ତି ପୁନ୍ମାମ ନରକ

।।

ଏ ଘେନି ହେଉଛି କାତର

ଭୋ ମୁନି ମୋତେ ଦୟା କର।।

।।

 

 

 

 

ଏଥିରୁ ତରିବା କାରଣ

ତୁମ୍ଭରେ ପଶିଲି ଶରଣ

।।

ନାରଦ ତାଙ୍କ ଭକ୍ତି ଘେନି

ଆଶ୍ୱାସି କହେ ତାଙ୍କୁ ବାଣୀ

।।

ସନ୍ତୋଷେ କହେ ମୁନିବର

ଶୁଣ ବର୍ଦ୍ଧକୀ ହୋଇ ସ୍ଥିର

।।

ବିଷ୍ଣୁପ୍ରତିମା ଯେ ଯୁଗତ

ପ୍ରତିଷ୍ଠା କରିଣ ତ୍ୱରିତ

।।

 

 

 

 

ତାହାଙ୍କୁ ନନ୍ଦନ ବୁଦ୍ଧିରେ

ରଖିବ ତୁମ୍ଭର ମନ୍ଦିରେ

।।

ପୁତ୍ର ଭାବହୁଁ ମନେ ଆନ

ବିଚାର ନ କରିବ ଜାଣ

।।

ଏହି ବିଚାର ମନେ କରି

ହେଳେ ଭବରୁ ଯିବ ତରି

।।

ଏମନ୍ତ କହିଗଲେ ମୁନି

ଏଥି ଉତ୍ତାରୁ ଶୁଣ ବାଣୀ

।।

 

 

 

 

ବର୍ଦ୍ଧକୀ ଦିବ୍ୟ ଗୋପୀନାଥ

ତତ୍‌କ୍ଷଣେ ଗଢ଼ିଲା ଯୁଗତ

।।

ତାହାଙ୍କୁ ଚିତ୍ର ଯେ କରାଇ

ପ୍ରତିଷ୍ଠା କରିଣ ବସାଇ

।।

ପୁତ୍ର ମାନସ ତହିଁ କରି

ସେ ଭାବୁଁ ଆନ ନ ବିଚାରି

।।

ଯେମନ୍ତ ସ୍ନେହ ପୁତ୍ରଠାରେ

ହୋଇଲା ସେହି ପରକାରେ

।।

 

 

 

 

ପ୍ରାତରୁ ନିତ୍ୟକର୍ମ ସାରେ

ନାନାପ୍ରକାରେ ବେଶ କରେ

।।

ବାଳକଙ୍କର ଭକ୍ଷ୍ୟମାନ

ତା ଆଣି ଦିଅଇ ବହନ

।।

ପୁଣି ଭୋଜନ କାଳ ଜାଣି

ଅନ୍ନ ଦିଅନ୍ତି ବେଗେ ଆଣି

।।

ବିବିଧ ପ୍ରକାରେ ବ୍ୟଞ୍ଜନ

ସେ ଯେ ଅମୂଲ୍ୟ ଦ୍ରବ୍ୟମାନ।।

 

 

 

 

 

ଯହିଁବା ଅପୂର୍ବ ଦେଖନ୍ତି

ପୁତ୍ର ନିମନ୍ତେ ଆଣିଥାନ୍ତି

।।

କ୍ଷଣେହେଁ ନ ଛାଡ଼ିନ୍ତି ପାଶ

ବହୁତ କରିଣ ମୁହାଁସ

।।

ସେ ଏଣେ ତେଣେ ଗଲେ ଜାଣ

ପୁତ୍ର ଠାବରେ ଦିଏ ମନ

।।

ଏ ଭାବେ ଉଦବେଗ ମନ

ପୁତ୍ରଠାବରେ ଥାଏ ଜାଣ

।।

 

 

 

 

ବାହୁଡ଼ି ଆସେ ପୁଣ ଘର

ପୁତ୍ରକୁ ଦେଖି ହୋଏ ସ୍ଥିର

।।

ଏ ଭାବେ କେତେଦିନ ଯାନ୍ତେ

ସେ ପୁଣି ସେ ଦେହର ଅନ୍ତେ

।।

ସେହି ବାସନା ଜାଣ ଘେନି

ଜନମ ହୋଇଲେ ଅବନୀ

।।

କୃଷ୍ଣର ଜନକ ଭାବରେ

ହୋଇଲେ ବାସନା ବଳରେ

।।

 

 

 

 

ତାଙ୍କର ପୁତ୍ର ହୋଇକରି

ଜାତ ହୋଇଲେ ଦଇତ୍ୟାରି

।।

ପ୍ରଭୁଙ୍କୁ ପୁତ୍ର ଭାବେ ପାଇ

ବହୁତ ସୁଖୀ ସେ ଯେ ହୋଇ।।

 

ସେ ପୁଣି ସେ ଦେହର ଅନ୍ତେ

ନିତ୍ୟରୁ ଚଳିଲେ ଯୁଗତେ

।।

ଏହି ଭାବରେ ସାଧିକରି

ବହୁତ ଯାଇଛନ୍ତି ତରି

।।

 

 

 

 

ପିତୃଭାବରେ ଯେଉଁଜନ

ତାହା ଶୁଣିମା ସାଧୁଜନ

।।

ଶ୍ରୀ ଭାଗବତ ଦଶମରେ

ଆଜ୍ଞା ହୋଇଛି ଶ୍ରୀ ମୁଖରେ।।

 

ଯେ ମୋତେ ପିତୃଭାବେ କରି

ନିରତେ ଭଜନ୍ତି ବିଚାରି

।।

ବେଭାରେ ପିତା ମୁଁ ଯୁଗତେ

 

ସେ ଜାଣି ଭଜନ୍ତିଟି ମୋତେ

।।

 

 

 

 

ତାଙ୍କ ବାଞ୍ଛିତ ଫଳମାନ

ଅବଶ୍ୟ ପାଇ ସେ ପ୍ରମାଣ

।।

ବଶ ମୁଁ ହୁଅଇ ତାଙ୍କରେ

ଯେ ପୁତ୍ର ସ୍ନେହର ବିଚାରେ

।।

ବନ୍ଧୁ ଭାବରେ ଭଜିବାର

ତହିଁର ଶୁଣିବା ବିଚାର

।।

ବୈଷ୍ଣବ ଶାସ୍ତ୍ରେ ଛନ୍ତି କହି

ପ୍ରଭୁ ଶ୍ରୀମୁଖେ ଆଜ୍ଞାଦେଇ

।।

 

 

 

 

ଦେବତା ନ ବୋଲିବ ମୋତେ

ଗନ୍ଧର୍ବ ନୋହେ ମୁଁ ଯୁଗତେ

।।

ଯକ୍ଷ ଯେ ନୁହଇ ଆବର

ଆବର ନୋହେ ବିଦ୍ୟାଧର

।।

ବନ୍ଧୁ ଭାବରେ ଯେଉଁଜନ

ମୋତେ ଭଜନ୍ତି ଅନୁକ୍ଷଣ

।।

ମୁଁ ବନ୍ଧୁ ଅଟଇ ତାଙ୍କର

ସେ ବନ୍ଧୁ ଅଟନ୍ତି ଆମ୍ଭର

।।

 

 

 

 

ସୁହୃଦ ସହାୟ ଭାବେଣ

ଭଜନ ସାବଧାନେ ଶୁଣ

।।

ଏହି ଯେ ଶ୍ରୀମୁଖର ବାଣୀ

ଆଜ୍ଞା ହୋଇଛି ଯାହା ଶୁଣି

।।

ତେଜି ସକଳ ବନ୍ଧୁଜନ

ଯେ ମୋତେ ସୁହୃଦ ଭାବେଣ।।

 

ଘୋର ଆତଙ୍କ ପଡ଼ିଥାଇ

ସହାୟ କରିଣ ଚିନ୍ତଇ

।।

 

 

 

 

ତାଙ୍କୁ ସୁହୃଦ ଜାଣ ମୁହିଁ

ଆମ୍ଭର ତହୁଁ ଆନ ନାହିଁ

।।

ଏମନ୍ତ କୁରୁ ସଭା ତଳେ

ଦ୍ରୌପଦୀ ଦେବୀ ଯେ ଆକୁଳେ।।

 

ଥିଲେ ସକଳ ବନ୍ଧୁଜନ

ଆବର ଠୁଳ ଗୁରୁମାନ

।।

ଯେ ନିଜପତି ପଞ୍ଚବୀର

ସମସ୍ତେ ଅଟନ୍ତି ଯେ ଶୂର

।।

 

 

 

 

ତାହାଙ୍କୁ ଛାଡ଼ି ଆତଙ୍କରେ

ଚିତ୍ତ ଯେ ଦେଲେ ଆମ୍ଭଠାରେ।।

 

ମୋ ବିନୁ ନ ଦିଶିଲେ ଆନ

ଯେତେକ ଥିଲେ ବନ୍ଧୁଜନ

।।

ମୋତେ ଡାକିଲେ ରଖ ବୋଲି

ତେଣୁ ସେ ସୁହୃଦ ଆମ୍ଭରି

।।

ଦୀନ ଭାବରେ ଦାମୋଦର

ଶୁଣିତ ଅଛ ସେ ବିଚାର

।।

 

 

 

 

ଭକ୍ଷକ ଭାବେଣ ଅଘାର

ଜିଭକୁ କରିଛନ୍ତି ଫାଳ

।।

ଏଭାବେ ହୋଇଣ ସାଧନ

ସମ୍ବନ୍ଧାନୁଗା ବୋଲି ଜାଣ

।।

ସୁଜନେ ଶୁଣ ମନଦେଇ

ଯେ ଷଡ଼ଅଙ୍ଗ କହିଲଇଁ

।।

ରାଗଆତ୍ମିକା ରାଗାନୁଗା

କାମରୂପା ଯେ କାମାନୁଗା

।।

 

 

 

 

ସମ୍ବନ୍ଧରୂପା ଯେ ଆବର

ସମ୍ବନ୍ଧାନୁଗାର ପ୍ରକାର

।।

ଏ ଷଟ ଅତ୍ୟନ୍ତ ଗୁପତ

ସାଧନ ଭକ୍ତିର ଏ ତତ୍ତ୍ୱ

।।

ସକଳ ସାଧନଙ୍କ ସାର

ଉପଦେଶର ଏ ବିଚାର

।।

ପୁରାଣମାନଙ୍କ ବଚନ

ପ୍ରମାଣ ସାଧ୍ୟ ଏହୁ ଜାଣ

।।

 

 

 

 

ଏ ଭାବେ ଯେ ଜାଣି ସାଧନ୍ତି

ଅଳପଦିନେ ସେ ଲଭନ୍ତି

।।

ଏଥିରେ ବେଗେଣ ପ୍ରସନ୍ନ

ହୁଅନ୍ତି ପ୍ରଭୁ ଭଗବାନ

।।

ସୁଜନ ଜନେ ବେଗେ କର

ଭକ୍ତିର ସାଧନ ବିଚାର

।।

କୃଷ୍ଣ ଭକ୍ତିକି କରି ଆଶ

କହିଲା ଶିଶୁ ଭୀମଦାସ

।।

ଇତି ଶ୍ରୀ ହରିଭକ୍ତିଚନ୍ଦ୍ରୋଦୟେ ରାଗାନୁଗା ସାଧନେ ସମ୍ବନ୍ଧାନୁଗା ଭକ୍ତି

ବିଚାରୋ ନାମ ଦ୍ୱାବିଂଶୋଽଧ୍ୟାୟଃ ।

 

୨୩ଶ ଅଧ୍ୟାୟ ।

ଏଥିଉତ୍ତାରୁ ସାବଧାନେ

ଶୁଣିମା ସାଧୁଜନମାନେ

।।

ଭକ୍ତିର ସାଧନ ବିଚାର

ଶୁଣିଲ ଯେତେ ପରକାର

।।

ବଇଧି ଚଉଷଠି ଜାଣ

ରାଗାନୁଗାହିଁ ଯେତେ ପୁଣ

।।

ଏ ଭାବେ ସତୁରି ଅଙ୍ଗରେ

ସାଧନ ଭକ୍ତି ଏ ବେଭାରେ

।।

 

 

 

 

ଏ ଅଙ୍ଗମାନଙ୍କର ଭେଦ

ଯା କହିଛନ୍ତି ଋଷିବୃନ୍ଦ

।।

ଏଣୁ ବହୁତ ଅଙ୍ଗ ଜାଣ

ଶ୍ରୀକୃଷ୍ଣ ଭକ୍ତିର ସାଧନ

।।

ଯେ ଯେଉଁ ଅଙ୍ଗେ ଇଛା କରି

ଶ୍ରୀକୃଷ୍ଣ ଭକ୍ତି ଯେ ବିଚାରି

।।

ନିଶି ଦିବସେ ନିରନ୍ତରେ

ସାଧନ କରି ଯେ ଯାହାରେ

।।

 

 

 

 

କ୍ଷଣେହେଁ ନ କରିବ ଆନ

ନିରତେ କରିବ ସାଧନ

।।

ଭକ୍ତି ଭାବରେ ଆସି ବଶ

ହୁଅନ୍ତି ପ୍ରଭୁ ପୀତବାସ

।।

କେବଳ ଭକ୍ତି ଅନୁସାରେ

ବଶ ସେ ହୁଅନ୍ତି ବେଭାରେ

।।

ଏକଥା ଅଟଇ ପ୍ରମାଣ

ଏଥି ସାଧନ ପୁଣ ଶୁଣ

।।

 

 

 

 

ଶ୍ରୀ ଭାଗବତ ଯେ ଗୀତାରେ

ଆଜ୍ଞା ହୋଇଛି ଶ୍ରୀମୁଖରେ

।।

ଅର୍ଜୁନ ଆଗରେ ଯୁଗତ

ଶୁଣ ଅର୍ଜୁନ ମୋ ଚରିତ

।।

ଯେ ଯେଉଁ ଭାବ ଘେନି ମୋତେ

ଭଗତି କରନ୍ତି ଯୁଗତେ

।।

ସେ ଭକ୍ତି ଚିନ୍ତା ଅନୁସାରେ

ପ୍ରସନ୍ନ ହୋଇ ମୁଁ ତାଙ୍କରେ

।।

 

 

 

 

ଯେ ମୋତେ ଯେମନ୍ତ ଭଜନ୍ତି

ସେ ମୋତେ ସେ ଭାବେ ଲଭନ୍ତି।।

।।

ସମୁଦ୍ର ଘଟ ଅନୁସାରେ

ଜଳ ଧରନ୍ତି ଯେ ପ୍ରକାରେ

।।

ଯେ ଯେତେ ଘଟ ଘେନି ଯାନ୍ତି

ସେ ସେତେ ନୀର ଯେ ଆଣନ୍ତି।।

 

ସେହି ପ୍ରକାରେ ଯେ ଯେତେକ

ଭଜନ୍ତି ସିଦ୍ଧି ତେ ତେତେକ

।।

 

 

 

 

ଏମନ୍ତ ଛନ୍ତି ଆଜ୍ଞା ଦେଇ

ଏ କଥା ଅନ୍ୟଥା ନୁହଇଁ

।।

ଏ ଘେନି ନିରନ୍ତରେ ଭଜ

ସୁଜନେ ପ୍ରଭୁ ଦେବରାଜ

।।

ଆହୁରି ଶୁଣିବା ବିଚାର

ସୁଜନେ ସାବଧାନ କର

।।

ଜୀବାନ୍ତ ଯାକେ ପୁଣ ଜାଣ

ଯେ ଯାହା ଭାବୁଥାନ୍ତି ପୁଣ

।।

 

 

 

 

ସେ ଭାବେ ଜୀବନର ଅନ୍ତେ

ତାଦୃଶ ହୁଅନ୍ତି ଯୁଗତେ

।।

ଅତ୍ୟନ୍ତ ଅଭ୍ୟାସ ତାଙ୍କର

ପ୍ରବେଶ ହୁଅନ୍ତି ଆଗର

।।

ସେ ସେହି ଭାବେ ଦେଇ ମତି

ଯେ ନିଜ ଦେହକୁ ତେଜନ୍ତି

।।

ସେହି ଭାବନାରୁଟି ଶୁଣ

ଜନମ ଲଭନ୍ତିଟି ପୁଣ

।।

 

 

 

 

ଏ ଭାବେ ଅଛଇ ବେଭାର

ଏ ଜାଣ ପୁରାଣ ବିଚାର

।।

ପୂର୍ବେ ଭରତ ତପଚାରି

ଏକଇ ମୃଗ ପୋଷିକରି

।।

ତାହାରି ଚରଚା ନିମନ୍ତେ

ସ୍ନେହରେ କରନ୍ତି ଯୁଗତେ

।।

ସେ ମୃଗଠାରେ ଅନୁଗତ

ହୋଇ ନିରତେ ଥାଇ ଚିତ୍ତ

।।

 

 

 

 

ତାହାଙ୍କ ଅନ୍ତକାଳେ ପୁଣ

ମୃଗେ ପଡ଼ିଲା ଯାଇ ମନ

।।

ସେ ମୃଗ ଚିତ୍ତରୁ ତାଙ୍କର

ସ୍ନେହରେ ନୋହିଲା ବାହାର

।।

ପ୍ରାଣ ଛାଡ଼ିଲେ ତପଚାରି

ମୃଗର ଚିନ୍ତା ମନେ ଧରି

।।

ସେ ପୁନଃ ଆର ଜନମେଣ

ଲଭିଲେ ମୃଗ ତନୁ ଜାଣ

।।

 

 

 

 

ଏ ଘେନି କରି ଭାବଗ୍ରାହୀ

ଅର୍ଜୁନ ଆଗେ ଛନ୍ତି କହି

।।

ଶ୍ରୀମଭାଗବତ ଗୀତାରେ

ଆଜ୍ଞା ହୋଇଛି ଶ୍ରୀମୁଖରେ

।।

ଯେବଣ ଚିନ୍ତାଟି ଯାହାର

ନିରତେ ଥାଇ ଯେ ଚିତ୍ତର

।।

ପୁତ୍ର ଭାରିଯା ଗୃହ ଜନ

ବନ୍ଧୁ ବାନ୍ଧବ ନିଜ ଧନ

।।

 

 

 

 

ସେ ତାଙ୍କ ଜୀବନର ଅନ୍ତେ

ପ୍ରବେଶ ହୋଇ ନିଜ ଚିତ୍ତେ

।।

ସେହି ଇଚ୍ଛାରେ ଥାଇମନ

ସହଜେ ତେଜନ୍ତି ଜୀବନ

।।

ସେ ପୁଣି କାଳେ ପରାପତ

ଜନମ ଲଭନ୍ତି ଯୁଗତ

।।

ଏ ଘେନି ସର୍ବଦା ସୁମର

ମୋତେ ନିରତେ ଚିନ୍ତାକର

।।

 

 

 

 

ଏମନ୍ତ କୃଷ୍ଣ ଆଜ୍ଞା ଦେଇ

ଏକଥା ଅନ୍ୟଥା ନୁହଇ

।।

ବିଶେଷ ଶ୍ରୀମୁଖର ଆଜ୍ଞା

ତାହା କେ କରିବ ଅବଜ୍ଞା

।।

ଏଘେନି କରି ସାଧୁଜନ

ପୁତ୍ର ଭାରିଯା ଗୃହ ଧନ

।।

ଏ ଆଦି ଯେତେଟି ଅଛନ୍ତି

ଏଥୁଁ ବାହାର କରି ମତି

।।

 

 

 

 

କୃଷ୍ଣ ଚରଣେ ନେଇ ଦିଅ

ଏହି ଚେଷ୍ଟାରେ ପଛେ ଥାଅ

।।

ଘଟ ନର୍ତ୍ତକର ବିଚାରେ

ଚିତ୍ତ ନିରୋପ କୃଷ୍ଣଠାରେ

।।

ସେ ଯେହ୍ନେ ଘଟ ନୀର ଘେନି

ନଗ୍ର ଭିତରେ ପଶି ପୁଣି

।।

ନୃତ୍ୟ ସେ କରନ୍ତି ହରଷେ

ଅଖିଳ ଜନ ମନ ତୋଷେ

।।

 

 

 

 

ତାଙ୍କର ଚିତ୍ତ ନିରନ୍ତରେ

ଥାଇ ଯେ ଶିର ଘଟ ପରେ

।।

କ୍ଷଣେ ନୁହଇ ତହୁଁ ଆନ

ନିରତେ ଘଟେ ଥାଇ ମନ

।।

ଏ ଭାବେ ହେଲେହେଁ ଯୁଗତ

କୃଷ୍ଣଚରଣେ ଦେଇ ଚିତ୍ତ

।।

ହେଳେ ହୋଇବ ଭବୁଁ ପାର

ଉଦ୍ଧରି ନେବେ ଦାମୋଦର

।।

 

 

 

 

ଶ୍ରୀକୃଷ୍ଣ ଭକ୍ତିର ସାଧନ

ଏଠାରୁ ହୋଇଲା ସମ୍ପୂର୍ଣ୍ଣ

।।

ତ୍ରୟୋବିଂଶତି ଅଧ୍ୟାୟେହିଁ

ସାଧନ ବିଚାରଟି ଯହିଁ

।।

ନିରତେ ସାଧନ ବିଚାର

ସୁଜନେ ଅଛି ଏ ଅଧ୍ୟାର

।।

କୃଷ୍ଣଚରଣେ ଦେଇ ମନ

କହଇ ଦାସ ଭୀମସେନ

।।

 

 

 

 

ହେ ପ୍ରଭୁ ଆତଙ୍କନାଶନ

ଆତଙ୍କେ ଡାକିଲେ ଯେ ଶୁଣ।।

 

କୁରୁରାଜନ ସଭାତଳେ

ଗୁରୁଜନଙ୍କର ଆଗରେ

।।

ପାପିଷ୍ଠ ଦୁଷ୍ଟ ଦୁଃଶାସନ

ଉଲଗ୍ନ କରିବ ବୋଲିଣ

।।

ବସନ ଉଛୁଡ଼ନ୍ତେ କରେ

ଦେବୀ ସେ ଲଜ୍ଜାର ଆକୁଳେ।।

 

 

 

 

 

ବେନି ଲୋଚନ ବୁଜି କରି

ଡାକିଲେ ରଖ କମ୍ବୁଧାରୀ

।।

ଶରଣଜନଙ୍କ ସୋଦର

ଲଜ୍ଜାରୁ କରିବା ନିସ୍ତାର

।।

ଉଦ୍ଧାର ମାନ ଉଦ୍ଧାରଣ

ନିବାର ଦୁଃସହ କଷଣ

।।

ଦ୍ୱାରକା ଥାଇ ତା ଶୁଣିଲେ

କୋଟି ବସନ ତାଙ୍କୁ ଦେଲେ।।

 

 

 

 

 

ବସନ ପର୍ବତ ଆକାର

ପଡ଼ିଲା ନୋହିଲା ବାହାର

।।

ଏବେ ଶୁଣିବା ପୀତବାସ

ଏ ମୋର କାଳ ଯେ ପୁରୁଷ

।।

ଦୁଃଶାର ପ୍ରାୟେ ମୋତେ କରି

କରେ ମୋ କେଶ ଅଛି ଧରି।।

।।

ଏ ପିଣ୍ଡ ବସନ ମୋହର

ନିଶ୍ଚେ କରିବେ ପ୍ରଭୁ ଦୂର

।।

 

 

 

 

ଏ ଦୂର ନୋହୁ ଭାବଗ୍ରାହୀ

ତୁମ୍ଭର ଭକ୍ତି ବାସ ଦେଇ

।।

ଏ କାଳ ତୁର୍ଣ୍ଣ କରି ପାରି

ମୋତେ ଯେ ଦେବାକ ଉଦ୍ଧରି।।

 

ତୁମ୍ଭର ଅଭିନ୍ନ ଚରଣ

ଭୀମ ଯେ ପଶିଲା ଶରଣ

।।

ଇତି ଶ୍ରୀ ହରିଭକ୍ତିଚନ୍ଦ୍ରୋଦୟେ ସାଧନ ବୁଦ୍ଧି ବିଚାରୋ

ନାମ ତ୍ରୟବିଂଶୋଽଧ୍ୟାୟଃ ।

 

୨୪ଶ ଅଧ୍ୟାୟ ।

ବନ୍ଦଇ ପ୍ରଭୁ ବନମାଳୀ

ଯେ ବୃନ୍ଦାବନେ କେଳି-କରି

।।

ସନ୍ତାନ ପାଦପର ତଳେ

ମଣି ନିର୍ମିତ ବେଦି ପରେ

।।

ତ୍ରିଭଙ୍ଗି ଛନ୍ଦରେ ବିଜୟେ

ମୁରଲୀ ବେନି କରେ ଶୋହେ।।

 

ବିକାଶ ଇନ୍ଦୀବର କାନ୍ତି

ଆଜାନୁ ସୁଧାକର ଭ୍ରାନ୍ତି

।।

 

 

 

 

ବରହ ଅବତଂସ ଚୂଳ

ଶ୍ରୀବତ୍ସ ଲକ୍ଷଣ ଉଦାର

।।

କୌସ୍ତୁଭଧାରି ପୀତବାସ

ଗୋ ଗୋପୀମଣ୍ଡଳେ ପ୍ରକାଶ।।

 

ଗୋପୀଙ୍କ ନୟନ କମଳ

ପୂଜିତ ଯାର କଳେବର

।।

ବିବିଧ ଭୂଷଣେ ରାଜିତ

ମୁରଲୀ ବାଦନେ ପଣ୍ଡିତ

।।

 

 

 

 

ନିନ୍ଦନ୍ତି କୋଟିଏ ମଦନ

ଗୋପୀଙ୍କ ମାନସ ମଥନ

।।

ଆଭାର ନଟବର ବେଶ

ଭୀମଦାସର ତାଙ୍କୁ ଆଶ

।।

କରଣ କୁଳରେ ଜନମ

ତାତ ମୋ ବିଷ୍ଣୁଭକ୍ତ ଜାଣ

।।

ଚନ୍ଦ୍ରଶେଖର ମହାପାତ୍ର

ନାମେ ଅବନୀ ତଳେ ଜାତ

।।

 

 

 

 

ସାଧୁ ସେବାରେ ନିରନ୍ତର

ନାମ ଭଜନ୍ତି ତତିପର

।।

ନାମ ଭଜନ ବିନୁ ଆନ

କାହିଁ ନ ରସେ ତାଙ୍କ ମନ

।।

ସେ ମୋତେ ଅନୁଗ୍ରହ କରି

ବୋଇଲେ ଭଜ ବେଣୁଧାରୀ।।

 

ସେ ଘେନି ଭଜନର ମାର୍ଗ

ବିଚାର ହୋଇ ଉଦବେଗ

।।

 

 

 

 

କୌତ୍ସସ କୁଳରେ ଜନମ

ଯେ ସେ ମାଧବ ମିଶ୍ର ନାମ

।।

କବିଶେଖର ଯେ ପଦବୀ

କବି ସମାନ ସେ ଯେ କବି

।।

ନିପୁଣ ସକଳ ବିଦ୍ୟାରେ

ଆବର ବିଷ୍ଣୁର ଭକ୍ତିରେ

।।

ତାଙ୍କ ଚରଣ ଆଶ୍ରେ କରି

ବହୁତ କାର୍ପଣ୍ୟ ହୋଇଲି

।।

 

 

 

 

ସେ ମୋର କରି ଅନୁରାଗ

କହିଲେ ହରିଭକ୍ତି ଭାବ

।।

ସେ ଉପଦେଶ ଦେଲେ ଯାହା

 

ବିଚାର କରଇ ମୁଁ ତାହା

।।

ଜଗତ ଜନ ହିତ ପାଇଁ

ତା ଗୀତ କରି ବିଚାରଇଁ

।।

ଅଭ୍ୟାସ ହୋଇବ ଯୁଗତେ

ରହିବ ନିରବଧି ଚିତ୍ତେ

।।

 

 

 

 

ଭକ୍ତି ଗ୍ରନ୍ଥରେ ମୋର ନାମ

ହୋଇବ ଆବର ଲେଖନ

।।

ଏତେ ବିଚାରି ମୁହିଁ କଲି

ଭଗବାନ କୃପାରୁ କରି

।।

ଦୁଜନେ ଦାବଧାନ କର

ଶ୍ରୀକୃଷ୍ଣ ଭକ୍ତର ବିଚାର

।।

ସାଧନ ଭକ୍ତର ଉତ୍ତାରେ

ଭାବର ଭକ୍ତିର ବିଚାରେ

।।

 

 

 

 

ସେ ଭାବ ଭକ୍ତିର ବିଚାର

ସେ ଯେ ମାନବେ ଅଗୋଚର।।

 

ଭାବତ ସାଧନ ନୁହନ୍ତି

ତାଙ୍କ ଇଚ୍ଛାରେ ପ୍ରକାଶନ୍ତି

।।

ସାଧୁମାନଙ୍କର ଚିତ୍ତରେ

ପ୍ରକାଶ ହୁଅନ୍ତି ଇଚ୍ଛାରେ

।।

ସାଧୁଙ୍କ ଲକ୍ଷଣ ଯୁଗତ

ଭାବ ଯେ ହୁଅନ୍ତି ବିଦିତ

।।

ଦୁଜନେ ସାବଧାନେ ଶୁଣ

ଭାବ ଭକ୍ତିର ଉତପନ

।।

 

 

 

 

ତିନିପ୍ରକାରେ ଭାବ ଜାତ

ସାଧୁଙ୍କ ଚିତ୍ତରେ ଯୁଗତ

।।

ଅତ୍ୟନ୍ତ ଭକ୍ତି ସାଧନରୁ

ଆବର ଶ୍ରୀକୃଷ୍ଣ କୃପାରୁ

।।

ଭକ୍ତି କୃପାରୁ କରି ଜାଣ

ତିନିପ୍ରକାରୁ ଜାତ ପୁଣ

।।

ଭାବ ଜାତକୁ ଏହି ତିନି

କାରଣ ଅଟନ୍ତିଟି ପୁଣି

।।

 

 

 

 

ଏ ତିନି କଥାରୁ ଯୁଗତ

ଭାବ ହୁଅନ୍ତି ଜାଣ ଜାତ

।।

ଶୁଣିବା ତହିଁର ବିଚାର

ଯେ ତିନି କାରଣୁ ଭକ୍ତର

।।

ସକଳ ପାପ ନାଶ ଯାନ୍ତି

ପୁଣ୍ୟ ଶରୀର ସେ ହୁଅନ୍ତି

।।

ତମ ରାଜସ ଗୁଣମାନ

ନାଶ ଯାଆନ୍ତି ହାଦେ ଶୁଣ

।।

 

 

 

 

ସେ ଶୁଦ୍ଧ ସତ୍ତ୍ୱ ଯେ ଗୁଣରେ

 

ରହନ୍ତି ବିଶୁଦ୍ଧ ଆତ୍ମାରେ

।।

ଅତି ନିର୍ମଳ ଚିତ୍ତ ହୋଇ

କିଛିହିଁ ବିକାର ନ ଥାଇ

।।

ସେ ଚିତ୍ତେ ପ୍ରଥମେ ବିକାର

ଭକ୍ତି ଆସ୍ୱାଦେ ଜନ୍ମିବାର

।।

ଭାବ ବୋଲିଣ ତାକୁ କହି

ଆହୁରି ଶୁଣ ମନଦେଇ

।।

 

 

 

 

ସେ ଭାବ ଜାଣ ପ୍ରେମ ଭକ୍ତି

ଚତୁର୍ଥ ଅଂଶର ଆକୃତି

।।

ଉଦୟ ହୁଅନ୍ତି ଚିତ୍ତେଣ

ସେ ଅଂଶ ରୁଚିମାନଙ୍କେଣ

।।

ମସୃଣ କରନ୍ତି ଚିତ୍ତକୁ

ତେଣୁ ସେ ଚିତ୍ତ ବିକାରକୁ

।।

ଭାବ ବୋଲିଣ ହାଦେ ଜାଣ

ପ୍ରେମ ଅଙ୍କୁର ସେଟି ପୁଣ

।।

 

 

 

 

ସେ ଯୋନିତନ୍ତ୍ରେ ଅଛି ରହି

ପ୍ରେମ ପ୍ରଥମାବସ୍ଥା ଯେହି

।।

ଭାବ ବୋଲିଣ ତାହା ଜାଣ

ଆହୁରି କହିବାକ ଶୁଣ

।।

ଯାହା ଅଛଇ ମୁହିଁ ଶୁଣି

ଭାବ ଲକ୍ଷଣ ଗୁଣ ପୁଣି

।।

ନିର୍ବିକାର ଚିତ୍ତରେ ଯାର

ପ୍ରଥମେ ହୋଏ ଯେ ବିକାର।।

 

 

 

 

 

ଭକ୍ତିରସ ବିଭାଗ ପାଇଁ

ଭାବ ବୋଲିଣ ବୋଲ ତାହି

।।

ଭକ୍ତିରସର ଯେ ବିଭାବ

ତାହା ସୁଜନେ କର ଠାବ

।।

କୃଷ୍ଣ ଆବର ଭକ୍ତଜନ

କୃଷ୍ଣର ରୂପ ଗୁଣମାନ

।।

ସହାୟ ନିତ୍ୟ ଶିକ୍ଷା ଆଦି

ଶୃଙ୍ଗ ନୂପୁର ବେଷବିଧି

।।

 

 

 

 

ବହୁତ ଛନ୍ତି ଏ ଆଦିରେ

ବିଭାବ ଭକ୍ତି ଯେ ରସରେ

।।

ଏହା ଭାବନା କଲା ଚିତ୍ତେ

ବିକାର ହୁଏ ଯେ ଯୁଗତେ

।।

ଭାବ ବୋଲିଣ ତାଙ୍କୁ କହି

ଏଣୁ ଶୁଣିମା ମନ ଦେଇ

।।

ଭାବ ଜନମ ହୋନ୍ତେ ଚିତ୍ତେ

ତକ୍ଷଣେ ବାହ୍ୟରେ ଯୁଗତେ

।।

 

 

 

 

ଭାବକୁ ହୋଇ ଅନୁଗତ

ଅଷ୍ଟ ସାତ୍ୱିକ ହୋନ୍ତି ଜାତ

।।

କହିବି ତହିଁର ଲକ୍ଷଣ

ତା ଏବହ ଏକେ ଏକେ ଶୁଣ।।

 

ପ୍ରଥମେ ସ୍ତମ୍ଭ ଜାତ ହୁଏ

ସ୍ତମ୍ଭ ପ୍ରାୟେକ ହୋଇ ରହେ।।

 

ଦ୍ୱିତୀୟେ ସ୍ୱେଦ ହୁଏ ଜାତ

ସର୍ବାଙ୍ଗ ଯାକଇ ଯୁଗତ

।।

 

 

 

 

ତୃତୀୟେ ପୁଲକଇ କାୟ

ଦିଶେ କଦମ୍ବପୁଷ୍ପ ପ୍ରାୟ

।।

ଚତୁର୍ଥ ସ୍ୱର ଭଙ୍ଗ ପୁଣି

କହନ୍ତି ଗଦ ଗଦ ବାଣୀ

।।

ପଞ୍ଚମେ କମ୍ପ ଜାତ ହୁଏ

ବାତେ କଦଳୀ ଦଳ ପ୍ରାୟେ

।।

ଷଷ୍ଠରେ ଦିଶନ୍ତି ବିବର୍ଣ୍ଣ

ତେଜ ନିଜ କାନ୍ତି ଯାଇଣ

।।

 

 

 

 

ସପତମରେ ଅଶ୍ରୁ ଜାତ

ନେତ୍ରରୁ ହୁଅଇ ଯୁଗତ

।।

ଅଷ୍ଟମେ ହୁଅନ୍ତି ଅଜ୍ଞାନ

ଭକ୍ତିରସରେ ହରେ ମନ

।।

ପଡ଼ନ୍ତି ଶୁଷ୍କ କାଷ୍ଠ ପ୍ରାୟେ

କେତେହେଁ କାଳେ ଜ୍ଞାନ ପାଏ।।

 

ଏ ଭାବେ ଆଠ ଯେ ପ୍ରକାର

 

ସାତ୍ୱିକ ଜାତ ତାହାଙ୍କର।।

 

 

 

 

 

ତାହାଙ୍କ ଭାବେ ଭକ୍ତି ଜାତ

ତାଙ୍କର ହୁଏ ଏ ଯୁଗତ

।।

କାର ବା ହୁଏ ଦୁଇ ଚାରି

ଭାବ ଚିତ୍ତକୁ ଅନୁସରି

।।

ଏ ଯେ ଶ୍ରୀକୃଷ୍ଣ ଭାବ ଭକ୍ତି

ତାଙ୍କର ଇଚ୍ଛାରେ ହୁଅନ୍ତି

।।

ଭକତ ଅଦୃଷ୍ଟ ବଶରେ

ଆସ୍ୱାଦ କରନ୍ତି ଚିତ୍ତରେ

।।

 

 

 

 

ସାଧନ ଭକ୍ତିର ଯୁଗତ

ଭାବ ହୁଅନ୍ତି ଜାଣ ଜାତ

।।

ଭାବରୁ ପ୍ରେମ ଜାତ ହୋଇ

ଭକ୍ତି ଏ ଭାବେ ସମ୍ଭବଇ

।।

ଯେ ହାଦେ ଭାବର ଲକ୍ଷଣ

ରତି ବୋଲିଣ ତାହା ଜାଣ

।।

ନାଟକେ ଅଛି ଭିନ୍ନ ଭିନ୍ନ

ରତି ଭାବର ଯେ ଲକ୍ଷଣ

।।

 

 

 

 

ଭକ୍ତି ଗ୍ରନ୍ଥରେ ଭିନ୍ନ ନାହିଁ

ଏକ କରିଣ ଛନ୍ତି କହି

।।

ଏ ଘେଦି କୃଷ୍ଣଠାରେ ରତି

ହେଲେଟି ବୋଲିବା ଭକତି

।।

କୃଷ୍ଣ ଚରଣେ ଦେଇ ମନ

ଭାବ ଯେ ଭକ୍ତିର ଲକ୍ଷଣ

।।

କହିଲା ଶିଶୁ ଭୀମ ଦାସ

ଭାଷା ଗୀତରେ ଭକ୍ତି ରସ

।।

ଇତି ଶ୍ରୀ ହରିଭକ୍ତିଚନ୍ଦ୍ରୋଦୟେ ଭାବ ଭକ୍ତି ଲକ୍ଷଣ

ବିଚାରୋ ନାମ ଚତୁର୍ବିଂଶୋଽଧ୍ୟୋୟ ।      

 

୨୫ଶ ଅଧ୍ୟାୟ ।

(ତ୍ରିବିଧ ଭାବ ଭକ୍ତି)

ଦୁଜନେ ସାବଧାନ କର

ଶ୍ରୀକୃଷ୍ଣ ଭକ୍ତିର ବିଚାର

।।

ପ୍ରଥମେ କହିଲି ଯୁଗତ

ତିନି ପ୍ରକାରେ ଭାବ ଜାତ

।।

ଅତ୍ୟନ୍ତ ଭକ୍ତି ସାଧନରୁ

ଆବର ଶ୍ରୀକୃଷ୍ଣ କୃପାରୁ

।।

ଭକ୍ତ କୃପାରୁ କରି ପୁଣ

ଯେ ହାଦେ ଭକ୍ତିର ଜନମ

।।

 

 

 

 

ତା ଏବେ ଏକ ଏକ କରି

ସୁଜନେ ଶୁଣିମା ବିଚାରି

।।

ଭକ୍ତି ସାଧନୁ ଯେ ହୁଅନ୍ତି

ଯେ ଭକ୍ତି ନିରତେ ସାଧନ୍ତି

।।

କ୍ଷଣେହେଁ ନ ଛାଡ଼ନ୍ତି ଜାଣ

ନିରତେ କରନ୍ତି ସାଧନ

।।

ଅତ୍ୟନ୍ତ ସାଧନୁ ତାଙ୍କର

ଚିତ୍ତ ଯେ ହୁଅଇ ନିର୍ମଳ

।।

 

 

 

 

ସେ ଚିତ୍ତେ କୃଷ୍ଣର ସ୍ୱରୂପ

ଧ୍ୟାନରେ ହୁଅନ୍ତି ଲୋଲୁପ

।।

ଯେ ଗୁଣ ଯଶ ଗାଆମାନ

ତାହା ଯେ କରନ୍ତି ଗାୟନ

।।

ସାଧୁଙ୍କ ଗୋଷ୍ଠୀରେ ଯୁଗତ

ଶୁଣନ୍ତି ଶ୍ରୀକୃଷ୍ଣ ଚରିତ

।।

ଏ କଥାମାନ ସେ ଯୁଗତେ

ଆସ୍ୱାଦ କରନ୍ତେଣ ଚିତ୍ତେ

।।

 

 

 

 

ଏଥିରୁ ହୁଏ ଭାବ ଜାତ

ସାଧୁଙ୍କ ଚିତ୍ତରେ ଯୁଗତ

।।

ସାଧନ କାରଣକୁ ପାଇ

କୃଷ୍ଣରେ ମତି ଉପୁଜଇ

।।

ଅଶ୍ରୁ ପୁଲକ ଆଦିକରି

ସାତ୍ୱିକେ ହୁଅନ୍ତି ତାଙ୍କରି

।।

ଏ ଭାବେ ଭାବର ଜନମ

ସାଧନୁ ହେଲା ବୋଲି ଜାଣ

।।

 

 

 

 

କୃଷ୍ଣ ପ୍ରସାଦୁଁ ଯେ ହୁଅଇ

ତାହା ଶୁଣିମା ମନ ଦେଇଁ

।।

ସେ ବେନି ପ୍ରକାରଟି ଜାଣ

ଆଜ୍ଞା ଆବର ବିଲୋକନ

।।

ଆଜ୍ଞାରେ ହୋଇଛି ଯାହାର

ତା ଏବେ ସାବଧାନ କର

।।

ବ୍ରହ୍ମାଙ୍କ ଚାରି ଯେ ନନ୍ଦନ

ଦେ ଯେ ଅଟନ୍ତି ସର୍ବେ ସମ

।।

 

 

 

 

ସାଧନ ନ ଥିଲା ଯୁଗତ

ଆଜ୍ଞାରେ ହେଲା ଭାବଜାତ

।।

ପ୍ରଥମେ ଭାବହିଁ ହୋଇଲା

ଏମନ୍ତ ଅଛଇ ଶୁଣିଲା

।।

ଆବର ମୁନି ଶୁକ ଦେବ

ଆଜ୍ଞାରେ ଜାତ ହେଲା ଭାବ

।।

ଏ ଭାବେ ଆଜ୍ଞାରେ ବହୁତ

ଭାବ ହୋଇଛି ଜାଣ ଜାତ

।।

 

 

 

 

ଆଲୋକ ଦାନରୁଟି ଜାଣ

ଭାବର ଜାତ ହେବା ଶୁଣ

।।

ମଥୁରାବାସିମାନଙ୍କର

ସାଧନ ନ ଥିଲା ଆବର

।।

କୃଷ୍ଣଙ୍କୁ ଦେଖନ୍ତେ ଯୁଗତ

କୃଷ୍ଣ କଟାକ୍ଷ ହୋନ୍ତେ ଜାତ

।।

 

 

 

 

ଆଲୋକ ପ୍ରସାଦରୁ କରି

ଭାବ ହୋଇଲା ସବୁଙ୍କରି

।।

ଭାବେ ବୁଡ଼ିଲା ତାଙ୍କ ମନ

କଟାକ୍ଷେ ହୋଇଲା ଅଜ୍ଞାନ

।।

ଏ ଘେନି ଆଲୋକରୁ ଜାତ

ଭାବ ଯେ ହୁଅଇ ଯୁଗତ

।।

ଅଦ୍ୟାପି ଶ୍ରୀମୂର୍ତ୍ତି ଦର୍ଶନ

କରିବା ଠାରେ ହାଦେ ଜାଣ

।।

 

 

 

 

ବିକାର ହୁଏ ଚିତ୍ତେ ଯାର

କୃଷ୍ଣର ଦେଖିଣ ଆକାର

।।

ଅଶ୍ରୁ ପୁଲକ ହାଦେ ହୋଇ

ଭାବ ବୋଲିଣ ଜାଣ ତାହି

।।

ଏ ଭାବେ କୃଷ୍ଣ କୃପା ଘେନି

ଭାବଜନମ ହୁଏ ପୁଣି

।।

ଭକତ ପ୍ରସାଦରୁ ପୁଣ

ଭାବର ଜାତ ହେବା ଶୁଣ

।।

 

 

 

 

ନାରଦ ଋଷିଙ୍କ ପ୍ରସାଦେ

ଭାବ ହୋଇଲା ପ୍ରହଲାଦେ

।।

ଆହୁରି ଅଛଇଁ ଯେ ପୁଣି

ସ୍କନ୍ଦ ପୁରାଣର ଏ ବାଣୀ

।।

ବନେ ନାରଦ ମୁନିବର

ଦେଖିଲେ ଏକଇ ଶବର

।।

ବିପିନେ ଜୀବ ମାରୁଥିଲା

ଋଷିଙ୍କି ଦେଖିଣ ରହିଲା

।।

ମୁନି ତାହଙ୍କୁ ଦେଖିକରି

ତାଠାରେ ଦୟା ଯେ ଆଚରି

।।

 

 

 

 

ବୋଇଲେ କୃଷ୍ଣ ଭକ୍ତି କର

ଏ ପାପ କଥା କର ଦୂର

।।

ଋଷି ଆଜ୍ଞାରେ ଯେ ଲୁବ୍ଧକ

ତେଜିଲା କୋଦଣ୍ଡଶାୟକ

।।

ଆନନ୍ଦେ ଅଶ୍ରୁଜଳ ବହେ

ପୁଲକ ହୋଇଲା ତା କାୟେ

।।

ଏ କଥା ଜାଣଟି ଯୁଗତ

ବ୍ୟାଧର ହେଲା ଭାବ ଜାତ

।।

 

 

 

 

ଋଷି କୃପାରୁ କରି ଜାଣ

ଭକ୍ତି ଲଭିଲେ ତତକ୍ଷଣ

।।

ଏ ଭାବେ ବହୁତ ଅଛଇ

ଭକ୍ତ କୃପାରୁ ଭାବ ହୋଇ

।।

ଏ ତିନି ପ୍ରକାରୁଁଟି ଜାଣ

ଭାବ ଜନମ ହୁଏ ପୁଣ

।।

ଆହୁରି ଶୁଣିମା ବିଚାର

ସୁଜନେ ସାବଧାନ କର

।।

 

 

 

 

ଯାହାର ସାଧନହିଁ ନାହିଁ

କୃଷ୍ଣର କୃପାହିଁ ନ ଥାଇଁ

।।

ଭକ୍ତ କୃପାହିଁ ନାହିଁ ଜାଣ

ଏମନ୍ତେ ଭାବର ଜନମ

।।

ତାଙ୍କର କ୍ଷତ ଯେ ନ ଥାଇ

ଅଦ୍ଭୁତ ହୋଇଣ ହୁଅଇ

।।

ତାଙ୍କର ଶୁଣିମା ବିଚାର

ସେ ବଡ଼ ଭାଗ୍ୟବନ୍ତ ନର

।।

 

 

 

 

ପୂର୍ବଜନ୍ମରେ କୃଷ୍ଣ ଭକ୍ତି

ଯାହା ସାଧନ କରିଥାନ୍ତି

।।

ତାଙ୍କର ସେ ସାଧନମାନ

କି କି ପ୍ରକାରେ ହୁଏ ବିଘ୍ନ

।।

ସ୍ଥକିତ ହୋଇ ସେ ଯେ ଥାନ୍ତି

ଏ ଜନ୍ମେ ପ୍ରକାଶ ହୁଅନ୍ତି

।।

ଲୋକରେ ହୋଇ ଚମତ୍କାର

ଭାବ ପ୍ରକାଶ ହୁଏ ତାର

।।

 

 

 

 

ସେ ସବୁଠାରୁ ଯେ ଅଧିକ

ଏମନ୍ତ ଜାଣିବ ବିବେକ

।।

ଏହି ସାଧନ ହେଲା ବୋଲି

ସୁଜନେ ଜାଣିବା ଆକଳି

।।

ଆହୁରି ଭାବର ଜନମ

ସୁଜନେ ସାବଧାନେ ଶୁଣ

।।

ଭାବ ଅଭ୍ୟାସୁ ଭାବ ଜାତ

ଆବର ହୁଅନ୍ତି ଯୁଗତ

।।

 

 

 

 

ସେ ଭାବ ଅଭ୍ୟାସ ବିଧାନ

ପଛେ କହିବା ତାହା ଜାଣ

।।

ସାଧନ ଭେଦ ସେ ଯୁଗତ

ସାଧୁ ସଙ୍ଗରୁ ହୁଏ ଜାତ

।।

ଏଘେନି ଭାବ ଜାଣ ଏହି

ତିନି ପ୍ରକାରୁ ଜାତ ହୋଇ

।।

ସାଧନୁ ହୁଅନ୍ତି ବହୁତ

କୃପାରୁ ଅଳପ ଯୁଗତ

।।

 

 

 

 

ଯେହି ସାଧଇ ତାର ହୋଇ

କୃପା ଯେ ଭାଗ୍ୟବଶେ ଥାଇ

 

ଏ ଭାବେ କୃଷ୍ଣ ଭାବ ଭକ୍ତି

ଭକ୍ତିରୁ ଜାତ ଯେ ହୁଅନ୍ତି

।।

ସାଧୁମାନଙ୍କ ହୃଦୟରେ

ଜାତ ହୁଅନ୍ତି ଏ ପ୍ରକାରେ

।।

ଯାହାର ଥାଇ ଅତିଭାଗ୍ୟ

ତାଠାରେ କୃଷ୍ଣ ଅନୁରାଗ

।।

 

 

 

 

ବହୁତ କାଳର ବାସନା

ଶ୍ରୀକୃଷ୍ଣ ଚରଣ ଭାବନା

।।

ପ୍ରକାଶ ହୁଏ ଏ ଲୋକରେ

ଜାଣିବା ତାହାଙ୍କ ଠାବରେ

।।

ଭାବୁଁ ଯେ ଭକ୍ତି ହୁଏ ଜାତ

ଏହା ଜାଣିମ କରି ତତ୍ତ୍ୱ

।।

ଯେ ସେ କାମନା ନ କରନ୍ତି

ମୁକ୍ତିକି ମନେ ନ ଇଚ୍ଛନ୍ତି

।।

 

 

 

 

ନିଷ୍କାମ ଭକ୍ତି କୃଷ୍ଣ ପାଦେ

ଯେ ଜାଣ କରନ୍ତି ସାନନ୍ଦେ

।।

ତାଙ୍କର ଭାବ ଜାତ ଜାଣ

ସାମାନ୍ୟ ନୁହନ୍ତି ସେ ଜନ

।।

ଶ୍ରୀକୃଷ୍ଣ ଚରଣ-ସାରସ

ଚିନ୍ତି କହଇ ଭୀମ ଦାସ

।।

ଇତି ଶ୍ରୀ ହରିଭକ୍ତିଚନ୍ଦ୍ରୋଦୟେ ଭାବ ଭକ୍ତି ତ୍ରିବିଧ ବିଚାରୋ

ନାମ ପଞ୍ଚବିଂଶୋଽଧ୍ୟାୟଃ ।

 

୨୬ଶ ଅଧ୍ୟାୟ ।

(ଅନୁଭାବ ନବ ଲକ୍ଷଣ)

ସୁଜନେ କର ସାବଧାନ

ଶ୍ରୀ ଭାବ ଭକ୍ତିର ବିଧାନ

।।

ଭକ୍ତଙ୍କ ଠାବରେ ଯୁଗତ

ଭାବ ହୁଅନ୍ତି ଜାଣ ଜାତ

।।

ସେ ଭାବ ଭାବନା ଚିତ୍ତରେ

ନିରତେ ହୁଅନ୍ତି ମନରେ

।।

ସେ ଭାବୁଁ ଅନୁଭାବ ଜାତ

ସେ ଭାବେ ହୁଅନ୍ତି ଯୁଗତ

।।

 

 

 

 

ସେ ଅନୁଭାବ ଏବେ ଜାଣ

ନବ ପ୍ରକାର ହୁଏ ପୁଣ

।।

କ୍ଷାନ୍ତି ବୋଲିଣ ପ୍ରଥମରେ

ଅବ୍ୟର୍ଥ କାଳ ଦ୍ୱିତୀୟରେ

।।

ବିରକ୍ତି ତୃତୀୟରେ ଜାଣ

ମାନଶୂନ୍ୟତା ଚତୁର୍ଥେଣ

।।

ପଞ୍ଚମେ ଆଶାବନ୍ଧ କହି

ଷଷ୍ଠରେ ସମୁତ୍କଣ୍ଠା ହୋଇ

।।

 

 

 

 

ସପ୍ତମେ ରୁଚି ନାମ ଗାନେ

ଆସକ୍ତି ଜାତ ଯେ ଅଷ୍ଟମେ

।।

ନବମେ ଶ୍ରୀକୃଷ୍ଣ ବସତି

ସ୍ଥଳରେ ହୁଏ ତାଙ୍କ ମତି

।।

ଏମନ୍ତ ଭାବ ଜାଣ ନବ

ପ୍ରକାରେ ହୁଏ ଅନୁଭାବ

।।

ଭାବ ଜନମ ଭକ୍ତଠାରେ

ଏ ଜାତ ହୁଅନ୍ତି ବେଭାରେ

।।

 

 

 

 

ଏହା ଯେ ଏକ ଏକ କରି

କହିବି ଶୁଣିମା ବିଚାରି

।।

ଏଥିର ଯେ ଅବା ଲକ୍ଷଣ

ଯେ ସେ ଭଗତ ତାହା ଶୁଣ

।।

କ୍ଷାନ୍ତି ବୋଲିଣ ହାଦେ ଯେହି

ତାର ଲକ୍ଷଣ ଜାଣ ଏହି

।।

କ୍ଷୋଭ ପ୍ରାପତ ହୋଇଥାନ୍ତେ

କ୍ଷୋଭ ନୁହଇ ତାଙ୍କ ଚିତ୍ତେ

।।

 

 

 

 

ନିରତେ ଭଜେ ଯଦୁପତି

ଯେମନ୍ତ ପରୀକ୍ଷ ନୃପତି

।।

ମରଣ ହେବ ସାତଦିନେ

କ୍ଷୋଭ ନୋହିଲା ତାଙ୍କ ମନେ।।

 

ଭାବ ଯେ ହୋଇଥିଲା ଜାତ

ସେହି ଭାବରେ ଦେଲେ ଚିତ୍ତ।।

 

ଶ୍ରୀ ଭାଗବତ ଯେ ପୁରାଣ

ଶୁଣିଲେ ଅକ୍ଷୋଭ ହୋଇଣ

।।

 

 

 

 

ଏହାକୁ କ୍ଷାନ୍ତି ବୋଲି କହି

ଭାବ ଭକ୍ତିରୁ ଏ ହୁଅଇ

।।

ଅବ୍ୟର୍ଥ କାଳ ଏବେ ଶୁଣ

ତାହାର ଯେ ଅବା ଲକ୍ଷଣ

।।

ବ୍ୟର୍ଥ କରିଣ କାଳମାନ

କ୍ଷଣେହେଁ ନ କରନ୍ତି ଜାଣ

।।

ଶ୍ରବଣ କୀର୍ତ୍ତନ ଆଦିରେ

କାଳ ନିଅନ୍ତି ସାଧନରେ

।।

 

 

 

 

ନିରତେ ଅଶ୍ରୁନେତ୍ର ହୋଇ

ରୋମ ପୁଲକ ଥାନ୍ତି ହୋଇ

।।

ଅବ୍ୟର୍ଥ କାଳ ତାଙ୍କୁ ଜାଣ

ଭାବରୁ ଜାତ ଏହୁ ପୁଣ

।।

ବିରକ୍ତି ବୋଲି ଜାଣ ଯେହି

ତାଙ୍କ ଲକ୍ଷଣ ଶୁଣ ଏହି

।।

ଜେତାଙ୍କ ଇନ୍ଦ୍ରିୟ ଯେ ଗଣ

ତାହାର ଯେବା ପ୍ରୟୋଜନ

।।

 

 

 

 

କର୍ଣ୍ଣରେ ସୁସ୍ୱର ଶୁଣିମା

ଜିହ୍ଵାରେ ସୁସ୍ୱାଦ ଜାଣିମା

।।

ଚକ୍ଷୁରେ ଯେବା ଦରଶନ

ଏହି ଆଦିରେ ଯେତେ ଜାଣ।।

 

ସେହି ଇନ୍ଦ୍ରିୟମାନଙ୍କୁହିଁ

ସେ କଥାମାନ ନ ରୁଚଇ

।।

ତହିଁରେ ହୁଅଇ ବିକାର

ତାହାରି ଇଚ୍ଛାଏ ତାଙ୍କର

।।

ଯେ ସୁତ ମାତ ତାତ ନାରୀ

ଧନ ମନ୍ଦିର ଆଦିକରି

।।

 

 

 

 

କଞ୍ଚିତଭାବେ ଗଲା ତେଜି

ଯେମନ୍ତ ବିଷ୍ଠାକୁ ନ ଭଜି

।।

ତା ବିରକତ ଭକ୍ତି ଜାଣି

ଭାବରୁ ଜାତହୁଏ ପୁଣି

।।

ମାନଶୂନ୍ୟତା ବୋଲି ଯାହା

ସୁଜନେ ଶୁଣିମାକ ତାହା

।।

ସେ ବଡ଼ ଲୋକ ହୋଇଥାନ୍ତି

 

ଶ୍ରୀକୃଷ୍ଣ ଭକ୍ତି ଉପୁଜାନ୍ତି

।।

 

 

 

 

ରାଜାମାନଙ୍କ ଚୂଡ଼ାମଣି

ସେ ହାଦେ ହୋଇଥିଲେ ପୁଣି।।

 

ମାନ ନ କରନ୍ତି କାହିଁରେ

ଭିକ୍ଷା ମାଗନ୍ତି ଶତ୍ରୁ ପୁରେ

।।

ଏ ମାନଶୂନ୍ୟଟି ଭକତ

ଭାବ ଭକ୍ତିରୁ ହୁଏ ଜାତ

।।

ଏଥିଉତ୍ତାରୁ ଆଶାବନ୍ଧ

ଲକ୍ଷଣ ଶୁଣିମା କୋବଦ

।।

ଯେତେକ ଶୁଭାଶୁଭକର୍ମ

କାହିଁ ନ ଥାଇ ତାଙ୍କ ସମ

।।

 

 

 

 

କୃଷ୍ଣ ଚରଣେ ଦେଇ ଆଶ

ନିରତେ ଦେଇଣ ମାନସ

।।

କୃଷ୍ଣକୁ ପାଇବା କାମନା

ନିରତେ କରନ୍ତି ଭାବନା

।।

ସେହି କଥାରେ କରି ଆଶ

ବଢ଼ଇ ବହୁତ ମୁହାସ

।।

ଏଥୁ ନ ଥାଇ ମନେ ଆନ

ଏହି କଥାହିଁ ତାଙ୍କ ଧନ

।।

 

 

 

 

ଏହାକୁ ଆଶାବନ୍ଧ କହି

ଏ ଭାବ ଭକ୍ତିରୁ ହୁଅଇ

।।

ଏଥିଉତ୍ତାରୁ ଏବେ ଶୁଣ

ଯେ ସେ ଉତ୍କଣ୍ଠାର ଲକ୍ଷଣ

।।

ଶ୍ରୀକୃଷ୍ଣ ଭକ୍ତିର ବିଚାର

ସେ କଷ୍ଟେ କଥା ତାହାଙ୍କର

।।

ତହିଁରେ ହୋଇଣ ଲୁବୁଧ

ନିଶି ଦିବସେ ସେହି ସଧ

।।

 

 

 

 

ଉତ୍କଣ୍ଠା ହୋଇ ନିରନ୍ତରେ

ସେହି ବିଚାର ଏକା କରେ

।।

ଏହାକୁ ସମୁତ୍କଣ୍ଠା କହି

ଏଥୁ ଶୁଣିବା ମନ ଦେଇ

।।

ଯେ ଜାଣ ରୁଚି ନାମ ଗାନେ

ତାହା ଶୁଣିମା ସାବଧାନେ

।।

କୃଷ୍ଣର ନାମ ଗାଥାମାନ

ନିରତେ କରନ୍ତି ଗାୟନ

।।

 

 

 

 

ବଚନ ଗଦଗଦ ହୁଏ

ଦେହ ପୁଲକ ଅଶ୍ରୁବହେ

।।

ନିରତେ କୃଷ୍ଣ ନାମ ଗାନ୍ତି

ସେ ଭାବୁଁ ଆନ ନ ଜାଣନ୍ତି

।।

ଏ ନାମ ଗାନ ରୁଚି ଜାଣ

ଭାବରୁ ହୁଏ ଉତପନ

।।

ଏ ତହୁଁ ଗୁଣ ଯେ ଆଖ୍ୟାନେ

 

ଆସନ୍ତି ଶୁଣ ସାବଧାନେ

।।

 

 

 

 

କୃଷ୍ଣର ଯେତେ ଗୁଣମାନ

ନିରତେ ବିଚାରନ୍ତି ମନ

।।

ଆସ୍ୱାଦ କରନ୍ତି କହନ୍ତି

ଏ ଗୁଣ ଆଖ୍ୟାନେ ଆସନ୍ତି

।।

ଶ୍ରୀକୃଷ୍ଣ ବସତି ସ୍ଥାନେଣ

ପ୍ରାପ୍ତି କାମନା ଏବେ ଶୁଣ

।।

ଗୋପ ଦ୍ୱାରକା ମଧୁପୁରୀ

ପୁରୁଷୋତ୍ତମ ଆଦିକରି

।।

 

 

 

 

ଯେତେକ କୃଷ୍ଣ ଲୀଳା ସ୍ଥାନ

ଅଛନ୍ତି ତହିଁ ତାଙ୍କ ମନ

।।

ବିହାର କରିବା ବିଚାରେ

ଲୁବ୍‌ଧକ ହୁଏ ନିରନ୍ତରେ

।।

ଗୋପ ଦ୍ୱାରକା ମଧୁପୁରୀ

ପୁରୁଷୋତ୍ତମ ଆଦିକରି

।।

ତହିଁରେ ପ୍ରବେଶ ହୋଇବା

ସେମାନେ ବୁଲିଣ ଦେଖିବା

।।

 

 

 

 

ଯେ ହାଦେ ବୋଲି ଗୋପପୁର

 

ଯେଉଁଠାବରେ ନନ୍ଦଘର

।।

ଯେଉଁ ସ୍ଥାନରେ ଭଗବାନ

ଥିଲେ ଅନ୍ତୁଡ଼ିଶାଳେ ପୁଣ

।।

ଯେଉଁ ସ୍ଥାନରେ ପୁତନାର

ଜୀବନ ଶୋଷିଲେ ଆବର

।।

ଯେଉଁ ସ୍ଥାନରେ ଗୋପୀନାଥ

ଶକଟା ପାଦେ କଲେ ହତ

।।

 

 

 

 

ଯେଉଁଠାବରେ ତୃଣାସୁର

ନିଅନ୍ତେ ମୋଡ଼ିଲେ ତା ଶିର।।

।।

ଯେଉଁଠାବରେ ନନ୍ଦରାଣୀ

କୃଷ୍ଣଙ୍କ ବାନ୍ଧିଥିଲେ ଆଣି

।।

ଯେଉଁଠାବରେ କୃଷ୍ଣ ମାଟି

ଖାଆନ୍ତେ ଧଇଲେ ମା ପାଟି।।

 

ଯେଉଁଠାବରେ ଛାଟ ଧରି

ଗୋଡ଼ାଇଥିଲେ ମାଏ ମାରି

।।

 

 

 

 

ଯେଉଁଠାବରେ ଭାବଗ୍ରାହୀ

ଚୋରାଇ ଖାଇଥିଲେ ଦହି

।।

ଯେଉଁଠାବରେ ହୃଷୀକେଶି

ଥିଲେ ଗୋପୀଙ୍କ ଘରେ ପଶି।।

 

ଯେବଣଠାବରେ ଗୁଆଳୀ

ବାନ୍ଧିଲା ଚୋର ବୋଲି କରି

।।

ବିଟପ ଭାବେ ଯେଉଁଠାରେ

ଲୁଚିଣଥାନ୍ତି ବିଟପିରେ

।।

 

 

 

 

ରାଧାଙ୍କୁ କରି ଯାଇ ରତ

ଯହିଁ ହୋଇଲେ କଳାଭୂତ

।।

ଯେବଣ ଠାବରେ ଗୋବିନ୍ଦ

ଧରିଣ ଥିଲେ ରାଧା ପାଦ

।।

ପଡ଼ନ୍ତେ ରାଧାର ପାଦରେ

ମାୟେ ଦେଖିଲେ ଯେଉଁଠାରେ।।

 

 

 

 

 

ପାଲଟା ବାସମାନ ହରି

ଯହିଁରେ ଥିଲେ ଦୋଳି କରି

।।

ବୃନ୍ଦାବତୀଙ୍କ ଯେଉଁଠାଇଁ

ସ୍କନ୍ଧ ଉପରେ ଥିଲେ ବହି

।।

ଯେବଣଠାରେ ଘାଟୁଆଳ

ହୋଇଣଥିଲେ ନନ୍ଦବାଳ

।।

ଯହିଁରେ ହୋଇଣ ନାଉରି

ରାଧାଙ୍କୁ କରୁଥିଲେ ପାରି

।।

 

 

 

 

ଏହି ପ୍ରକାରେ ଲୀଳାମାନ

କରିବାରଟି ଯେତେ ସ୍ଥାନ

।।

ସେ ସ୍ଥାନ ମାନଟି ଯୁଗତେ

ବୁଲିଣ ଦେଖିବା ନିରତେ

।।

ଗୋପପୁରର ବୃଦ୍ଧ ନର

ମାନଙ୍କୁ ଘେନିଣ ସଙ୍ଗର

।।

ସେମାନେ ଚାଲିଥିବେ ଆଗେ

 

କହୁଣ ଥିବେ ସେ ସରାଗେ

।।

 

 

 

 

ତର୍ଜନୀ ଆଙ୍ଗୁଳି ଘେନିଣ

ସେ ସ୍ଥାନମାନ ଦେଖାଇଣ

।।

ତାଙ୍କର ତହୁଁ ହାଦେ ଶୁଣି

ଅମୃତ ରସ ସମ ବାଣୀ

।।

କର୍ଣ୍ଣରେ କରି ତାହା ପାନ

ଆନନ୍ଦେ ଉଛୁଳିବ ମନ

।।

ଘନ ଆନନ୍ଦ ଜଳଧିରେ

ନିମଗ୍ନ ହୋଇବୁ ବେଭାରେ

।।

 

 

 

 

ନୟନୁ ବହୁଥିବ ନୀର

ଉଦ୍ଧତ ହେଉଥିବ ଶିର

।।

ଶରୀରେ ହୋଇବ ପୁଲକ

ଆବର ଗଦ ଗଦ ବାକ୍ୟ

।।

ଏମନ୍ତ ଭାବ କେଉଁଦିନ

ଆମ୍ଭର ହୋଇବଟି ପୁଣ

।।

ଧନ୍ୟ ସେ ଜୀବନ ଆମ୍ଭର

ଦେଖିବୁଁ କୃଷ୍ଣ ଲୀଳାପୁର

।।

 

 

 

 

ଏ ଭାବେ ବିଚାର ଯା ମତି

ସେ କୃଷ୍ଣ ବସତି ପ୍ରାପତି

।।

ଭାବ ଭକ୍ତିରୁ ହୁଏ ଜାତ

ଏ ହାଦେ ଜାଣିମ ଯୁଗତ

।।

କ୍ଷାନ୍ତି ଆଦିରେ ଏ ଯେ ନବ

ଯାହା କହିଲୁ ଅନୁଭାବ

।।

ଭାବରୁ ଜାତ ଏଯେ ପୁଣ

କହିଲା ଦାସ ଭୀମସେନ

।।

ଇତି ଶ୍ରୀ ହରିଭକ୍ତିଚନ୍ଦ୍ରୋଦୟେ ଅନୁଭାବୋ ନବ ଲକ୍ଷଣ

ବିଚାରା ନାମ ଷଡ଼୍‌ବିଂଶଽଧ୍ୟାୟ ।

 

Unknown

୨୭ଶ ଅଧ୍ୟାୟ ।

(ଭାବାଭାବ ବିଚାର)

ଏଥୁ ଅନ୍ତରେ ଶୁଣ ରସ

ଯେ ଭାବ ଭକ୍ତିର ବିଶେଷ

।।

ସୁଜନେ ସାବଧାନ କରି

ଏ ହାଦେ ଶୁଣିମା ବିସ୍ତାରି

।।

ଯେତେ ପ୍ରକାରେ ଭାବ ଜାତ

ଭାବର ଲକ୍ଷଣ ଯେମନ୍ତ

।।

ଭାବ ଭକତମାନଙ୍କର

ହୁଅଇ ଯେ ପୁଣ ବେଭାର

।।

 

 

 

 

ତାହାତ କଲ ସାବଧାନ

ତହିଁଉତ୍ତାରୁ ଏବେ ଶୁଣ

।।

ଏ ଭାବ ଯେଉଁ ଭକ୍ତଠାରେ

ପ୍ରକାଶ ନୁହନ୍ତି ବେଭାରେ

।।

ସାମାନ୍ୟେ କହିବି ବିଚାରି

ଯାହା ଜାଣିବ ହେତୁ କରି

।।

ଶ୍ରୀକୃଷ୍ଣ ଭାବ ଭକ୍ତି ଯହିଁ

ସେ ଜାଣ ସାମାନ୍ୟ ନୁହଇ

।।

 

 

 

 

ଯା କରି ଅତ୍ୟନ୍ତ ଗୁପତ

ଭକ୍ତେ ନ ଦିଅନ୍ତି ଅଚ୍ୟୁତ

।।

ସେ ଭାବ ଭକ୍ତି ହାଦେ ଜାଣ

ଯେଉଁ ଭକ୍ତର ନୋହେ ଶୁଣ

।।

ଯେ ସେ ଶ୍ରୀକୃଷ୍ଣ ଭକ୍ତ ଜନେ

କାମନା ଯାର ଜାଣ ମନେ

।।

କାମନା ମନେ ଧରିଥାନ୍ତି

ଭକ୍ତି ଯେ ସାଧନ କରନ୍ତି

।।

 

 

 

 

କେ ଧର୍ମ ଅର୍ଥ ଚିନ୍ତା କରି

କେ କାମ ମୋହ ଯେ ବିଚାରି।।

 

ଏ ଆଦି କାମନାରେ ମତି

ଦେଇ କରନ୍ତି ହରିଭକ୍ତି

।।

ଏ ଭାବେ ଯେତେ ଭକ୍ତ ଜାଣ

ତାଙ୍କର ଭାବ ନୋହେ ପୁଣ

।।

ତାଙ୍କର ନୋହେ ଭାବଭକ୍ତି

ବୋଲିଣ ଋଷି କହିଛନ୍ତି

।।

 

 

 

 

ଏ ଦାହେ ସହଜ ବେଭାର

ଶୁଣିମା ଏଥିର ବିଚାର

।।

ଯେ ଯାହା କରନ୍ତି କାମନା

ଚିତ୍ତରେ ଥାଇ ସେ ଭାବନା

।।

ସେ ଫଳ ଇଷ୍ଟ ହାଦେ କରି

ସେବା କରନ୍ତି ନରହରି

।।

ସେ ଫଳ ସିନା ତାଙ୍କ ଚିତ୍ତେ

ରହିଣ ଥାଇ ଅବିରତେ

।।

 

 

 

 

ଫଳ ଲୁବୁଧେ ଧ୍ୟାୟି ମନ

ପ୍ରାପ୍ତି ଇଚ୍ଛାରେ ଯେହୁ ଛନ୍ନ

।।

ସେ ଫଳ ପ୍ରାପତ ଯୁଗତ

ପୂର୍ଣ୍ଣ ହୁଅଇ ତାଙ୍କ ଚିତ୍ତ

।।

ସେ ଚିତ୍ତେ କିମ୍ପା ଭାବ ଭକ୍ତି

ଆଉ ହୋଇବ ଉତପତ୍ତି

।।

ମୋକ୍ଷ ଆଦି କାମନାମାନ

ସାଧନୁ ସାଧ୍ୟ ହୁଏ ଜାଣ

।।

 

 

 

 

ଯେ ସେ ସାଧନୁ ସାଧ୍ୟ ହୋଇ

ଭାବର ଭେଟ ତହିଁ କାହିଁ

।।

କାମନାସିଦ୍ଧ ହେଲେ ଆର

ଆଉ କି ଭକ୍ତିର ବିଚାର

।।

ଆବର କାମନା ଚିତ୍ତରେ

ବିକାର ଥାଇ ନିରନ୍ତରେ

।।

ଭାବତ ନିର୍ବିକାର ଚିତ୍ତେ

ଜନମ ହୁଅନ୍ତି ଯୁଗତେ

।।

 

 

 

 

ଯେ ସେ ଅଟନ୍ତି ସଦା ଭକ୍ତ

ଶୁଣିମା ତାଙ୍କର ଚରିତ

।।

କାମନା ନ କରନ୍ତି ମନେ

ସେମାନେ କୃଷ୍ଣର ଭଜନେ

।।

କିଛିହିଁ ଇଚ୍ଛା ନ କରନ୍ତି

ଅନୁକ୍ଷଣରେ ଭଜୁଥାନ୍ତି

।।

ଯେବଣ ନିଜ ପତିଠାରେ

ଯୁବତୀ ଭଜନ୍ତି ବେଭାରେ

।।

 

 

 

 

ଚିତ୍ତରେ ଧନ ଯେ ଘେନିମା

କାମନା ନ କରନ୍ତି କି ନା

।।

ପତି ସୁଖରେ ଦେଇ ମତି

ଅନୁରାଗରେ ଭଜୁଥାନ୍ତି

।।

ସେ ଚିତ୍ତେ ଯେମନ୍ତ ପ୍ରକାରେ

ରତି ହୁଅନ୍ତି ଜାତ ଖରେ

।।

ସେହି ପ୍ରକାରେଟି ଯୁଗତେ

ଭାବ ଯେ ଅକାମନା ଚିତ୍ତେ

।।

 

 

 

 

ଜାତ ଯେ ହୁଅନ୍ତି ଯୁଗତ

ସେ ସେ ବୋଲାନ୍ତି ଭାବ ଭକ୍ତ।।

 

ସେ ଭକ୍ତମାନଙ୍କୁଟି ମୁକ୍ତି

ନିରତେ ଇଚ୍ଛା କରୁଥାନ୍ତି

।।

ସେ ଭକ୍ତମାନଙ୍କୁ ଲଭିଣ

କୃତାର୍ଥ ହୋଇବୁ ବୋଲିଣ

।।

ଏ ଭାବେ ମୁକ୍ତି ଇଚ୍ଛେ ଯାକୁ

ଆନ କେ ସମାନ ତାହାକୁ

।।

 

 

 

 

ସେ ଭାବ କାମନା ଚିତ୍ତରେ

ହୋଇବ ଯେବଣ ପ୍ରକାରେ

।।

ଏ ଘେନି କାମନା ଚିତ୍ତେଣ

ଭାବ ନୁହଇ ନିଶ୍ଚେ ଜାଣ

।।

ଶ୍ରୀକୃଷ୍ଣଚରଣେ ମାନସ

ଦେଇ କହଇ ଭୀମଦାସ

।।

ଇତି ଶ୍ରୀ ହରିଭକ୍ତିଚନ୍ଦ୍ରୋଦୟେ ଭାବାଭାବ ବିଚାରୋ ନାମ

ସପ୍ତବିଂଶୋଽଧ୍ୟାୟଃ ।

 

୨୮ଶ ଅଧ୍ୟାୟ ।

(ଭାବଭକ୍ତି ବିଚାର)

କହଇ କୃଷ୍ଣର ଚରିତ

ଯା ହାଦେ ଶୁଣନ୍ତେ ପବିତ୍ର

।।

ଭାବ ଯେ ଭକ୍ତିର ବିଚାର

କହଇ ସାବଧାନ କର

।।

ଭାବ ଆଭାସ ଯାହା କହି

ତା ଏବେ ଶୁଣ ମନଦେଇ

।।

ମୋକ୍ଷ ଆଦି କାମନାମାନ

କରନ୍ତି ଯେଉଁ ଭକ୍ତଜନ

।।

 

 

 

 

ତାଙ୍କରଠାରେ ଯେବେ ଭାବ

ଭକ୍ତିର ଲକ୍ଷଣ ଦେଖିବ

।।

ସେ ହାଦେ ଐଶ୍ୱର୍ଯ୍ୟ ଲକ୍ଷଣ

ଭାବ ଆଭାସ ବୋଲି ଜାଣ

।।

ଭବ ଆଭାସର ବିଚାର

ସେ ହୁଏ ବେନି ଯେ ପ୍ରକାର।।

।।

ପ୍ରଥମେ ପ୍ରତିବିମ୍ବ ହୋଇ

ଦ୍ୱିତୀୟେ ଛାୟା ବୋଲି କହି।।

।।

 

 

 

 

ଯେ ପ୍ରତିବିମ୍ବର ବିଚାର

କହଇ ସାବଧାନ କର

।।

ଭୋଗାଦି ଇଚ୍ଛା ସେ କରନ୍ତି

କରି ଶ୍ରୀକୃଷ୍ଣ ପାଦେ ଭକ୍ତି

।।

ମୋକ୍ଷ ଇଚ୍ଛନ୍ତି ନିରନ୍ତରେ

ତାଙ୍କର ଦଇବ ବଶରେ

।।

ଯେ ହାଦେ ଭାବ ଭକ୍ତି ଜନ

ତାଙ୍କର ସଙ୍ଗ ପାନ୍ତି ଜାଣ

।।

 

 

 

 

ସେ ଭାବ ଭକ୍ତଙ୍କ ମାନସ

ହୁଅଇ ଗଗନ ସଦୃଶ

।।

ତହିଁରେ ଭାବ ଭକ୍ତି ଜାଣ

କରନ୍ତେ ଏହାଙ୍କ ଚିତ୍ତେଣ

।।

ପ୍ରତିବିମ୍ବଇ ଭାବ ଜାଣ

ଏ ଭାବ ଅଟଇ ଯେ ପୁଣ

।।

-ଭାବର ଲକ୍ଷଣ ଯେତେକ

ସାମାନ୍ୟ ହୁଏଟି ତେତେକ

।।

 

 

 

 

ତା ପ୍ରତିବିମ୍ବ ବୋଲି କହି

ଭାବ ଭକ୍ତିରୁ ସଂକ୍ରମଇ

।।

ଛାୟା ବୋଲିଣ ଜାଣ ଯାହା

ସାବଧାନରେ ଶୁଣ ତାହା

।।

ଯେ ମୋକ୍ଷକାମା ଭକ୍ତଜନ

କରନ୍ତି ଭକ୍ତି ଯେ ସାଧନ

।।

ସେ ଭକ୍ତି ସାଧନୁ ଯୁଗତ

ଆବର ଭାବ ଯେ ଭଗତ

।।

 

 

 

 

ଆବର ଯାତ୍ରା କାଳମାନ

ଯେ ପୁଣ୍ୟକ୍ଷେତ୍ର ଆଦି ଜାଣ

।।

ଏହାଙ୍କ ସମାଗମ ପାଇଁ

ଅନୁସଙ୍ଗିକା ଜାଣ ହୋଇ

।।

ଭାବର ଛାୟା ହୁଏ ଉଦେ

ଭାଗ୍ୟବଶରୁ ତାଙ୍କ ହୃଦେ

।।

ମନୁଷ୍ୟ ଦେହର ଛାଇର

ଅନ୍ତର ଯେତେଟି ଆବର

।।

 

 

 

 

ସେହି ପ୍ରକାରେ ଭାବ ଛାଇ

ଅନ୍ତର ଜାଣିମ ଅନାଇଁ

।।

ଦନକୁଦିନ ଯେ ତାଙ୍କର

ମଙ୍ଗଳ ହୁଅଇ ଅପାର

।।

ଏ ହାଦେ ଛାଇ ବୋଲି ଜାଣ

ଭାବ-ଭକ୍ତିରୁ ହୁଏ ପୁଣ

।।

ଏ ହାଦେ ପ୍ରତିବିମ୍ବ ପାଇଁ

ବେନିପ୍ରକାରେ କହିଲଇଁ

।।

 

 

 

 

ଭାବ ଆଭାସ ଜାଣ ଏହୁ

ଭାବରୁ ସଂକ୍ରମନ୍ତି ଯହୁଁ

।।

ଯେ ହାଦେ ଭାବ ଭକ୍ତି ଜନ

ତାଙ୍କରି ସଙ୍ଗରୁ କରିଣ

।।

ସେ ଯେବେ ଅନୁଗ୍ରହ କରେ

ତହୁଁ ଏ ହୁଅନ୍ତି ବେଭାରେ।।

।।

ଶୁକଳପକ୍ଷ ଶଶୀ ଜାଣି

କ୍ରମେ ବଢ଼ନ୍ତି ଏହୁ ପୁଣି

।।

 

 

 

 

ଏ ପୁଣ ତାହା ଅନୁସରି

ଶ୍ରୀକୃଷ୍ଣ ଭକ୍ତି ଯଦି କରି

।।

ଭାବ ଆଭାସରୁ ଯୁଗତ

ତାଙ୍କର ଭାବ ହୁଏ ଜାତ

।।

ଋଷି ଅଛନ୍ତି ଏହା କହି

ଭାବ ଆଭାସୁଁ ଭାବ ହୋଇ

।।

ଆହୁରି ସାବଧାନ କର

ଏଥିର ଅଛଇ ବିଚାର

।।

 

 

 

 

ଯାର ଆଭାସ ହୋଇଥାଁଇ

ସେ ପୁଣି ଭାବ ଭକ୍ତଠାଇଁ

।।

କିଞ୍ଚିତେ ଅପରାଧ କରେ

ପାପିଷ୍ଠ ଅଦୃଷ୍ଟବଶରେ

।।

ତାଙ୍କର ଭାବ ଯେ ଆଭାସ

ନାଶ ହୁଅନ୍ତିଟି ଅବଶ୍ୟ

।।

ତାଙ୍କର ସଙ୍ଗୁ ହୋଇଥାନ୍ତି

ତାହାଙ୍କ ଅପରାଧେ ଯାନ୍ତି

।।

 

 

 

 

କୃଷ୍ଣପକ୍ଷରେ ଶଶୀ ପ୍ରାୟେ

କ୍ରମେ ହୁଅନ୍ତି ସବୁ କ୍ଷୟେ

।।

ତାଙ୍କର ନୁହେ ଭକ୍ତି ପୁଣି

ସାଧୁଙ୍କ ଅପରାଧ ଘେନି

।।

ଏ ଘେନିକରି ସାଧୁଜନ

ଯେ ସେ ଭାବ ଭକତଜନ

।।

ତାଙ୍କର ଚରଣ ଯେ ବେନି

ମଚାଳିବ ଯେ କରେ ଘେନି

।।

 

 

 

 

ତାଙ୍କ ଆଜ୍ଞାକୁ ଅନୁସରି

ନିରତେ ଥିବ ସେବା କରି

।।

ତାଙ୍କର ସଙ୍ଗ ଯେ ନିରତ

ହୋଇଣଥିବ ଅବିରତ

।।

ତହୁଁ କେ ବଡ଼ ନୋହେ ଜାଣ

ତା ସଙ୍ଗୁ ଭକ୍ତି ହୁଏ ଜାଣ

।।

କୃପା ହୋଇ ଯେ ଭକ୍ତି ହୁଏ

ଅପରାଧରେ ନାଶ ଯାଏ

।।

 

 

 

 

ଏ ତହୁଁ ବଡ଼ ଏ ସଂସାରେ

କେ ଅଛି ବିଚାର ମନରେ

।।

ଏ ଘେନି ତାଙ୍କୁ ଅପରାଧ

କରିବା ବହୁତ ପ୍ରମାଦ

।।

ପ୍ରଥମେ ଭକ୍ତି ନାଶ ଯାଏ

ଶ୍ରୀକୃଷ୍ଣ ଦ୍ୱାରେ ଦାସ ହୁଏ

।।

ବହୁତ କଷ୍ଟ ଜୀବନରେ

ନରକେ ପଡ଼ନ୍ତି ଅନ୍ତରେ

।।

 

 

 

 

ଆହୁରି ଶୁଣିମା ବିଚାର

ସେ ଭାବ ଭକ୍ତମାନଙ୍କର

।।

ବିଗୁଣମାନ ହାଦେ ଥିଲେ

ହେୟ ଜ୍ଞାନ ନ କରି ଭଲେ

।।

ନରସିଂହପୁରାଣେ ଯାହା

କହିଅଛନ୍ତି ଶୁଣ ତାହା

।।

ଯେ ଭକ୍ତ ଭଗବାନଠାରେ

ଭାବ ଯେ ଚିନ୍ତନ୍ତି ବେଭାରେ।।

 

 

 

 

 

ତାଙ୍କର ଯେ ଅବା ଦୁଷଣ

ଥାଇଣ ହୋଇଲେ ମଳିନ

।।

ତିମିରମାନଙ୍କର ତହିଁ

କେବେହେଁ ପରାଭବ ନାହିଁ

।।

-କଳଙ୍କୀ ହେଲେ ଦ୍ୱିଜରାଜ

ତାଙ୍କୁ କି ସମ ତେଜପୁଞ୍ଜ

।।

ସେହିପ୍ରକାରେ ଭେଦ ଜାଣ

ସାଧୁ ସଂସାର ଲୋକମାନ

।।

 

 

 

 

ଏହି ଯେ ପୁରାଣର ବାଣୀ

ଋଷି ବଚନମାନ ପୁଣି

।।

ଭାବ ଯେ ଭକ୍ତିର ବିଚାର

ଅଛନ୍ତି ଅନେକ ପ୍ରକାର

।।

-ଗୀତରେ ଲେଖିବଇଁ କେତେ

 

ବହୁତ ଗ୍ରନ୍ଥ ଏ ଯୁଗତେ

।।

ତହିଁରୁ ଠିକ ଠିକ କରି

କେତୋଟି କହିଲି ବିଚାରି

।।

 

 

 

 

ଏ ଘେନି ସାଧୁଜନ ମାନ

ଏ ମୋର ଦୋଷ ଯେ ନ ଘେନ

 

ଏ ହରିଭକ୍ତି ଚନ୍ଦ୍ରୋଦୟେ

ଏ ଅଷ୍ଟବିଂଶତ ଅଧ୍ୟାୟେ

।।

ଭାବ-ଭକ୍ତିର ଯେ ଚରିତ

ଭୀମ ଯେ ଦାସ ମହାପାତ୍ର

।।

କହିଲା କୃଷ୍ଣ ପାଦ ଭକ୍ତି

କୃଷ୍ଣ ଚରଣେ ଦେଇ ମତି

।।

ଇତି ଶ୍ରୀ ହରିଭକ୍ତିଚନ୍ଦ୍ରୋଦୟେ ଭାବାଭାବ ବିଚାରୋ

ନାମାଷ୍ଟବିଂଶୋଽଧ୍ୟାୟଃ ।

 

୨୯ଶ ଅଧ୍ୟାୟ ।

(ପ୍ରେମଭକ୍ତି ବିଚାର)

ବନ୍ଦଇ ଶ୍ରୀକୃଷ୍ଣ ଚରଣ

ଯେ ମୁନିମାନଙ୍କର ଧ୍ୟାନ

।।

ଷଡ଼ ଚରଣ ଧ୍ୟାନ କରି

ପତିତେ ଯାଉଛନ୍ତି ତରି

।।

ଷଟ ଚରଣ ତଳେ ଜାଣ

ଅଛନ୍ତି ଅଷ୍ଟାଦଶ ଚିହ୍ନ

।।

ଆବର ଛନ୍ତି ସୁରନଦୀ

ତହିଁର ନଖ କୋଣ ଭେଦି

।।

 

 

 

 

ଯେ ପାଦ ନଖ ଚନ୍ଦ୍ରକାନ୍ତି

ମୁନି ମାନସେ ଭାବୁଛନ୍ତି

।।

ଷଡ଼ ଚକ୍ରର ଯେ ଉପରେ

ସହସ୍ର ଦଳ ପଦ୍ମପରେ

।।

ସେ ପାଦ ଯୁଗଳକୁ ଆଶ

ନିରତେ କରେ ଭୀମଦାସ

।।

ସୁଜନେ ସାବଧାନେ ଶୁଣ

ଏଥିଉତ୍ତାରୁ ଯାହା ପୁଣ

।।

 

 

 

 

ଭାବ ଯେ ଭକ୍ତିର ଉତ୍ତାରେ

ପ୍ରେମର ଭକ୍ତିଟି ବେଭାରେ

।।

ସେ ପ୍ରେମ ଭକ୍ତିରେ ବିଚାର

କହଇ ସାବଧାନ କର

।।

ଯେ ଭାବ ଭକ୍ତି ପୁଣ ଜାଣ

ସେ ଯେ ସମ୍ପୂର୍ଣ୍ଣ ଲକ୍ଷଣେନ

।।

ତହିଁ ସେ ସମ ତାକୁ ବହି

ଚିତ୍ତକୁ ମସୃଣ କରଇ

।।

 

 

 

 

ନିବିଡ଼ ହୋଇ ନିରନ୍ତରେ

ରହନ୍ତି ସାଦନ ଚିତ୍ତରେ

।।

ନିମିଷେ ନ ହୁଅନ୍ତି ଆନ

ରହନ୍ତି ହୋଇଣ ନିଘନ

।।

ସେ ଭାବେ ସାଧକର ଚିତ୍ତ

ନିଶି ଦିବସେ ଉନମତ୍ତ

।।

ଆନ ଯେ ମମତା ନ ଥାଇ

କୃଷ୍ଣ ଭାବରେ ରତ ହୋଇ

।।

 

 

 

 

ଭାବର ଯେତେକ ଲକ୍ଷଣ

ନିରତେ ଧରିଥାନ୍ତି ଜାଣ

।।

ଅଶ୍ରୁ ପୁଲକ ଯେ ଆଦିରେ

ହୋଇଣ ଥାନ୍ତି ନିରନ୍ତରେ

।।

ପ୍ରେମ ଭଗତ ଜାଣ ସେହି

ଏଣୁ ଶୁଣିମା ମନ ଦେଇ

।।

ଏ ଭାବ ଭକ୍ତି ତାଙ୍କ ଚିତ୍ତେ

ଭାବ ଯେ ରହନ୍ତି ନିରତେ

।।

 

 

 

 

ସେ ଭାବ ଚିତ୍ତେ ଯାର ଜାଣ

ପ୍ରେମ ହୁଅନ୍ତେ ଉତପନ

।।

ତାଙ୍କ ଲକ୍ଷଣ ଜାଣ ଏହି

ସୁଜନେ ଶୁଣ ମନଦେଇ

।।

ସେ କୃଷ୍ଣ ରସେ ହୋଇ ମତ୍ତ

 

ବେଳକୁ ବେଳ ଯେ ଉଦ୍ଧତ

।।

କ୍ଷୁଧା ତୃଷାହିଁ ନ ଜାଣନ୍ତି

ଆନନ୍ଦେ ସେହି ରସେ ମାତି

।।

 

 

 

 

ମାତା ପିଅର ସହୋଦର

ପୁତ୍ର ଭାରିଯା ନିଜ ଘର

।।

ଧନ ସମ୍ପଦ ବଡ଼ପଣ

ଯେ ସେ ଆପଣା ନିଜ ଧର୍ମ

।।

ଆପଣା ଦେହ ବୁଦ୍ଧି ଆଦି

ଆଉ ସକଳ କର୍ମ ସିଦ୍ଧି

।।

ତହିଁରେ ଜ୍ଞାନ ଯେ ତାଙ୍କର

ନୁହଇ କରନ୍ତି ତା ଦୂର

।।

 

 

 

 

କୃଷ୍ଣଭାବରେ ଚିତ୍ତ ଜଡ଼ି

ନିରତେ ରହେ ତହିଁ ବୁଡ଼ି

।।

ଦେଖିଲା ନ ଦେଖେ ଲୋଚନ

ଶୁଣିଲା ନ ଶୁଣଇ କର୍ଣ୍ଣ

।।

ସ୍ୱାଦୁ ତିକ୍ତ ଯେ ଦ୍ରବ୍ୟ ଦୁଇ

ଜିହ୍ୱା ବାରି ତ ନ ପାରଇ

।।

ନାସିକା ନ ଘେନଇ ବାସ

ଦେହ ଯେ ନ ମଣେ ସ୍ପରଶ

।।

 

 

 

 

ଏଭାବେ ଇନ୍ଦ୍ରିୟଗଣର

ଯାହାର ଯେ ଅର୍ଥେ ବେଭାର।।

 

ତାହା ସେ କିଛି ନ ଜାଣନ୍ତି

କୃଷ୍ଣ ପ୍ରେମରେ ଏକା ମତି

।।

ଏଥିର ଶୁଣିମା ବିଚାର

ସେ ଯେ ଇନ୍ଦ୍ରିୟଗଣଙ୍କର

।।

ସବୁରି ମନ ସିନା ମୂଳ

ମନରେ କରି ଏ ସକଳ

।।

 

 

 

 

ଯେ ଯାହା ଅର୍ଥ ସେ ଘେନନ୍ତି

 

ଯେ ଯେଉଁ ଅର୍ଥେ ହୋଇଥାନ୍ତି

।।

ମନହିଁ ଜାଣ ନିରନ୍ତରେ

ଥାନ୍ତି ଇନ୍ଦ୍ରିୟମାନଙ୍କରେ

।।

ପ୍ରେମ ଭକ୍ତିର ଜାଣ ମନ

ସକଳ ଇନ୍ଦ୍ରିୟ ତେଜିଣ

।।

କୃଷ୍ଣ ଭକ୍ତିକୁ ସେ ଯେ ପାଇ

ଆଉ ଯେ ବାହୁଡ଼ଇ ନାହିଁ

।।

 

 

 

 

ନିଘନ ହୋଇ ନିରନ୍ତରେ

ମଜ୍ଜି ରହଇ ସେ ଭାବରେ

।।

ଏଘେନି ଯେ ଇନ୍ଦ୍ରିୟଗଣ

କିଛିହିଁ ନ ଜାଣନ୍ତି ଜାଣ

।।

ପ୍ରେମ ଲକ୍ଷଣ ଜାଣ ଏହି

ଏହାକୁ ପ୍ରେମ ଭକ୍ତି କହି

।।

ସେ ପ୍ରେମଭକ୍ତଙ୍କ ପୟର

ନିରତେ ଲଭୁ ମୋର ଶିର

।।

ଚିନ୍ତିଣ ଶ୍ରୀକୃଷ୍ଣଚରଣ

କହିଲା ଦାସ ଭୀମସେନ

।।

ଇତି ଶ୍ରୀ ହରିଭକ୍ତିଚନ୍ଦ୍ରୋଦୟେ ପ୍ରେମଭକ୍ତି ଲକ୍ଷଣ ବିଚାରୋ

ନାମ ଊନତ୍ରିଂଶୋଽଧ୍ୟାୟଃ ।

 

୩୦ଶ ଅଧ୍ୟାୟ ।

(ପ୍ରେମଭକ୍ତି ଦ୍ୱିବିଧ)

ସୁଜନେ ସାବଧାନ କର

ପ୍ରେମ ଭକ୍ତିର ଯେ ବିଚାର

।।

ସେ ପ୍ରେମଭକ୍ତି ହାଦେ ଜାଣ

 

ବେନିପ୍ରକାରେ ହୁଏ ପୁଣ

।।

ଭାବ ଯେ ଭକ୍ତିରୁ ଉଥିତ

ଶ୍ରୀକୃଷ୍ଣ ଭକ୍ତିରୁ ସମ୍ଭୂତ

।।

ଏ ଭାବେ ବେନି ଯେ ପ୍ରକାରେ

ପ୍ରେମର ଭାବଟି ବେଭାରେ

।।

 

 

 

 

ଏଥୁଁ ଶୁଣିମା ମନଦେଇ

ଭାବରୁ ଯେଉଁ ପ୍ରେମ ହୋଇ।।

 

ବଇଧି ସାଧନର ଭାବ

କୃଷ୍ଣରେ ହୁଏଟି ସମ୍ଭବ

।।

ଦ୍ୱିତୀୟେ ରାଗାନୁଗା ଜାଣ

ଭାବରୁ ଜାତ ହୁଏ ପ୍ରେମ

।।

ଏ ହାଦେ ଏକ ଏକ କରି

କହିବି ଶୁଣିମା ବିଚାରି

।।

 

 

 

 

ପ୍ରଥମେ ବଇଧି ସାଧନ

ଭାବର ଜାତ ହେବା ପୁଣ

।।

ଏଣେ ସାଧନ ଅଙ୍ଗ ଘେନି

ଭକ୍ତି କରନ୍ତି ଜାଣ ପୁଣି

।।

ବାହାର ଭାବେ ଯେ ଅନ୍ତରେ

ଭକ୍ତି ସାଧନ ନିରନ୍ତରେ

।।

ତାଙ୍କର ଚିତ୍ତ ଶୁଦ୍ଧ ହୋଇ

ଶ୍ରୀକୃଷ୍ଣଚରଣେ ମିଶଇ

।।

 

 

 

 

ତାଙ୍କ ଚିତ୍ତରେ ପୁଣ ଜାଣ

ଭାବର ହୁଏ ଉତପନ୍ନ

।।

ସେ ଭାବ ଜାଣ ନିରନ୍ତରେ

ରହନ୍ତେ ସାଧକ ଚିତ୍ତରେ

।।

ତହୁଁ ଯେ ପ୍ରେମ ଜାତ ହୋଇ

ବଇଧି ଭାବେ ପୁଣ ସେହି

।।

ତାଙ୍କ ଲକ୍ଷଣ ଏବେ ଶୁଣ

ସେ କାମେ ସେହି ଯେ ସାଧନ

।।

 

 

 

 

ନିରତେ କରନ୍ତି ଯୁଗତ

ବେଳକୁ ବେଳ ଉନମତ୍ତ

।।

ସେ ବଡ଼ ବ୍ୟଗ୍ର ସେ ଚିତ୍ତରେ

ନାମ ଡାକନ୍ତି ନିରନ୍ତରେ

।।

ହେ ରାମ କୃଷ୍ଣ ହରେ ବୋଲି

ଡାକନ୍ତି ପ୍ରତିଦିଗେ ବୁଲି

।।

ରୋମ ଅଙ୍କୁର କଳେବର

ଅଶ୍ରୁ ବହଇ ନିରନ୍ତର

।।

 

 

 

 

କୃଷ୍ଣଚରଣ ଚିତ୍ତେ ଭଜି

ଅତି ଆନନ୍ଦ ସୁଖେ ମଜ୍ଜି

।।

ହସନ୍ତି ରୋଦନ୍ତି ଗାୟନ୍ତି

ହେ କୃଷ୍ଣ ବୋଲିଣ ଡାକନ୍ତି

।।

ନୃତ୍ୟ କରନ୍ତି ନାନାଭାବେ

ସେ ଜାଣ ଉନ୍ମାଦ ସ୍ୱଭାବେ

।।

ଊର୍ଦ୍ଧ୍ୱକୁ ବେନି ବାହୁ ତୋଳି

ମଣ୍ଡଳୀ ଆକାରେଣ ବୁଲି

।।

 

 

 

 

ଗଡ଼ଗଡ଼ାନ୍ତି ଅବନୀରେ

ନାମ ଡାକନ୍ତି ଉଚ୍ଚସ୍ୱରେ

।।

ଏ ଭାବେ ପ୍ରେମ ଯେ ଲକ୍ଷଣ

ବଇଧିଭାବୁ ଜାତ ଜାଣ

।।

ରାଗାନୁଗା ଭାବରୁ ଜାତ

ପ୍ରେମକୁ ଶୁଣିମା ଯୁଗତ

।।

ତାହା ଯେ ପ୍ରେମ ପୁରାଣରେ

କହିଣ ଅଛନ୍ତି ବେଭାରେ

।।

 

 

 

 

ଯେ ରାଗାନୁଗାର ସାଧନ

କରନ୍ତି ଭକ୍ତି ଯେ ସାଧନ

।।

ନିର୍ମଳ କରି ନିଜ ଚିତ୍ତ

ଇନ୍ଦ୍ରିୟ କରିଣ ଆୟତ୍ତ

।।

ଶ୍ରୀକୃଷ୍ଣଚରଣ ଯୁଗଳେ

ସେବା କରନ୍ତି ନିରନ୍ତରେ

।।

ଈଶ୍ୱର ବୁଦ୍ଧି ଚିତ୍ତେ ଧରି

ଦାସୀଭାବରେ ସେବା କରି

।।

 

 

 

 

ଏ ଭାବେ କରନ୍ତେ ସାଧନ

ଅତ୍ୟନ୍ତ ସାଧନରୁ ଜାଣ

।।

ଭାବ ତାଙ୍କର ଜାତ ହୋଇ

ସେ ଭାବେ ମନ ମଗ୍ନ ହୋଇ।।

 

ତହିଁରୁ ହୁଏ ପ୍ରେମ ଜାତ

ତାର ଏ ଲକ୍ଷଣ ଯୁଗତ

।।

ଶ୍ରୀକୃଷ୍ଣ ଗୁଣ ଗାଉଥାନ୍ତି

ଅଶ୍ରୁପୁଲକ ସେ ହୁଅନ୍ତି

।।

 

 

 

 

କୃଷ୍ଣରେ ଅନୁରାଗ କରି

ନିରତେ ଥାଆନ୍ତି ଆବୋରି

।।

ସେ ବ୍ରହ୍ମଚର୍ଯ୍ୟ ଯେ ଦୀକ୍ଷାରେ

ଆନରେ ମମତା ନ କରେ

।।

କୃଷ୍ଣଭାବରେ ମତ୍ତ ହୋଇ

ବୁଲନ୍ତି ଯହିଁ ଇଚ୍ଛା ତହିଁ

।।

ଚିତ୍ତ ନିରୋପି କୃଷ୍ଣଠାରେ

ଥାଆନ୍ତି ନିଶି ଦିବସରେ

।।

 

 

 

 

ନ ଥାଇ ଦେହର ବିଚାର

ସୁହୃଦ ବନ୍ଧୁ ସହୋଦର

।।

କୃଷ୍ଣରେ ଦେଇ ନିଜ ପ୍ରାଣ

ପ୍ରେମ ଊଦ୍ଧତ ତାଙ୍କ ମନ

।।

ସକଳ ଚେଷ୍ଟା ତାହାଙ୍କର

ଦେଖିବା ସ୍ତିରୀଙ୍କ ବେଭାର

।।

ଏ ଭାବେ ପ୍ରେମ ଯେ ଯୁଗତ

ରାଗାନୁଗା ଭାବରୁ ଜାତ

।।

 

 

 

 

ଯେ କୃଷ୍ଣ ପ୍ରସାଦରୁ ପୁଣ

ପ୍ରେମ ଜନମ ତାହା ଶୁଣ

।।

ଶ୍ରୀଭାଗବତ ଏକାଦଶେ

ଶ୍ରୀମୁଖ ବାଣୀ ଯେ ବିଶେଷେ।।

।।

ବେଦାଧ୍ୟୟନହିଁ ନ ଥାଇଁ

ମହତ ଉପାସନା ନାହିଁ

।।

ଆବର ନ କରନ୍ତି ବ୍ରତ

ତପସ୍ୟା ନ କରେ ଯୁଗତ

।।

 

 

 

 

କେବଳ ସାଧୁଙ୍କ ସଙ୍ଗରୁ

ଆବର ଆୟର କୃପାରୁ

।।

ମୋ ପ୍ରେମଭକ୍ତିକି ଲଭିଣ

ମୋତେ ଲଭନ୍ତି ନିଶ୍ଚେଜାଣ

।।

ଏମନ୍ତ ଛନ୍ତି ପ୍ରଭୁ କହି

ଏକଥା ଅନ୍ୟଥା ନୁହଇ

।।

ଏ ଘେନି ପ୍ରେମରୁ ସେ ଜାଣ

ନ ଥିବ ଭକ୍ତିର ସାଧନ

।।

 

 

 

 

ଭାବହିଁ ନ ଥିବ ତାଙ୍କର

ଏମନ୍ତ ଲୋକଠାରେ ତାର

।।

ଦେଖିବ ପ୍ରେମର ଲକ୍ଷଣ

ସେ କୃଷ୍ଣ କୃପାରୁଟି ଜାଣ

।।

ଆପଣା ଚିତ୍ତରେ ବିଚାରି

ତାହା ଜାଣିବ ହେତୁ କରି

।।

ଏ ତିନି ଭାବେ ଜାତ ପ୍ରେମ

ସୁଜନେ ସାବଧାନେ ଶୁଣ

।।

 

 

 

 

ସେ ପ୍ରେମଭକ୍ତଙ୍କ ଚରଣେ

ଶିର ମୋ ନମୁ ଅନୁକ୍ଷଣେ

।।

ଶ୍ରୀକୃଷ୍ଣ ଚରଣ ଯୁଗଳ

ଚିନ୍ତା କରିଣ ନିରନ୍ତର

।।

କହିଲା ଶିଶୁ ଭୀମଦାସ

ଗୀତ ବନ୍ଧରେ ଭକ୍ତି ରସ

।।

ଇତି ଶ୍ରୀହରିଭକ୍ତିଚନ୍ଦ୍ରୋଦୟେ ପ୍ରେମଭକ୍ତିବିଧି ଲକ୍ଷଣ ବିଚାରୋ

ନାମ ତ୍ରିଂଶୋଽଧ୍ୟାୟଃ ।

 

୩୧ଶ ଅଧ୍ୟାୟ

(ଭକ୍ତି ଅନୁକ୍ରମ)

ସୁଜନେ ସାବଧାନେ ଶୁଣ

ଭକ୍ତିରୁ ଜାତ ଅନୁକ୍ରମ

।।

ତହିଁରୁ ଯେହୁ ଜାଡ଼ ହୋଇ

ତାହା ଶୁଣିମା ମନଦେଇ

।।

ପ୍ରଥମେ ଶରଧା ଭକ୍ତିରେ

ଯାହାର ହୁଅଇ ଚିତ୍ତରେ

।।

ଶ୍ରଦ୍ଧାରୁ ସାଧୁଙ୍କ ସଙ୍ଗତି

ଜାଣଟି ହୁଏ ଉତପତ୍ତି

।।

 

 

 

 

ସାଧୁଙ୍କ ସଙ୍ଗରୁ ସାଧନ

ଅଙ୍ଗ ହୁଅଇ ଉତପନ୍ନ

।।

ସାଧନୁ ଅନର୍ଥ ନିବୃତ୍ତି

ଜାଣିମ ହୁଏ ଉତପତ୍ତି

।।

ଏଥିରୁ ନିଷ୍ଠା ଭକତିରେ

ଜାତ ସେ ହୁଅନ୍ତି ବେଭାରେ

।।

ନିଷ୍ଠାରୁ ରୁଚି ହୁଏ ଜାତ

ରୁଚିରୁ ଆସକ୍ତି ସମ୍ଭୂତ

।।

 

 

 

 

ଆସକତିରୁ ଜାତ ଭାବ

ଭାବରୁ ପ୍ରେମ ଯେ ସମ୍ଭବ

।।

ଏ ଭାବେ ଭକ୍ତିର ଏ କ୍ରମ

ଏ କ୍ରମେ ଜାତ ହୁଏ ପ୍ରେମ

।।

ଏ ଘେନି ଶ୍ରୀକୃଷ୍ଣ ଭକ୍ତିରେ

ଶରଧା ମୂଳଟି ବେଭାରେ

।।

ଶ୍ରଦ୍ଧାରୁ ଭକ୍ତି ହୁଏ ଜାତ

ଏହା ଯେ ଅଟଇ ଯୁଗତ

।।

 

 

 

 

ଯାର ବହୁତ ଶ୍ରଦ୍ଧା ଥାଇ

ଉତ୍ତମ ଭକ୍ତି ତାକୁ କହି

।।

ଶରଧା ନ ଥାଇ ଯାହାର

ଭକ୍ତି ନୁହଇ ଯେ ତାହାର

।।

ପ୍ରେମ ଭକ୍ତିରୁ ବଡ଼ ଆନ

ନାହିଁଟି ନିଶ୍ଚେ ଏହା ଜାଣ

।।

ଭକ୍ତି ସାଧନ ଯାହାଙ୍କର

ପ୍ରେମ ହୁଅଇ ତାହାଙ୍କର

।।

 

 

 

 

ଚିତ୍ତ ଶ୍ରୀକୃଷ୍ଣ ଚରଣରେ

ମଜ୍ଜି ରହଇ ନିରନ୍ତରେ

।।

ଦରିଦ୍ର ନିଧି ପାଇ କରି

ଯେମନ୍ତ ଚିତ୍ତେ ଥାନ୍ତି ଧରି

।।

ସେ ଧନୁଁ ଚିତ୍ତ ଯେ ତାଙ୍କର

ଯେମନ୍ତ ନୁହଇ ବାହାର

।।

-ସେହି ପ୍ରକାରେ ତାଙ୍କ ଚିତ୍ତ

କୃଷ୍ଣରେ ରମଇ ଯୁଗତ

।।

 

 

 

 

ଲେଉଟି ନ ଆସେ ଆବର

ଯେମନ୍ତ ଜାଣ ନଦୀନୀର

।।

ସମୁଦ୍ର ଭିତରେ ମିଶନ୍ତି

ରହି ବାହୁଡ଼ି ନ ଆସନ୍ତି

।।

ଏହି ପ୍ରକାରେ ସେହି ପୁଣ

ପ୍ରେମଭକ୍ତିର ଏ ଲକ୍ଷଣ

।।

ସେ ଭକ୍ତ ଜନ ଯେ ଆବର

ହୁଅନ୍ତି ବେନି ଯେ ପ୍ରକାର

।।

 

 

 

 

ସାଧନୁ ସିଦ୍ଧ ଯେଉଁମାନ

ସାଧନସିଦ୍ଧା ତାଙ୍କୁ ଜାଣ

।।

କୃପାରୁ ସିଦ୍ଧା ଜାଣ ସେହି

ତା କୃପାସିଦ୍ଧା ବୋଲି କହି

।।

ଏ ଭାବେ ବେନି ଯେ ପ୍ରକାର

ଭକତମାନଙ୍କ ବିଚାର

।।

ସେ ସିଦ୍ଧାମାନଙ୍କ ମହିମା

କେ ଅବା ହୋଇ ଉପମା

।।

 

 

 

 

ତାଙ୍କୁ ସାମାନ୍ୟ ଜାଣ ନାହିଁ

ଏ ତିନି ଭୁବନରେ କାହିଁ

।।

ଧନ୍ୟ କୁଳରେ ସେହୁ ଜାତ

ଧନ୍ୟ ତାଙ୍କର ତାତ ମାତ

।।

ସେ ଥାନ୍ତି ଯେବଣ ଦେଶରେ

ଧନ୍ୟ ସେ ଦେଶଟି ବେଭାରେ

।।

ତାଙ୍କୁ ଯେ କରନ୍ତି ଦର୍ଶନ

ଧନ୍ୟ ଅଟନ୍ତି ସେହୁ ଜନ

।।

 

 

 

 

ଦର୍ଶନ ମାତ୍ରକେ ତାଙ୍କର

ହୁଅନ୍ତି ସର୍ବ ପାପ ଦୁର

।।

ତାଙ୍କର ସ୍ପରଶୁ ଯୁଗତ

ଇଶିତେ ହୁଅନ୍ତି ମୁକତ

।।

ତାଙ୍କର କୃପା ହୁଏ ଯେବେ

ଭକ୍ତି ଲଭନ୍ତି ସୁଖେ ତେବେ

।।

ଏ ଘେନି ତାଙ୍କର ସମାନ

କେହି ନାହାନ୍ତି ନିଶ୍ଚେ ଜାଣ

।।

 

 

 

 

ତାହାଙ୍କୁ ଅନୁଗତ ହୋଇ

ମୋକ୍ଷ ନିରତେ ଥାନ୍ତି ରହି

।।

ମୋକ୍ଷ ମୋକ୍ଷ କାମନା କରି

ନିରତେ ଥାନ୍ତି ଅନୁସରି

।।

ମୋକ୍ଷ ଯେ ତାଙ୍କର ଆଗରେ

ଦିଶନ୍ତି ତୃଣର ପ୍ରକାରେ

।।

ମୋକ୍ଷକୁ କରନ୍ତି ସେ ମୋକ୍ଷ

ଏ ଘେନି ମୋକ୍ଷ ତାଙ୍କୁ ତୁଚ୍ଛ

।।

 

 

 

 

ଆହୁରି କହିବା ଗୁପତ

ଯେ ସେ ଅଟନ୍ତି ପ୍ରେମ ଭକ୍ତ।।

 

ସେ ଭକ୍ତମାନଙ୍କର ଜାଣ

ବଶ ଅଟନ୍ତି ଭଗବାନ

।।

ସେ ଯେଣେ ଯାନ୍ତି ତେଣେ ଯାନ୍ତି

ନିରତେ ତାଙ୍କ ସଙ୍ଗେ ଥାନ୍ତି

।।

ତାଙ୍କ ଭକ୍ତିରେ ହୋଇ ବଶ

କ୍ଷଣେହେଁ ନ ଛାଡ଼ନ୍ତି ପାଶ

।।

ହୋଇଣ ତାଙ୍କର ଆୟତ୍ତ

ନିରତେ ଥାଆନ୍ତି ସଙ୍ଗତ

।।

 

 

 

 

ଏଥିରେ ସଂଶୟ ଯେ ନାହିଁ

ଶ୍ରୀମୁଖେ ଛନ୍ତି ଏହା କହି

।।

ଶ୍ରୀ ଭାଗବତ ଏକାଦଶେ

ଗୁପତେ ଉଦ୍ଧବଙ୍କ ପାଶେ

।।

ଉଦ୍ଧବ ଶୁଣିମା ଯୁଗତେ

ଯୋଗ ସାଧି ନ ପାଇ ମୋତେ।।

 

ଶାସ୍ତ୍ର ସହିତେ ହାଦେ ଜାଣ

ଅଛନ୍ତି ଯେତେ ଧର୍ମମାନ

।।

 

 

 

 

ବେଦ ଅଧ୍ୟାପନ ଆବର

ଆବର ତପ ଯେ ସକଳ

।।

ଆବର ସକଳହି: ତ୍ୟାଗ

ଆଦିରେ ଯେତେ ବିଧି ମାର୍ଗ।।

 

ଏ କେହି ନ ସାଧନ୍ତି ମୋତେ

ମୋ ଭକ୍ତି ଯୋଗଟି ଯେମନ୍ତେ

।।

ମୋତେ କରନ୍ତି ଜାଣ ବଶ

କେହି ନ ପାଏ ତହିଁ ଲେଶ

।।

 

 

 

 

ଏଭାବେ ଶ୍ରୀମୁଖ ବଚନ

ଅଛଇଟିକି ଦରମାଣ

।।

ଏଘେନି ଭକ୍ତର ସେ ବଶ

ଅଟନ୍ତି ପ୍ରଭୁ ପୀତବାସ

।।

ଜୀବନ୍ତଯାକେ ପାଶେ ଥାନ୍ତି

ଅନ୍ତରେ ନିତ୍ୟକୁ ନିଅନ୍ତି

।।

ଯେ ଭକ୍ତିଭାବ ଅନୁସାରେ

ନେଇଁ ରଖନ୍ତି ସନ୍ନିଧିରେ

।।

 

 

 

 

ଏଘେନି ଭକ୍ତ ବଡ଼ ହୋଇ

ମହୀମଣ୍ଡଳେ ଜାଣ ନାହିଁ

।।

ପ୍ରେମ ଯେ ଭକ୍ତି ହାଦେ ଜାଣ

 

ଏଠାରୁ ହୋଇଲା ସମ୍ପୂର୍ଣ୍ଣ

।।

ଶ୍ରୀକୃଷ୍ଣ ଚରଣେ ମାନସ

ଦେଇ କହିଲା ଭୀମଦାସ

।।

ଇତି ଶ୍ରୀହରିଭକ୍ତିଚନ୍ଦ୍ରୋଦୟେ ପ୍ରେମଭକ୍ତି ମହିମା ବିଚାରୋ

ନାମ ଏକତ୍ରିଂଶୋଽଧ୍ୟାୟଃ ।

 

Unknown

୩୨ଶ ଅଧ୍ୟାୟ ।

(ନିତ୍ୟବୈକୁଣ୍ଠ)

ଏଥିଉତ୍ତାରୁ ସାବଧାନେ

ଶୁଣିମା ସାଧୁଜନମାନେ

।।

ଶ୍ରୀକୃଷ୍ଣ ଭକ୍ତିର ବିଧାନ

ତାହା ତ କଲ ସାବଧାନ

।।

ସେ ଭକ୍ତି ସାଧନ ବିଚାରେ

ପ୍ରଭୁଙ୍କୁ ଜାଣିବା ବେଭାରେ

।।

ନିତ୍ୟ ଗୋଲୋକେ ଭାବଗ୍ରାହୀ

 

ଯେଉଁପ୍ରକାରେ ଛନ୍ତି ରହି

।।

 

 

 

 

ଯେମନ୍ତ ରୂପ ଯେ ଆସନ

ଯେଉଁପ୍ରକାରେ ଆବରଣ

।।

ଅନେକ ଗ୍ରନ୍ଥମାନଙ୍କରେ

କହିଅଛନ୍ତି ଯେ ବେଭାରେ

।।

ଭଜନ କରିବାର ପାଇଁ

ବହୁପ୍ରକାରେ ଛନ୍ତି କହି

।।

ଏଘେନି ନିତ୍ୟର ବିଚାର

ନିତ୍ୟରୁ ବ୍ରହ୍ମାଣ୍ଡ ହେବାର

।।

 

 

 

 

ବ୍ରହ୍ମାଣ୍ଡେ ଲୀଳା ଯେତେ ସ୍ଥାନ

ଆବର ଅବତାରମାନ

।।

ଭଜନ ପାଇଁ ଏ ବିଚାର

ଉଚିତ ଗ୍ରନ୍ଥେ କହିବାର

।।

ସୁଜନେ ସାବଧାନେ ଶୁଣ

ପ୍ରଥମେ ଗୋଲେକ ବିଧାନ

।।

ପଞ୍ଚାଣ କୋଟୀ ସେ ବିସ୍ତାର

ସହଜେ ବ୍ରହ୍ମାଣ୍ଡ ଭିତର

।।

 

 

 

 

ଏ ଅନୁରୂପେ ଜାଣ ଉଚ୍ଚ

ଅଣ୍ଡର ପ୍ରାୟେକ ସୁସଞ୍ଚ

।।

ଆବର କୋଟୀଏ ଯୋଜନ

ହାଣ୍ଡିର ବହଳ ପ୍ରମାଣ

।।

ଏ ଅଛି ଜଳର ଭିତରେ

ରହିଛି ବ୍ରହ୍ମାଙ୍କ ଆଜ୍ଞାରେ

।।

ପୂରି ରହିଛି ମହାଜଳ

ତାପରେ ଅଛଇ ଅନଳ

।।

 

 

 

 

ଅନଳ ଉପରେ ପବନ

ପବନ ପରେ ମହାଶୂନ୍ୟ

।।

ଶୂନ୍ୟ ଉପରେ ଅହଙ୍କାର

ତାପରେ ମହତ ଆବର

।।

ମହତ ଉପରେ ପ୍ରକୃତି

ସେ ଜାଣ ଆଦି ଯେ ଶକତି

।।

ଯେ କୋଟୀ ବ୍ରହ୍ମାଣ୍ଡ ଜନନୀ

 

ସକଳ ସୃଷ୍ଟିର କାରିଣୀ

।।

 

 

 

 

ଜଳ ଆଦିରେ ଏତେ ଜାଣ

ପ୍ରକୃତି ସାରି ସାତପୁଣ

।।

ଏସାତ ଏକକୁ ଆରେକ

ଦଶ ଦଶ ଗୁଣ ଅଧିକ

।।

ଏଥିଉପରେ ବଇକୁଣ୍ଠ

ଯେ ପୁଣି ସବୁଙ୍କରି ଶ୍ରେଷ୍ଠ

।।

ନିତ୍ୟଗୋଲୋକ ନାମ ଯାର

 

ସେ ମହା ଜ୍ୟୋତିର୍ମୟ ପୁର

।।

 

 

 

 

କୋଟୀଏ ସୂର୍ଯ୍ୟର ସଦୃଶ

ଅଟଇ ତୁଷିର ପ୍ରକାଶ

।।

ତୁଷିର ଆୟତନ ଯେହି

ସଂକ୍ଷେପି ନାହାନ୍ତି ତା କେହି

।।

କୋଟୀ କୋଟୀ ବ୍ରହ୍ମାଣ୍ଡମାନେ

ଯହିଁରେ ରେଣୁର ବିଧାନେ

।।

ଅତି ମହତ ତେଜରାଶି

କେ ତାହା କହିବ ବିଶେଷି

।।

 

 

 

 

ରାତ୍ର ଦିବସ ତହିଁ ନାହି

ସେହି ପ୍ରକାଶ ହୋଇଥାଇ

।।

ତହିଁରେ ସପ୍ତ ଆବରଣ

ଅଛଇ ଅମୂଲ୍ୟ ଘଟଣ

।।

ଚାରିଦିଗରେ ଚାରିଦ୍ୱାର

ଏହି ବିଧିରେ ସାତପୁର

।।

ଯେତେକ ଦ୍ୱାର ତହିଁ ଜାଣ

ଅମୂଲ୍ୟ ରତ୍ନରେ ଘଟଣ

।।

 

 

 

 

କୁଳିଶ ନିର୍ମାଣ କବାଟ

ଲାଗିଣ ଦିଶନ୍ତି ମୂରାଟ

।।

ମଣ ପାବଚ୍ଛମାନଙ୍କରେ

ଯାନ୍ତି ଆସନ୍ତି ନିରନ୍ତରେ

।।

ସେଥି ଉପରେ ପୁରମାନ

ସମସ୍ତ ରତ୍ନରେ ନିର୍ମାଣ

।।

ଅଟ୍ଟାଳି ମଣ୍ଡପ ଜଗତୀ

ଏ ଆଦି ନାନା ଗୃହେ ଛନ୍ତି

।।

 

 

 

 

ସେମାନ ଆବରଣ ମାନ

ଲୀଳା ଯେ ବୋଲିଣ ପ୍ରଥମ

।।

ରସା ଯେ ଆବର ଭାବନା

ଚତୁର୍ଥେ ବୋଲନ୍ତି ଯମୁନା

।।

ଧେନୁକା ସଖା ପୁଣି ଜାଣ

ସପତମରେ ଗୋପୀଗଣ

।।

ଏଥୁ ପ୍ରଥମ ଆବରଣେ

ଯେ ଛନ୍ତି ଶୁଣ ସାବଧାନେ

।।

 

 

 

 

ଚଣ୍ଡ ପ୍ରଚଣ୍ଡ ଦ୍ୱାରପାଳେ

ଅଛନ୍ତି ପୂର୍ବର ଦୁଆରେ

।।

ଭଦ୍ର ସୁଭଦ୍ର ଜାଣ ବେନି

ଦକ୍ଷିଣ ଦ୍ୱାରେ ଛନ୍ତି ପୁଣି

।।

ଜୟ ବିଜୟ ବେନି ଦ୍ୱାରୀ

ପଶ୍ଚିମ-ଦ୍ୱାର ଅଧିକାରୀ

।।

ଧାତ ବିଧାତୃ ବେନି ବୀର

ଉତ୍ତର ଦ୍ୱାର ତାହାଙ୍କର

।।

 

 

 

 

ପୂର୍ବ ଦିଗରେ ଛନ୍ତି ଜାଣ

ଦ୍ୱାରକା ପୁର ଲୀଳାମାନ

।।

ଶ୍ରୀ ବାସୁଦେବ ସେହି ପୁରେ

 

ଅଷ୍ଟପାଟବଂଶୀଙ୍କ ତୁଲେ

।।

ଷୋଳ ସହସ୍ର ନାରୀକୁଳ

ଏ ଆଦି ଅଛନ୍ତି ସକଳ

।।

ଦକ୍ଷିଣେ ସଂକର୍ଷଣ ଛନ୍ତି

ସଙ୍ଗତେ ଅଛନ୍ତି ରେବତୀ

।।

 

 

 

 

ପଶ୍ଚିମେ ଅଛନ୍ତି ପ୍ରଦ୍ୟୁମ୍ନ

ରତିଙ୍କୁ ଘେନି ସଙ୍ଗତେଣ

।।

ଉତ୍ତରେ ଅନିରୁଦ୍ଧ ପୁର

ଉଷା ଅଛନ୍ତି ସଙ୍ଗତର

।।

ଏହି ଆଦିରେ ହାଦେ ଜାଣ

ଆବର ଅବତାରମାନ

।।

ମୀନ ଯେ କୂର୍ମ ଏହି ବେନି

ବରାହ ନରସିଂହ ଘେନି

।।

 

 

 

 

ଆର ବାମନ ପର୍ଶୁରାମ

ଶ୍ରୀରଘୁନାଥ ବଳରାମ

।।

ବୁଦ୍ଧ ଯେ କଳଙ୍କୀ ଆଦିରେ

ଏ ଭାବେ ଦଶ ଅବତାରେ

।।

କପିଳ ନାରାୟଣ ନର

ଋଷଭ ନାରଦ ଶଙ୍କର

।।

ମୋହିନୀ ହଂସ ହୟଗ୍ରୀବ

ବିଶ୍ୱରୂପ ଯେ ଭୀଷ୍ମଦେବ

।।

 

 

 

 

ଦତ୍ତ ହଇମ ଧନ୍ୱନ୍ତରୀ

ଯଜ୍ଞ କୁମାର ବୁଦ୍ଧହରି

।।

ଅଶତ ଧାତା ଦିବାକର

ଧର୍ମ ଯେ ବିଧିଟି ଆବର

।।

ମୀନ ଆଦିରେ ହାଦେ ଜାଣ

ବତ୍ରିଶ ଅବତାର ପୁଣ

।।

ଯେ ଅବତାରେ ଯେଉଁ ଲୀଳା

ମଞ୍ଚରେ ଛନ୍ତି ପ୍ରଭୁ କଳା

।।

 

 

 

 

ସେ ଯେ ସକଳ ଲୀଳାମାନେ

ଅଛନ୍ତି ସେହି ଆବରଣେ

।।

ସେ ଘେନି ଲୀଳା ତାର ନାମ

ଯେ ସେ ପ୍ରଥମ ଆବରଣ

।।

ସକଳ ଲୀଳା ଛନ୍ତି ରହି

ବୀଜ ସ୍ୱଭାବ ମତ ହୋଇ

।।

ଯେମନ୍ତ ବୀଜର ଭିତରେ

ଥାଆନ୍ତି ବୃକ୍ଷ ମୂଳେ ଡାଳେ

।।

 

 

 

 

ପୁଷ୍ପ ଫଳହିଁ ତହିଁ ଥାନ୍ତି

କାଳରେ ପ୍ରକାଶ ହୁଅନ୍ତି

।।

ସେହି ପ୍ରକାରେ ଲୀଳାମାନ

ନିତ୍ୟରେ ଅଛନ୍ତିଟି ଜାଣ

।।

ଏଥିରେ ସଂଶୟ ନ କର

ଶୁଣିମା ଏଥିର ବିଚାର

।।

ଏ ଗଉତମ ତନ୍ତ୍ର ବାଣୀ

ପୂର୍ବେ ନାରଦ ମହାମୁନି

।।

 

 

 

 

ଗଉତମଙ୍କର ଆଗରେ

କହିଲେ ଗୁପତ ଭାବରେ

।।

ଭଗବାନଙ୍କ ଲୀଳାମାନ

ଯେ ଯେଉଁ ଅବତାରେ ଜାଣ।।

 

ଲୋକରେ ହୋଇଛି ବିଦିତ

ସେ ଲୀଳାମାନ ସବୁ ନିତ୍ୟ

।।

ସେ ସବୁ ଅଛନ୍ତି ନିତ୍ୟରେ

ଯେ ବିଷ୍ଣୁ ଧାମଟି ତହିଁରେ

।।

 

 

 

 

ମୁଁ ଏହା ବ୍ରହ୍ମାଙ୍କ ମୁଖରୁ

ଶୁଣିଛି ଅପାର କାଳରୁ

।।

ଏ ଘେନି ଏ କଥା ପ୍ରମାଣ

ଏଥି ଉତ୍ତାରୁ ଏବେ ଶୁଣ

।।

ଚାରି ଦିଗରେ ଚାରି ନଦୀ

ବହୁ ଅଛନ୍ତି ଭୂମି ଭେଦି

।।

ସିଦ୍ଧିପ୍ରଦା ଯେ ପୂର୍ବେ ଜାଣ

ଆନନ୍ଦପ୍ରଦା ଯେ ଦକ୍ଷିଣ

।।

 

 

 

 

କାମପ୍ରଦା ଯେ ପଶ୍ଚିମରେ

ମଳୟ ନିର୍ଝର ଉତ୍ତରେ

।।

ଏହି ଭାବରେଟି ଯୁଗତେ

ଯେ ଛନ୍ତି କହିବଇଁ କେତେ

।।

ଏଥୁ ଦ୍ୱିତୀୟ ଆବରଣେ

ଛନ୍ତି ସକଳ ରସମାନେ

।।

ଆବର ଯେତେକଟି ଭାବ

ତୃତୀୟେ ଅଛନ୍ତି ଏ ସର୍ବ

।।

 

 

 

 

ଚତୁର୍ଥେ ଅଛନ୍ତି ଯମୁନା

ଯେ ଭାବେ ହୁଏ ସେ ଘଟନା

।।

ସକଳ ଧେନୁ ପଞ୍ଚମରେ

ଗୋମାତା ନନ୍ଦନୀ ଆଦିରେ

।।

ଷଷ୍ଠ ଆବରଣରେ ଜାଣ

ସୁଦାମା ଆଦି ସଖାଗଣ

।।

ଦାରୁକ ଗୁରଡ଼ ଅକ୍ରୂର

ଅନନ୍ତ କୃପ ବ୍ରହ୍ମା ଆର

।।

 

 

 

 

ଉଦ୍ଧବ ବିଶ୍ୱ ଯେ କେସନ

ଗଜ ଲପନ ଉଗ୍ରସେନ

।।

ସାତ୍ୱିକ ଆଦି ଛନ୍ତି ରହି

ଏ ବଶ ପାରିଷଦେ ତହିଁ

।।

ଶୁକ ସନକ ସନାତନ

ଆଦିରେ ଛନ୍ତି ଋଷିଗଣ

।।

ପୃଥୁ ପରୀକ୍ଷ ହନୁମନ୍ତ

ଭୀଷ୍ମ ପ୍ରହଲାଦ ସହିତ

।।

 

 

 

 

ଅନେକ ଭୃତ୍ୟମାନେ ଛନ୍ତି

କେତେ କହିବି ତାହା ଚିନ୍ତି

।।

ତହିଁରେ ସନ୍ତାନ ସମାନ

ଅଛନ୍ତି ନାନା ତରୁଗଣ

।।

ଅମୃତ ରସରୁ ଅଧିକ

ଅଟଇ ତହିଁରେ ଉଦକ

।।

ଏ ଭାବେ ଷଡ଼ ଆବରଣ

ସପତମରେ ଯାହା ଶୁଣ

।।

 

 

 

 

ତ୍ରିପୁରା ପୂର୍ବର ଦୁଆରେ

ରଙ୍ଗଦେବୀ ଯେ ଦକ୍ଷିଣରେ

।।

ଚିତ୍ରକଳା ପଶ୍ଚିମେ ଜାଣ

ଭଦ୍ରକାଳୀ ଯେ ଉତ୍ତରେଣ

।।

ଏ ଭାବେ ଏ ଚାରି ଦୁଆରେ

 

ଏ ଚାରି ଦେବୀଟି ବେଭାରେ

।।

ମଧ୍ୟରେ ଅଛି ବୃନ୍ଦାବନ

ଦ୍ୱାଦଶ ବନ ସହିତେଣ

।।

 

 

 

 

ଭଦ୍ର ଶ୍ରୀ ଲୋହ ଯେ ଭାଣ୍ଡୀର

 

ବଉଳ କୁମୁଦ ଖଦିର

।।

ମଧୁବନ ଯେ ମହାବନ

ତାଳ ଯେ କାମ୍ୟ ବୃନ୍ଦାବନ

।।

ଦ୍ୱାଦଶ ବନ ଏ ଯେ ପୁଣି

ଅଛନ୍ତି ଷଡ଼ ରିପୁ ଘେନି

।।

ତଥି ମଧ୍ୟରେ ଦିବ୍ୟପୁର

ମହିମା କେ କହୁ ତହିଁର

।।

 

 

 

 

ଅମୂଲ୍ୟ ରତ୍ନମାନ ଘେନି

ପୁର ନିର୍ମାଣି ଛନ୍ତି ପୁଣି

।।

ମଧ୍ୟରେ କଳପ ପାଦପ

ଶୁଦ୍ଧ ପ୍ରବାଳ ତାର ରୂପ

।।

ତହିଁ କୁସୁମ ପତ୍ରମାନ

ସବୁହିଁ ଶୁଦ୍ଧ ଯେ ସୁବର୍ଣ୍ଣ

।।

ଅଷ୍ଟରତ୍ନରେ ତହିଁ ଫଳ

ଝଡ଼ି ପଡ଼ନ୍ତି ନିରନ୍ତର

।।

 

 

 

 

ପୁଷ୍ପରେ ମକରନ୍ଦ ଜାଣ

ହାଦେ ଅଟଇ ସୁଧା ଜାଣ

।।

ମୁନିକନ୍ୟାମାନେ ଯେ ତହିଁ

ଭ୍ରମରୀ ରହିଛନ୍ତି ହୋଇ

।।

କୂଜନ କରି ବେଦମାନ

ଛାମୁରେ କରନ୍ତି ଗାୟନ

।।

ସେ ବୃକ୍ଷମୂଳେ ଜ୍ୟୋତିରୂପ

ମଣରେ ଘଟିତ ମଣ୍ଡପ

।।

 

 

 

 

ଯୋଜନେ ଅଟଇ ବିସ୍ତାର

ଉଚ୍ଚ ଏ ଅନୁରୂପେ ତାର

।।

ଉପରେ ଚନ୍ଦ୍ରାତପମାନ

ଦେବାଙ୍ଗ ପାଟରେ ମଣ୍ଡନ

।।

-ମୁକୁତା ଝମ୍ପା ଯେ ଚାମର

ଲମ୍ବିଣ ଦିଶନ୍ତି ସୁନ୍ଦର

।।

ତହିଁରେ ଘଟିତ କମଳ

ବିସ୍ତାର ସହସ୍ରେକଦଳ

।।

 

 

 

 

ତଥିର ମଧ୍ୟରେ ଘଟିତ

ଅଷ୍ଟ ଏ ଦଳ ଯେ ଯୁଗତ

।।

ମଧ୍ୟରେ କେଶର ଘଟନ

ତଥି ମଧ୍ୟରେ ଷଟକୋଣ

।।

ତ୍ରିକୋଣ ତହିଁର ମଧ୍ୟରେ

ଯେ ଛନ୍ତି ଦୁର୍ଲଭ ବେଭାରେ

।।

ତହିଁ ମଧ୍ୟରେ ପୁଣ ଜାଣ

ଅଛଇ ଦିବ୍ୟ ଯେ ଆସନ

।।

 

 

 

 

ତଥି ଉପରେ ବନମାଳୀ

ସୁଖେ ଅଛନ୍ତି ବିଜେକରି

।।

ଶିରେ ବରହିପୁ ଚୂଳ

କର୍ଣ୍ଣରେ ମକର କୁଣ୍ଡଳ

।।

-ଲଲାଟେ କସ୍ତୁରୀର ଚିତା

ସର୍ବାଙ୍ଗେ ଚନ୍ଦନ ଭୂଷିତା

।।

ହୃଦରେ କଉସ୍ତୁଭ ଜାଣ

ଆବର ଶ୍ରୀବତ୍ସ ଲକ୍ଷଣ

।।

 

 

 

 

କଟିରେ ପୀତ ଯେ ଦୁକୂଳ

ମେଖଳା କ୍ଷୁଦ୍ର ଘଣ୍ଟିକୁଳ

।।

କରରେ କଙ୍କଣ ବାହୁଟି

ବିବିଧ ମୁଦ୍ରିକା ଅଙ୍ଗୁଷ୍ଠି

।।

ମୁଖର ନୂପୁର ପାଦେଣ

ଭୀମ ଦାସର ନିତ୍ୟେ ଧ୍ୟାନ

।।

ସନ୍ନିଧେ ଅଛନ୍ତି ରାଧିକା

ଯେ ରୂପେ ସବୁହୁଁ ଅଧିକା

।।

 

 

 

 

ତପତ କାଞ୍ଚନ ଗଉରୀ

ବ୍ରହ୍ମାଣ୍ଡ ମୋହିନୀ ସୁନ୍ଦରୀ

।।

ଯେ ଜାଣ ଇଶିତ ବିକାରେ

ଶ୍ରୀ ଭଗବାନ ମନ ହରେ

।।

ବିବିଧ ଆଭରଣ ହୋଇ

ପ୍ରଭୁ ସନ୍ନିଧେ ଛନ୍ତି ରହି

।।

ମନ ଲୋଚନ କୃଷ୍ଣଠାରେ

ନିବେଶିଛନ୍ତି ପ୍ରେମଭରେ

।।

 

 

 

 

କୃଷ୍ଣରେ ଅନୁରାଗ ଚିତ୍ତ

ବେଳକୁ ବେଳ ଯେ ଉଦ୍ଧତ

।।

ପ୍ରଭୁଙ୍କ ଚିତ୍ତେ ଅନୁରାଗ

ସହଜେ ଅତ୍ୟନ୍ତ ସଂଯୋଗ

।।

ସେ ସୁଖ କେ ପାରିବ କହି

ଯହିଁ ବଚନ ଜାଣ ନାହିଁ

।।

ଏଥି ଉତ୍ତାରୁ ଏବେ ଶୁଣ

ଷଟକୋଣର ଯେ ବିଧାନ

।।

 

 

 

 

ପୂର୍ବ ଛାମୁରେ ବୃନ୍ଦାବତୀ

ସେ ଦିବ୍ୟ ଚାମର ଢଳାନ୍ତି

।।

ତାହାଙ୍କ ବାମେ ରଙ୍ଗଦେବୀ

ବିଞ୍ଚଣୀ ଘେନି ଛନ୍ତି ସେବି

।।

ସୁଭଦ୍ରା ତାହାଙ୍କ ବାମରେ

ଖଦୀ ଧରିଣ ଉଭା ଧୀରେ

।।

ତାହାଙ୍କ ବାମେ ପ୍ରିୟମ୍ବଦା

ଛତ୍ର ଧରିଣ ସେ ପ୍ରମଦା

।।

 

 

 

 

ତାହାଙ୍କ ବାମେ ରତ୍ନରେଖା

ପରିଖ ଧରି ସେ ନାୟିକା

।।

ନିତ୍ୟା ଈଷାଣ କୋଣେ ଥାଇ

କପୂର ତାମ୍ବୂଳ ଯୋଗାଇ

।।

ଏ ଭାବେ ଜାଣ ଷଟକୋଣ

ଯେ ଛନ୍ତି ଅଷ୍ଟଦଳେ ଜାଣ

।।

ପୂର୍ବେ ଲଳିତା ସମ୍ମୁଖରେ

ସୁଗନ୍ଧ ପୁଷ୍ପମାଳା କରେ

।।

 

 

 

 

ଅନଳ କୋଣରେ ଶ୍ୟାମଳା

ଶ୍ରୀକରେ ଚନ୍ଦନ କପୁରା

।।

ଦକ୍ଷିଣେ ସବ୍ୟା ଯେ କାମିନୀ

ଶ୍ରୀକରେ ମଧୁପାତ୍ର ଘେନି

।।

ନୈର୍ଋତ କୋଣରେ ଶ୍ରୀମତୀ

ରତ୍ନର ଝରୀ ଘେନିଛନ୍ତି

।।

ବରୁଣ ଦିଗେ ହରିପ୍ରିୟା

ମଣି ପାଦୁକା ଘେନି ଠିଆ

।।

 

 

 

 

ବାୟୁ କୋଣେ ବିଶାଖା ଛନ୍ତି

ତାଳ ଧରିଣ ଗୀତ ଗାନ୍ତି

।।

ଉତ୍ତରେ ଚନ୍ଦ୍ରମୁଖୀ ଜାଣ

କରନ୍ତି ବୀଣା ଯେ ବାଦନ

।।

ଐଶାନ୍ୟେ ପଦ୍ମବତୀ ସେବେ

କରଯୋଡ଼ିଣ ନମ୍ର ଭାବେ

।।

ଆଜ୍ଞାକୁ ଅବଧାରୀ ଛନ୍ତି

ଯେ ପ୍ରତିଭା ପଣ ଜାଣନ୍ତି

।।

 

 

 

 

ଚତୁର୍ଥେ ଗୋକୁଳବାସିନୀ

ପାଞ୍ଚ ସାଧନ ସିଦ୍ଧା ଘେନି

।।

ଏ ପଞ୍ଚବିଧା ଗୋପୀଗଣେ

ସେବନ୍ତି ଶ୍ରୀକୃଷ୍ଣ ଚରଣେ

।।

କେ ବୀଣା ରବା କେ ମର୍ଦ୍ଦଳ

କେ ବେଣୁ ବଂଶୀ କେ କାହାଳ

 

କେ ଗୀତ ସୁସ୍ୱରେ ଗାବନ୍ତି

କେ ତହିଁ ନୃତ୍ୟ ଯେ କରନ୍ତି

।।

 

 

 

 

ଏମନ୍ତେ ତହିଁ ଯେତେ ନାରୀ

କୃଷ୍ଣ ମାନସ ସୁଖକାରୀ

।।

ସବୁରି ସପ୍ରେମ ଯେ ମନ

କାହାରି ନାହିଁନା ନିଊନ

।।

ଏ ଭାବେ କୃଷ୍ଣ ନିତ୍ୟପୁର

କହିବା ଯୋଗ୍ୟ ତା କାହାର

।।

ଯେ ଛନ୍ତି ସମସ୍ତେ ଯୁବତୀ

ନାହିଁ ପୁରୁଷ ଗତାଗତି

।।

 

 

 

 

ବେଭାରେ କୃଷ୍ଣ ଅନ୍ତଃପୁର

ଯେ ନିତ୍ୟଗୋଲୋକ ବିଚାର।।

 

ବାହାର ହେଲେ ଅବକାଶ

ଭୃତ୍ୟେ ଖଟନ୍ତି ଯାଇ ପାଶ

।।

ଯେ ଯାହା ସେବାକୁ ଆବୋରି

ପ୍ରଭୁଙ୍କୁ କରନ୍ତି ବିଚାରି।।

 

ଯେ ନିଜ ଭକ୍ତି ଅନୁସାରେ

ଖଟନ୍ତି କୃଷ୍ଣ ଚରଣରେ

।।

 

 

 

 

ଏ ଭାବେ ନିତ୍ୟର ବିଚାର

ସୁଜନ ଜନେ ଚିନ୍ତାକର

।।

ତହିଁ ଅଛନ୍ତି ଯେତେ ଜାଣ

ସମସ୍ତେ କୃଷ୍ଣ ଭକ୍ତ ଜନ

।।

ଭକ୍ତର ବାହାରେ ଆବର

ଦେଖିବା ଯୋଗ୍ୟ ତା କାହାର।।

 

ଶ୍ରୀକୃଷ୍ଣ ଚରଣେ ମାନସ

ଦେଇ କହିଲା ଭୀମ ଦାସ

।।

ଇତି ଶ୍ରୀହରିଭକ୍ତିଚନ୍ଦ୍ରୋଦୟେ ଭଜନେ ନିତ୍ୟବୈକୁଣ୍ଠ

ବିଚାରୋ ନାମ ଦ୍ୱାତ୍ରିଂଶୋଽଧ୍ୟାୟଃ ।

 

୩୩ଶ ଅଧ୍ୟାୟ ।

(ସୃଷ୍ଟି ସର୍ଜନା)

ଶୁଣ ସୁଜନେ ସାବଧାନେ

ନିର୍ମଳ କରି ଏକ ମନେ

।।

ଯେମନ୍ତ କରି ନରହରି

ସୃଷ୍ଟି ସର୍ଜନା ଛନ୍ତି କରି

।।

ସାମାନ୍ୟେ ତହିଁର ବିଚାର

କହଇ ସାବଧାନ କର

।।

ନିତ୍ୟ ଗୋଲୋକେ ଭଗବାନ

କରନ୍ତି ନାନା ଲୀଳାମାନ

।।

 

 

 

 

ସେ ଲୀଳା ପ୍ରକାଶ ନିମନ୍ତେ

ବିଚାର କରନ୍ତେଣ ଚିତ୍ତେ

।।

ପ୍ରବେଶ ହୁଅନ୍ତେ ଯୁଗତ

ପ୍ରକୃତି ହୋଇଲେକ ଜାତ

।।

ଶ୍ରୀକୃଷ୍ଣ ଅଙ୍ଗୁ ଜାତ ହୋଇ

ଶକ୍ତି ସ୍ୱଭାବେ ଦେବୀ ରହିଁ

।।

ସେ ସର୍ବଭୂତଙ୍କ ଜନନୀ

ସକଳ ତତ୍ତ୍ୱଙ୍କ କାରିଣୀ

।।

 

 

 

 

ତ୍ରୈଲୋକ୍ୟ ମୋହିନୀ ଅଭୟା

ଯାହାକୁ ବୋଲି ବିଷ୍ଣୁ ମାୟା

।।

ବେଦର ବୀଜ ଜାଣ ସେହି

ତ୍ରି ଗୁଣ ସେହିଠାରୁ ହୋଇ

।।

ସକଳ ଜାତ ସେ କରନ୍ତି

କାଳେ ସକଳ ସଂହରନ୍ତି

।।

ମୂଳ ଶକତି ସେ ଯେ ଜାଣ

କାରଣମାନଙ୍କ କାରଣ

।।

 

 

 

 

ସେ ଦେବୀ ହୋଇ ଅବତାର

 

ବେଗେ ଯୋଡ଼ିଲେ ବେନି କର

 

ତାହାଙ୍କୁ ଚାହିଁ ଆଜ୍ଞା ଦେଲେ

 

ଜଗତ ଭିଆଅ ବୋଇଲେ

।।

ସେ କୃଷ୍ଣ ଆଜ୍ଞାରେ ତ୍ୱରିତ

ମହତକୁ କଲେକ ଜାତ

।।

ମହତ ତହୁଁ ଅହଙ୍କାର

ତତ୍‌କ୍ଷଣେ ହୋଇଲା ବାହାର।।

।।

 

 

 

 

ସେ ଅହଙ୍କାରରୁ ତ୍ୱରିତ

ପଞ୍ଚ ତନମାତ୍ରା ଯେ ଜାତ

।।

-ରୂପ ଯେ ଶବଦ ସ୍ପରଶ

ଗନ୍ଧ ଆବର ଜାଣ ରସ

।।

ତାହାଙ୍କ ତହିଁରୁ ଯୁଗତ

ଆକାଶ ହୋଇଲାକ ଜାତ

।।

ଆକାଶୁଁ ହୋଇଲେ ପବନ

ପବନୁ ହୋଇଲେ ଦହନ

।।

 

 

 

 

ଦହନୁ ଜଳ ଜାତ ପୁଣି

ଜଳରୁ ହୋଇଲେ ଅବନୀ

।।

ସେ ଯେ ଅବନୀ ଯୁଗତରେ

ରହିଲେ ମହାଜଳ ତଳେ

।।

ସେ ପଞ୍ଚ ମାତ୍ରା ଯେ ଯୁଗତେ

 

ରହିଲେ ପଞ୍ଚ ମହାଭୂତେ

।।

ଶବଦ ରହିଲେ ଗଗନେ

ସ୍ପରଶ ରହିଲେ ପବନେ

।।

 

 

 

 

ରୁପ ରହିଲେ ହୁତାଶରେ

ରସ ରହିଲେ ଯାଇଁ ନୀରେ

।।

ଗନ୍ଧ ରହିଲେ ଯାଇ ମହୀ

ପଞ୍ଚଭୂତରେ ପଞ୍ଚ ରହି

।।

ଏ ତହୁଁ ଇନ୍ଦ୍ରିୟଗଣର

ବିରାଟ ଜାତ ଯେ ଆବର

।।

ସୁଜନେ ଶୁଣ ମନ ଦେଇ

ଯେମନ୍ତ ଭାବେ ଛନ୍ତି ରହି

।।

 

 

 

 

ମହତ ଅହଙ୍କାର ବେନି

ପଞ୍ଚ ମହାଭୂତଙ୍କୁ ଘେନି

।।

ଏଗାର ଇନ୍ଦ୍ରିୟ ଯେ ଗଣ

ଘଟନା କଲେ ତତକ୍ଷଣ

।।

ଶ୍ରବଣ ରୂପ ଚକ୍ଷୁ ତିନି

ରସନା ନାସିକାକୁ ଘେନି

।।

ବଚନ ପାଦ ବେନି ହସ୍ତ

ଆବର ପାୟୁ ଯେ ଉପସ୍ଥ

।।

 

 

 

 

ମନକୁ ଘେନିଣ ଏଗାର

ଇନ୍ଦ୍ରିୟମାନଙ୍କ ବିଚାର

।।

ଏବେ ଇନ୍ଦ୍ରିୟମାନଙ୍କେଣ

ପଞ୍ଚଭୂତ ଯେ ସହିତେଣ

।।

ପଞ୍ଚ ତନମାତ୍ରାକୁ ଘେନି

ମହତ ଅହଙ୍କାର ବେନି

।।

ପ୍ରକୃତି ଗୁଣର ସହିତେ

ଶ୍ରୀକୃଷ୍ଣ କଳାର ଯୁଗତେ

।।

 

 

 

 

ବିଚାର କରି ସ୍ଥୂଳ ଅଙ୍ଗ

ଜାତ କଲେକ ସେ ଯେ ବେଗ।।

 

ସେ ଯେ ବିରାଟ ଦେବରାଜ

କୋଟୀ ସୂର୍ଯ୍ୟର ଯାର ତେଜ

।।

ତାହାଙ୍କୁ ମହାବିଷ୍ଣୁ କହି

ତାଙ୍କୁ ସମାନ ଅବା କାହିଁ

।।

ଯା ରୋମ ବିବର ପବନେ

କୋଟୀ କୋଟୀ ବ୍ରହ୍ମାଣ୍ଡମାନେ।।

।।

 

 

 

 

ବାହାର ହୁଅନ୍ତି ପଶନ୍ତି

ରେଣୁର ପ୍ରାୟେକ ଦିଶନ୍ତି

।।

ଏହି ବିଚାରେ କଳେବର

ଅଟଇ ଜାଣ ତାହାଙ୍କର

।।

-ଯାହାର ଏକଇ ନିଶ୍ୱାସ

ବ୍ରହ୍ମାଙ୍କୁ ଅଟଇ ଆୟୁଷ

।।

ବ୍ରହ୍ମାଣ୍ଡ ଗଢ଼ନ୍ତି ପାଳନ୍ତି

ସେହି ନିଶ୍ୱାସକରେ ଯାନ୍ତି

।।

 

 

 

 

ଆଉ ନିଶ୍ୱାସ କରେ ଯେବେ

ଆରେକ ବ୍ରହ୍ମା ହୁଏ ତେବେ

।।

ଏ ଭାବେ ମହିମା ଯାହାର

ତାହାଙ୍କୁ କରେ କେ ଗୋଚର।।

।।

ପୀତବସନ ଚାରି ଭୁଜ

ମହାମହିମ ଦେବରାଜ

।।

ଚକ୍ର ଅମ୍ବୁଜ ଗଦା ଶଙ୍ଖ

କୌସ୍ତୁଭମଣି ଶ୍ରୀବତ୍ସାଙ୍କ

।।

 

 

 

 

ସେ ମହାଜଳର ଉପରେ

ରହିଲେ ଅନନ୍ତ ଶଯ୍ୟାରେ

।।

ଆୟୁଧମାନ ପାଶେ ଥୋଇ

ଶ୍ରୀକର ସୀମସ୍ଥାନେ ଦେଇ

।।

ଯୋଗ ଯେ ନିଦ୍ରାରେ ମୂରାରି

ଅଛନ୍ତି ଲୀଳା ବିଜେ କରି

।।

ଶ୍ରୀକରେ ସିନ୍ଧୁର ନନ୍ଦିନୀ

ଚରଣ ମଚାଳନ୍ତି ପୁଣି

।।

 

 

 

 

ସୀମସ୍ଥାନରେ ସରସ୍ୱତୀ

ପଞ୍ଚମସ୍ୱରେ ବୀଣା ବାନ୍ତି

।।

ତାଙ୍କର ନିଶ୍ୱାସରୁ ଜାତ

ଚାରି ଯେ ବେଦଟି ଯୁଗତ

।।

ତାଙ୍କର ନାଭିରୁ ବାହାର

ହୋଇଲା ଏକଇ କମଳ

।।

ସେ ପଦ୍ମ ମଧ୍ୟରୁ ଯୁଗତ

ହୋଇଲେ ପିତାମହ ଜାତ

।।

 

 

 

 

ରଜୋଗୁଣରୁ ଅବତରି

ଅଷ୍ଟ ଲୋଚନ ମୁଣ୍ଡ ଚାରି

।।

ବିଷ୍ଣୁ ବିଶ୍ୱାସୁଁ ବେଦମାନ

ତକ୍ଷଣେ କଲେକ ଶ୍ରବଣ

।।

ତା ନିଜ ହୃଦରେ ବିଚାରି

ସେହି ବିଚାରେ ସୃଷ୍ଟି କରି

।।

ସେ ପଞ୍ଚଭୂତଙ୍କୁ ଘେନିଣ

ବ୍ରହ୍ମାଣ୍ଡ କଲେକ ଘଟଣ

।।

 

 

 

 

ପଞ୍ଚାଶ କୋଟୀ ଯେ ବିସ୍ତାର

ଏ ଅନରୂପେ ଉଚ୍ଚ ତାର

।।

ଆବର କୋଟୀର ଯୋଜନ

ହାଣ୍ଡି ବହଳ ପରମାଣ

।।

ସେ ମହାଜଳର ଉପରେ

ରହିଲା ତାଙ୍କରି ଆଜ୍ଞାରେ

।।

ତହିଁ ଭିତରେ ପଶି ଧାତା

ସୃଷ୍ଟି ସର୍ଜନା କଲେ ଚିନ୍ତା

।।

 

 

 

 

ମଧ୍ୟେ ଅବନୀ ପୁଣି କଲେ

ତେଣୁଟି ତିନିପୁର ହେଲେ

।।

ତଳେ ଯେ ହୋଇଲା ପାତାଳ

ଉପରେ କଲେ ସୁରଆଜ

।।

ମଧ୍ୟରେ ମଞ୍ଚ କରି ପାଞ୍ଚି

ବେଦର ବିଚାରେ ବିରଞ୍ଚି

।।

ପୁଣି ତା ଚତୁରଆନନ

ଚଉଦଲୋକ କଲେ ଜାଣ

।।

 

 

 

 

ଅତଳ ବିତଳ ସୁତଳ

ତଳାତଳ ଯେ ରସାତଳ

।।

ମହାତଳ ପାତାଳ ପୁଣ

ତଳେ ଏ ସାତଲୋକ ଜାଣ

।।

ଭୂଲୋକ ଭୁବ ଲୋକ ବେନି

ସ୍ୱର ଲୋକକୁ ଘେନି ତିନି

।।

ମହଲୋକ ଯେ ଜନ ଲୋକ

ତପ ଲୋକଟି ସତ୍ୟଲୋକ

।।

 

 

 

 

ସପତଲୋକ ଏ ପ୍ରକାରେ

କରିଣ ବେଦର ବିଚାରେ

।।

ସୁମେରୁ ଗିରି ପୁଣ କଲେ

ଅବନୀ ମଧ୍ୟରେ ପୋତିଲେ

।।

ଶୁଦ୍ଧ ସୁବର୍ଣ୍ଣ ହାଦେ ଜାଣ

ସହସ୍ର ଶୃଙ୍ଗ ପରିମାଣ

।।

ଦେବତାମାନଙ୍କ ତହିଁରେ

ପୁର ରଚିଲେ ଯେ ଯାହାରେ।।

।।

 

 

 

 

ରୁଦ୍ରଲୋକଙ୍କୁ କପିଳାସ

ଏ ଆଦି ନରରୂପେ ବାସ

।।

ସ୍ୱର୍ଗ ଯେ ବଇକୁଣ୍ଠ ପୁଣ

ମର୍ତ୍ତ୍ୟଲୋକରେ ହାଦେ ଜାଣ।।

 

ଶ୍ରୀ ନୀଳକନ୍ଦର ମଞ୍ଚରେ

ପାତାଳ ବୈକୁଣ୍ଠ ତଳରେ

।।

ଏ ତିନି ବଇକୁଣ୍ଠ ଜାଣ

ତିନିପୁରରେ ଏ ଯେ ପୁଣ

।।

 

 

 

 

ଦିନ ପ୍ରଳୟ ଏଥି ନାହିଁ

ସର୍ବଦାକାଳେ ଥାଏ ରହି

।।

ଗୋଲୋକୁ ହୋଇଛି ପ୍ରକାଶ

ଏଥିର ମହିଁମା ଅଶେଷ

।।

ସେ ଯେ ଆକାଶ ବଇକୁଣ୍ଠ

ବିଜୟେ ଦେବଙ୍କର ଶ୍ରେଷ୍ଠ

।।

ଚତୁର୍ଭୁଜ ଯେ ପୀତାମ୍ବର

ଶଙ୍ଖ କମଳ ଚକ୍ରକର

।।

 

 

 

 

ସଙ୍ଗତେ ଲକ୍ଷ୍ମୀ ସରସ୍ୱତୀ

ଘେନି ବିଜୟେ ଶିରୀପତି

।।

ମର୍ତ୍ତ୍ୟ ଯେ ବଇକୁଣ୍ଠେ ପୁଣ

ନୀଳକନ୍ଦର ଯେଟି ଜାଣ

।।

ତହିଁରେ ଦାରୁବ୍ରହ୍ମରୂପ

ବ୍ରହ୍ମଆନନ୍ଦ ସୁଧାକୂପ

।।

ଲୋଚନେ ବାରେକ ଦେଖିଲେ

ଭବ ବନ୍ଧରୁ ଯାନ୍ତି ଭଲେ

।।

 

 

 

 

ତହିଁରେ ଛନ୍ତି ଯେତେ ଜାଣ

ସମସ୍ତେ ଚତୁର୍ଭୁଜ ପୁଣ

।।

ଦେବତା ତନୁ ଜାଣ ସେହି

ସ୍କନ୍ଦ ପୁରାଣେ ଛନ୍ତି କହି

।।

ପାତାଳ ବଇକୁଣ୍ଠ ଜାଣ

ଏହିପ୍ରକାରେ ହାଦେ ପୁଣ

।।

ଏତିନି ବଇକୁଣ୍ଠ ହରି

ଅଛନ୍ତି ନିତ୍ୟ ଭାବେ କରି

।।

 

 

 

 

ମଥୁରାଆଦି ହାଦେ ଜାଣ

ଅଯୋଧ୍ୟା ଦ୍ୱାରିକା ଭୁବନ

।।

ଏଆଦି କ୍ଷେତ୍ର ଛନ୍ତି ଯେତେ

ସେ ଲୀଳାସ୍ଥାନଟି ଯୁଗତେ

।।

ଲୀଳାରେ ବିଜେ କରିଥାନ୍ତି

ଲୀଳା ସରିଲେ ତହୁଁ ଯାନ୍ତି

।।

ଏଘେନି ଏତିନି ଅଧିକ

ଥାଆନ୍ତି ସ୍ଥାନ ଥିବା ଯାକ

।।

 

 

 

 

ଏଥିଉତ୍ତାରୁ ଜଗତ୍ତାତ

ପ୍ରଜାପତିଙ୍କି କଲେ ଜାତ

।।

ତାହାଙ୍କୁ ବେଦ ଶିକ୍ଷା ଦେଇ

ସର୍ଜନାକର ବୋଲି କହି

।।

ସେ ଧାତା ଆଜ୍ଞାରେ ତ୍ୱରିତ

ଦେବତାମାନେ କଲେ ଜାତ

।।

ଗନ୍ଧର୍ବ ଆଦି ବିଦ୍ୟାଧର

ଯକ୍ଷ ଯେ ପିଶାଚ କିନ୍ନର

।।

 

 

 

 

ନର ଅସୁର ନାଗମାନ

ସକଳ କଲେକ ଭିଆଣ

।।

ସ୍ଥାବର ଜଙ୍ଗମ ଯେ ବେନି

କୀଟ ପତଙ୍ଗ ଚାରିଖାନି

।।

ଏଭାବେ ଚତୁରାସି ଲକ୍ଷ

ଯେ ଜୀବ କଲେ ତା ପ୍ରତ୍ୟକ୍ଷ।।

।।

ଯେ ଯହିଁ ତହିଁ ତା ରଖିଲେ

ଏଭାବେ ସୃଷ୍ଟି ଭିଆଇଲେ

।।

 

 

 

 

ଏମନ୍ତ ପ୍ରକାରେଣ ଜାଣ

ଏହାଦେ ସୃଷ୍ଟିର ପ୍ରମାଣ

।।

ଆପଣା ମନରେ ବିଚାର

ଜୀବ ଯେମନ୍ତ ପରକାର

।।

ଶ୍ରୀ ଭଗବାନଟି ଯେମନ୍ତ

ବିଚାର କର ନିଜ ଚିତ୍ତ

।।

ତାହାଙ୍କୁ ପାଇବା ବିଚାର

ଯଦିଟି ଅଛଇ ତୁମ୍ଭର

।।

ଭକ୍ତିରେ ଦିଅ ବେଗେ ମନ

ନିରତେ କରିଣ ସାଧନ

।।

କହିଲା ଶିଶୁ ଭୀମ ଦାସ

ଭକ୍ତି ବିଚାରେ ଏହୁ ରସ

।।

ଇତି ଶ୍ରୀ ହରିଭକ୍ତିଚନ୍ଦ୍ରୋଦୟେ ଭଜନେ ସର୍ଜନା ବିଚାରୋ

ନାମ ତ୍ରୟତ୍ରିଂଶୋଽଧ୍ୟାୟଃ ।

 

୩୪ଶ ଅଧ୍ୟାୟ ।

(ନିତ୍ୟଲୀଳା ବିଚାର)

ଶୁଣ ସୁଜନେ ସାଧୁକଥା

ଶ୍ରୀକୃଷ୍ଣ ଲୀଳାର ବ୍ୟବସ୍ଥା

।।

ଭଗବାନଙ୍କ ଲୀଳା ଯେହୁ

ସାମାନ୍ୟ ନୁହେ ଜାଣ ସେହୁ।।

।।

ଯେମନ୍ତ ହୋଇ ଭଗବାନ

ନିତ୍ୟ ସ୍ୱରୂପ ସହିତେଣ

।।

ନିତ୍ୟର ବିଧି ଯେ ସହିତେ

ଯେ ନିତ୍ୟବାସିଙ୍କ ସଙ୍ଗତେ

।।

 

 

 

 

ନିତ୍ୟର ଲୀଳା ଜାଣ ଯେହି

ପ୍ରକାଶ କରିବାର ପାଇଁ

।।

ବିଚାର କରିଣ ମାନସ

ଇଚ୍ଛାରେ ହୋଇଲେ ପ୍ରକାଶ।।

।।

ମଥୁରାପୁରେ ବନ୍ଦିଘରେ

ଦେବକୀ ଦେବୀଙ୍କ ଠାବରେ।।

।।

ତାଙ୍କର ଭକ୍ତିଭାବ ପାଇ

ପ୍ରକାଶ ହେଲେ ତହିଁ ଯାଇ

।।

 

 

 

 

ଦେବକୀ ଗର୍ଭବାଦ ମାତ୍ର

ସ୍ୱୟଂ ପ୍ରକାଶ ଜଗଦ୍ଭୂତ

।।

ନୋହିଲେ ପ୍ରଭୁ ଜାତ ହୋଇ

ଏମନ୍ତ ଦେଖିଅଛ କାହିଁ

।।

ଶିରରେ କିରୀଟ କୁଣ୍ଡଳ

ଶ୍ରୀବତ୍ସଲକ୍ଷ୍ମ ପୀତାମ୍ବର

।।

କୌସ୍ତୁଭ କଟକ କଙ୍କଣ

ମେଖଳା ଆଦି ଆଭରଣ

।।

 

 

 

 

ତା ଦେଖି ବସୁଦେବ ଡରେ

ଅନେକ ସ୍ତୁତି କଲେ ଖରେ

।।

ତାଙ୍କର ଭକ୍ତିଭାବ ଘେନି

ବାଳକ ତନୁ ହେଲେ ପୁଣି

।।

ତା ଦେଖି ବସୁଦେବ ବେଗେ

ବାଳକ ଘେନିଣ ସରାଗେ

।।

ଗୋପରେ ନନ୍ଦର ମନ୍ଦିରେ

ଛାଡ଼ିଅଇଲେ ଝାତିକାରେ

।।

 

 

 

 

ନନ୍ଦ ମନ୍ଦିରେ ଭଗବାନ

ରହିଲେ ବାଳରୂପେ ଜାଣ

।।

ସୁଜନେ ଶୁଣ ସାବଧାନେ

ଯେ ନିତ୍ୟବାସୀ ଗୋପୀମାନେ।।

।।

ରାଧିକା ଚନ୍ଦ୍ରାବତୀ ତୁଲେ

ଗୋପରେ ଜନମ ଲଭିଲେ

।।

ଯେ ବୃଷଭାନୁଙ୍କ କୁମାରୀ

ସେ ସେ ଶ୍ରୀକୃଷ୍ଣ ମନୋହାରୀ।।

 

 

 

 

 

ପ୍ରଭୁଙ୍କ ହୋଇ ଅନୁଗତ

ଗୋପେ ଲଭିଲେ ଦେବୀ ଜାତ।।

।।

ଆବର ହୋଇଲେ ଜନମ

ସୁଦାମ ଆଦି ସଖାଗଣ

।।

ଏଥିରେ ସଂଶୟ ନ କର

ଶୁଣିମା ଏଥିର ବିଚାର

।।

ପଦ୍ମପୁରାଣେ ଛନ୍ତି କହି

ନିଜ ଶ୍ରୀମୁଖେ ଆଜ୍ଞା ଦେଇ

।।

 

 

 

 

ସତ୍ୟଭାମାଙ୍କର ଯେ ଆଗେ

କହିଅଛନ୍ତି ଅନୁରାଗେ

।।

ଶୁଣ ଗୋ ଦେବି ଏ ଗୁପତ

ଯେ ସେ ଆମ୍ଭର ମୂଳ ନିତ୍ୟ

।।

ସେ ନିତ୍ୟବାସୀଏଟି ଜାଣ

ରାଧିକା ଆଦି ଗୋପୀଗଣ

।।

ସୁଦାମ ସୁବଳ ଆଦିରେ

ସେ ସଖାଗଣଟି ବେଭାରେ

।।

 

 

 

 

ଏମାନେ ନ ଛାଡ଼ନ୍ତି ମୋତେ

ମୋସଙ୍ଗେ ଥାନ୍ତି ଏ ନିରତେ

।।

ଏଜାଣ ମୋର ପ୍ରାଣସରି

ତାଙ୍କୁ ମୁ ଥାଇ ଅନୁସରି

।।

ତାଙ୍କର ମୋର ଭିନ୍ନ ନାହିଁ

ଏମନ୍ତ ବୋଲି ଜାଣ ସହି

।।

ଏଥିଉତ୍ତାରୁ ସାବଧାନେ

ଶୁଣିମା ସାଧୁଜନମାନେ

।।

 

 

 

 

ଦଣ୍ଡକବାସୀ ୠଷିଗଣ

ସେହି ଜନ୍ମିଲେ ଗୋପେ ଜାଣ।।

।।

ପୁରୁଷ ଦେହ ତେଜିକରି

ଗୋପରେ ହୋଇଲେ ଆଭୀରୀ।।

।।

ଏଭାବେ ଗୋପୀ ଯେ ବହୁତ

ଆସି ହୋଇଲେ ଗୋପେ ଜାତ

।।

ଆଗହୁଁ ହୋଇଥିଲେ ଜାଣ

ଦ୍ୱାଦଶ ବନ ଗୋବର୍ଦ୍ଧନ

।।

 

 

 

 

ଯମୁନା ଆଦିରେଟି ସର୍ବ

ଗୋରୁ ଗୋପାଳ ବଳଦେବ

।।

ନିତ୍ୟର ବିଚାର ଯେତେକ

ଗୋପେ ହୋଇଲେ ଆସି ଜାତ।।

।।

ସେ ଗୋପେ ଥାଇଁ ଭଗବାନ

 

ଶୋଷିଲେ ପୁତନାର ପ୍ରାଣ

।।

ଶକଟା ପାଦେ କଲେ ହତ

ଶୂନ୍ୟେ ମାଇଲେ ତୃଣାବର୍ତ୍ତ

।।

 

 

 

 

ଯାମଳାତରୁ ଉପାଡ଼ିଲେ

ଷଣ୍ଢାକୁ ମାରି କଚାଡ଼ିଲେ

।।

ବକର ଚିରିଲେକ ଥଣ୍ଟ

ଅଘାର ବିଦାରିଲେ ପେଟ

।।

ଧେନୁକାସୁର ସଂହାରିଲେ

ପ୍ରଳମ୍ବା ମସ୍ତକ ମୋଡ଼ିଲେ

।।

କାଳିନ୍ଦୀ ଜଳେ ପଶିକରି

କାଳୀୟ ଶିରେ ନୃତ୍ୟକରି

।।

 

 

 

 

ଗିଳିଲେ ଦାବ ଯେ ଦହନ

ତାରିଲେ କୁବେର ନନ୍ଦନ

।।

ଇନ୍ଦ୍ର ସଂଗତେ ବାଦକରି

ତୋଳିଲେ ଗୋବର୍ଦ୍ଧନ ଗିରି

।।

ବତ୍ସାହରଣେ ଚଉମାଥ

ଗର୍ବ ତାଙ୍କର କଲେ ହତ

।।

ସକଳ ଗୋପ ବଧୂଗଣ

ରମିଲେ ପ୍ରଭୁ ଭଗବାନ

।।

 

 

 

 

ଶ୍ରୀବୃନ୍ଦାବନର ଭିତରେ

ନିତ୍ୟ ରାସ ଯେ ତହିଁ କଲେ

।।

ତହିଁ ଉତ୍ତାରୁ ନରହରି

ମଥୁରାପୁରେ ବିଜେ କରି

।।

ରଜକ ପ୍ରାଣ କଲେ ଦୂର

କୁବୁଜା କଲେକ ସୁନ୍ଦର

।।

ମାଇଲେ କୁବଳୟ କରୀ

ବେନି ମାଲଙ୍କୁ ଆଦି କରି

।।

 

 

 

 

ପୁଣି ମାଇଲେ କଂସାସୁର

ସହିତେ ଅନେକ ଅସୁର

।।

ଦେବକୀ ବସୁଦେବ ତୁଲେ

ବନ୍ଦି ମୁକତ କରିଦେଲେ

।।

ଉଗ୍ରସେନଙ୍କୁ ରାଜା କରି

ବହୁତ ଲୀଳା ତହିଁ କରି

।।

ପୁଣିହିଁ କେତେକ ଅନ୍ତରେ

ଦ୍ୱାରକାପୁରେ ବିଜେ କଲେ

।।

 

 

 

 

ଭୀଷ୍ମକ ନନ୍ଦିନୀ ରୁକ୍ମିଣୀ

ହରି ଆଣିଲେ ତାଙ୍କୁ ପୁଣି

।।

ଶତ୍ରାଜିତ ରାଜାର ଜେମା

ବିଭା ହୋଇଲେ ସତ୍ୟଭାମା।।

।।

ପାତାଳେ ଜାମ୍ବବଙ୍କୁ ଜିଣି

ଜାମ୍ବୁବତୀଙ୍କି ତହୁଁ ଆଣି

।।

ଏ ଆଦି ଅଷ୍ଟ ପାଟବଂଶୀ

ବିଭା ହୋଇଲେ ହୃଷୀକେଶୀ।।

 

 

 

 

 

ଆବର ଷୋଳ ସସ୍ର ନାରୀ

ନୃପତିମାନଙ୍କ କୁମାରୀ

।।

ମାଇଲେ ଅନେକ ରାକ୍ଷସ

ଅବନୀ କଲେକ ଉଶ୍ୱାସ

।।

ଆବର ବହୁତ ଭଗତ

ମାନଙ୍କୁ କଲେକ ମୁକତ

।।

ଦୁର୍ଯ୍ୟୋଧନଙ୍କ ସଭା ତଳେ

ଦ୍ରୌପଦୀ ଦେବୀଙ୍କି ରଖିଲେ।।

 

 

 

 

 

ଅଶ୍ୱତ୍ଥାମାଙ୍କ ଶର ଘାତ

ଠାରୁ ରଖିଲେ ପରୀକ୍ଷିତ

।।

ଗଜକୁ ରଖିଲେକ ଜଳେ

ଚକ୍ରେ କୁମ୍ଭୀର ନାଶ କଲେ

।।

ଏ ଭାବେ ମହିମା ଅପାର

କେ ତାହା କରିବ ଗୋଚର

।।

ଏ ଯେ ଗୋପର ଲୀଳାମାନ

ନିତ୍ୟରେ ଏହି ଲୀଳା ଜାଣ

।।

 

 

 

 

ଗୋପରେ ଯେମନ୍ତ ସ୍ୱରୂପ

ନିତ୍ୟରେ ଜାଣ ସେହିରୂପ

।।

ଏ ଘେନି ପରମ ଯେ ତତ୍ତ୍ୱ

ଅଟନ୍ତି ଗୋପେ ଗୋପୀନାଥ।।

 

ମୀନ ଆଦିରେ ଯେତେ ଜାଣ

ସେ ସବୁ ଅବତାରମାନ

।।

ନବୀନ ଘନ ଯେ ସୁନ୍ଦର

ବରହୀ ଚୂଳ ପୀତାମ୍ବର

।।

 

 

 

 

ଶ୍ରୀବତ୍ସ ଅଙ୍କ ଶୋଭାବନ

ବିବିଧ ଆଭରଣମାନ

।।

ତ୍ରିଭଙ୍ଗି ଛନ୍ଦରେ ବିଜୟେ

ମୂରଲୀ ବେନିକରେ ଶୋହେ।।

।।

ଆଭୀର ନଟବର ବେଶ

ଭୀମ ମହାପାତ୍ରର ଆଶ

।।

ଇତି ଶ୍ରୀ ହରିଭକ୍ତିଚନ୍ଦ୍ରୋଦୟେ ଭଜନେ ନିତ୍ୟଲୀଳା

ବିଚାରୋ ନାମ ଚତୁସ୍ତ୍ରିଂଶୋଽଧ୍ୟାୟଃ ।

 

୩୫ଶ ଅଧ୍ୟାୟ ।

(ନିତ୍ୟଲୀଳା ବିଚାର)

ସୁଜନେ କରି ସାବଧାନ

ଶୁଣିମା ହୋଇ ଏକମନ

।।

ସକଳ କଥା କରି ଦୂର

ବେଗେ ଶ୍ରୀକୃଷ୍ଣ ଭକ୍ତି କର

।।

ଯେ କୃଷ୍ଣ ଭକ୍ତିର ସାଧନ

ନିରତେ କର ଦେଇ ମନ

।।

କ୍ଷଣେହେଁ ଅନ୍ତର ନ କର

ହେଳେ ହୋଇବ ଭବୁଁ ପାର।।

।।

 

 

 

 

ଲଭିବ ଶ୍ରୀକୃଷ୍ଣଚରଣ

ଏଥିରେ ସଂଶୟ ନ ଘେନ

।।

ଯେ ନିତ୍ୟ ଗୋଲୋକ ମଣ୍ଡଳେ

ରହିବ କୃଷ୍ଣ ସନ୍ନିଧିରେ

।।

ନିତ୍ୟ ବାହାରେ ଯେତେ ଜାଣ

ସକଳ ଅନିତ୍ୟରେ ଶୁଣ

।।

କାଳେ ସକଳେ ଯିବେ ନାଶ

।କାହାରି ନ ଥିବ ନା ଲେଶ

।।

 

 

 

 

ଗୃହ କୁଟୁମ୍ବ ଧନ ଜନ

ଯେ ନିତ୍ୟ ଦେହ ସହିତେଣ

।।

ସୁର ଅସୁର ଦେବଲୋକ

ବ୍ରହ୍ମାଣ୍ଡ ଅଛନ୍ତି ଯେତେକ

।।

ଆବର ବ୍ରହ୍ମାଣ୍ଡ ଯୁଗତେ

ସମସ୍ତ କାରଣ ସହିତେ

।।

ସମସ୍ତେ ହୋଇବେ ଏ ଲୀନ

କେହି ନ ଥିବେ ନିଶ୍ଚେ ଜାଣ

।।

 

 

 

 

ନିତ୍ୟରେ ନୁହନ୍ତି ନା କେହି

କାଳେ ଏ ଯିବେ ଆନ ହୋଇ।।

 

ଶୁଣିବା ଏଥିର ବିଧାନ

ସୁଜନେ ହୋଇ ସାବଧାନ

।।

ଚାରି ସହସ୍ର ଜାଣ ଯୁଗ

ବ୍ରହ୍ମାଙ୍କ ଦିବସେକ ଭୋଗ

।।

ପୁଣି ଚାରି ସହସ୍ର ରାତି

ସୁଖେ ଶୁଅନ୍ତି ବେଦପତି

।।

ଏ ଚାରି ସହସ୍ର ଯୁଗରେ

ଜଳ ପୂରଇ ବ୍ରହ୍ମାଣ୍ଡରେ

।।

 

 

 

 

ଦିନ ପ୍ରଳୟ ତାଙ୍କୁ କହି

ଧାତାଙ୍କ ଦିବସ ଅଟଇ

।।

ନିଦ୍ରା ଉପେକ୍ଷି ବେଦପତି

ପ୍ରଭାତ ଚିନ୍ତା ଯେ କରନ୍ତି

।।

ତହୁଁ ଆରେକ ଦିବସରେ

ସୃଷ୍ଟି ସର୍ଜନା ଧାତା କରେ

।।

ଦିବସ ଯାଇ ହେଲେ ରାତି

ପ୍ରଳୟ ପୁଣିହିଁ ହୁଅନ୍ତି

।।

 

 

 

 

ଏ ଭଳି ତିନିଶ ଷାଠିଏ

ଦିନରେ ବରଷେଟି ହୁଏ

।।

ଏ ଶତ ଅଷ୍ଟମେ ବରଷ

ବ୍ରହ୍ମାଙ୍କ ପୂରଇ ଆୟୁଷ

।।

ବ୍ରହ୍ମ ପ୍ରଳୟ ହୁଏ ଜାଣ

ଯେ ନିଜ ବ୍ରହ୍ମାଣ୍ଡ ତୁଲେଣ

।।

ବ୍ରହ୍ମାଣ୍ଡ ଭିତରେ ଯେ କଥା

ସମସ୍ତେ ହୁଅନ୍ତି ଅନ୍ୟଥା

।।

 

 

 

 

ବିରାଟ ଦେହେ ପଶେ ଯାଇଁ

ବାହାରେ କିଛିହିଁ ନ ଥାଇ

।।

ଏ କାଳ ହେଲାଟି ଯେତେକ

ଏ ଯେ ବିରାଟ ନିଶ୍ୱାସକ

।।

ନିଶ୍ୱାସ ସଂହରନ୍ତି ଯେବେ

ବ୍ରହ୍ମା ପ୍ରଳୟ ଜାଣ ତେବେ

।।

ପୁଣି ତେତେକ କାଳଯାଏ

ବ୍ରହ୍ମା ପ୍ରଳୟ ହୋଇଥାଏ

।।

 

 

 

 

ଜଳ ବିରାଟ ବିନୁ ଆନ

କିଛି ନ ଥାନ୍ତି ହାଦେ ଜାଣ

।।

ପୁଣି ସେ ବିରାଟ ନିଶ୍ୱାସ

ବାହ୍ୟକୁ ହୁଅନ୍ତେ ପ୍ରକାଶ

।।

ରୋମ ଯେ ବିବର ପବନେ

କୋଟୀ କୋଟୀ ବ୍ରହ୍ମାଣ୍ଡମାନେ।।

 

ବାହାରେ ପ୍ରକାଶ ହୁଅନ୍ତି

ସେହି ପବନ ବଳେ ଯାନ୍ତି

।।

 

 

 

 

ଏମନ୍ତ ଜାଣ ସେହି କାଳେ

ବ୍ରହ୍ମା ଉପୁଜେ ନାଭୀ ମୂଳେ

।।

ସେ ପୁଣି ବ୍ରହ୍ମାଣ୍ଡ ଗଢ଼ନ୍ତି

ପାଳନ୍ତି ପୁଣି ନାଶ ଯାନ୍ତି

।।

ସେ ସେହି ନିଶ୍ୱାସ ସଙ୍ଗରେ

ପଶନ୍ତି ସଂହରିବା କାଳେ

।।

ଏଣୁ ସଂହାର କାଳେ ଜାଣ

କେହି ନ ଥାନ୍ତି ହାଦେ ପୁଣ

।।

 

 

 

 

ଏ ଘେନି ବିରାଟ ନିଶ୍ୱାସ

ବ୍ରହ୍ମାଙ୍କ ଜାଣଟି ଆୟୁଷ

।।

ବିରାଟ ନିଶ୍ୱାସର ଗତି

ସର୍ଜନା ପ୍ରଳୟ ହୁଅନ୍ତି

।।

ଏ ଭାବେ ଷଡ଼ ନିଶ୍ୱାସରେ

ବିଲିପ୍ତା ଜାଣଟି ବେଭାରେ

।।

ଷାଠୀ ବିଲିପ୍ତା ଲିତା ପୁଣ

ଷାଠୀ ଲିତାରେ ଦଣ୍ଡେ ଜାଣ।।

।।

 

 

 

 

ଷାଠୀଏ ଦଣ୍ଡରେ ଦିବସ

ତିରିଶ ଦିବସରେ ମାସ

।।

ବରଷ ବାର ମାସେ ଜାଣ

ଏ ଭାବେ ବହୁକାଳେ ପୁଣ

।।

ବିରାଟ ପ୍ରଳୟଟି ହୁଏ

ମହାପ୍ରଳୟ ଯାକୁ କହେ

।।

ବିରାଟ ଆପଣା ଇଚ୍ଛାରେ

ଲୀନ ହୁଅନ୍ତି ଅବନୀରେ

।।

 

 

 

 

ଅବନୀ ଲୀନ ହୁଏ ଜଳେ

ଜଳ ପଶନ୍ତି ଅନଳରେ

।।

ଅନଳ ପଶନ୍ତି ପବନେ

ପବନ ରହେ ଯାଇ ଶୂନ୍ୟେ

।।

ଶୂନ୍ୟ ପଶନ୍ତି ଅହଙ୍କାରେ

ସେ ଅହଙ୍କାର ମହତରେ

।।

ମହତ ପ୍ରକୃତି କି ଯାନ୍ତି

ପ୍ରକୃତି ପୁରୁଷେ ମିଶନ୍ତି

।।

 

 

 

 

ନିତ୍ୟ ଗୋଲୋକେ ବିନୁଁ ଆନ

କେହି ନ ଥାନ୍ତି ନିଶ୍ଚେ ଜାଣ

।।

ଏ କାଳେ ଯେତେଟି ହେବାର

।ନିଜମାନସେ ଚିନ୍ତାକର

।।

ନିତ୍ୟରେ ଛନ୍ତି ଯେତେ ଲୋକ

ତାଙ୍କୁ ଏ ନୁହେ ପଲକେକ

।।

ସେ ମହୀ ସୁଖେ ଥାନ୍ତି ରହିଁ

ଏ ଭାବେ କୋଟିବାର ଯାଇଁ।।

।।

 

 

 

 

ଏ ଘେନି ନିତ୍ୟର ବାହାରେ

ଅନିତ୍ୟ ଅଟନ୍ତି ସକଳେ

।।

ଜାତ ବିନାଶ ଯହୁଁ ହୋନ୍ତି

ସେ ଘେନି ଅନିତ୍ୟ ବୋଲାନ୍ତି।।

।।

ନିତ୍ୟର ଜାତ ମୃତ୍ୟୁ ନାହିଁ

ସର୍ବଦା କାଳେ ଛନ୍ତି ରହି

।।

ଯେତେକ ଅଛନ୍ତି ନିତ୍ୟରେ

ସେ ଜାଣ ନିତ୍ୟଟି ବେଭାରେ।।

।।

 

 

 

 

ଶ୍ରୀକୃଷ୍ଣ ଭକ୍ତିଭାବେ କରି

ରହି ଅଛନ୍ତି ନିତ୍ୟପୁରି

।।

କୋଟି ପ୍ରଳୟମାନ ଗଲେ

ନିମିଷ ନ ଜାଣନ୍ତି ଭଲେ

।।

ପରମାନନ୍ଦ ସୁଖ ଧ୍ୟାୟି

ନିଶ୍ଚିନ୍ତ ହୋଇଛନ୍ତି ରହିଁ

।।

ଏ ଘେନି ତହିଁକୁ ଯିବାର

ଉପାୟ ମନେ ଚିନ୍ତାକର

।।

 

 

 

 

କରି ଶ୍ରୀକୃଷ୍ଣପାଦେ ଭକ୍ତି

ବହୁତ ଲୋକ ଯାଇଁଛନ୍ତି

।।

ଯେତେକ ଅଛନ୍ତି ତହିଁରେ

ଗଲେଟି ଭକ୍ତିର ବିଚାରେ

।।

ଭକ୍ତି ବାହାରେ ଜାଣ ଆନ

ଉପାୟେ ନାହିଁ ନିଶ୍ଚେ ଜାଣ

।।

ଏ ଆନ ମାର୍ଗରେ ନୁହନ୍ତି

ଶ୍ରମୀ ହୋଇଣ ବାହୁଡ଼ନ୍ତି

।।

 

 

 

 

ଏ ମାର୍ଗ ଦୁର୍ଗମ ଯୁକତ

ପ୍ରତି ରୋଧକଟି ବହୁତ

।।

କାହାକୁ ନ ଦିଅନ୍ତି ଯାଇ

ବୈଷ୍ଣବ ବିନୁଁ ଜାଣ ଯେହି

।।

ଏ ଘେନି କୃଷ୍ଣ ଭକ୍ତି କର

ଲଭିବ କୃଷ୍ଣ ନିତ୍ୟପୁର

।।

କହିଲା ଭୀମ ମହାପାତ୍ର

କୃଷ୍ଣ ପାଦରେ ଦେଇଚିତ୍ତ

।।

ସେ କୃଷ୍ଣ ଚରଣ ଯୁଗଳ

ପୂର୍ଣ୍ଣକରିବେ ଆଶା ମୋର

।।

ଇତି ଶ୍ରୀ ହରିଭକ୍ତି ଚନ୍ଦ୍ରୋଦୟେ ଭଜନେ ନିତ୍ୟାନିତ୍ୟବିଚାରଣେ

ନାମ ପଞ୍ଚତ୍ରିଂଶୋଽଧ୍ୟାୟଃ ।

 

୩୬ଶ ଅଧ୍ୟାୟ ।

(ଉପସଂହାର)

ସୁଜନେ ସାବଧାନେ ଶୁଣ

ଏଥି ଉତ୍ତାରୁ ଯେ ବିଧାନ

।।

ଏ ଭକ୍ତିଚନ୍ଦ୍ର ଯେ ଉଦୟ

ସବୁ ଅଟଇ ସୁଧାମୟ

।।

ଏ ଦେଶ ଭାଷା ଗୀତ ଜାଣ

ନାହିଁ କବିତା ଗୁଣମାନ

।।

ଏମନ୍ତ ହେଲେହେଁ ଏଥିରେ

ଆଦର କରିବ ବେଭାରେ

।।

 

 

 

 

ଏ ହରି ଭକ୍ତି ଗନ୍ଧ ଘେନି

ପବିତ୍ର ଅଟଇଟି ପୁଣି

।।

ଭକ୍ତିର ବିଚାର ବେଭାରେ

ଏଥି ଅଛଇ ପ୍ରତିଠାରେ

।।

ସେ ଘେନି ପବିତ୍ର ଏ ଜାଣ

ଯେମନ୍ତେ ପୁଷ୍ପେ ପଟ ପୁଣ

।।

ପୁଷ୍ପ ସଙ୍ଗରୁ ସେ ବିଶେଷ

କେହି ନ ଧରେ ତହିଁ ଦୋଷ

।।

 

 

 

 

ଆବର କୂପର ଉଦକ

ଦେବତା ପ୍ଲାବନେ ପାଦୁକ

।।

କରି ଘେନନ୍ତି ବୁଧଜନ

ବିକାର ନ ଘେନନ୍ତି ମନ

।।

ଏ ଘେନି ଭକ୍ତିର ବିଚାର

ଥିବାରୁ ଏଥିରେ ଆଦର

।।

କରିବ ସାଧୁଜନମାନେ

ଅନୁରାଗରେ ସାବଧାନେ

।।

 

 

 

 

ଯେ ଏହା କରିବେ ଶ୍ରବଣ

ଖଣ୍ଡିବେ ଅକାଳ ମରଣ

।।

ଶ୍ରୀକୃଷ୍ଣ ଭକ୍ତି ତାହାଙ୍କର

ନିଶ୍ଚୟେ ହୋଇବ ଆବର

।।

ଖଣ୍ଡିବେ ଭବ ଯେ ବନ୍ଧନ

ଲଭିବେ ଶ୍ରୀକୃଷ୍ଣ ଚରଣ

।।

ଏଥିରେ ସଂଶୟ ନ କର

ଏ କୃଷ୍ଣ ଭକ୍ତିର ବିଚାର

।।

 

 

 

 

ଯେ କୃଷ୍ଣ ମହିମା ଶୁଣନ୍ତି

ବେଭାରେ ଲଭେ ସଦଗତି

।।

ସୁଜନେ କୃପାକର ମୋତେ

ମୋ ପ୍ରତିଜନ ଯେ ଯୁଗତେ

।।

ତୁମ୍ଭର ଚରଣର ଦାସ

ସେ ଘେନିକରି ମୋର ଆଶ।।

 

ବଳିଲା ତୁମ୍ଭ ଚରଣରେ

ଏ ଘେନି ଜାଣିମା ବେଭାରେ।।

 

 

 

 

 

ପୂର୍ବରୁ କାରୁଣିକ ଥାଇଁ

ତୁମ୍ଭ ଚରଣେ ମତି କାହିଁ

।।

ଏ ଶୁଣି ପୂର୍ବ ହେତୁ ଘେନି

ଲଭିଲି ତୁମ୍ଭ ପାଦ ବେନି

।।

ତୁମ୍ଭେ କଲ୍ୟାଣ ମୋତେ କର

ଭକ୍ତି ନିଶ୍ଚଳ ତେବେ ମୋର

।।

ବହୁତ କରିଛି ଭରସା

ତୁମ୍ଭେ ପୂରାଅ ମୋର ଆଶା

।।

 

 

 

 

ସେ ପ୍ରଭୁ କରୁଣାସାଗର

ବହୁତ ମହିଁମା ତାଙ୍କର

।।

ସୁନ୍ଦର ପଣେ କୋଟୀ କାମ

ପାଦତଳକୁ ନୁହେ ସମ

।।

ଯାହାର ଚଉଷଠି ଜାଣ

ମହାପୁରୁଷ ଗୁଣବାନ

।।

ଯାହାର ଅଷ୍ଟାଦଶ ଦୋଷ-

ମାନଙ୍କର ନାହିଁନା ଲେଶ

।।

 

 

 

 

ଷୋଡ଼ଶ ନାୟକ ଲକ୍ଷଣ

ଯେଉଁ ପ୍ରଭୁର ଛନ୍ତି ଜାଣ

।।

ବତିଶ ଲକ୍ଷଣ ବେଭାରେ

ଅଛନ୍ତି ଯେଉଁ ପ୍ରଭୁଠାରେ

।।

ପାଦତଳରେ ହାଦେ ଜାଣ

ଅଛନ୍ତି ଅଷ୍ଟାଦଶ ଚିହ୍ନ

।।

ଏତେକ ଲକ୍ଷଣ ଯେ ଥାଇଁ

ପୁରୁଷ ଦେଖିଛକି କାହିଁ

।।

 

 

 

 

ଯାହାର ଚରଣ ଠାବର

ମହିମା ଦେବେ ଅଗୋଚର

।।

ଏମନ୍ତ ଜାଣି ତାଙ୍କ ଗୁଣ

ବନ୍ଦୀ ହୋଇଲା ମୋର ମନ।।

 

ନିରତେ ଚିନ୍ତା ମୁଁ କରଇ

କେମନ୍ତେ ତାଙ୍କୁ ପାଇବଇଁ

।।

କେ ତାଙ୍କୁ ଦେବ ମୋତେ ଆଣି

 

କେମନ୍ତେ ପାଇବଇଁ ପୁଣି

।।

 

 

 

 

ନୋହିଲେ ତାଙ୍କର ତହିଁକି

କେ ମୋତେ ଘେନିଯିବ ନିକି।।

 

ଏହି ଭାବରେ ଉଦବେଗ

ହୁଅଇ ପାଇବାକୁ ବେଗ

।।

ଏ ଘେନି କରି ତାଙ୍କ ଭକ୍ତି

ନିରତେ ବିଚାରଇ ମତି

।।

ଫୁଲ୍ଲେନ୍ଦୀବର କାନ୍ତି ଜାଣ

ଆବର ଇନ୍ଦୁ ଯେ ବଦନ

।।

 

 

 

 

ବରହ ଅବତଂଶ ଚୂଳ

ଶ୍ରବଣେ ମକର କୁଣ୍ଡଳ

।।

ଶ୍ରୀବତ୍ସ ଲାଞ୍ଛନ ସ୍ଥାବର

ଉଦାର କଉସ୍ତୁଭ ଉର

।।

ପୀତବସନ ଶୋଭାବନ

ମେଖଳା କ୍ଷୁଦ୍ର ଘଣ୍ଟିଗଣ

।।

ଲଲାଟେ ଚନ୍ଦନ ତିଳକ

ହୃଦରେ ବିବିଧ ପଦକ

।।

 

 

 

 

ବାହୁରେ କଚଟି କଙ୍କଣ

ସୁନ୍ଦର ନୂପୁର ଚରଣ

।।

କଦମ୍ବ ପାଦପର ତଳେ

ମଣି ନିର୍ମିତ ବେଦିପରେ

।।

ତ୍ରିଭଙ୍ଗିଛନ୍ଦେ ହୋଇ ଉଭା

ମୂରଲୀ ବେନି କରେ ଶୋଭା।।

 

ଗୋଗୋପୀ ମଣ୍ଡଳେ ଆବୃତ

 

ମୂରଲୀ ବାଦନେ ପଣ୍ଡିତ

।।

 

 

 

 

ଗୋପୀଙ୍କ ନୟନ କମଳ

ଗୋପୀଙ୍କ ଚରଣ ଯୁଗଳ

।।

ନିନ୍ଦନ୍ତି କୋଟୀ ଯେ ମଦନ

ଯୁବତି-ମାନସ ମର୍ଦ୍ଧନ

।।

ଆଭୀର ନଟବର ବେଶ

ଭୀମଦାସର ତାଙ୍କୁ ଆଶ

।।

ଦ୍ୱାପରଯୁଗ ରାଜ ଜାଣ

ଯେ ବୃଷଭାନୁସୂତା ପ୍ରାଣ

।।

 

 

 

 

ରାସ ଯେ ମଣ୍ଡଳ ନାୟକ

ହତାରି ଗତି ଯେ ଦାୟକ

।।

ଅବତାର ଆବଳି ବୀଜ

ନନ୍ଦ ଯେ ଯଶୋଦା ଆତ୍ମଜ

।।

ତାଙ୍କର ଚରଣ ଯୁଗଳ

ଚିନ୍ତା କରିଣ ମାନସର

।।

କହିଲା ଶିଶୁ ଭୀମ ଦାସ

ଗୀତ ବିଚାରେ ଭକ୍ତି ରସ

।।

ଇତି ଶ୍ରୀ ହରିଭକ୍ତିଚନନ୍ଦ୍ରୋଦୟେ ଗ୍ରନ୍ଥ ସମାପ୍ତୋ

ନାମ ଷଟ୍‌ତ୍ରିଂଶୋଽଧ୍ୟାୟଃ ।

 

ସମ୍ପୂର୍ଣ୍ଣ